ଆରମ୍ଭରୁ ମନ ମୋହିଲା ପାର୍କ ଉତ୍ସବ
ଆରମ୍ଭରୁ ମନ ମୋହିଲା ପାର୍କ ଉତ୍ସବ
* ସକାଳୁ ଜୁମ୍ବା ସାଙ୍ଗକୁ ଯୋଗାଭ୍ୟାସ
* ସନ୍ଧ୍ୟାରେ ଅର୍ଚ୍ଚିତାଙ୍କ ଡ୍ୟାନ୍ସ ନମ୍ବରରେ ଝୁମିଲେ ଦର୍ଶକ
ଭୁବନେଶ୍ୱର, ୫|୧(): ଶୀତୁଆ ସକାଳରେ ଜୁମ୍ବା ଡ୍ୟାନ୍ସ ତାଳେ ତାଳେ ତଥା ଫିଟନେସ ମନ୍ତ୍ରରୁ ଆରମ୍ଭ ହୋଇଥିଲା ପାର୍କ ଉତ୍ସବ | ଏହି ଉତ୍ସବ ଜାନୁଆରୀ ୫ରୁ ୧୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ରବିବାର ରାଜଧାନୀର ମଧୁସୂଦନ ପାର୍କ, ଇନ୍ଦିରା ଗାନ୍ଧୀ ପାର୍କ, ବୁଦ୍ଧ ପାର୍କ, ଫରେଷ୍ଟ ପାର୍କ ଏବଂ ଅବଦୁଲ କଲାମ ପାର୍କ ଭଳି ପ୍ରମୁଖ ପାର୍କରେ ସ୍ୱାସ୍ଥ୍ୟ, ସଂସ୍କୃତି, ସୃଜନଶୀଳତା ଏବଂ ମନୋରଞ୍ଜନର ଝଲକ ଦେଖିବାକୁ ମିଳିଥିଲା | ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ସାଙ୍ଗକୁ ସଙ୍ଗୀତର ମୂର୍ଚ୍ଛନା ତଥା ଓଲିଉଡ଼ ସେଲିବ୍ରିଟିଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଏହାକୁ ଅଧିକ ଆକର୍ଷଣୀୟ କରିଥିଲା| ସାଂସ୍କୃତିକ ସନ୍ଧ୍ୟାର ଭବ୍ୟ ପରିବେଶକୁ ଉପଭୋଗ କରିବା ପାଇଁ ଦର୍ଶକଙ୍କ ଭିଡ଼ ଜମିଥିଲା|
ପ୍ରବାସୀ ଭାରତୀୟ ଦିବସରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ଆତ୍ମାକୁ ଜୀବନ୍ତ କରିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ରବିବାରରୁ ଆସନ୍ତା ୧୬ ପର୍ଯ୍ୟନ୍ତ ଏକାମ୍ର ଉତ୍ସବ ଆୟୋଜିତ ହେଉଛି | ଏଥିସହ ଚଳିତ ଥର ଓଡ଼ିଶାର ରାଜଧାନୀରେ ଅନୁଷ୍ଠିତ ହେଉଥିବା ପ୍ରବାସୀ ଭାରତୀୟ ଦିବସ (ପିବିଡି)ର ୧୮ତମ ସଂସ୍କରଣକୁ ଅଧିକ ଭବ୍ୟ ଛୁଙ୍କ ଦେବାକୁ ରବିବାରରୁ ୮ ଦିନ ପର୍ଯ୍ୟନ୍ତ ପାର୍କ ଉତ୍ସବ ଅନୁଷ୍ଠିତ ହେଉଛି |
ଏନେଇ ଆଗନ୍ତୁକଙ୍କ ନିମନ୍ତେ ପାର୍କରେ ସାଜସଜ୍ଜା ସମେତ ସୁନ୍ଦର ବ୍ୟବସ୍ଥା ହୋଇଥିଲା | ଏଥିସହ ସଭିଙ୍କୁ ଯୋଗ, ଜୁମ୍ବାର ପ୍ରଶିକ୍ଷଣ ସହ ଶରୀରକୁ ସୁସ୍ଥ ଓ ନୀରୋଗ ରଖିବାର ପରାମର୍ଶ ମିଳିଥିଲା |ଏଥିରେ ଅନିନ୍ଦିତା ପରିଡା, ସୋନାଲିସା ପଣ୍ଡା, କୁମାର ମୟୁର, ବି. ଯୋଗେନ୍ଦ୍ର, ଜ୍ୟୋତିରେଖା ପଲେଇ ପ୍ରମୁଖ ପ୍ରଶିକ୍ଷକମାନେ ସାମିଲ ହୋଇଥିଲେ | ଅନୁରୂପ ଅପରାହ୍ନ ୩:୩୦ରୁ ୬:୩୦ ପର୍ଯ୍ୟନ୍ତ ସାଂସ୍କୃତିକ ତଥା ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା |
ଓଡ଼ିଶାର ଲୋକକଳା ଏବଂ ଓଲିଉଡ଼ ସେଲିବ୍ରିଟିଙ୍କ ସହ ଦର୍ଶକ ଫଟ ଓ ସେଲ୍ଫି ଉଠାଇଥଲେ | ପେପର କ୍ରାଫ୍ଟ, ମ୍ୟାଜିକ ସୋ, ୱେଷ୍ଟ-ଟୁ-ବେଷ୍ଟ ଭଳି ନାନା କର୍ମଶାଳାମାନ ଆୟୋଜିତ ହୋଇଥିଲା | ରଙ୍ଗବେରଙ୍ଗର ଆଲୋକ ସାଜସଜ୍ଜା ହୋଇଥିଲା | ଖ୍ୟାତନାମା କଳାକାରଙ୍କ ଦ୍ୱାରା ଲାଇଭ ସଂଗୀତ ଆଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଫୁଡ ଷ୍ଟଲ ନିକଟରେ ଭିଡ଼ ଜମିଥିଲା |
କଳିଙ୍ଗନଗର ସ୍ଥିତ କଲାମ ପାର୍କରେ ଓଲିଉଡ଼ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ଟ୍ରେଣ୍ଡ ନମ୍ବରରେ ଡ୍ୟାନ୍ସ ଦର୍ଶକଙ୍କୁ କିମିଆ କରିଥିଲା| ତାଳେତାଳେ ଦର୍ଶକ ବି ଝୁମିଥିଲେ | ସେହିପରି ଆଇଜି ପାର୍କରେ ଗାୟକ ସ୍ୱପ୍ନଜିତ ଓ ଓଲିଉଡ଼ ଅଭିନତା ସୁଭାଶିଷ ଶର୍ମା(ମଣ୍ଟୁ)ଙ୍କ ସଙ୍ଗେ ଝୁମିଥିଲେ ଦର୍ଶକ | କୁନାକୁନି ପିଲାଙ୍କ ଠାରୁ ଯୁବ ତଥା ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଚେସ ଖେଳରେ ମସଗୁଲ ହୋଇଥିଲେ | ସମାନ ଭାବେ ଅନ୍ୟ ୪ ପ୍ରମୁଖ ପାର୍କରେ ପାର୍କ ଉତ୍ସବ ଅନୁଷ୍ଠିତ ହୋଇଥିଲା |