ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀର ୩୭ତମ ବାର୍ଷିକ ନୃତ୍ୟୋତ୍ସବ ନୃତ୍ୟମ୍ବଦା ଭୁବନେଶ୍ଵର ରବୀନ୍ଦ୍ର ମଣ୍ଡପରେ ଉଦ୍ ଘାଟିତ
ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀର ୩୭ତମ ବାର୍ଷିକ ନୃତ୍ୟୋତ୍ସବ ନୃତ୍ୟମ୍ବଦା ଭୁବନେଶ୍ଵର ରବୀନ୍ଦ୍ର ମଣ୍ଡପରେ ଉଦ୍ ଘାଟିତ
ଭୁବନେଶ୍ଵର : 17.05.2024 : ଓଡ଼ିଶାର ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ୩୭ତମ ବାର୍ଷିକ ନୃତ୍ୟୋତ୍ସବ “ନୃତ୍ୟମ୍ବଦା” ଆଜି ସନ୍ଧ୍ୟା ସମୟରେ ରବୀନ୍ଦ୍ର ମଣ୍ଡପ ଠାରେ ବର୍ଣ୍ଣାଢ୍ୟ ପରିବେଶରେ ଉଦ୍ଘାଟିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଓଡିଶୀ, ସମ୍ବଲପୁରୀ ଓ ପଲ୍ଲୀ ନୃତ୍ୟ ପରିବେଷଣ ହେବା ସହିତ ଓଡିଶୀ ନୃତ୍ୟ ନାଟିକା ମଧ୍ୟ ପରିବେଷଣ କରଯାଇଥିଲା ।
ଉଦ୍ଘାଟନୀ ସନ୍ଧ୍ୟାରେ ଅତିଥି ଭାବରେ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଚିବ ଗୁରୁ ଡ. ଅରୁଣା ମହାନ୍ତି, ବିଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନା ଚପଳା ମିଶ୍ର, ପୂର୍ବତନ ପୁଲିସ ଅଧିକାରୀ ବଟକୃଷ୍ଣ ତ୍ରିପାଠୀ, ମର୍ଦ୍ଦଳ ବାଦକ ଗୁରୁ ବିଜୟ କୁମାର ବାରିକ, ଗାୟିକା ହରପ୍ରିୟା ସ୍ଵାଇଁ, ବଂଶୀ ବାଦକ ଶ୍ରୀନିବାସ ସତପଥୀ, ବେହେଲା ବାଦକ ଅଗ୍ନିମିତ୍ର ବେହେରା ଏବଂ ସିତାର ବାଦକ ସତ୍ୟବାନ ସେଠୀ ଉପସ୍ଥିତ ଥିଲେ ।
ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତିରେ ଅନୁଷ୍ଠାନର କଳାକାର ମାନେ ମଙ୍ଗଳାଚରଣରେ ଜଗନ୍ନାଥ ସହସ୍ର ନାମ ପରିବେଷଣ କରି ମହାପ୍ରଭୁଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ସୁନ୍ଦର ମଙ୍ଗଳାଚରଣଟି ବିଶିଷ୍ଟ ନୃତ୍ୟାଙ୍ଗନା ଗୁରୁ ଡ. ଅରୁଣା ମହାନ୍ତିଙ୍କ ଦ୍ଵାରା ସଂରଚିତ ହୋଇଥିଲା ଯାହାର ସଙ୍ଗୀତ ସଂଯୋଜନା ଶ୍ରୀ ଅଗ୍ନିମିତ୍ର ବେହେରା ଓ ବାଦ୍ୟ ସଂଯୋଜନା ଗୁରୁ ଧନେଶ୍ଵର ସ୍ଵାଇଁ କରିଥିଲେ । ପରେ ପରେ ପରିବେଷିତ ହୋଇଥିଲା କୋଣାର୍କ କାନ୍ତି ଯାହା ଓଡ଼ିଶାର ପ୍ରାଚୀନ ମନ୍ଦିର ବିଶେଷ କରି କୋଣାର୍କ ମନ୍ଦିର ଗାତ୍ରରେ ଖୋଦିତ ନର୍ତ୍ତକୀ ମାନଙ୍କର ଭଙ୍ଗୀ ଏବଂ ତାଳରେ ବିବିଧତା ଉପରେ ପର୍ଯବେଶିତ ହୋଇଥିଲା । ନୃତ୍ୟଟି ରାଗ ଭୁପାଲି ଏବଂ ଶଂକରାଭରଣ, ତାଳ ଏକତାଳି, ଖେମଟା ଉପରେ ନିବଦ୍ଧ ଥିଲା ଯାହାର ପରିକଳ୍ପନା ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନ ନୃତ୍ୟ ସଂରଚନା ଗୁରୁ ଅରୁଣା ମହାନ୍ତି, ଗୁରୁ ମନୋରଂଜନ ପ୍ରଧାନ ଓ ଗୁରୁ ବିଜୟ କୁମାର ଦାଶ, ସଙ୍ଗୀତ ସଂଯୋଜନା ଗୁରୁ ସଚ୍ଚିକାନ୍ତ ନାୟକ, ସୁରମଣି ରମେଶ ଚନ୍ଦ୍ର ଦାସ ଓ ଗୁରୁ ସୁମନ୍ତ ମହାନ୍ତି, ବାଦ୍ୟ ସଂଯୋଜନା ସ୍ଵର୍ଗତ ଗୁରୁ ଗଙ୍ଗାଧର ପ୍ରଧାନ ଓ ଗୁରୁ ବିଜୟ କୁମାର ବାରିକ ଏବଂ ନୃତ୍ୟ ନିର୍ଦ୍ଦେଶନା ଗୁରୁ ଯୁଧିଷ୍ଠିର ନାୟକ ଦେଇଥିଲେ । ପରବର୍ତ୍ତୀ ପ୍ରସ୍ତୁତି ରେ ଥିଲା ବିଭିନ୍ନ ପର୍ବ ପର୍ବାଣି ଓ ସାମାଜିକ ଅନୁଷ୍ଠାନ ମାନଙ୍କରେ ଦର୍ଶକ ମାନଙ୍କ ମନୋରଂଜନ ନିମନ୍ତେ ପରିବେଷିତ ହେଉଥିବା ପଲ୍ଲୀନୃତ୍ୟ ସ୍ଵାଗତମ । ଏହି ପଲ୍ଲୀ ନୃତ୍ୟକୁ ପରିବେଷଣ କରିଥିଲେ ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀର କୁନି କୁନି କଳାକାର ମାନେ ଯାହାର ନୃତ୍ୟସଂରଚନା ଓ ନିର୍ଦ୍ଦେଶନା ଦେଇଥିଲେ ଚିନ୍ମୟ ବେହେରା, ଭୀମସେନ ବରାଳ, ସନ୍ଧ୍ୟାରାଣୀ ସାହୁ ଓ ଶ୍ରୁତି ବେହେରା । ପରେ ପରେ ପରିବେଷିତ ହୋଇଥିଲା ମଇରା ଦାଦା (ସମ୍ବଲପୁରୀ) ନୃତ୍ୟ ଯାହାର ନୃତ୍ୟ ସଂରଚନା ଓ ନିର୍ଦ୍ଦେଶନା ଦେଇଥିଲେ ନୀଳାଦ୍ରି ସାମଲ, ସୂଚୀସ୍ମିତା ସାହୁ, ଶ୍ରୀପୁଣ୍ୟା ମହାନ୍ତି ଓ ଅନନ୍ୟା ପରିଡା । ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ପଶ୍ୟତି ଦିଶି ଦିଶି, ରହସି ଭବନ୍ତମ୍, ଜୟଦେବ କୃତ ଗୀତଗୋବିନ୍ଦର ଏକ ଅନନ୍ୟ ଅଷ୍ଟପଦୀ ଯାହାକୁ ପରିବେଷଣ କରିଥିଲେ ମଧୁସ୍ମିତା ନାୟକ, ଯାହାର ନୃତ୍ୟ ସଂରଚନା ଗୁରୁ ଅରୁଣା ମହାନ୍ତି ଓ ସଙ୍ଗୀତ ସଂଯୋଜନା ଡ. ସୁବାସ ପାଣି କରିଥିଲେ । ପରେ ପରେ ପଶ୍ଚିମ ଓଡିଶାର ଲୋକନୃତ୍ୟ ପରମ୍ପରାକୁ ମନେ ପକାଇ, ପଶ୍ଚିମ ଓଡିଶାର ଲୋକନୃତ୍ୟ ପରମ୍ପରାରେ ମା ସମଲେଇଙ୍କ ଷୋଳ ଭରଣୀ, ଚୁଟ୍କୁ ଚୁଟା, ଲଚ୍ଛନିଆ, ବଜ୍ଜ୍ନିଆ, ମାଇଲା ଜଡ ଆଉ ଅନେକ କିଛି ସମ୍ବଲପୁରୀ ନୃତ୍ୟ ଭାବର ଲହରୀ କୁ ପରିବେଷଣ କରିଥିଲେ ଓଡିଶା ଡ୍ୟାନ୍ସ ଏକାଡେମୀର ୨ୟ ବର୍ଷର ଛାତ୍ରୀ ମାନେ । ପରବର୍ତ୍ତୀ ପରିବେଷଣଟି ଥିଲା ବଟୁ ନୃତ୍ୟ ଯାହା ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ କରାଯାଇଥାଏ । ଶିବଙ୍କର ବିଭିନ୍ନ ଭୈରବରୂପ ମଧ୍ୟରୁ ବଟୁ ଭୈରବ ରୂପ ଅନ୍ୟତମ । ଏହି ନୃତ୍ୟଟିକୁ ସଂରଚନା କରିଥିଲେ ପଦ୍ମ ବିଭୂଷଣ ଗୁରୁ କେଳୁଚରଣ ମହାପାତ୍ର, ସଙ୍ଗୀତ ସଂଯୋଜନା କରିଥିଲେ ପଣ୍ଡିତ ଭୁବନେଶ୍ୱର ମିଶ୍ର ଏବଂ ନିର୍ଦ୍ଦେଶନା ଦେଇଥିଲେ ଶ୍ରୀ ଅରୁଣ କୁମାର ପ୍ରଧାନ । ପରେ ପରେ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର କଳାକାର ମାନଙ୍କ ଦ୍ୱାରା ପରିବେଷିତ ହୋଇଥିଲା ବସନ୍ତ ପଲ୍ଲବୀ ଯାହା ରାଗ ବସନ୍ତ ଏବଂ ତାଳ ଏକତାଳି ଉପରେ ନିବଦ୍ଧ ଥିଲା । ଯାହାର ନୃତ୍ୟ ସଂରଚନା ପଦ୍ମବିଭୂଷଣ ଗୁରୁ କେଳୁଚରଣ ମହାପାତ୍ର, ସଙ୍ଗୀତ ସଂଯୋଜନା ପଣ୍ଡିତ ଭୁବନେଶ୍ଵର ମିଶ୍ର ନୃତ୍ୟ ନିର୍ଦ୍ଦେଶନା ବିଜନ କୁମାର ପଲାଇ ଏବଂ ବିନାୟକ ସାମଲ କରିଥିଲେ । ତା ପରେ ପରିବେଷିତ ହୋଇଥିଲା ନବଦୁର୍ଗା ଯେଉଁଥିରେ କଳାକାର ମାନେ ମା’ ଦେବୀ ଦୂର୍ଗାଙ୍କର ୯ ଗୋଟି ରୂପ ବର୍ଣ୍ଣନା କରି ତାଙ୍କ ଚରଣରେ ସେମାନଙ୍କର ଭକ୍ତି ଅର୍ଘ୍ୟ ସମର୍ପଣ କରିଥିଲେ ଯାହାର ନୃତ୍ୟ ସଂରଚନା ସ୍ଵର୍ଗତଃ ପଦ୍ମଶ୍ରୀ ଗୁରୁ ପଙ୍କଜ ଚରଣ ଦାସ, ସଙ୍ଗୀତ ସଂଯୋଜନା ସ୍ଵର୍ଗତଃ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ ଏବଂ ନୃତ୍ୟ ନିର୍ଦ୍ଦେଶନା ପଙ୍କଜ କୁମାର ପ୍ରଧାନ ଓ ଦିପ୍ତିରଞ୍ଜନ ବରାଳ କରିଥିଲେ । ପରେ ପରେ ସେମାନଙ୍କ ପ୍ରସ୍ତୁତିରେ ଥିଲା ମୋହନା ପଲ୍ଲବୀ ଯାହା ରାଗ ମୋହନା ଏବଂ ତାଳ ତ୍ରିପଟା ୭ ମାତ୍ରା ଉପରେ ନିବଦ୍ଧ ଥିଲା । ନୃତ୍ୟଟିର ସଙ୍ଗୀତ ସଂଯୋଜନା ପଣ୍ଡିତ ଭୁବନେଶ୍ଵର ମିଶ୍ର, ନୃତ୍ୟ ସଂରଚନା ଗୁରୁ ପଦ୍ମବିଭୂଷଣ କେଳୁଚରଣ ମହାପାତ୍ର ଏବଂ ନୃତ୍ୟ ନିର୍ଦ୍ଦେଶନା ରାଜେଶ କୁମାର ପଲାଇ କରିଥିଲେ । ଶେଷରେ କବି ଜୟ ଦେବଙ୍କ ରଚିତ ଗୀତଗୋବିନ୍ଦ କାବ୍ୟର ଏକ ଅଷ୍ଟପଦୀ ଯେଉଁଥିରେ କବିଙ୍କ ଦ୍ଵାରା ଭଗବାନ ବିଷ୍ଣୁଙ୍କ ରଚିତ ବିଭିନ୍ନ ଲୀଳାକୁ ମନେ ପକାଇ ତାଙ୍କର ସ୍ତୁତି ଗାନ ପୂର୍ବକ ନୃତ୍ୟାଭିନୟ ଶ୍ରିତକମଳା ପରିବେଷିତ ହୋଇଥିଲା ।
ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସମ୍ପାଦିକା ତଥା ବିଶିଷ୍ଟ ନୃତ୍ୟାଙ୍ଗନା ଗୁରୁ ଡ. ଅରୁଣା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠାନର ବରିଷ୍ଠ ଗୁରୁ, ନୃତ୍ୟଶିଳ୍ପୀ ଓ କର୍ମକର୍ତ୍ତା ମାନଙ୍କ ଦ୍ୱାରା ଉକ୍ତ କାର୍ଯକ୍ରମ ଟି ବହୁତ ସୁନ୍ଦର ଭାବରେ ପରିଚାଳିତ ହୋଇଥିଲା ।