Search for:
  • Home/
  • ରାଜ୍ୟ/
  • ନ୍ୟୁ ବ୍ରିଜ୍ ଇଣ୍ଡିଆ ଆନୁକୁଲ୍ୟରେ ମାଲେସିଆ ଏବଂ ଦକ୍ଷିଣ-ପୂର୍ବ ଏସିଆ ସହିତ ଅଭିନବ ସାଂସ୍କୃତିକ ସମ୍ପର୍କ

ନ୍ୟୁ ବ୍ରିଜ୍ ଇଣ୍ଡିଆ ଆନୁକୁଲ୍ୟରେ ମାଲେସିଆ ଏବଂ ଦକ୍ଷିଣ-ପୂର୍ବ ଏସିଆ ସହିତ ଅଭିନବ ସାଂସ୍କୃତିକ ସମ୍ପର୍କ

Spread the love

Loading

ନ୍ୟୁ ବ୍ରିଜ୍ ଇଣ୍ଡିଆ ଆନୁକୁଲ୍ୟରେ ମାଲେସିଆ ଏବଂ ଦକ୍ଷିଣ-ପୂର୍ବ ଏସିଆ ସହିତ ଅଭିନବ ସାଂସ୍କୃତିକ ସମ୍ପର୍କ

କୁଆଲାଲମ୍ପୁର (୨୮.୦୭.୨୦୨୪)* – କଳା ଐତିହାସିକ, କଳାକାର ତଥା କ୍ୟୁରେଟର ଡକ୍ଟର ରାଜଶ୍ରୀ ବିଶ୍ଵାଳଙ୍କ ଏବଂ ସମକାଳୀନ ଚିତ୍ରଶିଳ୍ପୀ ବିରେନ୍ଦ୍ର ପାଣିଙ୍କ ଦ୍ଵାରା ପ୍ରତିଷ୍ଠିତ ନ୍ୟୁ ବ୍ରିଜ୍ ଇଣ୍ଡିଆ ଭାରତ ତଥା ଆନ୍ତର୍ଜାତୀୟ ସ୍ଥରରେ ବିଭିନ୍ନ ସାଂସ୍କୃତିକ ଏବଂ କଳାତ୍ମକ ପ୍ରୟାସ ଜାରିରଖିଛି । ଡକ୍ଟର ରାଜଶ୍ରୀ ବିଶ୍ଵାଳ ୨୫ ଜୁଲାଇ ୨୦୨୪ରେ କୁଆଲାଲମ୍ପୁରର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇଣ୍ଡିଆନ କାଲ୍ଚୁରାଲ ସେଣ୍ଟରରେ “ମାନେଉବେରିଙ୍ଗ ଟ୍ରାଡିସୋନ : କୋଣ୍ଟେମ୍ପୋରରୀ ଭିଜୁଆଲ ଏକ୍ସପ୍ରେଶନ ଫ୍ରମ ସାଉଥ ଏସିଆ” ଶୀର୍ଷକ ଏକ ଗୁରୁତ୍ୱପୂର୍ଣ୍ଣ କଳାତ୍ମକ ବାର୍ତ୍ତା ପ୍ରଦାନ କରିଥିଲେ । ମାଲେସିଆର ସୂତ୍ର ଫାଉଣ୍ଡେସନ, NSCBICC ଏବଂ ନ୍ୟୁ ବ୍ରିଜ୍ ଇଣ୍ଡିଆର ମିଳିତ ସହଯୋଗରେ ଏହି ଆଲୋଚନା ଉପସ୍ଥାପିତ ହୋଇଥିଲା । ଏହି ଅବସରରେ ମାଲେସିଆରେ ଅବସ୍ଥିତ ଭାରତ ହାଇ କମିଶନର କାଉନ୍ସେଲର, ଅମୃତା ଦାଶ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀମତୀ ଦାଶ ତାଙ୍କର ମତ ପୋଷଣ କରିଥିଲେ ଯେ ‘ପରମ୍ପରା’ କେବେ ସ୍ଥିର ନୁହେଁ; ଏହା ସର୍ବଦା ପରିବର୍ତ୍ତନର ଗତିଶୀଳ ପ୍ରକ୍ରିୟାରେ ଥାଏ; ସେ ବର୍ତ୍ତମାନର ‘ପରମ୍ପରା’ ଏବଂ ‘ଆଧୁନିକତା’ ମଧ୍ୟରେ ଏକ ପାରସ୍ପରିକ କ୍ରିୟା ଏବଂ ସଂଳାପର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶା ଏବଂ ଭାରତୀୟ ସଂସ୍କୃତିକୁ ପ୍ରୋତ୍ସାହିତ କରୁଥିବା ମାଲେସିଆର ଏକ ମହତ୍ଵପୂର୍ଣ୍ଣ ସାଂସ୍କୃତିକ ଅନୁଷ୍ଠାନ ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସୂତ୍ର ଫାଉଣ୍ଡେସନର ପ୍ରତିଷ୍ଠାତା ପଦ୍ମଶ୍ରୀ ଦତ୍ତୁକ୍ ରାମଲି ଇବ୍ରାହିମ୍ ସନ୍ଧ୍ୟାର ଅତିଥି ଏବଂ ବକ୍ତାଂକ ପରିଚୟ ଦେଇଥିଲେ । ସେ କେବଳ ପାରମ୍ପାରିକ କଳା ଏବଂ ସାଂସ୍କୃତିକ ରୂପର ନିରନ୍ତରତାର ମହତ୍ୱ ଉପରେ ଆଲୋକପାତ କରିନଥିଲେ, ବରଂ ଏକ ବିଶ୍ୱାୟିତ ସମାଜରେ ବହୁ ପରିଚୟର ସୌନ୍ଦର୍ୟ୍ୟ ଏବଂ ପାରମ୍ପାରିକ ସାଂସ୍କୃତିକ ଭାବ ବିନିମୟର ସମ୍ଭାବନା ବିଷୟରେ ମଧ୍ୟ କହିଥିଲେ । ମାଲେସିଆ ଓଡିଆ ଆସୋସିଏସନ ସମେତ ଏସୀୟ ପ୍ରବାସୀ ସମ୍ପ୍ରଦାୟର କଳାକାର, କଳା ପ୍ରେମୀ ତଥା ଡ. କୃଷ୍ଣ ଗୋପାଳ ରାମପାଲ ଉପସ୍ଥିତ ଥିଲେ।

