ନିର୍ମାଣ ଶ୍ରମିକ ବିଭିନ୍ନ ଦାବି ପୂରଣ ପାଇଁ ଶ୍ରମ କମିଶନର କାର୍ଯ୍ୟାଳୟ ଘେରାଉ।
ନିର୍ମାଣ ଶ୍ରମିକ ବିଭିନ୍ନ ଦାବି ପୂରଣ ପାଇଁ ଶ୍ରମ କମିଶନର କାର୍ଯ୍ୟାଳୟ ଘେରାଉ।
ଭୁବନେଶ୍ୱର, ତା. ୨୦/୦୭/୨୦୨୩ ରିଖ : ୧୦ ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ, ନିର୍ମାଣ ଶ୍ରମିକ ଫେଡେ଼ରେସନ, ନିର୍ମାଣ ଶ୍ରମିକ ସମନ୍ୱୟ କମିଟି ଏବଂ ଆଂଚଳିକ ଶ୍ରମିକ ସଂଗଠନ ମାନଙ୍କୁ ନେଇ ଗଠିତ ରାଜ୍ୟ ନିର୍ମାଣ ଶ୍ରମିକ କ୍ରିୟାନୁଷ୍ଠାନ କମିଟି ତରଫରୁ ନିର୍ମାଣ ଶ୍ରମିକମାନଙ୍କର ବିଭିନ୍ନ ଦାବି ପୂରଣ ପାଇଁ
ଦିନ ପୂର୍ବାହ୍ନ ୧୧ ଘଟିକା ଠାରୁ ରାଜ୍ୟ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା ।ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ପରିଷଦରେ ପଞ୍ଜିକୃତ ହେଉଥିବା ପ୍ରାୟ ୩୯ ଲକ୍ଷ ୨୫ ହଜାର ଶ୍ରମିକ ମାନଙ୍କ ପାଇଁ ରାଜ୍ୟରେ କଲ୍ୟାଣ ପରିଷଦ ଗଠନ ହୋଇଥିଲେ ମଧ୍ୟ ନିର୍ମାଣ ଶ୍ରମିକମାନେ ସେମାନଙ୍କ ପାଇଁ କଲ୍ୟାଣିକାରୀ ଯୋଜନା ଦ୍ୱାରା ଉପକୃତ ହେଉ ପାରୁନାହାନ୍ତି । ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବିବାହ ସହାୟତା,ପିଲାମାନଙ୍କର ଶିକ୍ଷା ସହାୟତା, ମୃତ୍ୟୁକାଳୀନ ସହାୟତା ଓ ଚିକିତ୍ସା ଆଦି ସହାୟତା ପାଇଁ ସ୍ପଷ୍ଟ ନିୟମ ଥିଲେ ମଧ୍ୟ ଶ୍ରମ କାର୍ଯ୍ୟାଳୟ ଅଧିକାରୀମାନଙ୍କର ବେପରୁଆ ଖାମଖିଆଲି ଓ ଅସହଯୋଗ ମନବୃତି ପାଇଁ ଗରିବ ଶ୍ରମିକଟି ସହାୟତା ପାଇବାରୁ ବଂଚିତ ହେଉଅଛି । ପଞ୍ଜିକରଣ, ନବୀକରଣ ଓ ସହାୟତା ପାଇବା ଆବେଦନରେ ବାରମ୍ବାର ପରିବର୍ତନହେବାରୁ ବିଚରା ଗରୀବ ନିର୍ମାଣ ଶ୍ରମିକଟି ନାହିଁ ନଥିବା ଅସୁବିଧାରେ ସମ୍ମୁଖିନ ହେଉଛି । ବିଭିନ୍ନ ଶ୍ରମ କାର୍ଯ୍ୟାଳୟ ମାନଙ୍କରେ ଲୋକ ବଳର ଅଭାବ ଦର୍ଶାଇ
