Search for:
  • Home/
  • ରାଜ୍ୟ/
  • ଏକକ ନାଗରିକ ସଂହିତା ସଂପର୍କରେ ଆଲୋଚନା ଚକ୍ରରେ ବକ୍ତାମାନଙ୍କ ମତ ପ୍ରକାଶ।।

ଏକକ ନାଗରିକ ସଂହିତା ସଂପର୍କରେ ଆଲୋଚନା ଚକ୍ରରେ ବକ୍ତାମାନଙ୍କ ମତ ପ୍ରକାଶ।।

Spread the love

Loading

ସମାନ ନାଗରିକ ସଂହିତା ଆଣିବା ପୂର୍ବରୁ ପ୍ରଥମେ ନାରୀ ଓ ପୁରୁଷଙ୍କୁ ସମାନ ଅଧିକାର ଓ ସମସ୍ତଙ୍କ ପାଇଁ ସମାନ ସ୍କୁଲ ବ୍ୟବସ୍ଥା କରାଯାଉ ।

ଏକକ ନାଗରିକ ସଂହିତା ସଂପର୍କରେ ଆଲୋଚନା ଚକ୍ରରେ ବକ୍ତାମାନଙ୍କ ମତ ପ୍ରକାଶ।।

ଭୁବନେଶ୍ୱର, ତା୧୩/୦୮/୨୩: ସରକାରଙ୍କ ଏକକ ନାଗରିକ ସଂହିତା (ୟୁନିଫର୍ମ ସିଭିଲ୍ କୋର୍ଡ) ଲାଗୁ କରିବାକୁ ଘୋଷଣା କରିବା ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି । ବିବିଧତା ଭରା ସଂସ୍କୃତି ଓ ଧର୍ମ ନିର୍ବିଶେଷରେ ଜନସାଧାରଣଙ୍କ ମଧ୍ୟରେ ଏକ ଭୟର ବାତାବରଣ ସଞ୍ଚାର କରି ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଏହା ଉଦ୍ଦିଷ୍ଟ ବୋଲି ଆଜି ସନ୍ଧ୍ୟାରେ ଲୋହିଆ ଏକାଡେମୀ ପରିସରରେ ଆୟୋଜିତ ଆଲୋଚନା ଚକ୍ରରେ ମତାମତ ପ୍ରକାଶ ପାଇଛି ।

ଯଦି ସରକାର ପ୍ରକୃତରେ ୟୁନିଫର୍ମ ସିଭିଲ୍ କୋର୍ଡ ଲାଗୁ କରିବାକୁ ଚାହୁଁଛନ୍ତି, ତେବେ ସମାନ ନାଗରିକ ସଂହିତା ଆଣିବା ପୂର୍ବରୁ ପ୍ରଥମେ ନାରୀ ଓ ପୁରୁଷଙ୍କୁ ସମାନ ଅଧିକାର ଦେବାପାଇଁ ବ୍ୟବସ୍ଥା କରନ୍ତୁ । ସମସ୍ତଙ୍କ ପାଇଁ ସମାନ ସ୍କୁଲ ବ୍ୟବସ୍ଥା ପ୍ରଚଳନ କରାଯାଉ ଓ ସମ୍ବିଧାନ ଅନୁଯାୟୀ ସ୍ୱତନ୍ତ୍ରତା, ସମାନତା, ଭାତୃତ୍ବ ଓ ନ୍ୟାୟ ଆଧାରରେ ସମାଜର ବିକାଶ ନିମନ୍ତେ ସରକାର ପଦେକ୍ଷପ ଗ୍ରହଣ କରିବାକୁ ବିଭିନ୍ନ ବର୍ଗର ବକ୍ତା ମାନେ ମତପୋଷଣ କରିଛନ୍ତି।

