Search for:
  • Home/
  • ରାଜ୍ୟ/
  • ବିଜେପି କ୍ଷମତାକୁ ଆସିବାର ମାସେ ହୋଇନି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଲାଣି: ପିସିସି ସଭାପତି

ବିଜେପି କ୍ଷମତାକୁ ଆସିବାର ମାସେ ହୋଇନି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଲାଣି: ପିସିସି ସଭାପତି

Spread the love

Loading

ବିଜେପି ଯୁବମୋର୍ଚ୍ଚାର ହିଂସାକାଣ୍ଡକୁ କଂଗ୍ରେସର ନିନ୍ଦା
ଶାନ୍ତିପ୍ରିୟ ରାଜ୍ୟରେ ଅଶାନ୍ତି ସୃଷ୍ଟି କରୁଛି ବିଜେପି
ବିଜେପି କ୍ଷମତାକୁ ଆସିବାର ମାସେ ହୋଇନି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଲାଣି: ପିସିସି ସଭାପତି
ସଂସଦରେ ବିରୋଧୀ ଦଳର କ୍ଷମତା ବୃଦ୍ଧିକୁ ସହିନପାରି ହିଂସାର ପନ୍ଥା ଆପଣାଇଛି ବିଜେପି: ସପ୍ତଗିରି
ଓଡ଼ିଆ ଅସ୍ମିତା ନାମରେ ଓଡ଼ିଶାରେ ଗୁଜୁରାଟ ମଡେଲ ଚାଲିଲାଣି: ବିଶ୍ୱରଞ୍ଜନ
ଭୁବନେଶ୍ୱର,୪ ।୭: ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ଅଶାନ୍ତିର ବୀଜ ବୁଣୁଛି ବିଜେପି । ବିରୋଧୀ ଦଳ ନେତା ସମ୍ମାନୀୟ ରାହୁଲ ଗାନ୍ଧୀଙ୍କ ପ୍ରତି ଓଡ଼ିଶା ବିଜେପି ଯୁବମୋର୍ଚ୍ଚା ଯେଭଳି ବ୍ୟବହାର ପ୍ରଦର୍ଶନ କଲା ଏବଂ କଂଗ୍ରେସ ଭବନ ଆଗରେ ହିଂସାକାଣ୍ଡ ଘଟାଇଲା ତାହା ଅତ୍ୟନ୍ତ ନିନ୍ଦନୀୟ । ଏହା ଦ୍ୱାରା ବିଜେପିର ଅସଲ ଚେହେରା ପଦାରେ ପଡିଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।
ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଲେ ଯେ କ୍ଷମତାକୁ ଆସିବାର ମାତ୍ର ଏକ ମାସ ହୋଇଛି, ବିଜେପିର ନେତାମାନେ ଯେଭଳି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କଲେଣି ତାହା ଘୋର ଚିନ୍ତାର ବିଷୟ । ରାଜ୍ୟ ରାଜଧାନୀରେ ପୋଲିସ ପ୍ରଶାସନ ଉପସ୍ଥିତିରେ ବିଜେପିର କାର୍ଯ୍ୟକର୍ତାମାନେ ଗୁଣ୍ଡାଗର୍ଦ୍ଦି କଲେ । ପୋଲିସ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନି । ସରକାରୀ ଦଳର ଆଚରଣ ଓ ଉଚ୍ଚାରଣକୁ ରାଜ୍ୟବାସୀ ଦେଖୁଛନ୍ତି ଓ ଆଗାମୀ ଦିନରେ ଓଡ଼ିଶାବାସୀ ଏହାର ଦୃଢ଼ ଜବାବ ଦେବେ । ନିର୍ବାଚନ ସମୟରେ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ପୂରଣ ନକରି ଓଡ଼ିଶାବାସୀଙ୍କୁ ଠକିଚାଲିଛି । କଂଗ୍ରେସ ଭବନ ଆଗରେ ହିଂସାକାଣ୍ଡ ଘଟାଇଥିବା ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଆସନ୍ତା ୫ ତାରିଖରେ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଓ ଅନ୍ୟ କାର୍ଯ୍ୟକର୍ତାମାନେ ଭୁବନେଶ୍ୱର ଡିସିପିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବେ ।
