ଜୁଲୁମ୍ ଓ ବେଆଇନ ଗିରଫଦାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ପଥରଗାଡ଼ିଆର ନିରୀହ ଲୋକଙ୍କ ଉପରେ ଇନ୍ଫୋସିଟି ପୋଲିସର
ଜୁଲୁମ୍ ଓ ବେଆଇନ ଗିରଫଦାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ଭୁବନେଶ୍ୱର, ୧୩/୨-ଫେବୃଆରୀ ୪ ତାରିଖ ରାତିରେ ପଥରଗାଡ଼ିଆସ୍ଥିତ ଇନ୍ଫୋସିଟି ଥାନା ପଛପଟେ ଗଣ୍ଡଗୋଳରେ କେତେକ ନିରୀହ,ହରିଜନ ଓ ଭିନ୍ନକ୍ଷମଙ୍କୁ ସମ୍ପୃକ୍ତ କରି ଇନ୍ଫୋସିଟି ଥାନା ପୋଲିସ କରିଥିବା ମାରଧର, ନିର୍ଯାତନା ଏବଂ ବେଆଇନ ଗିରଫଦାରୀ ବିରୋଧରେ ଆଜି ସିପିଆଇ ଭୁବନେଶ୍ୱର ଜୋନ ସମ୍ପାଦକ ସୁର ଜେନାଙ୍କ ନେତୃତ୍ୱରେ କାବେରୀ ଦାସ ମହାପାତ୍ର, କାଳନ୍ଦୀ ଭୋଇ,
ସୌଦାମିନୀ ନାୟକ ଓ ସୁରତମା ଭୋଇ ପ୍ରମୁଖ ଭୁବନେଶ୍ୱର ପୋଲିସ ଡେପୁଟି କମିଶନଙ୍କ ନିକଟରେ ଫେରାଦ ହେବା ସଙ୍ଗେ ସଙ୍ଗେ ନିର୍ଦ୍ଦୋଷ, ନିରପରାଧମାନଙ୍କୁ ଛାଡ଼ିଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଗୃହ ବିଭାଗର ପ୍ରମୁଖ ଶାସନ ସଚିବ, ଓଡ଼ିଶା ମାନବ ଅଧିକାର କମିଶନ, ଏସ୍ସି/ ଏସ୍ଟି ବିଭାଗର କମିଶନର ତଥା ସଚିବ ଏବଂ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକଙ୍କୁ ଜଣାଇଛନ୍ତି ।କାବେରୀ ଦାସ ମହାପାତ୍ର ତାଙ୍କ ଦରଖାସ୍ତରେ ଲେଖିଛନ୍ତି ଯେ, ତାଙ୍କ ସ୍ୱାମୀ ଯଶବନ୍ତ ଦାସମହାପାତ୍ର ହରିଜନମାନଙ୍କ ଜମିକୁ ହଡ଼ପ କରିବା ପାଇଁ ଜମି ମାଫିଆଙ୍କ ଚକ୍ରାନ୍ତକୁ ବିରୋଧ କରୁଥିବାରୁ ତାଙ୍କ ସ୍ୱାମୀଙ୍କୁ ଏହି ମିଛ ମାମଲାରେ ଫସାଇ ଦିଆଯାଇଛି ।
ଜମି ମାଫିଆମାନଙ୍କ ପ୍ରରୋଚନାରେ ପୋଲିସ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି ଓ ତାଙ୍କ ଘର ସାମ୍ନାକୁ ଆସି ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିଛି । କବାଟ ବାଡ଼େଇ ନାନା ଧମକଚମକ ଦେଇଛି ।