“ମାନେଉବେରିଙ୍ଗ ଟ୍ରାଡିସୋନ : କୋଣ୍ଟେମ୍ପୋରରୀ ଭିଜୁଆଲ ଏକ୍ସପ୍ରେଶନ ଫ୍ରମ ସାଉଥ ଏସିଆ” ଶୀର୍ଷକ ଏହି ଆଲୋଚନା ହେଉଛି ମାଲେସିଆର ଦକ୍ଷିଣ-ପୂର୍ବ ଏସିଆ ଫୋରମରେ ଓଡିଶାର ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ପ୍ରଥମ ମହିଳା କଳା ଐତିହାସିକଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଆଲୋଚନାଚକ୍ର । ଡକ୍ଟର ବିଶ୍ଵାଳ ତାଙ୍କ ଆଲୋଚନାରେ ଆଲୋକପାତ କରିଥିଲେ ଯେ ‘ପରମ୍ପରା’ ନିର୍ଦ୍ଦିଷ୍ଟ ବିଶ୍ଵାସ, ମୂଲ୍ୟ, କିମ୍ବା ଆଚରଣର ନିରନ୍ତରତା ଉପରେ ଜୋର ଦେଇଥାଏ ଏବଂ ଏକ ସମ୍ପ୍ରଦାୟ କିମ୍ବା ସଭ୍ୟତାର ‘ପରିଚୟ’କୁ ଦର୍ଶାଏ; ଅନ୍ୟ ପଟେ, ଏହା ପରିବର୍ତ୍ତନଶୀଳ । ଅଧିକନ୍ତୁ, ‘ପରମ୍ପରା’ ତାହାର ମୂଳ ସଂରକ୍ଷଣ କରିବା ଆବଶ୍ୟକ; କିନ୍ତୁ ଏହି ପ୍ରକ୍ରିୟାରେ ‘ପରମ୍ପରାର ନବସୃଜନ’ ‘ପରମ୍ପରା’ର ସମାଲୋଚନା ମଧ୍ୟ୍ୟ ଗୁରୁତ୍ତ୍ୱପୂର୍ଣ୍ଣ।

