ଓଡିଶାରେ ସର୍ବୋଦୟ ଆନ୍ଦୋଳନ ପୁସ୍ତକ ଲୋକାର୍ପିତ ସର୍ବୋଦୟ ହେଉଛି ତ୍ୟାଗ ଓ ନିର୍ମାଣର ଗାଥା – ଚନ୍ଦନ ପାଲ
ଓଡିଶାରେ ସର୍ବୋଦୟ ଆନ୍ଦୋଳନ ପୁସ୍ତକ ଲୋକାର୍ପିତ
ସର୍ବୋଦୟ ହେଉଛି ତ୍ୟାଗ ଓ ନିର୍ମାଣର ଗାଥା – ଚନ୍ଦନ ପାଲ
ଭୁବନେଶ୍ଵର,ତା୦୯/୧୧: ସ୍ଵାଧୀନତା ପରେ କ୍ଷମତାକୁ ପାଦରେ ଆଡେଇ ଦେଇ ସମତା ଓ ସର୍ବୋଦୟ ମୂଳକ ନୂଆ ଭାରତର ନିର୍ମାଣ ନିମନ୍ତେ ଗାନ୍ଧୀ ପ୍ରଦର୍ଶିତ ପଥରେ ବିନୋବା ଭାବେ, ଲୋକନାୟକ ଜୟପ୍ରକାଶ ତଥା ଓଡିଶାରେ ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ଆଚାର୍ଯ୍ୟ ହରିହର, କୃପାସିନ୍ଧୁ ହୋତା, ମାଳତୀ ଦେବୀ, ନବକୃଷ୍ଣ ଚୌଧୁରୀ ଆଦିଙ୍କ ନେତୃତ୍ଵରେ ହୋଇଥିବା ସର୍ବୋଦୟ ଆନ୍ଦୋଳନର ହଜାର ହଜାର କର୍ମୀକୂଳ ଜୀବନ ବ୍ୟାପୀ ସାଧନା କରି ଯେଉଁ ଇତିହାସ ନିର୍ମାଣ କରିଛନ୍ତି, ତାହା ଆଜି ଲିପିବଦ୍ଧ ହୋଇ ପ୍ରକାଶିତ ହେବା ଦ୍ଵାରା ଓଡିଶା ଇତିହାସ ଆହୁରି ସମୃଦ୍ଧ ହେଲା । ବିଶିଷ୍ଟ ଐତିହାସିକ ଡ ପ୍ରଶାନ୍ତ କୁମାର ପ୍ରଧାନଙ୍କ ଦ୍ଵାରା ୧୯୪୮ ରୁ ୨୦୧୦ ମସିହା ଯାଏ ଲିଖିତ ଏହି ଗ୍ରନ୍ଥ ତ୍ୟାଗ ଓ ନିର୍ମାଣର ବାର୍ତ୍ତା ବହନ କରୁଅଛି ବୋଲି ସର୍ବ ସେବା ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚନ୍ଦନ ପାଲ ମତବ୍ୟକ୍ତ କରିଛନ୍ତି । ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ କୃଷ୍ଣା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ପ୍ରମେୟର ଫିଚର ସମ୍ପାଦକ ସୁଭାଷ ଚନ୍ଦ୍ର ଶତପଥୀ କହିଲେ ଯେ, ପଚାଶରୁ ଅଶୀ ଦଶକ ମଧ୍ୟରେ ସାମ୍ରାଜ୍ୟବାଦ ଯେଉଁ ଢଙ୍ଗରେ ଆସୁଥିଲା, ବର୍ତ୍ତମାନ ଆହୁରି ଶାଣିତ ଢଙ୍ଗରେ ଆମ ସମାଜକୁ କବଳିତ କରୁଅଛି । ତେଣୁ ସର୍ବୋଦୟ ଆନ୍ଦୋଳନକୁ ଆହୁରି ଶାଣିତ ଓ ତୀବ୍ର କରିବାକୁ ହେବ । ସେହିପରି ମୁଖ୍ୟ ଅତିଥି ଭାବରେ ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା ଭୁଦାନ ଗ୍ରାମଦାନ ଆନ୍ଦୋଳନର ବର୍ତ୍ତମାନ ପିଢୀକୁ ଏବେର କର୍ପୋରେଟ ଜମି ଲୁଟ ବିରୋଧରେ ସ୍ଵର ଉତ୍ତୋଳନ ପାଇଁ ଆହ୍ଵାନ ଦେଇଥିଲେ । ବାଜି ରାଉତ ଛାତ୍ରାବାସର ସଭାପତି ଶୈଳଜ ରବି ପୁସ୍ତକର ସମୀକ୍ଷା କରି ଏକ ବିଚାରବନ୍ତ ସମର୍ପିତ ଗୋଷ୍ଠୀ ଭୁଦାନ ଗ୍ରାମଦାନ ଆନ୍ଦୋଳନ, ଜରୁରୀକାଳୀନ ପରିସ୍ଥିତି, ସ୍ଵାଧୀନତା ବଞ୍ଚାଅ ଆନ୍ଦୋଳନ, ସାମ୍ପ୍ରଦାୟିକ ସଦ୍ଭାବ କାର୍ଯ୍ୟ ଠାରୁ ଆରମ୍ଭ କରି ନବ୍ୟ ସାମ୍ରାଜ୍ୟବାଦ ବିରୋଧୀ ସଂଗ୍ରାମ ଯାଏ ଅନେକ ଜନ ଆନ୍ଦୋଳନକୁ ସୃଷ୍ଟି କରିଥିବା ପୁସ୍ତକରେ ବର୍ଣ୍ଣିତ ଥିବା ତଥା ଏକ ସୁଦୀର୍ଘ କର୍ମୀ ତାଲିକା ମାଧ୍ୟମରେ ହଜାର ହଜାର ସେବକ ସେବିକା ମାନଙ୍କୁ ଏହି ପୁସ୍ତକରେ ମନେ ପକାଯାଇଥିବା କହିଥିଲେ । ଏହି ଅବସରରେ ଡ ପ୍ରଶାନ୍ତ କୁମାର ପ୍ରଧାନ, ରମାକାନ୍ତ ସାମନ୍ତରାୟ ଓ ମାନସ ପାଢୀଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ ଜଷ୍ଟିସ ମନୋରଞ୍ଜନ ମହାନ୍ତି, ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି ମିହିର ପ୍ରତାପ ଦାସ, ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ, ସାହିତ୍ୟିକା ଝରଣା ପଟ୍ଟନାୟକ, ଲୋହିଆ ଏକାଡ଼େମୀର ସମ୍ପାଦକ ଦେବ ପ୍ରସାଦ ରାୟ, ନିଧିର ସମ୍ପାଦକ ଜୟନ୍ତ ଦାସ ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଗାନ୍ଧୀ ସ୍ମାରକ ନିଧି ପ୍ରକାଶନ ସମିତିର ସଂଯୋଜକ ଡା ବିଶ୍ଵଜିତ ସଭା ସଂଚାଳନ କରିଥିବା ବେଳେ ମାନସ ପଟ୍ଟନାୟକ ଧନ୍ୟବାଦ ଅର୍ପଣ ଓ ଲିପିକା ମହାପାତ୍ର, ସୂର୍ଯ୍ୟ ନାରାୟଣ ନାଥ ଓ ଅନିମା ରାୟ ପ୍ରମୁଖ ସର୍ବଧର୍ମ ପ୍ରାର୍ଥନା ଆବୃତ୍ତି କରିଥିଲେ । ଏହି ସଭାରେ ସମଗ୍ର ରାଜ୍ୟରୁ ଶତାଧିକ ସର୍ବୋଦୟ କର୍ମୀ ଓ ସେମାନଙ୍କ ପରିବାର ବର୍ଗ ଯୋଗଦେଇଥିଲେ।