କାଳନ୍ଦୀ ଭୋଇ ଲେଖିଛନ୍ତି ଯେ ପୋଲିସ ରାତି ସାରା ମୋତେ ଥାନାରେ ରଖି ମାରଧର କରିଛି । ମୁଁ ଶାରୀରିକ ଅକ୍ଷମ
ହୋଇଥିବାବେଳେ ଅନ୍ୟ ଜଣେ ମୋତେ ଖୁଆଇଦେଲେ ମୁଁ ଖାଏ । ମୋତେ ରାତିରୁ ପୋଲିସ ଘରୁ ଉଠାଇ ନେଇ ଅତ୍ୟାଚାର କରିଛି ।ସୌଦାମିନୀ ନାୟକ ଲେଖିଛନ୍ତି ଯେ ତାଙ୍କ ପୁତ୍ର ସୂର୍ଯ୍ୟକାନ୍ତ ନାୟକଙ୍କୁ ଇନ୍ଫୋସିଟି ପୋଲିସ ଥାନାକୁ ନେଇ ସେ ଗଣ୍ଡଗୋଳରେ ସମ୍ପୃକ୍ତ ନ ଥିଲେ ମଧ୍ୟ ମିଛରେ ବିଭିନ୍ନ ଦଫା ଲଗାଇ କୋର୍ଟକୁ ଚାଲାଣ କରିଛନ୍ତି । ପୋଲିସ ଆମ ଭଳି ନିରୀହ ସାଧାରଣ ଲୋକଙ୍କୁ
ମିଥ୍ୟା ମକଦ୍ଦମାରେ ସମ୍ପୃକ୍ତ କରି ଗିରଫ କରି ଜେଲ୍କୁ ପଠାଇଛି, ଗ୍ରାମକୁ ବାରମ୍ବାର ଆସି ଅଶ୍ଳୀଳ ବ୍ୟବହାର କରି, ମହିଳାମାନଙ୍କ
ପ୍ରତି ଅସୌଜନ୍ୟ ଆଚରଣ ପ୍ରଦର୍ଶନ କରିଛି । ମୋର ଜାତିକୁ ଆକ୍ଷେପ କରି ନାନା ଧମକଚମକ ଦେବା ଓ ରାତି ଅଧରେ ଆସି
କବାଟ ବାଡ଼େଇବା ସହ ଆତଙ୍କ ସୃଷ୍ଟି କରୁଛନ୍ତି ।
ସୁରତମା ଭୋଇ ଲେଖିଛନ୍ତି ଯେ ବାପାଙ୍କ ଶୁଦ୍ଧିକର୍ମରେ ପଥରଗାଡ଼ିଆ ମହିମାନଗରକୁ ଆସିଥିବାବେଳେ ଗଣ୍ଡଗୋଳ ସହିତ ମୋର କୌଣସି ସମ୍ପର୍କ ନ ଥିଲେ ବି ମୋତେ ଓ ମୋର ସ୍ୱାମୀଙ୍କୁ ରାତିରେ ଘରୁ ଉଠାଇନେଇ ପୋଲିସ ନିର୍ଯାତନା ଦେଇଛି ।
ଭାରତର ମହାମହିମ ରାଷ୍ଟ୍ରପତି, ଆଦିବାସୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଆଦିବାସୀ ହୋଇଥିବାବେଳେ ନିରପରାଧ
ଆଦିବାସୀମାନଙ୍କ ଉପରେ ପୋଲିସର ନିର୍ଯାତନା ଅତ୍ୟନ୍ତ ନିନ୍ଦନୀୟ । ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ
ଗ୍ରହଣ କରି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ପାଇଁ ଅନୁରୋଧ କରି ଏ ଘଟଣାରେ ପଥରଗାଡ଼ିଆସ୍ଥିତ ମହିମାନଗରର ନିରପରାଧ,
ନିର୍ଦ୍ଦୋଷ, ନିର୍ଯାତିତ ଅସହାୟମାନଙ୍କ ସପକ୍ଷରେ ଦୃଢ଼ ସ୍ୱର ଉତ୍ତୋଳନ କରିଛନ୍ତି ସିପିଆଇ ଭୁନେଶ୍ୱର ଜୋନ ସମ୍ପାଦକ ସୁର ଜେନା ।