ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ମୁକ୍ତେଶ୍ୱର ନୃତ୍ୟ
ଓଡ଼ିଶୀ ନୃତ୍ୟାଭିନୟରେ ଦର୍ଶକ ବିଭୋର
(ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ମୁକ୍ତେଶ୍ୱର ନୃତ୍ୟ ଉତ୍ସବର ଦ୍ୱିତୀୟ ସଂଧ୍ୟା)
ଭୁବନେଶ୍ୱର : ତା ୧୮.୦୧.୨୦୨୪* – ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଭରପୁର ଦର୍ଶକ ଭୁବନେଶ୍ୱରରେ ଅବସ୍ଥିତ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଓଡ଼ିଶୀ ନୃତ୍ୟକୁ ଉପଭୋଗ କରିଥିଲେ ।
ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଶିବ ବନ୍ଦନା ଋଦ୍ରାଷ୍ଟକମ୍ ଓଁ ନମଃ ଶିବାୟ ଯାହାକୁ ପରିବେଷଣ କରିଥିଲେ କଟକର ବିଶ୍ୱନାଥ ମିଶ୍ର ଓ ସାଥୀ । ଓଡ଼ିଶୀ ନୃତ୍ୟର ଏକକ ପର୍ଯ୍ୟାୟରେ ଗୌରୀଶଙ୍କର ଦାଶ ପ୍ରଥମେ ବାଗେଶ୍ରୀ ପଲ୍ଲବୀ ଯାହା ଯତି ଓ ଏକତାଳୀ ଉପରେ ନିବଦ୍ଧ ଥିଲା ପରେ ପରେ ତାଙ୍କ ପ୍ରସ୍ତୁତିରେ ଥିଲା କୈବର୍ତ୍ତ ପ୍ରସଙ୍ଗ । ଯୁଗ୍ମ ନୃତ୍ୟ ପର୍ଯ୍ୟାୟରେ ଅନିକେତ୍ ପଲ୍ଲଭ ନାୟକ ଓ ବିଶ୍ୱରୂପା ଦିକ୍ଷୀତ୍ ପ୍ରଥମେ ପରିବେଷଣ କରିଥିଲେ ବକୁଳାଭରଣ ପଲ୍ଲବୀ ଯାହା ରାଗ ବକୁଳାଭରଣ ଓ ତାଳ ଏକତାଳୀ ଉପରେ ନିବଦ୍ଧ ଥିଲା ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ସୁକାନ୍ତ କୁମାର କୁଣ୍ଡୁ, ବାଦ୍ୟ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ, ନୃତ୍ୟ ସଂରଚନା କରିଥିଲେ ଗୁରୁ ପ୍ରଭାତ କୁମାର ସ୍ୱାଇଁ ଏବଂ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଡ଼ଃ ଅରୁଣା ମହାନ୍ତି । ପରେ ପରେ ପରିବେଷିତ ହୋଇଥିଲା ନୃତ୍ୟାଭିନୟ ଅର୍ଜୁନ ଦୁଇ ଅଧ୍ୟାୟ ଯାହା ରାଗ ରାଗମାଳିକା ଓ ତାଳ ତାଳମାଳିକା ଉପରେ ନିବଦ୍ଧ ଥିଲା । ଏହି ନୃତ୍ୟଟିର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ରାମହରି ଦାସ ଓ ଗୁରୁ ବିଜୟ କୁମାର ଜେନା, ବାଦ୍ୟ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ଓ ନୃତ୍ୟ ସଂରଚନା କରିଥିଲେ ଗୁରୁ ଅରୁଣା ମହାନ୍ତି । ସଂଧ୍ୟାର ଶେଷ କାର୍ଯ୍ୟକ୍ରମ ଥିଲା ଗୁରୁ ପିତାମ୍ବର ବିଶ୍ୱାଳ ଓ ତାଙ୍କ ସୁରଭୀ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ । ସେମାନଙ୍କର ପ୍ରଥମ ପ୍ରସ୍ତୁତିରେ ଥିଲା ହରିହର ଶବ୍ଦ ଯାହା ରାଗ ଚନ୍ଦ୍ରକୋଶି ଏବଂ ତାଳ ଏକତାଳୀ ଓ ଯତି ଉପରେ ନିବଦ୍ଧ ଥିଲା । ପରେ ପରେ ପରିବେଷିତ ହୋଇଥିଲା ବକୁଳାଭରଣ ପଲ୍ଲବୀ ଯାହା ରାଗ ବକୁଳାଭରଣ ଓ ତାଳ ଝମ୍ପା ଉପରେ ନିବଦ୍ଧ ଥିଲା । ସେମାନଙ୍କର ଅନ୍ତିମ ପ୍ରସ୍ତୁତିଟି ଥିଲା ଭଦ୍ରକାଳିଷ୍ଟକ ଯାହା ରାଗ ମୋହନା ଓ ତାଳ ତ୍ରୀପଟା ଓ ଏକତାଳୀ ଉପରେ ପର୍ଯ୍ୟବେଷିତ ଥିଲା ଯାହାର ସଙ୍ଗୀତ ସଂଯୋଜନା ଗୁରୁ ରାମହରି ଦାସ, ଶବ୍ଦ ସଂଯୋଜନା ଗୁରୁ ଧନେଶ୍ୱର ସ୍ୱାଇଁ ଏବଂ ନୃତ୍ୟ ସଂରଚନା ଗୁରୁ ପିତାମ୍ବର ବିଶ୍ୱାଳ କରିଥିଲେ ।
ଦ୍ୱିତୀୟ ସନ୍ଧ୍ୟାର ଅତିଥୀମାନେ ଥିଲେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି ଗୁରୁ ଡ଼ଃ. ଅରୁଣା ମହାନ୍ତି, ବିଶିଷ୍ଟ ଓଡ଼ିଶୀ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ୱର ସ୍ୱାଇଁ; ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ଶ୍ରୀ ପ୍ରବୋଧ କୁମାର ରଥ ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ରର ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ସଙ୍ଗୀତା ଗୋସାଇଁ । କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡ଼ଃ. ଶ୍ରୀନିବାସ ଘଟୁଆରୀ ଏବଂ ନାଜିଆ ଆଲାମ୍ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ଅଧିକାରୀ ବୃନ୍ଧ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ନୃତ୍ୟ ଉତ୍ସବର ସିଧା ପ୍ରସାରଣ ଦୂରଦର୍ଶନର କେନ୍ଦ୍ରର ଡ଼ି ଡ଼ି ଭାରତୀ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସୋସିଆଲ ମିଡ଼ିଆ ପ୍ଲାଟ୍ଫର୍ମରେ କରାଯାଉଅଛି ।