ତାଙ୍କ ବାର୍ତ୍ତାଳାପ ମାଧ୍ୟମରେ ସେ ଓଡିଶାରେ ବିଭିନ୍ନ ପ୍ରକାରର ପାରମ୍ପାରିକ କଳା ଅଭ୍ୟାସରେ ନିରନ୍ତରତା ଏବଂ ପରିବର୍ତ୍ତନର ଗତିଶୀଳତାକୁ ବିଶ୍ଳେଷଣ କରିଥିଲେ । ଅଧିକନ୍ତୁ, ସେ ଭାରତୀୟ ତଥା ଅନ୍ୟ ଦକ୍ଷିଣ ଏସୀୟ ଦେଶ- ବାଂଲାଦେଶ, ପାକିସ୍ଥାନ, ନେପାଳ, ଭୁଟାନ, ଶ୍ରୀଲଂକା, ଆଫାନିସ୍ଥାନ ଏବଂ ମାଲଦିଭସ୍ ସମସାମୟିକ କଳାକାରମାନଙ୍କ ଅଭିବ୍ୟକ୍ତି ଅନୁସନ୍ଧାନ କରିଥିଲେ, ଯେଉଁମାନେ ଅଭିନବ ଉପାୟରେ ‘ପରମ୍ପରା’ର ଉପାଦାନର ବ୍ୟବହାର ତଥା ପରଂପରାର ସମାଲୋଚନା ଦ୍ୱାରା ନୂତନ କଳା ଅଭିବ୍ୟକ୍ତି ସୃଷ୍ଟି କରିବା ତଥା ପରମ୍ପରା ପ୍ରତି ଏକ ନୂତନ ସମ୍ବେଦନଶୀଳତା ସୃଷ୍ଟି କରିବା ପାଇଁ ପ୍ରୟାସ କରିଆସୁଛନ୍ତି । ଏହି ଆଲୋଚନା ସାମ୍ପ୍ରତିକ ସମୟରେ ଆମ ସମାଜ ପାଇଁ ପ୍ରଯୁଜ୍ୟ ଦୃଶ୍ୟ ଅଭିବ୍ୟକ୍ତି, ସାଂସ୍କୃତିକ ଯୋଗଦାନ ଏବଂ ଭାଷାର ନୂତନ ରୂପକୁ ଆଲୋକିତ କରିଥିଲା ।