ଅଧିକାରୀମାନେ ବର୍ଷ ବର୍ଷ ଧରି ପଞ୍ଜକରିଣ, ନବୀକରଣ ଓ ସହାୟତା ପ୍ରଦାନ ଆବେଦନ ପତ୍ରଗୁଡ଼ିକୁ ପକାଇ ରଖିଛନ୍ତି । ଏପରିକି ପଞ୍ଜିକରଣ ପାଇଁ ଆବେଦନ କରିଥିବା ଲୋକଟି ପଞ୍ଜିକରଣ ନ କରି ପାରି କେତେକ ମୃତ୍ୟୁବରଣ କଲେଣି । ମୃତ୍ୟୁକାଳୀନ ସହାୟତା ପାଇବା ପାଇଁ ଅନେକ ଜାଗାରେ ଉତରାଧିକାରୀମାନେ ଶ୍ରମ କାର୍ଯ୍ୟାଳୟକୁ ଦୋ÷ଡ଼ି ଦୋ÷ଡ଼ି ସେମାନଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି । ତଥାପି ଏହାର ସମାଧାନ ପାଇଁ କେହି ଦାୟିତ୍ୱ ନେଉ ନାହାନ୍ତି । ନିର୍ମାଣ କଲ୍ୟାଣ ପରିଷଦ ମଧ୍ୟ ଶାସକ ଦଳର ପ୍ରତ୍ୟେକ୍ଷ ହସ୍ତକ୍ଷେପରୁ ବାଦ୍ ପଡ଼ୁନାହିଁ । ଯାହାଫଳରେ ପ୍ରକୃତ ନିର୍ମାଣ ଶ୍ରମିକ ତା’ ହକ୍
ପାଇବାରୁ ବଂଚିତ ହେଉଛି । ଅନେକ ଜିଲ୍ଲାରେ ଅଧିକାରୀମାନେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଅଧିକାରୀମାନେ ଶାସକ ଦଳର ନେତା ଓ ଦଲାଲ ମାନଙ୍କର ନିର୍ଦ୍ଦେଶରେ କାର୍ଯ୍ୟ କରୁଛନ୍ତି । ଯାହାକୁ ଶ୍ରମ ସଂଗଠନମାନଙ୍କ ତରଫରୁ ଘୋର ବିରୋଧ କରାଯାଉଛି ।
ଅନେକ ସହାୟତା ପାଇବା ପାଇଁ ସମୟସୀମା ୧ ବର୍ଷ ରହିଛି । କିନ୍ତୁ ଦୁଃଖର ବିଷୟ ଜିଲ୍ଲା ଶ୍ରମ କାର୍ଯ୍ୟାଳୟମାନଙ୍କରେ ଜାଣିଶୁଣି ସହାୟତା ପ୍ରଦାନରେ ଟାଳଟୁଳ ନୀତି ଗ୍ରହଣ କରିବାରୁ ନିର୍ଦ୍ଦିଷ୍ଟ ସମୟ ଅବଧି ପାର ହୋଇଯାଉଛି । ଯେଉଁଥିରେ ନିର୍ମାଣ ଶ୍ରମିକ
ତା’ର ସହାୟତା ପାଇବା ସମ୍ଭବ ହେଉନାହିଁ । ଏହାର ସୁଯୋଗ ନେଇ ସହାୟତା ରାଶି ପ୍ରଦାନ ନିମନ୍ତେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଶ୍ରମିକମାନଙ୍କୁ ଆର୍ଥିକ ଶୋଷଣ କରୁଛନ୍ତି ।ତତ୍ସହିତ ନିର୍ମାଣ ଶ୍ରମିକମାନଙ୍କର ଅନ୍ୟାନ୍ୟ ଦାବିକୁ ନେଇ ରାଜ୍ୟ ସ୍ତରୀୟ
