Search for:
  • Home/
  • ରାଜ୍ୟ/
  • ରାୟଗଡ଼ା ତିଜିମାଳିରେ ଖଣି ବିରୋଧୀ ଆନ୍ଦୋଳନର କର୍ମୀ କାର୍ତ୍ତିକ ନାଏକଙ୍କ ଗିରଫକୁ ନିନ୍ଦା

ରାୟଗଡ଼ା ତିଜିମାଳିରେ ଖଣି ବିରୋଧୀ ଆନ୍ଦୋଳନର କର୍ମୀ କାର୍ତ୍ତିକ ନାଏକଙ୍କ ଗିରଫକୁ ନିନ୍ଦା

Spread the love

Loading

ରାୟଗଡ଼ା ତିଜିମାଳିରେ ଖଣି ବିରୋଧୀ ଆନ୍ଦୋଳନର କର୍ମୀ କାର୍ତ୍ତିକ ନାଏକଙ୍କ ଗିରଫକୁ ନିନ୍ଦା

ଭୁବନେଶ୍ଵର ତା୩୦/୦୯ : ଦକ୍ଷିଣ ଓଡ଼ିଶାରେ ବେଦାନ୍ତର ବକ୍ସାଇଟ୍ ଖନନ ବିରୋଧରେ ସଂଗ୍ରାମର ଅନ୍ୟତମ ସ୍ୱର ଓ ପ୍ରତିବଦ୍ଧ ନେତା କାର୍ତ୍ତିକ ନାଏକଙ୍କ ଗିରଫକୁ ବିଭିନ୍ନ ଗଣ ସଂଗଠନ ଓ ସାମାଜିକ ତଥା ମାନବାଧିକାର କର୍ମୀମାନେ ଦୃଢ଼ ନିନ୍ଦା କରିଛନ୍ତି । ୨୦୨୪ ସେପ୍ଟେମ୍ବର ୧୯ ତାରିଖ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ କାଶୀପୁର ପୁଲିସ ୩୦ ବର୍ଷୀୟ କାର୍ତ୍ତିକଙ୍କୁ ଉଠାଇ ନେଇ କାଶୀପୁର ଥାନାରେ କିଛି ସମୟ ରଖିଲା । ପରେ କାଶୀପୁର ଜେଏମ୍ଏଫ୍‌ସି କୋର୍ଟରେ ହାଜର କରାଗଲା ଏବଂ କିଛି ଘଣ୍ଟା ମଧ୍ୟରେ ତାଙ୍କୁ ରାୟଗଡ଼ା ସବ୍‌ଜେଲକୁ ପଠେଇ ଦିଆଗଲା । ଏହାପରେ ତିଜିମାଳି ଅଞ୍ଚଳର ୧୦୦୦ରୁ ଅଧିକ ଗ୍ରାମବାସୀ ତାଙ୍କୁ ମୁକ୍ତ କରିବା ଦାବିରେ ଥାନାରେ ଶୋଭାଯାତ୍ରା କରିବା ସହ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କଲେ । ଗ୍ରାମବାସୀଙ୍କ କ୍ରୋଧକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ଓ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା। ଶେଷରେ ସେମାନେ କାର୍ତ୍ତିକ ନାୟକଙ୍କୁ ଖୁବ୍ ଶୀଘ୍ର ମୁକ୍ତ କରିବାକୁ ରାଜି ହେବା ସହ ତିଜିମାଳିବାସୀଙ୍କ ଉପରେ ଆଉ ମିଥ୍ୟା ଓ ମନଗଢ଼ା ଅଭିଯୋଗ ଆଣିବେ ନାହିଁ ବୋଲି ପ୍ରତିଶୃତି ଦେଇଥିଲେ। ମାତ୍ର ଥାନାରେ ଉତ୍ତେଜନା ପାଇଁ ସେଦିନ ରାତିରେ ହିଁ ପୁଲିସ ଓ ପ୍ରଶାସନ ପକ୍ଷରୁ ଆଉ ଏକ ଏତଲା ୨୦୦ ଜଣ ଗ୍ରାମବାସୀଙ୍କ ବିରୁଦ୍ଧରେ ଦିଆଯାଇଛି ବୋଲି ଜଣାପଡ଼ିଛି।