ସାମ୍ବାଦିକ ସମ୍ମିଳନୀରେ ସାଂସଦ ସପ୍ତଗିରି ଉଲ୍ଲାକା କହିଲେ ଯେ ସଂସଦରେ ବିରୋଧୀ ଦଳର କ୍ଷମତା ବୃଦ୍ଧି ଓ ରାହୁଲ ଗାନ୍ଧୀଙ୍କ ଜବାବକୁ ବିଜେପି ନେତାମାନେ ସହିପାରୁନାହାନ୍ତି । ତେଣୁ ସେମାନେ ହିଂସ୍ର ହୋଇପଡ଼ିଛନ୍ତି । ଆମର ନେତା ରାହୁଲ ଗାନ୍ଧୀ ବିଜେପି ଓ ଆରଏସ୍‌ଏସ୍ ହିନ୍ଦୁତ୍ୱ ନାମରେ ହିଂସାକାଣ୍ଡ ଘଟାଉଥିବା କହିଥିଲେ । କିନ୍ତୁ ବିଜେପି ନେତାମାନେ ରାହୁଲ ଗାନ୍ଧୀ ପୁରା ହିନ୍ଦୁ ସମାଜକୁ ଆକ୍ଷେପ କରୁଥିବା ମିଥ୍ୟା ଅଭିଯୋଗ ଆଣି ବିଶୃଙ୍ଖଳା ସୃଷ୍ଟି କଲେ । ଓଡ଼ିଶାରେ ବିଜେପି କାର୍ଯ୍ୟକର୍ତାମାନେ ଯେଭଳି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କଲେ ତାହା ନିନ୍ଦନୀୟ । ସାମ୍ପ୍ରଦାୟିକତାବାଦ ପାଇଁ ୨୦୦୯ରେ ବିଜେଡି-ବିଜେପି ମେଂଟ ଭାଙ୍ଗିଥିଲା । ବର୍ତମାନ ଓଡ଼ିଶାରେ ବିଜେପି ଶାସନକୁ ଆସିବାର ମାସେ ହୋଇଥିବାବେଳେ ପୁଣି ଥରେ ରାଜ୍ୟରେ ସାମ୍ପ୍ରଦାୟିକତାବାଦ ଆଳରେ ହିଂସାକାଣ୍ଡ ସୃଷ୍ଟି କରୁଛି । ତାମିଲ ଶାସନ ହଟାଇବାକୁ ଯାଇ ଓଡ଼ିଶାରେ ଗୁଜୁରାଟ ମଡେଲ ଥୋଇଲେଣି । ସଂସଦରେ ଆମେ ମଣିପୁର ସମସ୍ୟା ସମ୍ପର୍କରେ ଆଲୋଚନା ପାଇଁ ପ୍ରସ୍ତାବ ରଖିଥିଲୁ । ସେଠାରେ ୬୦ହଜାର ଲୋକ ଶରଣାର୍ଥୀ ଶିବିରରେ ଘୋର ସମସ୍ୟା ଭିତରେ ଅଛନ୍ତି । ସେମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆମେ ଦାବି କଲୁ । ମାତ୍ର ଆଉଟର ମଣିପୁରରୁ ବିଜୟୀ ହୋଇଥିବା କଂଗ୍ରେସ ସାଂସଦଙ୍କୁ ସଂସଦରେ କହିବାକୁ ସୁଯୋଗ ଦିଆଗଲା ନାହିଁ ବୋଲି ଶ୍ରୀ ଉଲ୍ଲାକା କହିଛନ୍ତି ।
ସେହିପରି ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଡ.ବିଶ୍ୱରଞ୍ଜନ ମହାନ୍ତି କହିଲେ ଯେ ଏମ୍‌ଏସ୍‌ପିକୁ ଆଇନଗତ କରିବା ପାଇଁ ଆମେ ଦାବି ରଖିଥିଲୁ । କିନ୍ତୁ ସଂସଦରେ ସେ ସମ୍ପର୍କରେ ଆଲୋଚନା କରିବାକୁ ଦିଆଗଲା ନାହିଁ । ଓଡ଼ିଶାରେ ଖୋଦ୍ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନେ ଦ୍ୱନ୍ଦ୍ୱରେ ଅଛନ୍ତି । ସେମାନଙ୍କ ମଧ୍ୟରୁ କିଏ କେତେବେଳେ କ’ଣ କହୁଛନ୍ତି, ତାହା ସେମାନେ ନିଜେ ମଧ୍ୟ ଜାଣନ୍ତି ନାହିଁ । ତେଣୁ ଚାଷୀଙ୍କୁ ଖରିଫ୍ ଋତୁରେ ଏମ୍‌ଏସପି ଦିଆଯିବ କି ରବି ଋତୁରେ ଏମ୍‌ଏସ୍‌ପି ଦିଆଯିବ ତାହା ପଛକଥା । ପ୍ରଥମେ ଚାଷୀଙ୍କୁ ଏମ୍‌ଏସ୍‌ପିର ଆଇନଗତ ଅଧିକାର ପ୍ରଦାନ କରାଯିବା ଆବଶ୍ୟକ । ସେହିପରି ଓଡ଼ିଆ ଅସ୍ମିତାର କଥା କହି ଶାସନକୁ ଆସିଥିବା ବିଜେପି ସରକାର ଓଡ଼ିଶାରେ ଗୁଜୁରାଟ ମଡେଲ ଚଲାଇଲାଣି । ଖୋଦ୍ ବିଜେପି ରାଜ୍ୟ ସଭାପତି ସାମ୍ବାଦିକ ସମ୍ମିଳନୀ ଡାକି ଯେଭଳି ଭାବେ ଆମର ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଲେ ଏବଂ ସେହିଦିନ ବିଜେପି ଯୁବମୋର୍ଚ୍ଚାର କର୍ମୀମାନେ ଆସି ହିଂସାକାଣ୍ଡ ଘଟାଇଲେ ତାହା ଅତ୍ୟନ୍ତ ନିନ୍ଦନୀୟ । ହିନ୍ଦୁ ଧର୍ମ ଅହିଂସା ଉପରେ ବିଶ୍ୱାସ କରେ । କିନ୍ତୁ ହିନ୍ଦୁ ଧର୍ମ ନାମରେ ବିଜେପି ଓ ଆରଏସ୍‌ଏସ୍‌ର କର୍ମକର୍ତା ଯେଭଳି ହିଂସାକାଣ୍ଡ ଘଟାଉଛନ୍ତି ତାହା ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ଡ. ମହାନ୍ତି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସମ୍ମିଳନୀରେ ପିସିସି ଉପସଭାପତି ସନତ ଦାଶ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required