ଓଟିଭି ମଞ୍ଚରୁ ବିଜେପିର ପ୍ରଚାର କଲେ ବାବା ରାମଦେବ କଂଗ୍ରେସକୁ କାଚିଲେ,
ଓଟିଭି ମଞ୍ଚରୁ ବିଜେପିର ପ୍ରଚାର କଲେ ବାବା ରାମଦେବ
କଂଗ୍ରେସକୁ କାଚିଲେ,
ଓଟିଭି ମଞ୍ଚରୁ ବିଜେପିର ପ୍ରଚାର କଲେ ବାବା ରାମଦେବ
ଭୁବନେଶ୍ୱର: ଆଜି ଓଟିଭି ମଞ୍ଚରୁ ବିଜେପି ପାଇଁ ନିର୍ବାଚନୀ ପ୍ରଚାର କରିଛନ୍ତି ଯୋଗଗୁରୁ ବାବା ରାମଦେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସାରେ ପୋତିଥିଲା ବେଳେ ସୋନିଆ ଓ ରାହୁଲ ଗାନ୍ଧୀଙ୍କ ପରାଜୟ କାମନା ସହ କଂଗ୍ରେସର କଛା ଖୋଲିଦେଇଛନ୍ତି । ଇଣ୍ଡିଆ ମେଣ୍ଟ ଯୋଗୁଁ ବିଜେପି ୪୦୦ରୁ ଅଧିକ ଆସନ ଜିତିବ ବୋଲି ବାବା ଭବିଷ୍ୟବାଣୀ କରିଛନ୍ତି । ବୈଜୟନ୍ତ ପଣ୍ଡା ଓ ସମ୍ବିତ୍ ପାତ୍ରଙ୍କୁ ଓଡ଼ିଶାର ସୁଯୋଗ୍ୟ ସନ୍ତାନ କହି ଆଗାମୀ ନିର୍ବାଚନରେ ଉଭୟଙ୍କ ବିଜୟ ପ୍ରାର୍ଥନା କରିଛନ୍ତି ।
ଓଟିଭିର ବାର୍ଷିକ ଚିନ୍ତନ କାର୍ଯ୍ୟକ୍ରମ ଫୋରସାଇଟ୍-୨୦୨୪ରେ ଯୋଗଦେଇଥିଲେ ବାବା ରାମଦେବ । ଏହି ମଞ୍ଚରେ ତାଙ୍କୁ ପ୍ରଶ୍ନ ପଚାରିବାକୁ ଆଙ୍କର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ଡ. ସମ୍ବିତ ପାତ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା ଓ କଂଗ୍ରେସକୁ ଗାଳିରେ ମଞ୍ଚ ଫାଟି ପଡ଼ିଥିଲା । ବାବା ରାମଦେବ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତକୁ ବହୁ ଉଚ୍ଚସ୍ଥାନକୁ ନେଇଯାଇଛନ୍ତି । ସମଗ୍ର ଦୁନିଆରେ ଯୋଗକୁ ପରିଚିତ କରାଇଛନ୍ତି । ମୋଦୀଙ୍କ ଯୋଗୁଁ ବିଶ୍ୱ ଦରବାରରେ ଭାରତୀୟଙ୍କୁ ମର୍ଯ୍ୟାଦା ମିଳୁଛି । ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ନିଜକୁ ସନାତନ, ହିନ୍ଦୁ, ରାମଭକ୍ତ, କୃଷ୍ଣଭକ୍ତ ଓ ଶିବଭକ୍ତ କହିବାରେ ଗୌରବ ଅନୁଭବ କରୁଛନ୍ତି । ସନାତନ ଧର୍ମ ଓ ସଂସ୍କୃତିର ବିକାଶ ପାଇଁ ସେ ସର୍ବଦା ଚେଷ୍ଟିତ । ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ଉତ୍ସବରେ ୪ ଜଣ ଯାକ ଶଙ୍କରାଚାର୍ଯ୍ୟ ଯୋଗଦେବାକୁ ମନା କରିଥିବାରୁ ବାବା ସେମାନଙ୍କୁ ପଲିଟିକାଲ୍ ଶଙ୍କରାଚାର୍ଯ୍ୟ ବୋଲି ଆକ୍ଷେପ କରିଥିଲେ ।
କଂଗ୍ରେସକୁ ମନଭରି ସମାଲୋଚନା କରିଥିଲେ ବାବା । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁଙ୍କଠାରୁ ଆରମ୍ଭ କରି ରାହୁଲ ଗାନ୍ଧୀଙ୍କ ପର୍ଯ୍ୟନ୍ତ କାହାରିକୁ ଛାଡ଼ି ନ ଥିଲେ । କିଛି ଲୋକ ଟିଭିରେ ଆସିବା ପାଇଁ ଏବେ ରାମମନ୍ଦିର କଥା କହୁଛନ୍ତି । ସେମାନଙ୍କ କଥାକୁ ଗୁରୁତ୍ୱ ନ ଦେବାକୁ ସେ ପରାମର୍ଶ ଦେଇଥିଲେ ।
