Search for:
  • Home/
  • ରାଜ୍ୟ/
  • ପିକକ୍ ର ୩୫ ତମ ପ୍ରତିଷ୍ଠା ଦିବସ ପାଳନ

ପିକକ୍ ର ୩୫ ତମ ପ୍ରତିଷ୍ଠା ଦିବସ ପାଳନ

Spread the love

Loading

ଶିଶୁ ଅଧିକାର ବାର୍ତ୍ତା ପ୍ରସାର ପାଇଁ ଶିଶୁ ଅଭିନେତ୍ରୀ ସୁହାନା ଓ ଅଭିନେତା ତାପସ ପିକକ୍ ର ନୂତନ ଗୁଡୱିଲ ଆମ୍ବାସଡର
ଭୁବନେଶ୍ବର : ଶିଶୁ ଅଧିକାର ପାଇଁ ଦୀର୍ଘ ୩୫ ବର୍ଷ ଧରି କାର‌୍ୟ୍ୟରତ ପ୍ରମୁଖ ସ୍ଵେଚ୍ଛାସେବୀ ସଂଗଠନ ପିପୁଲସ୍ କଲ୍ଚରାଲ ସେଣ୍ଟର (ପିକକ୍), ଦ୍ଵାରା ତେର ବର୍ଷିୟା ଶିଶୁ ଚଳଚିତ୍ର ଅଭିନେତ୍ରୀ ସୁହାନା କର ଏବଂ ଶିଶୁ ଚଳଚିତ୍ର ଅଭିନେତା ତାପସ କୁମାର ଶଢଙ୍ଗୀ, ୧୨ ବର୍ଷ ଙ୍କୁ ଶିଶୁ ଅଧିକାର ତଥା କଲ୍ୟାଣ ପାଇଁ ନୂତନ ଗୁଡୱିଲ ଆମ୍ବାସଡର ଭାବେ ଘୋଷଣା କରାଯାଇଛି । ଭୁବନେଶ୍ୱରର ଗୀତ ଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହେଉଥିବା ପିକକ୍ ର ୩୫ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏହି ଘୋଷଣା କରାଯାଇଛି ।
ଶିଶୁ ଅଧିକାରର ର ସୁରକ୍ଷା ତଥା ଶିଶୁ ଅନୁକୂଳ ପରିବେଶକୁ ପ୍ରୋତ୍ସାହିତ କରିବା ପାଇଁ ପିକକ୍ ଦ୍ଵାରା ଗୁଡୱିଲ ଆମ୍ବାସଡର ର ପରିକଳ୍ପନା ୨୦୧୦ ମସିହାରୁ କରାଯାଇଅଛି । ଏହି ଆମ୍ବାସଡର ମାନେ ଶିକ୍ଷା, ପରିବେଶର ସୁରକ୍ଷା ତଥା ସଂରକ୍ଷଣ, ବାଲ୍ୟ ବିବାହ ଶିଶୁ ଶ୍ରମ, ସୁସ୍ଥ ଶିଶୁ ଇତ୍ୟାଦି ସମେତ ବିଭିନ୍ନ ଅଭିଯାନରେ କାର‌୍ୟ୍ୟ କରିବା ସହିତ ଶିଶୁ ମାନଙ୍କର କଲ୍ୟାଣ, ଉନ୍ନତ ମାନର ଜୀବନ ଧାରଣ, ସ୍ୱାସ୍ଥ୍ୟ, ସୁରକ୍ଷା, ବିକାଶ ତଥା ଭାଗୀଦାରୀ ଆଦି ପାଇଁ ଜନସଚେତନତା ସୃଷ୍ଟି କରିଆସୁଛନ୍ତି ।
ଏହି ସମାରୋହରେ ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ସ୍ଵାଗତ ଭାଷଣ ଦେବା ସହିତ ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ପିକକ୍ ର ଅଧକ୍ଷା ଡଃ ମୀନାକ୍ଷୀ ପଣ୍ଡା ଗୁଡୱିଲ ଆମ୍ବାସଡର ମାନଙ୍କର ନାମ ଘୋଷଣା କରିଥିଲେ ତଥା ପିକକ୍ ର କାର‌୍ୟ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ସେମାନଙ୍କର ପରିଚୟ କରାଇଥିଲେ । ପିକକ୍ ର କୋଷାଧ୍ୟକ୍ଷା ଶ୍ରୀମତୀ ରତ୍ନା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