ଦକ୍ଷିଣ ଏସୀୟ ଦେଶର କେତେକ କଳାକାର ଏକାଧିକ ସ୍ତରରେ ବିଭିନ୍ନ ‘ପରମ୍ପରା’ର ପୁନ8ବ୍ୟବହାର ଦ୍ୱାରା ‘ପରମ୍ପରା’ ପ୍ରତି ଏକ ନୂତନ ଆଗ୍ରହ ସୃଷ୍ଟି; ଜଗତୀକରଣର ବିଶୃଙ୍ଖଳିତ ଅନୁଭୂତି, ବିବ୍ରତ ଡାଇସପୋରିକ୍ ଅଭିଜ୍ଞତାକ ଏବଂ ‘ପରମ୍ପରା’ ସହିତ ଜଡିତ ବହୁ ସ୍ତରୀୟ ପରିଚୟକୁ ଆହ୍ୱାନ; ବିଭିନ୍ନ ସ୍ତରରେ ମହିଳାଙ୍କ ‘ ଲିଙ୍ଗ’ର ପ୍ରଶ୍ନ ତଥା ମାର୍ଜିତତା ପ୍ରତି ସମ୍ବେଦନଶୀଳତା ସୃଷ୍ଟି ଏବଂ ସମାଧାନରେ ଦୃଷ୍ଟି; ହିନ୍ଦୁ ସମ୍ପ୍ରଦାୟରେ ‘ଜାତି’ପ୍ରଥାର ମୁଳୋତ୍ପାଟନ; ବିଭିନ୍ନ ସମ୍ପ୍ରଦାୟରେ ଧାର୍ମିକ ଉଗ୍ରବାଦ, ଅସହିଷ୍ଣୁତା, ହିଂସାକୁ ପ୍ରତିରୋଧ କରିବା ଏବଂ ସମନ୍ୱୟବାଦ ପ୍ରତି ଦୃଷ୍ଟି ଦେବା ପାଇଁ ଦର୍ଶକଂକୁ ଆହ୍ୱାନ କରିଥିଲେ । ଡ.ବିଶ୍ୱାଳ ‘ପରମ୍ପରା’ ସହିତ ଜଡିତ ଏକ ଦକ୍ଷିଣ-ଏସୀୟ ବକ୍ତବ୍ୟ ସୃଷ୍ଟି କରିବା ଉପରେ ଗୁରୁତ୍ତ୍ୱ ଦେଇଥିଲେ ।
ସୂତ୍ର ଫାଉଣ୍ଡେସନ ଏବଂ ନ୍ୟୁ ବ୍ରିଜ ଇଣ୍ଡିଆର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ କାର୍ଯ୍ୟକ୍ରମରେ ବିରେନ୍ଦ୍ର ପାଣିଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ “ନିଓ-ଅର୍ବାନ ଅବତାର : ମାଇଥୋପୋସିସ୍ ଅଫ ଦି କୋଣ୍ଟେମ୍ପୋରାରୀ ଟାଇମସ” କୁ ମହାମାନ୍ୟ ଆରି ନର୍ଟନ୍ ଦେ ମୁରାଟ କ୍ୱିଣ୍ଟେଲା (ମାଲେସିଆରେ ବ୍ରାଜିଲର ରାଷ୍ଟ୍ରଦୂତ) ୨୬ ଜୁଲାଇ ୨୦୨୪ କୁଆଲାଲମ୍ପୁରର ସୂତ୍ର ଗ୍ୟାଲେରୀରେ ଉଦ୍ଘାଟନ କରିଥିଲେ । ଏହି ଅବସରରେ ମାଲେସିଆରେ କଲମ୍ବିଆର ରାଷ୍ଟ୍ରଦୂତ ଆଲେଜାଣ୍ଡ୍ରୋ ରୋଜେଲି ଲଣ୍ଡନୋ ତଥା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅତିଥି ଏବଂ ମାଲେସିଆର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।
ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ଚିତ୍ରକାର ବିରେନ୍ଦ୍ର ପାଣି ନ୍ୟୁୟର୍କ, ସାନ ଡିଏଗୋ, ବେଙ୍ଗାଲୁରୁ, ଦିଲ୍ଲୀ, କୋଲକାତା ଏବଂ ଅନ୍ୟାନ୍ୟ ସ୍ଥାନରେ ତାଙ୍କର ଏକକ ଚିତ୍ର କଳା ପ୍ରଦର୍ଶନୀ ଏବଂ ପୃଥିବୀର ବିଭିନ୍ନ ସ୍ଥାନରେ ତିନି ଶହରୁ ଅଧିକ ଗୋଷ୍ଠୀ ଚିତ୍ର କଳା ପ୍ରଦର୍ଶନୀ କରିଛନ୍ତି । ସେ ତାଙ୍କର ସାଙ୍କେତିକ ରଚନାକୁ ଭାରତୀୟ ସମସାମୟିକ ଭିଜୁଆଲ୍ ଆର୍ଟର ଦର୍ଶକମାନଙ୍କୁ ‘ପରମ୍ପରା’ ବିଷୟରେ ନୂତନ ଦୃଷ୍ଟି ଆକର୍ଷଣ କରିବା ପାଇଁ ସଦାସର୍ବଦା ଚେଷ୍ଟିତ । ପାଣିଙ୍କ ଚିତ୍ରକଳା ପ୍ରଦର୍ଶନୀ ହିନ୍ଦୁ ପୁରାଣ କାହାଣୀ “ଦାଶାବତର” ଦ୍ୱାରା ପ୍ରଭାବିତ ହୋଇଥିଲା ଯାହା ସାମ୍ପ୍ରତିକ ‘ନିଓ-ଅର୍ବାନ’ର ଏକ ସମସାମୟିକ ପ୍ରତିଫଳିତ ସ୍ସୃଷ୍ଟି କରିବା ପାଇଁ ପୁନଃ ନିର୍ମାଣ କରାଯାଇଥିଲା । ଏହି ଏକକ ପ୍ରଦର୍ଶନୀ “ନିଓ-ଅର୍ବାନ ଅବତାର: ମାଇଥୋପୋସିସ୍ ଅଫ ଦି କୋଣ୍ଟେମ୍ପୋରାରୀ ଟାଇମସ” ରେ ବୀରେନ୍ଦ୍ର ପାଣିଙ୍କ ସହ ବିଶିଷ୍ଟ ନୃତ୍ୟ ନିର୍ଦ୍ଦେଶକ ପଦ୍ମଶ୍ରୀ ଦତ୍ତୁକ୍ ରାମଲି ଇବ୍ରାହିମ୍ ଙ୍କର ଏକ ଆଲୋଚନା ତାଙ୍କର ସୃଜନଶୀଳ ପ୍ରକ୍ରିୟା ଉପରେ ଆଲୋକପାତ କରିଥିଲା । ସୂତ୍ର ଫାଉଣ୍ଡେସନ୍ ଟିମ୍ ଦ୍ୱାରା ଓଡ଼ିଶୀ ଶୈଳୀରେ ଦଶାବତରା ନୃତ୍ୟ ପରିବେଷଣ ଦର୍ଶକମାନଂକ ପାଇଁ ପୌରାଣିକ ତଥା ସମସାମୟିକ କଳା ଅଭିଜ୍ଞତାର ଏକ ଅଭୂତପୂର୍ବ ଅନୁଭୂତି ଥିଲା । ଏହି ପ୍ରଦର୍ଶନୀ ଆସନ୍ତା ୧୨ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ଅନୁଷ୍ଟିତ ହେବ ।

ନ୍ୟୁ ବ୍ରିଜ୍ ଇଣ୍ଡିଆର ଏହି କଳା ବାର୍ତ୍ତା ତଥା କଳାତ୍ମକ ପ୍ରୟାସ ଭାରତ-ମାଲେସିଆ ସାଂସ୍କୃତିକ ସମ୍ପର୍କ ସୁଦୃଢୀକରଣ ଏବଂ ଦକ୍ଷିଣ-ପୂର୍ବ ଏସୀୟ ପରିଚୟକୁ ଏକାଧିକ ସ୍ତରରେ ପହଞ୍ଚାଇ ପାରିବ ବୋଲି ଆଶା ରଖାଯାଏ ।

Leave A Comment

All fields marked with an asterisk (*) are required