ଏକକ ନାଗରିକ ସଂହିତା ସିଭିଲ ସୋସାଇଟି ଫୋରମ୍ ଅନ୍ ହ୍ୟୁମାନ୍ ରାଇଟ୍ସ ପକ୍ଷରୁ ଆୟୋଜିତ ଆଲୋଚନା ଚକ୍ରରେ ନରେନ୍ଦ୍ର ମହାନ୍ତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ମାନବାଧିକାର କର୍ମୀ ତଥା ଅନୁଷ୍ଠାନର ଅଧ୍ୟକ୍ଷ ବିଶ୍ୱପ୍ରିୟ କାନୁନଗୋ ସଭା ପରିଚାଳନା କରିଥିଲେ।
ମୂଖ୍ୟବକ୍ତା ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡ଼ଃ ବୀରେନ୍ଦ୍ର ନାୟକଙ୍କ ସମେତ ସମାଜ ବିଜ୍ଞାନୀ ଫାଦର୍ ଅଜୟ ସିଂ, ସାମାଜିକ କର୍ମୀ ତନବୀର ଅହମ୍ମଦ, ଓଡ଼ିଶା ଦଳିତ ଅଧିକାର ମଞ୍ଚର ମାନସ ଜେନା ପ୍ରମୁଖ ଏହି ଆଲୋଚନା ଚକ୍ରରେ ସେମାନଙ୍କ ମତ ଉପସ୍ଥାପନ କରିଥିଲେ।
ପ୍ରଫେସର ଡ଼ଃ ବୀରେନ୍ଦ୍ର ନାୟକ ତାଙ୍କ ଆଲୋଚନାରେ ଏକକ ନାଗରିକ ସଂହିତା ସଂପର୍କରେ ସମ୍ବିଧାନ ସଭାରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଓ ବିତର୍କ ବିଷୟରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଯେତେବେଳେ ସମ୍ବିଧାନ ସଭାରେ ଡଃ ଭୀମ ରାଓ ଆମ୍ବେଦକର ଏ ସଂପର୍କରେ ପ୍ରସ୍ତାବ ଆଗତ କରିଥିଲେ ସେତେବେଳେ ଉଭୟ ରକ୍ଷଣଶୀଳ ହିନ୍ଦୁ ଓ ମୁସଲିମ ବର୍ଗର ସଦସ୍ୟ ମାନେ ଏହାକୁ ତୀବ୍ର ବିରୋଧ କରିଥିଲେ ।
ଏକକ ନାଗରିକ ସଂହିତାକୁ ଏକ ଇଚ୍ଛାଧୀନ ବିଷୟ ବୋଲି ସର୍ତ୍ତାବଳୀ ସହ ଉଲ୍ଲେଖ କରିବାକୁ ମୁସଲିମ ସଦସ୍ୟ ଦାବି କରିଥିବା ବେଳେ ହିନ୍ଦୁ ପକ୍ଷର ସଦସ୍ୟ ତଥା ଭାରତୀୟ ବିଦ୍ୟା ଭବନର ପ୍ରତିଷ୍ଠାତା ଡଃ କେ. ଏମ୍. ମୂନସୀ ଆଇନ୍ କୁ ବ୍ୟକ୍ତିଗତ ଓ ପାରିବାରିକ ବ୍ୟାପାର ବୋଲି ମତବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ଭାରତୀୟ ପୁରାଣ ଶାସ୍ତ୍ର ଏବଂ ମନୁ ଓ ଯାଜ୍ଞବଳକ୍ୟଙ୍କ ନୀତି କୁ ବିଚାରକୁ ନନେଇ ସମାନ ନାଗରିକ ସଂହିତାକୁ ଲଦି ଦିଆଗଲେ ହିନ୍ଦୁ ଧର୍ମର ରୀତି ନୀତି ଅନୁଯାୟୀ ହିନ୍ଦୁ ମହିଳାଙ୍କୁ ହିନ୍ଦୁ ପୁରୁଷଙ୍କ ସହ ସମାନ ନ୍ୟାୟ ଓ ସମାନ ଅଧିକାର ଦେବା ଅସମ୍ଭବ ହୋଇଯିବ । ସେଥିପାଇଁ ହିନ୍ଦୁ କୋର୍ଡ ବିଲ୍ ଆଲୋଚନା ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ବିଶ୍ଵ ହିନ୍ଦୁ ପରିଷଦ ସମେତ ସମସ୍ତ ରକ୍ଷଣଶୀଳ ହିନ୍ଦୁ ଡଃ ଆମ୍ବେଦକର ଙ୍କ ବିରୋଧରେ ଏକାଠି ହୋଇଥିଲେ ଓ ହିନ୍ଦୁ ଧର୍ମକୁ ଧ୍ୱଂସ କରିବା ପାଇଁ ହିନ୍ଦୁ କୋର୍ଡ ବିଲ୍ ଆଗତ କରାଯାଇଛି ବୋଲି ଅଭିଯୋଗ କରିଥିଲେ । ଏପରି ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ମଧ୍ୟ ସେମାନଙ୍କ ସହ ଆମ୍ବେଦକର ଙ୍କ ବିରୋଧରେ ସ୍ୱର ମିଳାଇ ଥିଲେ । ଆର୍.ଏସ୍.ଏସ୍ ର ଏକଦା ମୂଖ୍ୟ ଗୋୱାଲିକର ସଂହତି ଓ ସଂପ୍ରୀତି ଭିତରେ ଏକତା ସମ୍ଭବ ବୋଲି କହୁଥିଲା ବେଳେ ବର୍ତ୍ତମାନର ମୂଖ୍ୟ ମୋହନ ଭାଗବତ ଏକକ ନାଗରିକ ସଂହିତା ପ୍ରଣୟନ ମାଧ୍ୟମରେ ଏକତା ସମ୍ଭବ ବୋଲି କହୁଛନ୍ତି, ଯାହାକୁ ଦେଶର ଗୃହ ମନ୍ତ୍ରୀ ଅମିତ୍ ଶାହା ବୁଲେଇ ବଙ୍କେଇ କହୁଛନ୍ତି ଓ ସେଥିରେ ତାଙ୍କର ସାଂପ୍ରଦାୟିକ ରାଜନୀତି ବାରି ହୋଇ ପଡ଼ୁଛି । ତେଣୁ ଧର୍ମକୁ ଆଧାର ଭାବରେ ନ ନେଇ ସମାନ ନାଗରିକ ସଂହିତା ଉପରେ ବିତର୍କ ପୁର୍ବରୁ ପ୍ରଥମେ ପୁରୁଷ ଓ ନାରୀ ମାନଙ୍କ ମଧ୍ୟରେ ସମାନତା ଆଣିବା ଦିଗରେ ସରକାର ଦୃଷ୍ଟି ଦେବାକୁ ସେ ମତପୋଷଣ କରିଥିଲେ ।
ସଂଖ୍ୟାଲଘୁ ଖ୍ରୀଷ୍ଟିଆନ ସଂପ୍ରଦାୟ ପକ୍ଷରୁ ମତପୋଷଣ କରି ଡ଼ଃ ଅଜୟ ସିଂ କହିଥିଲେ ଯେ ଅଧିକାଂଶ ଖ୍ରୀଷ୍ଟିଆନ ବୈବାହିକ ରୀତି ନୀତି ଦେଶର ସିଭିଲ କୋର୍ଟ ଦ୍ୱାରା ଆଇନଗତ ଭାବରେ ମାନ୍ୟତା ପ୍ରାପ୍ତ । ସମାନ ନାଗରିକ ସଂହିତା ପ୍ରଣୟନ ସଂପର୍କରେ ସରକାରଙ୍କ ଘୋଷଣା ଅଭିସନ୍ଧି ମୂଳକ ବୋଲି ସଂଖ୍ୟାଲଘୁ ମାନଙ୍କ ମଧ୍ୟରେ ଭାବନା ଆସିବା ସ୍ୱଭାବିକ, କାରଣ ସମ୍ବିଧାନର ମୁଖବନ୍ଧ ଅନୁଯାୟୀ ସରକାର ସମାନତା, ସ୍ୱତନ୍ତ୍ରତା, ନ୍ୟାୟ ଓ ଭାତୃତ୍ବ ପ୍ରତିଷ୍ଠା ଦିଗରେ ସଦାସର୍ବଦା ଅବହେଳା କରିଚାଲିଛନ୍ତି । ଧର୍ମ ଏକ ଆଧାର ହେବା ଉଚିତ୍ ନୁହେଁ ବୋଲି ସାମ୍ବିଧାନିକ ଘୋଷଣା ସତ୍ତ୍ୱେ ଖ୍ରୀଷ୍ଟିଆନ ଓ ମୁସଲିମ ଦଳିତ ମାନଙ୍କୁ ସଂରକ୍ଷଣ ରୁ ବଞ୍ଚିତ କରାଯାଉଛି ।
