ପ୍ରକାଶକ ସଂଘ ସହ ଓସେପା ନିର୍ଦେଶକଙ୍କ ବୈଠକ ବିଦ୍ୟାଳୟ ପୁସ୍ତକ ବିତରଣରେ ଆସିବ ସ୍ବଚ୍ଛତା
ପ୍ରକାଶକ ସଂଘ ସହ ଓସେପା ନିର୍ଦେଶକଙ୍କ ବୈଠକ
ବିଦ୍ୟାଳୟ ପୁସ୍ତକ ବିତରଣରେ ଆସିବ ସ୍ବଚ୍ଛତା
ଭୁବନେଶ୍ବର, ୨୯/୮: ରାଜ୍ୟର ସର୍ବ ବୃହତ୍ ପ୍ରକାଶକ ସଂଘ “ଉତ୍କଳ ପବ୍ଲିଶର୍ସ ଆଣ୍ଡ ବୁକ୍ସେଲର୍ସ ଆସୋସିଏସନ୍”ର ସଦସ୍ୟମାନଙ୍କ ସହ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଅନୁପମ ସାହାଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ପୁସ୍ତକ ବିତରଣ ପାଇଁ ସରକାରଙ୍କ ପକ୍ଷରୁ ଆହୁତ ଆଗ୍ରହ ଅଭିବ୍ୟକ୍ତି (ଇଓଆଇ) ଉପରେ ପୁନର୍ବିଚାର ଓ ଆଲୋଚନା ପାଇଁ ସଂଘ ଦାବି କରି ଆସୁଥିବାବେଳେ ଆଜି ପୂର୍ବାହ୍ଣରେ ଓସେପା କାର୍ଯ୍ୟାଳୟରେ ଏ ନେଇ ବୈଠକ ଅନୁଷ୍ଠିତ ହୋଇଛି।
ଲେଖକ ଓ ପ୍ରକାଶକଙ୍କ ସ୍ବାର୍ଥ ରକ୍ଷା ସହ ରାଜ୍ୟର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଉତ୍ତମ ମାନର ପୁସ୍ତକ ବିତରଣ ପାଇଁ ସଂଘ ପକ୍ଷରୁ ୬ଟି ପ୍ରସ୍ତାବ ନିର୍ଦେଶକଙ୍କ ପାଖରେ ଉପସ୍ଥାପନା କରାଯାଇଥିଲା। ପ୍ରାୟ ଏକ ଘଣ୍ଟା ବ୍ୟାପି ଏସବୁ ପ୍ରସ୍ତାବ ଉପରେ ଆଲୋଚନା ହେବା ସହ ପୁନର୍ବିଚାର ନେଇ ଉଭୟ ପକ୍ଷ ମଧ୍ୟରେ ସହମତି ପ୍ରକାଶ ପାଇଥିଲା। ଇଓଆଇ ପ୍ରକ୍ରିୟାକୁ ସ୍ବଚ୍ଛ ଓ ସହଜ କରିବା ପାଇଁ ଓସେପା ନିର୍ଦେଶକଙ୍କ ପ୍ରସ୍ତାବ ଓ ଉଦ୍ୟମକୁ ସଂଘ ପକ୍ଷରୁ ସ୍ବାଗତ କରାଯାଇଥିଲା। ଭବିଷ୍ୟତରେ ବହି ବିତରଣ ପ୍ରକ୍ରିୟାରେ ସରକାରଙ୍କୁ ସମସ୍ତ ସହଯୋଗ କରିବାକୁ ସଂଘ ପ୍ରତିଶ୍ରୁତି ଦେଇଥିଲା।
ସଂଘ ପକ୍ଷରୁ କ୍ଷୀରୋଦ ଚନ୍ଦ୍ର ପତି, ଶୁଭ୍ରାଂଶୁ ପଣ୍ଡା, ବନୋଜ ତ୍ରିପାଠୀ, ପ୍ରଦୀପ୍ତ ବେହୁରା, ସରୋଜ ବଳ, ଦେବାଶିଷ ସାମନ୍ତରାୟ, ସସ୍ମିତା ଦାଶ, ଅଭୟ ଦାସ, ରଜତରଶ୍ମି ସ୍ବାଇଁ, ଲୋପାମୁଦ୍ରା ଦାଶ, ନିରୁପମା ପଣ୍ଡା, ସୁଧୀର ମଉଡ଼ମଣି, ଅର୍ପିତା ଦାଶ, ରାଧାକୃଷ୍ଣ ଘଡ଼େଇ, ଚିନ୍ତରଂଜନ ବଳିଆରସିଂହ, ଅରବିନ୍ଦ ସାହୁ, ଚିନ୍ମୟ ନାୟକ, ଉମାଶଙ୍କର ପାଣିଗ୍ରାହୀ, ବଦ୍ରିନାରାୟଣ ତ୍ରିପାଠୀ, ସଂଜୟ ରାଉତ, ସୁବ୍ରତ ଧୀର, ଅମର ନାରାୟଣ ଦାସଙ୍କ ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୬୦ରୁ ଅଧିକ ପୁସ୍ତକ ପ୍ରକାଶନୀର ପ୍ରତିନିଧି ଉପସ୍ଥିତ ଥିଲେ। ଆଲୋଚନାବେଳେ ଓସେପା ପକ୍ଷରୁ ନିର୍ଦେଶକ ଶ୍ରୀ ସାହାଙ୍କ ସହ ଯୁଗ୍ମ ନିର୍ଦେଶକ ଶ୍ରୀମତୀ ଆରତି ରାଉତ ଉପସ୍ଥିତ ଥିଲେ।