କ୍ରିୟାନୁଷ୍ଠାନ କମିଟି ତରଫରୁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ କର୍ତୃପକ୍ଷ ଏହାର ସମାଧାନ ନ କରିବାରୁ ଶ୍ରମିକ ସଂଗଠନ ମାନଙ୍କ ଭିତରେ ଘୋର ଅସନ୍ତୋଷ ସୃଷ୍ଟି ହୋଇ ଶେଷରେ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଇ.ଏନ୍.ଟି.ୟୁ.ସିର ସାଧାରଣ ସମ୍ପାଦକ ତଥା ରାଜ୍ୟ ନିର୍ମାଣ ଶ୍ରମିକ କ୍ରିୟାନୁଷ୍ଠାନ କମିଟିର ଆବାହକ – କିଶୋର ଜେନା, ପ୍ରଣତି ମିଶ୍ର, ଏ.ଆଇ.ଟି.ୟୁ.ସିର ସାଧାରଣ
ସମ୍ପାଦକ- ବିଜୟ ଜେନା, ସୁର ଜେନା, ସି.ଆଇ.ଟି.ୟୁ ସାଧାରଣ ସମ୍ପାଦକ- ବିଷ୍ଣୁ ମହାନ୍ତି,ସୁରେଶ କୁମାର ରାଉତରାୟ, ଏଚ୍.ଏମ୍.ଏସ୍.ର ରାଜେନ୍ଦ୍ର ଦାସ, ସଂଯୁକ୍ତା ମହଲ, ଏ.ଆଇ.ସି.ସି.ଟି.ୟୁର ସାଧାରଣ ସମ୍ପାଦକ – ମହେନ୍ଦ୍ର ପରିଡ଼ା, ମାନସ ଦାସ,ଏ.ଆଇ.ୟୁ.ଟି.ୟୁ.ସିର ରାଜ କିଶୋର ମଲ୍ଲିକ, ଏଲ.ପି.ଏଫ୍.ର ମନୋରଞ୍ଜନ ମହାରଣା, ନିର୍ମାଣ ଶ୍ରମିକ ସମନ୍ୱୟ କମିଟିର ମହାବୀର ମିଶ୍ର, ମଞ୍ଜୁ ମହାନ୍ତି, ନିର୍ମାଣ ଶ୍ରମିକ
ଫେଡେ଼ରେସନର ଭାଗିରଥି ସେନାପତି ପ୍ରମୁଖ ଏହି ଘେରାଉ କାର୍ଯ୍ୟକ୍ରମରେ ନେତୃତ୍ୱ ନେଇଥିଲେ । ଅପରାହ୍ନ ୨ ଘଟିକାରେ ଶ୍ରମ କମିଶନରଙ୍କ ତରଫରୁ ଆଲୋଚନା ପାଇଁ ଡାକରା ଆସିବା ପରେ ଏକ ୨୦ ଜଣିଆ ପ୍ରତିନିଧି ଦଳ ଶ୍ରମ କମିଶନରଙ୍କ ସହିତ
ନିର୍ମାଣ ଶ୍ରମିକଙ୍କର ଦାବି ସଂପର୍କରେ ଆଲୋଚନା କରିଥିଲେ । ଶ୍ରମ କମିଶନର ଓବୋଡର଼୍ର ଅଧିକାରୀମାନେ ଉପସ୍ଥାପିତ କରାଯାଇଥିବା ଦାବିଗୁଡ଼ିକର ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଘେରାଉ ପ୍ରତ୍ୟାହାର କରାଯାଇଥିଲା । ନିର୍ମାଣ ଶ୍ରମିକ କଲ୍ୟାଣ କର୍ତୃପକ୍ଷ ତାଙ୍କର ପ୍ରତିଶ୍ରୁତି ପାଳନ କରି ଏ ସମସ୍ୟାର ସମାଧାନ କରିବେ ବୋଲି ଶ୍ରମିକ ସଂଗଠନ ନେତୃବୃନ୍ଦ ବିଶ୍ୱାସ ଆଶା କରୁଅଛନ୍ତି ।