ପିପିଲିର ଦୁର୍ଗାଦାସପୁରରେ ‘ନୂଆ ଡ଼ାକ କାର୍ଯ୍ୟାଳୟ’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
ଡ଼ାକ ଘର ଆପଣଙ୍କ ସେବା ଘର – ଧର୍ମେନ୍ଦ୍ର ପ୍ରଧାନ
• ଦୁର୍ଗାଦାସପୁର ସମେତ ଆଖପାଖ ୭ଟି ଗ୍ରାମର ୫ ହଜାରରୁ ଅଧିକ ଲୋକମାନେ ହେବେ ଉପକୃତ
• ଦୁର୍ଗାଦାସପୁର ଗ୍ରାମକୁ ଦେଶ ଦୁନିଆ ସହ ଯୋଡାଯିବାର ଏକ ନୂଆ ଝରକାଟିଏ ତିଆରି ହେଲା
• ଉଦଘାଟିତ ପୋଷ୍ଟ ଅଫିସ ହେଉଛି ଓଡ଼ିଶାର ୭,୬୯୬ତମ ଶାଖା କାର୍ଯ୍ୟାଳୟ
• ସାଧାରଣ ନାଗରିକଙ୍କୁ ସୁଲଭ, ସୁଗମ ବ୍ୟାଙ୍କ୍ ସେବା ପ୍ରଦାନ କରିବା ସହ ଭାରତ ସରକାରଙ୍କ ବିଭିନ୍ନ ସୁବିଧାକୁ ଲୋକମାନଙ୍କ ପାଖରେ ପହଞ୍ଚାଯିବା ଲକ୍ଷ୍ୟରେ ଏହି ପୋଷ୍ଟ ଅଫିସ କାର୍ଯ୍ୟ କରିବ
• ‘ପୂର୍ବୋଦୟ କଳ୍ପନା’ରେ ମୋଦି ସରକାର ରାଜ୍ୟରେ ନୂଆ ଡାକ କାର୍ଯ୍ୟାଳୟ ଖୋଲିବାର ଦାୟିତ୍ୱ ନେଇଛନ୍ତି
• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବକୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ
ପିପିଲି, ନଭେମ୍ବର – ଡାକ ଘର ଆପଣଙ୍କ ସେବା ଘର । ଆଜି ଦୁର୍ଗାଦାସପୁର ଗ୍ରାମକୁ ଦେଶ ଦୁନିଆ ସହ ଯୋଡାଯିବାର ଏକ ନୂଆ ଝରକାଟିଏ ତିଆରି ହେଲା ବୋଲି ଶନିବାର ପିପିଲିର ଦୁର୍ଗାଦାସପୁରରେ ‘ନୂଆ ଡାକ ଶାଖା କାର୍ଯ୍ୟାଳୟ’ର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ‘ପୂର୍ବୋଦୟ କଳ୍ପନା’ରେ ଭାରତ ସରକାର ଓଡ଼ିଶାରେ ନୂଆ ନୂଆ ଡାକ କାର୍ଯ୍ୟାଳୟ ଖୋଲିବା ସହ ବିକଶିତ କରୁଛନ୍ତି । ଡାକ ଘରକୁ କମ୍ପ୍ୟୁଟିକରଣ କରିବା ସହ ଅତ୍ୟାଧୁନିକ କରାଯାଉଛି । ଆଜି ଉଦଘାଟିତ ପୋଷ୍ଟ ଅଫିସ ହେଉଛି ଓଡ଼ିଶାର ୭,୬୯୬ତମ ଶାଖା କାର୍ଯ୍ୟାଳୟ । ଏହି ପୋଷ୍ଟ ଅଫିସ ବ୍ୟାଙ୍କ୍ ଭଳି କାମ କରିବ । ସାଧାରଣ ନାଗରିକଙ୍କୁ ସୁଲଭ, ସୁଗମ ଓ ବିଶ୍ୱସନୀୟ ବ୍ୟାଙ୍କ୍ ସେବା ପ୍ରଦାନ କରିବା ସହ ଭାରତ ସରକାରଙ୍କ ବିଭିନ୍ନ ସୁବିଧାକୁ ଲୋକମାନଙ୍କ ପାଖରେ ପହଞ୍ଚାଯିବା ଲକ୍ଷ୍ୟରେ ଏହି କାର୍ଯ୍ୟ କରିବ । ଏହି ‘ସେବାଘର’ ଦ୍ୱାରା ଦୁର୍ଗାଦାସପୁର ସମେତ ଆଖପାଖ ୭ଟି ଗ୍ରାମର ୫ ହଜାରରୁ ଅଧିକ ଲୋକମାନେ ଉପକୃତ ହେବେ । ଏଥିପାଇଁ ଶ୍ରୀ ପ୍ରଧାନ ଦୁର୍ଗାପୁର ଗ୍ରାମବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବକୁ ଧନ୍ୟବାଦ ଜଣାଇଛନ୍ତି ।