NDA @ INDIA
ଭୁବନେଶ୍ୱର: ୨୬ ଟି ବିରୋଧୀ ଦଳକୁ ନେଇ ଗଠିତ ମହାମେଣ୍ଟର ନାଁ ଦିଆଯାଇଛି INDIA(Indian National Democratic Inclusive Alliance) । ଆଗାମୀ ୨୪ ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ NDA ସହିତ ମିଳିତ ବିରୋଧୀ ମେଣ୍ଟ INDIAର ଲଢ଼େଇ ହେବ । ବେଙ୍ଗାଲୁରୁରେ ବିରୋଧୀ ମେଣ୍ଟର ଦୁଇଦିନିଆ ବୈଠକ ଏହି ନିର୍ଯ୍ୟାସ ଆଣିଛି । ସମ୍ମିଳନୀ ଶେଷରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି । ନୂଆ ନାଁ INDIA କୁ ନେଇ ବିରୋଧୀ ଦଳର ନେତାମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଛି ।
ଆଗାମୀ ନିର୍ବାଚନରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ହଟାଇବା ପାଇଁ ବେଙ୍ଗାଲୁରୁ ବୈଠକରେ ମହାମେଣ୍ଟ ପକ୍ଷରୁ ଏକ ରାଜନୈତିକ ସଂକଳ୍ପ ପାରିତ ହୋଇଛି । ବିଭିନ୍ନ କ୍ଷେତ୍ରରେ ମୋଦୀ ସରକାରଙ୍କ ବିଫଳ ହୋଇଛନ୍ତି । ଦେଶର ସଂଘୀୟ ବ୍ୟବସ୍ଥା ବିପଦରେ ପଡ଼ିଛି । ଦେଶରେ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର କରାଯାଇ ରାଜନୈତିକ ଅସ୍ତ୍ର ପାଲଟିଛନ୍ତି । ଦଳିତ, ଆଦିବାସୀ, ଚାଷୀ, ଦିନ ମଜୁରିଆଙ୍କ ଉପରେ ଆକ୍ରମଣ ବଢ଼ି ଚାଲିଛି । ଏନଡିଏ ସରକାରଙ୍କ ଶୋଷଣରୁ ଦେଶକୁ ଉଦ୍ଧାର କରିବାକୁ ପଡ଼ିବ । ଗଣତନ୍ତ୍ର ଏବଂ ସମ୍ବିଧାନ ବଞ୍ଚାଇବାକୁ ପଡ଼ିବ ବୋଲି ମିଳିତ ଘୋଷଣାନାମାରେ କୁହାଯାଇଛି । ଜୁନ୍ ୨୩ ରେ ମିଳିତ ବିରୋଧୀ ମେଣ୍ଟର ପ୍ରଥମ ବୈଠକ ପାଟଣାରେ ଅନୁଷ୍ଠିତ ହୋଇଥିଲା । ଏହାର ତୃତୀୟ ବୈଠକ ଖୁବ୍ ଶୀଘ୍ର ମୁମ୍ବାଇରେ ଅନୁଷ୍ଠିତ ହେବ । ବେଙ୍ଗାଲୁରୁରେ ପାରିତ ପ୍ରସ୍ତାବଗୁଡ଼ିକ ଉପରେ ମୁମ୍ବାଇ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇ ଏହାର କାର୍ଯ୍ୟାନ୍ୱୟ ହେବ । ସେହି ବୈଠକରେ INDIA ର ସଭାପତି ଏବଂ ଆବାହକଙ୍କ ନାଁ ଚୂଡ଼ାନ୍ତ ହେବ । ଏଥିସହ ଏକ ୧୧ ଜଣିଆ ସମନ୍ୱୟ କମିଟି ଗଠନ ହେବ ବୋଲି ଶ୍ରୀ ଖଡ଼ଗେ ସୂଚନା ଦେଇଛନ୍ତି । ଦିଲ୍ଲୀରେ ଏହାର କେନ୍ଦ୍ରୀୟ ଅଫିସ ରହିବ ଏବଂ ସେଠାରୁ ସବୁ ପରିଚାଳନା କରାଯିବ ବୋଲି ସେ କହିଛନ୍ତି ।
INDIA ନାଁକୁ ନେଇ ବିରୋଧୀ ମେଣ୍ଟରେ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଥିଲା ବେଳେ ଆଜି ସଂଧ୍ୟାରେ ଦିଲ୍ଲୀରେ ୩୮ ସହଯୋଗୀ ଦଳକୁ ନେଇ ଏନଡିଏ ମେଣ୍ଟର ବୈଠକ ଦେଶର ରାଜନୈତିକ ମାହୋଲକୁ ସରଗରମ କରିଛି । NDA ମେଣ୍ଟର ୨୫ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହା, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ପ୍ରମୁଖ ଯୋଗଦେଇଛନ୍ତି । ବିରୋଧୀ ମେଣ୍ଟ INDIAକୁ ପ୍ରଧାନମନ୍ତ୍ରୀ ସମାଲୋଚନା କରି ଏହା ଅଫ୍ ଦି ଫ୍ୟାମିଲି, ବାଇ ଦ ଫ୍ୟାମିଲି ଏବଂ ଫର୍ ଦ ଫ୍ୟାମିଲି ବୋଲି କଟାକ୍ଷ କରିଛନ୍ତି ।