ଭଞ୍ଜଭାରତୀ ପକ୍ଷରୁ ତ୍ରିଦିବସୀୟ ଓଡିଆ ସାହିତ୍ୟ ସମାରୋହ
ଭୁବନେଶ୍ଵର ଭଞ୍ଜଭାରତୀ ପକ୍ଷରୁ ତ୍ରିଦିବସୀୟ ଓଡିଆ ସାହିତ୍ୟ ସମାରୋହ ଜୟଦେବ ଭବନରେ ଉଦ୍ଘାଟିତ ହୋଇଯାଇଛି । ଶବ୍ଦର ଯଥାର୍ଥ ପ୍ରୟୋଗ ଓ ଆଳଙ୍କାରିକ ସନ୍ନିବେଶରେ ନିପୁଣ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଥିଲେ ଶବ୍ଦଶିଳ୍ପର ଅନନ୍ୟ ସୁପତି । ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁଥିବା ତ୍ରିଦିବସୀୟ ଓଡିଆ ସାହିତ୍ୟ ସମାରୋହର ‘ଭଞ୍ଜନିକୁଞ୍ଜ’କାର୍ଯ୍ୟକ୍ରମରେ ବିଶିଷ୍ଠ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଅନୁଷ୍ଠାନର ସଭାପତି ନୀଳାଦ୍ରିମୋହନ ଶତପଥୀଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରେଣ୍ୟ ଅତିଥ୍ ତଥା ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲୀପ ରାଉତରାଏ ଭଞ୍ଜସାହିତ୍ୟର ଆଧୁନିକ ପ୍ରାସଙ୍ଗିକତା ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ । ସେହିପରି ବରେଣ୍ୟ ବକ୍ତା ଭାବରେ ଶାସ୍ତ୍ରୀୟ ଓଡିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର, ଭୁବନେଶ୍ଵରର ବରିଷ୍ଠ ଗବେଷିକା ଡକ୍ଟର ମନସୀ ଶ୍ରୀଚନ୍ଦନ ଉପସ୍ଥିତ ରହି ଭଞ୍ଜସାହିତ୍ୟର ସମୃଦ୍ଧ ଦିଗଦିଗନ୍ତ ସଂପର୍କରେ ସମୀକ୍ଷାତ୍ମକ ବକ୍ତବ୍ୟ ରଖୁଥିବା ବେଳେ ସଭାର ମୁଖ୍ୟବକ୍ତା ତଥା ଅନୁଷ୍ଠାନର ସଂପାଦକ ଡାକ୍ତର କୃଷ୍ଣକେଶବ ଷଡଙ୍ଗୀ ଭଞ୍ଜରଚନାର ନୈତିକ ମୂଲ୍ୟବୋଧ ଉପରେ ବିଶଦ ଆଲୋଚନା କରିଥିଲେ ।
ଏହି ଓଡ଼ିଆ ସାହିତ୍ୟ ସମାରୋହରେ ଅନେକ କବି,ଲେଖକ ଓ ସାହିତ୍ୟପ୍ରେମୀ ମାନେ ଯୋଗ ଦେଇଥିଲେ ।