ସଂଖ୍ୟାଲଘୁ ମୁସଲିମ ସଂପ୍ରଦାୟ ପକ୍ଷରୁ ସେଖ୍ ତନବୀର ଅହମ୍ମଦ କହିଥିଲେ ଯେ ଏକକ ନାଗରିକ ସଂହିତା ସଂପର୍କରେ ସରକାରଙ୍କ କୋୖଣସି ସ୍ପଷ୍ଟ ଘୋଷଣା ବା ଚିଠା ପ୍ରସ୍ତାବ ନାହିଁ । ଅଲ୍ ଇଣ୍ଡିଆ ମୁସଲିମ୍ ପରସନାଲ୍ ବୋର୍ଡ ପକ୍ଷରୁ ୟୁନିଫର୍ମ ସିଭିଲ୍ କୋର୍ଡ ଲାଗୁ କରିବା ବିରୋଧରେ ଏକ ପ୍ରସ୍ତାବ ଦିଆଯାଇଛି ଏବଂ ଏହା ଲାଗୁ କରିବା ପରିବର୍ତ୍ତେ ଯାହା ସାମ୍ବିଧାନିକ ଅଧିକାର ଓ ଆଇନ ଅଛି, ତାହା ପ୍ରଥମେ ସଠିକ୍ ଭାବେ ଲାଗୁ କରିବା ଆବଶ୍ୟକ ।
ଓଡ଼ିଶା ଦଳିତ ଅଧିକାର ମଞ୍ଚ ପକ୍ଷରୁ ସାମାଜିକ କର୍ମୀ ମାନସ ଜେନା କହିଥିଲେ ଯେ ସମୟର ଆବଶ୍ୟକତା ଅନୁଯାୟୀ ମାନବାଧିକାର ସଂପର୍କରେ ବିଶ୍ୱ ଘୋଷଣାନାମା (ୟୁ.ଡି.ଏଚ୍.ଆର୍) ତଥା ଆଧୁନିକ ଆନ୍ତର୍ଜାତିକ ଆଇନ୍ ଅନୁଯାୟୀ ଆମ ଆଇନ୍ କାନୁନ୍ କୁ ଆମକୁ ପରିବର୍ତ୍ତନ କରିବାକୁ ପଡ଼ିବ । ସମସ୍ତଙ୍କ ପାଇଁ ସମାନ ଶିକ୍ଷା ବ୍ୟବସ୍ଥା ଏକ ବଡ଼ ଆହ୍ବାନ ହୋଇଥିଲେ ମଧ୍ୟ ସରକାର ଏଥିପାଇଁ କୋୖଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ବଂଶୀଧର ପରିଡ଼ା, ଝାନ୍ସୀ ସିଂ, ମହେନ୍ଦ୍ର ପରିଡ଼ା, ସଂଗ୍ରାମ ମଲ୍ଲିକ ପ୍ରମୁଖ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ନିଜର ମତବ୍ୟକ୍ତ କରିଥିଲେ । ଶେଷରେ କୋୖଣସି ଆଇନ୍ ପ୍ରଣୟନ ପୂର୍ବରୁ ଏକ ସ୍ୱଚ୍ଛ ତଥା ଉତ୍ତରଦାୟୀ ବ୍ୟବସ୍ଥା ରହିବା ଆବଶ୍ୟକ ଏବଂ ସରକାରଙ୍କ ଉଦ୍ଦେଶ୍ୟ ସଂପର୍କରେ ସମସ୍ତ ବର୍ଗର ଜନସାଧାରଣଙ୍କ ମଧ୍ୟରେ କୋୖଣସି ସନ୍ଦେହ ଓ ଆଶଙ୍କା ନ ରହିବା ଉଚିତ୍ ବୋଲି ସଭାପତି ମତପୋଷଣ କରିଥିଲେ ।

 

Leave A Comment

All fields marked with an asterisk (*) are required