ପିକକ୍ ର ପୂର୍ବତନ ଗୁଡୱିଲ ଆମ୍ବାସଡର ବିଶିଷ୍ଟ ଚଳଚିତ୍ର ଅଭିନେତ୍ରୀ ଭୂମିକା ଦାଶ ଓ ଖେଳାଳୀ ଆଂଶିକ ରାଉତରାୟ ନବ ନିଯୁକ୍ତ ଗୁଡୱିଲ ଆମ୍ବାସଡର ସୁହାନା ଓ ତାପସଙ୍କୁ ଗୁଡୱିଲ ଆମ୍ବାସଡର ର ଉପାଧି ପ୍ରଦାନ କରି ସେମାନଙ୍କର ଭବିଷ୍ୟତ ନିମନ୍ତେ ଶୁଭେଚ୍ଛା କାମନା କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଅଲମ୍ପିୟାନ ଅନୁରାଧା ବିଶ୍ଵାଳ, ବିଶିଷ୍ଟ କଳାକାର ବାଞ୍ଛାନିଧି ପଟ୍ଟନାୟକ ପ୍ରମୁଖ ଏଠାରେ ଉପସ୍ଥିତ ଥିଲେ।
“ଏହା ମୋ ପାଇଁ ଏକ ଗୌରବର ବିଷୟ, ଗୁଡୱିଲ ଆମ୍ବାସଡର ଭାବେ ମୁଁ ଶିଶୁ ମାନଙ୍କ ଅଧିକାର ତଥା କଲ୍ୟାଣ, ଶିଶୁ ଶ୍ରମ କୁ ସମାପ୍ତ, ଶିକ୍ଷା ର ପ୍ରଚାର, ଉନ୍ନତ ସ୍ୱାସ୍ଥ୍ୟ ଓ ପୁଷ୍ଟିକର ଖାଦ୍ୟ ତଥା ବାଲ୍ୟ ବିବାହ କୁ ସମାପ୍ତ କରିବା ନିମନ୍ତେ ଅଭିଯାନରେ ସାମିଲ ହୋଇ କାର‌୍ୟ୍ୟ କରିବା ପାଇଁ ଅତ୍ୟନ୍ତ ଆଗ୍ରହୀ” ବୋଲି ଶିଶୁ ଅଭିନେତ୍ରୀ ସୁହାନା ନିଜର ମତ ପ୍ରକାଶ କରିଥିଲେ।
“ପିକକ୍ ର ଗୁଡୱିଲ ଆମ୍ବାସଡର ରୂପେ କାର‌୍ୟ୍ୟ କରିବା ମୋ ପାଇଁ ଅତ୍ୟନ୍ତ ଗୌରବର ବିଷୟ। ମୁଁ ପିଲାମାନଙ୍କ ଅଧିକାର ପାଇଁ କାମ କରିବାର ସୁଯୋଗ ସହିତ ସେମାନଙ୍କ ଖେଳ ଅଧିକାର, ଭାଗୀଦାରୀତା ତଥା ସେମାନଙ୍କର ପରିବେଶ ଅଧିକାର ନିମନ୍ତେ କାର‌୍ୟ୍ୟ କରିବା ପାଇଁ ସୁଯୋଗ ପାଇବି । ” ବୋଲି ତାପସ ନିଜର ମତାମତ ଦେଇଥିଲେ।
ଶୁଭଜିତ ପଣ୍ଡା ଏହି କାର‌୍ୟ୍ୟକ୍ରମ ର ସଂଯୋଜନା କରିଥିଲେ । ପିକକ୍ ର ଜ୍ୟୋତିଶଙ୍କର ମହାନ୍ତି, ଅଳ୍ପନା ଦାସ, ଡଃ ସୁମିତ୍ରା ମହାନ୍ତି, ପୂଜା ପଣ୍ଡା, ପ୍ରମୁଖ କାର‌୍ୟ୍ୟକ୍ରମ ର ପରିଚାଳନା କରିଥିଲେ ।

Leave A Comment

All fields marked with an asterisk (*) are required