ଶୁଭଲଗ୍ନରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଲୋକାର୍ପଣ ଫଳକରେ ନଡ଼ିଆ ପିଟି ପ୍ରକଳ୍ପର ଲୋକାର୍ପଣ
ଭୁବନେଶ୍ୱର:ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । ଶ୍ରୀକ୍ଷେତ୍ର ଐତିହ୍ୟରେ ଯୋଡ଼ି ହୋଇଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ସାଢ଼େ ଗୋଟାଏରେ ଶୁଭଲଗ୍ନରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଲୋକାର୍ପଣ ଫଳକରେ ନଡ଼ିଆ ପିଟି ପ୍ରକଳ୍ପର ଲୋକାର୍ପଣ କରିଥିଲେ । ଏଥିସହ ୩ ଦିନ ଧରି ଚାଲିଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମହାଯଜ୍ଞରେ ପୂର୍ଣ୍ଣାହୁତି ଦେଇଛନ୍ତି ଗଜପତି । ଲୋକାର୍ପଣ ପର୍ବରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ, ଗଜପତି ଓ ହଜାର ହଜାର ଭକ୍ତ ଶ୍ରୀମନ୍ଦିର ଚାରିପଟେ ପ୍ରଦକ୍ଷଣ କରିଥିଲେ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବା ପାଇଁ ପୁରୀରେ ଭକ୍ତମାନଙ୍କର ନାହିଁ ନ ଥିବା ଭିଡ଼ ହୋଇଥିଲା । ଶ୍ରୀମନ୍ଦିର ଚାରିଦ୍ୱାର ମନ୍ତ୍ରପାଠ, ବେଦପାଠ ଓ ଶଙ୍ଖଧ୍ୱନିରେ ପ୍ରକମ୍ପିତ ହୋଇଥିଲା । ନିର୍ଦ୍ଧାରିତ ସମୟରେ ଆଜି ସବୁ କାର୍ଯ୍ୟ ସମାପନ ହୋଇଥିଲା । ସକାଳ ସାଢ଼େ ୭ଟାରୁ ଆରମ୍ଭ ହୋଇଥିଲା ଯଜ୍ଞବିଧି । ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁଶୋଧନ, ଅଧିବାସ, ହୋମ ବିଧି ଅପରାହ୍ନ ୧ଟା ମଧ୍ୟରେ ସମ୍ପନ୍ନ ହୋଇଥିଲା । ଏହାପୂର୍ବରୁ ଅପରାହ୍ନ ସାଢ଼େ ୧୨ଟାରେ ଶ୍ରୀନଅରରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ବେଦପାଠ ପୂର୍ବକ ଯଜ୍ଞସ୍ଥଳକୁ ବିଜେ କରିଥିଲେ । ଅପରାହ୍ନ ୧.୧୫ ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀସେତୁ ଦେଇ ଯଜ୍ଞସ୍ଥଳରେ ପହଞ୍ଚିଥିଲେ ।