ଜେଲରୁ କାର୍ତ୍ତିକ ନାୟକ ନିଜ ଲୋକଙ୍କ ପାଇଁ ଚିନ୍ତା ପ୍ରକଟ କରିବା ସହ ପାହାଡ଼ ଓ ଜଙ୍ଗଲକୁ ଖଣି ଖନନରୁ ରକ୍ଷା କରିବା ପାଇଁ ଜେଲର ସମ୍ମୁଖୀନ ହେବାକୁ, ଏପରିକି ଜୀବନ ବଳି ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ଯେହେତୁ ଲୋକମାନେ ସମ୍ବିଧାନରେ ଥିବା ଅଧିକାର ନେଇ ସଂଘର୍ଷ କରୁଛନ୍ତି, ତେଣୁ ସମ୍ବିଧାନ ରହିବା ପର୍ଯ୍ୟନ୍ତ ସଂଘର୍ଷ ଜାରି ରହିବ ବୋଲି କାର୍ତ୍ତିକ କହିଛନ୍ତି।

ତିଜିମାଳି, କୁଟ୍ରୁମାଳି ଓ ମାଝିଙ୍ଗମାଳି ଅଞ୍ଚଳ ରାୟଗଡ଼ା ଜିଲ୍ଲାର କାଶୀପୁର ଓ କଳାହାଣ୍ଡି ଜିଲ୍ଲାର ଥୁଆମାଳ ରାମପୁର ବ୍ଲକରେ ପରିବ୍ୟାପ୍ତ । ଏହା ଏକ ଆଦିବାସୀ ଓ ଦଳିତ ବହୁଳ ତଥା ଭାରତୀୟ ସମ୍ବିଧାନ ଅନୁଯାୟୀ ପଞ୍ଚମ ଅନୁସୂଚୀ ଅନ୍ତର୍ଗତ ଅଞ୍ଚଳ । ହେଲେ ତିଜିମାଳି ଓ କୁଟ୍ରୁମାଳିର ବକ୍ସାଇଟ୍ ଭଣ୍ଡାର ଯଥାକ୍ରମେ ବେଦାନ୍ତ ଓ ଆଦାନି ଗୃପକୁ ଲିଜ୍ ଦିଆଯାଇଥିବା ବେଳେ ଲୋକଙ୍କ ମତାମତ ଅଥବା ସହମତି ନିଆଯାଇନଥିଲା। ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗ୍ରାମସଭା କିମ୍ବା ପଲ୍ଲୀସଭା କରାଯାଇ ନଥିଲା । ବରଂ କମ୍ପାନୀ ସପକ୍ଷରେ ଏକ ବାତାବରଣ ସୃଷ୍ଟି କରିବା ପାଇଁ ମୈତ୍ରୀ ନାମକ ବେଦାନ୍ତର ଏକ ଠିକା ସଂସ୍ଥା ଗତବର୍ଷ ପ୍ରାରମ୍ଭରେ ତିଜିମାଳିର ଗ୍ରାମଗୁଡ଼ିକରେ ବୁଲିବା ଆରମ୍ଭ କରିଥିଲା । ତେଣୁ ସେପ୍ଟେମ୍ବର ୨୦୨୩ରେ ପରିବେଶ ମଞ୍ଜୁରୀ ପାଇଁ ହୋଇଥିବା ଦୁଇଟି ଜନଶୁଣାଣିରେ ବେଦାନ୍ତର ଖଣି ଖନନ ଯୋଜନାକୁ ଅଞ୍ଚଳବାସୀ ପ୍ରତ୍ୟାଖ୍ୟାନ କରିବା ସହ ସେମାନଙ୍କ ଜୀବନ, ଜୀବିକା, ଝରଣା ଓ ସମଗ୍ର ବାସସ୍ଥାନ ଉପରେ ଖଣି ଖନନ କିପରି ପ୍ରତିକୂଳ ପ୍ରଭାବ ପକାଇବ ତାହା ଦର୍ଶାଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା ସେମାନଙ୍କର ପବିତ୍ର ଦେବତା ତିଜିରାଜଙ୍କ ବାସସ୍ଥଳୀ । ସେମାନଙ୍କ ସାମ୍ବିଧାନିକ ଅଧିକାରକୁ କାର୍ଯ୍ୟକାରୀ କରିବା ପାଇଁ ଲୋକମାନେ ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତିଙ୍କ ନିକଟକୁ ଏକ ନିବେଦନ ପତ୍ର ପଠେଇଥିଲେ ।