ପଚାରିଥିଲେ, ରାମମନ୍ଦିର କରିବାକୁ କଂଗ୍ରେସକୁ କିଏ ମନା କରିଥିଲା? ଧାରା ୩୭୦ ଓ ଟ୍ରିପଲ୍ ତଲାକ ଉଚ୍ଛେଦ କରିବାକୁ କିଏ ମନା କରିଥିଲା? ରାହୁଲ ଗାନ୍ଧୀ ଏବେ ସମଗ୍ର ଭାରତବର୍ଷ ଯାତ୍ରା କରୁଛନ୍ତି । ମାତ୍ର ଭାରତର ଆତ୍ମାକୁ ଜାଣିପାରିନାହାନ୍ତି । କଂଗ୍ରେସ ନିଜ ସହ ନ୍ୟାୟ କରିପାରୁନି । ଯେଉଁ ପାର୍ଟି ଦିନେ ଦେଶର ସର୍ବବୃହତ୍ତ ପାର୍ଟି ଥିଲା ଏବେ ସଙ୍କୁଚିତ ହୋଇଗଲାଣି । ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଏଥର ନିର୍ବାଚନ ଜିତିବେ ନା ନାହିଁ ତାହା ସନ୍ଦେହ ଘେରରେ । କଂଗ୍ରେସକୁ ଆତ୍ମଚିନ୍ତନ, ଆତ୍ମ ମୂଲ୍ୟାୟନ ଓ ଆତ୍ମ ବିଶ୍ଲେଷଣର ଆବଶ୍ୟକତା ରହିଛି ବୋଲି ବାବା କହିଥିଲେ ।
ଓଟିଭି ଚିନ୍ତନ ମଞ୍ଚରେ ଯୋଗଗୁରୁ ବାବା ରାମଦେବ କଂଗ୍ରେସ ଓ ଏହାର ନେତୃତ୍ୱକୁ ଧୂଲେଇ କରୁଥିଲା ବେଳେ ଦର୍ଶକ ଗ୍ୟାଲେରୀରେ ଉପସ୍ଥିତ ରାଜ୍ୟ କଂଗ୍ରେସର ମୁଖପାତ୍ର ଓ ଅନ୍ୟ କିଛି ନେତା ଏହାକୁ ମନମୁଗଧ ଚିତ୍ତରେ ଶୁଣୁଥିଲେ । ମନରେ ପ୍ରତିକ୍ରିୟା ନ ଥିଲା କି ମୁହଁରେ ପ୍ରତିବାଦ ନ ଥିଲା । ଏହା ଦେଖଣାହାରୀଙ୍କୁ ବେଶ୍ ଆମୋଦିତ କରିଥିଲା । ରାଜ୍ୟ କଂଗ୍ରେସ ନେତାଙ୍କ ଅସହାୟତା ସେମାନେ ବାରି ପକାଇଥିଲେ ।
ମଞ୍ଚରେ ବାବା ରାମଦେବ ଓଟିଭିର ଭୁରି ଭୁରି ପ୍ରଶଂସା କରିଥିଲେ । ବୈଜୟନ୍ତ ପଣ୍ଡାଙ୍କ ବ୍ୟକ୍ତିତ୍ୱର ଗୁଣଗାନ କରିଥିଲେ । ଏଥର ନିର୍ବାଚନରେ ସେ ନିଶ୍ଚୟ ଜିତିବେ ବୋଲି ଆଶା କରିଥିଲେ । ସେହିଭଳି ସମ୍ବିତ୍ ପାତ୍ରଙ୍କ ପ୍ରଶ୍ନରେ ଗଦ୍ ଗଦ୍ ହୋଇଯାଇଥିଲେ ବାବା । ତାଙ୍କର ବହୁମୁଖୀ ପ୍ରତିଭାର ଅବତାରଣା କରିବା ସହ ପୁରୀ ଲୋକସଭା ଆସନରୁ ଏଥର ନିଶ୍ଚିତ ବିଜୟ କାମନା କରି ସମସ୍ତଙ୍କ ଆଶୀର୍ବାଦ ଲୋଡ଼ିଥିଲେ ।
ଆଲୋଚନା ମଞ୍ଚରେ ବାବା ରାମଧୂନ ଗାଇଥିଲେ ଏବଂ ବୈଜୟନ୍ତ ଓ ସମ୍ବିତଙ୍କୁ ଦୁଇ ପାଖରେ ରଖି ଯୋଗ ଶିଖାଇଥିଲେ । ତିନି ଦିନ ତଳେ ଓଟିଭି ପ୍ରତିଷ୍ଠା ଉତ୍ସବରେ ଜାଗୀମଙ୍ଗତ ପଣ୍ଡାଙ୍କ ରାମଧୂନ ଗାନର ଉଚ୍ଚ ପ୍ରଶଂସା କରିବାକୁ ଭୁଲି ନ ଥିଲେ ବାବା ରାମଦେବ । ଅବଶ୍ୟ ଏହି ରାମଧୂନ୍ ଗାନ ପଛରେ ରାଜନୀତିର ବାତ୍ସା ଅଛି ବୋଲି ସମାଲୋଚକମାନେ କହୁଛନ୍ତି ।
ସୂଚନାଥାଉକି, କିଛି ଦିନ ତଳେ ବାବା ରାମଦେବଙ୍କର ବ୍ୟବସାୟିକ ଅନୁଷ୍ଠାନ ‘ପତଞ୍ଜଳି’ ର ପ୍ରସାର କରିଥିଲା ଏହି ଏକ ନମ୍ବର ଚାନେଲ୍ । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବାବାଙ୍କର ଲମ୍ବା ସମୟର ସାକ୍ଷାତକାର ସ୍ଥାନ ପାଇଥିଲା । ଏଥିରେ ବାବା ତାଙ୍କ ପତଞ୍ଜଳିତ୍ତଉତ୍ପାଦିତ ସାମଗ୍ରୀର ଜବରଦସ୍ତ ମାର୍କେଟିଂ କରିଥିଲେ । ଏଥିପାଇଁ ଆଜି ପରୋକ୍ଷରେ ସେ କୃତଜ୍ଞତା ଜଣାଇବା ସହ ଆଗାମୀ ଯାତ୍ରା ପାଇଁ ଢ଼େର୍ ସାରା ଆର୍ଶୀବାଦ ଦେଇଥିଲେ ।