ଲୋକମାନଙ୍କର ଦୃଢ଼ ଏକତା ନିଶ୍ଚିତ ଭାବରେ ପ୍ରଶାସନକୁ ଚିନ୍ତାରେ ପକାଇଛି ଏବଂ ସେଥିପାଇଁ ସରକାରୀ କଳକୁ ବ୍ୟବହାର କରି ଆଉ ଏକ ପର୍ଯ୍ୟାୟ ଦମନ ଆରମ୍ଭ କରାଯାଇଛି । ନିକଟରେ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ କାଶୀପୁର ବ୍ଲକର ୮ଟି ଗାଁ ଓ ଥୁଆମାଳ ରାମପୁର ବ୍ଲକର ୨ଟି ଗାଁରେ ଜଙ୍ଗଲ ଅଧିକାର ଆଇନ ଓ ପେସା ଆଇନ ଅନୁଯାୟୀ ଲୋକମାନେ ନିଜର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଗ୍ରାମସଭା କରିଥିଲେ। ୨୦୨୩ ଡିସେମ୍ବର ୮ ତାରିଖରେ ବ୍ୟାପକ ପୁଲିସ ଫୋର୍ସ ଓ କମ୍ପାନି କର୍ମଚାରୀଙ୍କ ଉପସ୍ଥିତିରେ ପ୍ରଶାସନ ଯେଉଁ ନକଲି ଗ୍ରାମସଭା ଆୟୋଜନ କରିଥିବାର ଦାବି କରୁଛି, ତାହାକୁ ଲୋକମାନେ ନିନ୍ଦା କରିବା ସହ ଉଭୟ କାଶୀପୁର ଓ ଥୁଆମୂଳ ରାମପୁର ଥାନାରେ ଯଥାକ୍ରମେ ୨୩.୦୯.୨୦୨୪ ଓ ୨୪.୦୯.୨୦୨୪ରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି।

୨୦୨୪ ଜାନୁଆରି ୧୨ ତାରିଖରେ ଏକ ଘଟଣାରେ ମୈତ୍ରୀ କମ୍ପାନି କର୍ମଚାରୀଙ୍କ ଏତଲା ଆଧାରରେ କାର୍ତ୍ତିକଙ୍କୁ ଗିରଫ କରାଯାଇଛି । ପ୍ରାୟ ୪୦ ଜଣ ଲୋକ ସେମାନଙ୍କୁ ଆକ୍ରମଣ କରିଥିବା କମ୍ପାନିର କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗରେ ରହିଥିବା ସମସ୍ତ ୪୦ ଜଣ ହେଉଛନ୍ତି ସ୍ଥାନୀୟ ନେତା କିମ୍ବା ଖଣି ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଉଥିବା ସଂଗଠନ ମା’ ମାଟି ମାଳି ସୁରକ୍ଷିତ ମଞ୍ଚର ସଦସ୍ୟ। ଏତେ ମାସ ପରେ ପୁଲିସ କାହିଁକି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ବୁଝାପଡ଼ୁନାହିଁ। ଏହି ଗିରଫ ଅନେକ ପ୍ରଶ୍ନ ଉଠାଇଛି।

ପ୍ରଥମରେ ଅଭିଯୁକ୍ତମାନେ ‘ଫେରାର’ ଥିବା ଦର୍ଶାଇ ୨୦୨୪ ଅଗଷ୍ଟ ୨୯ତାରିଖରେ ରାୟଗଡ଼ା ପୁଲିସ କୋର୍ଟ ଜରିଆରେ ଗିରଫ ପାଇଁ ୱାରେଣ୍ଟ ହାସଲ କରିଥିଲା। କାର୍ତ୍ତିକ ନାଏକଙ୍କ ସମେତ ୧୧ ଜଣଙ୍କୁ କୌଣସି ନୋଟିସ୍ କିମ୍ବା ସମନ ନ ପଠାଇ ଅଦାଲତ ଜାମିନ ବିହୀନ ପରଓ୍ୱାନା ଜାରି କଲେ । କିନ୍ତୁ, ଏ କ୍ଷେତ୍ରରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଧାରଣ କରିଥିବା ନୀତି ଏବଂ ପ୍ରକ୍ରିୟାକୁ ଅନୁସରଣ କରାଯାଇ ନାହିଁ । ଦ୍ୱିତୀୟତଃ, ଲୋକମାନେ ଫେରାର ନହୋଇ ଗାଁରେ ରହୁଛନ୍ତି ଓ ସେମାନଙ୍କ ନିତିଦିନିଆ କାମ ଜାରି ରଖିଛନ୍ତି । ଏପରିକି ସେମାନେ ଗ୍ରାମସଭାର ଆୟୋଜନ ମଧ୍ୟ କରିଛନ୍ତି । ମୁଖ୍ୟ ରାସ୍ତାରେ ଏକ ଛୋଟ ତେଜରାତି ଦୋକାନ ଖୋଲିବା ନିମନ୍ତେ ଋଣ ପାଇଁ ଆବେଦନ କରିଥିବା କାର୍ତ୍ତିକ ବ୍ୟାଙ୍କରୁ ବାହାରକୁ ବାହାରିବା ପରେ ପୁଲିସ ତାଙ୍କୁ ଉଠାଇ ନେଇଥିଲା। ତେଣୁ ଗ୍ରାମବାସୀ ଫେରାର ହେବା ଘଟଣା ଅତ୍ୟନ୍ତ ବିଭ୍ରାନ୍ତିକର।

ସୂଚନାଯୋଗ୍ୟ, ଲୋକମାନେ ନିଜ ସାମ୍ବିଧାନିକ ଅଧିକାରକୁ ସାକାର କରିବା ପାଇଁ ସଂଘର୍ଷ କରୁଥିବା ବେଳେ ପ୍ରଶାସନ ଏହାକୁ ଆଇନ ଶୃଙ୍ଖଳାର ବିଷୟ ଭାବେ ଦେଖି ଲୋକଙ୍କ ବିରୁଦ୍ଧରେ ଆଇନକୁ ହିଁ ଏକ ଆୟୁଧ କରୁଛି । ଉଦାହରଣ ସ୍ୱରୂପ, ରାଜ୍ୟ ବିଧାନସଭା ଓ ସାଧାରଣ ନିର୍ବାଚନ ପୂର୍ବରୁ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ସିଆରପିସିର ଧାରା ୧୦୭କୁ ବ୍ୟବହାର କରି ଆନ୍ଦୋଳନର କାର୍ଯ୍ୟକର୍ତ୍ତା ଓ ନେତାମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଥିଲେ ଯେ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବଣ୍ଡରେ ସ୍ୱାକ୍ଷର କରିବାକୁ କାହିଁକି ସେମାନଙ୍କୁ ନିର୍ଦ୍ଦେଶ ଦିଆଯିବ ନାହିଁ । ଉଲ୍ଲେଖଯୋଗ୍ୟ, ଏହା ସାଧାରଣତଃ ଅଭ୍ୟାସଗତ ଅପରାଧୀ ମାନଙ୍କ ପାଇଁ ବ୍ୟବହାର କରାଯାଇଥାଏ । କହିବା ବାହୁଲ୍ୟ, ଅଗଣତାନ୍ତ୍ରିକ ଓ ଦମନମୂଳକ ପଦକ୍ଷେପ ମାଧ୍ୟମରେ ନିଜ ଜୀବନ ଓ ବାସସ୍ଥାନକୁ ସୁରକ୍ଷା ଦେବାକୁ ଚାହୁଁଥିବା ଲୋକଙ୍କୁ ଅପରାଧୀ ଦର୍ଶାଇବା ପୁଲିସ ଓ ପ୍ରଶାସନର କାର୍ଯ୍ୟଶୈଳୀରେ ପରିଣତ ହୋଇଯାଇଛି।
ଏହା ଗଭୀର ଉଦ୍‌ବିଗ୍ନର ବିଷୟ ଯେ ପଞ୍ଚମ ଅନୁସୂଚୀ ଅଞ୍ଚଳରେ ଆଦିବାସୀ ଓ ଦଳିତମାନଙ୍କୁ ସେମାନଙ୍କ ଅଧିକାର ଦେବା ନିମନ୍ତେ ଗଣତାନ୍ତ୍ରିକ ମାନଦଣ୍ଡ ଏବଂ ଆଇନର ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରିବା ପରିବର୍ତ୍ତେ, ଓଡ଼ିଶା ସରକାର ଖଣି କମ୍ପାନିଗୁଡ଼ିକର ଇସାରାରେ କାର୍ଯ୍ୟ କରୁଛି । ଆଜି ଭାରତର ରାଷ୍ଟ୍ରପତି ହେଉଛନ୍ତି ଜଣେ ଆଦିବାସୀ, ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ହେଉଛନ୍ତି ବି ଜଣେ ଆଦିବାସୀ । ତଥାପି ବିଡ଼ମ୍ବନା ହେଉଛି ଯେ ପ୍ରାକୃତିକ ସମ୍ପଦର ବଳପୂର୍ବକ ଶୋଷଣ ପାଇଁ, ବିଶେଷକରି ପଞ୍ଚମ ଅନୁସୂଚୀ ଅଞ୍ଚଳରେ, ଆଦିବାସୀ ଏବଂ ଦଳିତ ସମୁଦାୟମାନଙ୍କୁ ସେମାନଙ୍କର ଜୀବିକା, ପରିଚିତି ଓ ବାସସ୍ଥାନରୁ ବିଚ୍ଛିନ୍ନ କରାଯାଉଛି ଏବଂ ପାହାଡ଼ ଓ ଜଙ୍ଗଲର ସୁରକ୍ଷା ଲାଗି ସେମାନଙ୍କ ଅଦମ୍ୟ ସାହସକୁ ଚୂରମାର କରିବା ପାଇଁ ଗିରଫ ଓ ଦମନକୁ ପ୍ରୟୋଗ କରାଯାଉଛି ।

ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ନିକଟରେ (୧.) ବକ୍ସାଇଟ୍ ଖନନ ପ୍ରକଳ୍ପକୁ ବିରୋଧ କରୁଥିବା ଲୋକଙ୍କ ବିରୋଧରେ ବିଚାରାଧୀନ ଥିବା ସମସ୍ତ ମାମଲା ପ୍ରତ୍ୟାହାର କରିବା, (୨.) କାର୍ତ୍ତିକ ନାୟକଙ୍କୁ ତୁରନ୍ତ ମୁକ୍ତ କରିବା ଓ (୩.) ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଲୋକଙ୍କ ଦ୍ୱାରା ଆୟୋଜିତ ଗ୍ରାମସଭାର ସଂକଳ୍ପକୁ ଗ୍ରହଣ କରିବା, ଏବଂ (୪.) କାଶୀପୁର ଓ ଥୁଆମାଳ ରାମପୁର ଥାନାରେ ଲୋକଙ୍କ ଅଭିଯୋଗ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

ବିଭିନ୍ନ ଗଣ ସଂଗଠନ, ମାନବ ଅଧିକାର ସଂଗଠନ, ସାମାଜିକ ଓ ରାଜନୈତିକ କର୍ମୀ ଯଥା ଅବନୀ ଗୟା,ଅନନ୍ତ,ଅଶୋକ ପ୍ରଧାନ,ଇଭାଂଜେଲିନା କୁଲୁ,ବିଚିତ୍ର ପାତ୍ର, ବିଶ୍ୱପ୍ରିୟ କାନୁନଗୋ,ଚନ୍ଦ୍ରନାଥ ଦାନି,ଦଣ୍ତପାଣି ମହାନ୍ତି,ଦେବରଞ୍ଜନ, ଡଃ. ରାଣ୍ଡାଲ୍ ସେକ୍ୟୁରା, ଟୁନା ମଲ୍ଲିକ,ଗୋପୀନାଥ ନାୟକ,ସୀମାଞ୍ଚଳ ଦାସ,ମିନା ଭୋଇ,ରାଧାରାଣୀ ମହାରଣା, ରାଧାକାନ୍ତ ସେଠୀ,. ପି. ପାର୍ବତୀ,ରାମଚନ୍ଦ୍ର ବାଡତ୍ୟା,ଲେନିନ କୁମାର,ଲିଙ୍ଗରାଜ ଆଜାଦ,ମଧୁସୂଦନ, ମହେନ୍ଦ୍ର ପରିଡ଼ା,ମିନତି ଭୋଇ,ନରେନ୍ଦ୍ର ମହାନ୍ତି,ନିଗମାନନ୍ଦ ଷଡ଼ଙ୍ଗୀ, ପ୍ରମୋଦ ମହାନ୍ତି, ପ୍ରମୋଦିନୀ ପ୍ରଧାନ, ପ୍ରଶାନ୍ତ ପାଇକରାୟ,ପ୍ରତାପ ଚନ୍ଦ୍ର ପ୍ରଧାନ,ପ୍ରତାପ ନାୟକ,ରାଜା ରମଣ,ରଞ୍ଜନା ପାଢ଼ୀ,ରୁମିତା କୁଣ୍ତୁ,ସନ୍ଦୀପ ପଟ୍ଟନାୟକ,ଶଙ୍କର ସାହୁ, ଶଶିରେଖା, ସରୋଜ ମହାନ୍ତି, ସରଣ୍ୟା,ସୁଧୀର ପଟ୍ଟନାୟକ, ଶ୍ରୀକାନ୍ତ ମହାନ୍ତି,ଶ୍ରୀମନ୍ତ ମହାନ୍ତି,
ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସ୍ୱାତୀ ଆଜାଦ, ହେନା ବାରିକ,ଲକ୍ଷ୍ମୀନୃସିଂହ ରଥ ଏବଂ ପ୍ରଫୁଲ୍ଲ ସାମନ୍ତରା ଏହି ପ୍ରେସ୍ ବିବୃତିରେ ସ୍ୱାକ୍ଷର କରିଛନ୍ତି। ବିଭିନ୍ନ ଗଣ ସଂଗଠନ ଯଥା ମାନବ ଅଧିକାର ସୁରକ୍ଷା ମଞ୍ଚ, ବ୍ରହ୍ମପୁର, ଲୋକମୁକ୍ତି ସଂଗଠନ, ଝାରସୁଗୁଡ଼ା,ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତି,ଟ୍ରେଡ ୟୁନିୟନ ସେଣ୍ଟର, ଓଡ଼ିଶା,ହ୍ୟୁମାନ ରାଇଟ୍‌ସ ଡିଫେଣ୍ତର୍‌ସ ଏଲର୍ଟ ଇଣ୍ତିଆ,ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡ଼ିଶା,ଆଦିବାସୀ ଭାରତ ମହାସଭା, ବସ୍ତି ସୁରକ୍ଷା ମଞ୍ଚ, ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନ,ଏଆଇସିସିଟିୟୁ,ନିୟମଗିରି ସୁରକ୍ଷା ସମିତି, କଳାହାଣ୍ତି /ରାୟଗଡ଼ା,ମୂଳନିବାସୀ ସମାଜସେବକ ସଂଘ, ବରହମପୁର,ମିଥ୍ୟା ମକଦ୍ଦମା ବିରୋଧି ଅଭିଯାନ, ଓଡ଼ିଶା, ଏଆଇଟିୟୁସି,ପିୟୁସିଏଲ,
ଜିନ୍ଦଲ ଓ ପୋସ୍କୋ ବିରୋଧୀ ଆନ୍ଦୋଳନ, ଆଦିବାସୀ ଛାତ୍ର ଆନ୍ଦୋଳନ,ସର୍ବ ଭାରତୀୟ କିଶାନ ମଜଦୁର ସଭା,ଆଇଏଫଟିୟୁ, ସର୍ବ ଭାରତୀୟ କାନ୍ତିକାରୀ କିଶାନ ସଭା,ଦେଶୀ ବିହନ ସୁରକ୍ଷା ମଞ୍ଚ, ଚାଷୀ ମୂଲିଆ ସଂଘ (ଏଆଇକେଏମ୍‌କେଏସ୍), ଓଡ଼ିଶା କୃଷକ ସଭା, ଲୋକଶକ୍ତି ଅଭିଯାନ, ଓଡିଶା ପ୍ରଭୃତି ସଂଗଠନ ମାନେ ତୁରନ୍ତ କାର୍ତ୍ତିକ ନାୟକଙ୍କୁ ନିଃସର୍ତ୍ତ ଖଲାସ୍ କରିବା ପାଇଁ ଦାବି କରିଛନ୍ତି।

 

Leave A Comment

All fields marked with an asterisk (*) are required