Search for:
  • Home/
  • ରାଜ୍ୟ/
  • ମିଶନ ଶକ୍ତିର ଆଠ ଦିନ ଧରି ଚାଲିଥିବା ଦିବା-ରାତ୍ର ଗଣଧାରଣା ସ୍ଥଗିତ ।

ମିଶନ ଶକ୍ତିର ଆଠ ଦିନ ଧରି ଚାଲିଥିବା ଦିବା-ରାତ୍ର ଗଣଧାରଣା ସ୍ଥଗିତ ।

Spread the love

Loading

ମିଶନ ଶକ୍ତିର ପୁନର୍ଗଠନ ଆଦେଶ ଦୁଇ ମାସ ପାଇଁ ସ୍ଥଗିତ ରଖିଲେ ବିଭାଗୀୟ ସଚିବ – ଚଳିତ ବିଧାନ ସଭା ଅଧିବେଶନ ପରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଏବଂ ସଂଘ ପ୍ରତିନିଧିଙ୍କ ସହ ଆଲୋଚନା କରି ଇ.ସି ସଦସ୍ୟଙ୍କ ବହିଷ୍କାରର ବିକଳ୍ପ ରାସ୍ତା ନିର୍ଣ୍ଣୟ ହେବ – ଆଠ ଦିନ ଧରି ଚାଲିଥିବା ଦିବା-ରାତ୍ର ଗଣଧାରଣା ସ୍ଥଗିତ ।
ଭୁବନେଶ୍ୱର ତା.୨୦/୦୨ : ଗତ ୧୩ ଫେବୃଆରୀ ଠାରୁ ମିଶନ ଶକ୍ତିର ଇ.ସି ପୁନର୍ଗଠନ ବନ୍ଦ ଦାବୀରେ ନିଖିଳ ଓଡ଼ିଶା ଜୀବିକା ମିଶନ ଇ.ସି. ସଂଘ ପକ୍ଷରୁ ଗାନ୍ଧୀ ମାର୍ଗରେ ଚାଲିଥିବା ଦିବା-ରାତ୍ର ଗଣଧାରଣା ଆଜି ଅପରାହ୍ନ ପର୍ଯ୍ୟନ୍ତ ଚାଲିଥିଲା । ଅପରାହ୍ନରେ ସଂଘର ପ୍ରତିନିଧି ଦଳ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତଙ୍କୁ ସାକ୍ଷାତ କରି ପୁନର୍ଗଠନ ଆଳରେ ବାହାର କରାଯାଉଥିବା ଲକ୍ଷାଧିକ ଇ.ସି. ସଦସ୍ୟା କୌଣସି ନିର୍ବାଚିତ ପ୍ରତିନିଧି ନୁହଁନ୍ତି, ପରନ୍ତୁ ଆଇସିଡ଼ିଏସ୍‌ର ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମଧ୍ୟାହ୍ନ ଭୋଜନ ଯୋଜନାର ପାଚିକା ଓ ସହାୟିକା ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନର ଆଶାକର୍ମୀଙ୍କ ଭଳି ମହିଳା ସମୁଦାୟଙ୍କ ଦ୍ୱାରା ମନୋନୀତ ହୋଇ ଯେଭଳି କାର୍ଯ୍ୟ କରିଥାନ୍ତି ଠିକ୍ ସେଇଭଳି ୫ ରୁ ୧୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଇ.ସି ସଦସ୍ୟାମାନେ ମନୋନୀତ ହୋଇ ଗତ ୫ ରୁ ୨୫ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଆସିଛନ୍ତି । ଏମାନେ ଏନ୍‌ଆରଏଲଏମ କେନ୍ଦ୍ରୀୟ ସ୍କିମ୍ ଅନ୍ତର୍ଗତ ଓଡ଼ିଶା ଜୀବିକା ମିଶନ ଏବଂ ମିଶନ ଶକ୍ତିର ସ୍କିମ୍ ୱାର୍କର ଅଟନ୍ତି । ଏହି ସ୍କିମ୍ ୱାର୍କରମାନେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ, ମହିଳାମାନଙ୍କୁ ଏସ.ଏଚ୍‌.ଜି ରୁ ଏଣ୍ଟରପ୍ରେନିଓର ହେବା ପାଇଁ ପ୍ରବର୍ତ୍ତାଇବା ମହିଳା ଗୋଷ୍ଠୀର ସଦସ୍ୟଙ୍କୁ ବ୍ୟାଙ୍କରୁ ଋଣ ଦିଆ କରାଇବା, ଋଣ ପରିଶୋଧରେ ସମୟାନୁବର୍ତ୍ତିତା ପାଇଁ ପ୍ରବର୍ତ୍ତାଇବା ଭଳି କାର୍ଯ୍ୟରେ ୭୦ଲକ୍ଷ ମହିଳାଙ୍କୁ ଜୀବିକା ଅର୍ଜନର ରାହା ଦେଖାଉଛନ୍ତି । ଏମାନେ ୱାର୍ଡ଼ ମେମ୍ବର, ସରପଞ୍ଚ, ବିଧାୟକ ବା ସାଂସଦ ଭଳି ରାଜନେତା ନୁହଁନ୍ତି ବା କମ୍ୟୁନିଟି ବେସ୍‌ଡ଼୍ ଅଗ୍ରାନାଇଜେସନର କଳେବର ଭିତରେ ସୀମିତ ନୁହଁନ୍ତି । ଏମାନେ ସ୍କିମ୍ ୱାର୍କର ଭାବେ ସ୍ୱଳ୍ପ ଭତ୍ତାରେ ନିର୍ଦ୍ଦିଷ୍ଟ କାର୍ଯ୍ୟକରି ମିଶନ ଶକ୍ତିକୁ ଏକ ବିଶାଳ ମହାଦ୍ରୁମରେ ପରିଣତ କରିଛନ୍ତି । ତେଣୁ ପୁନର୍ଗଠନ ଆଳରେ ଏମାନଙ୍କୁ ବହିଷ୍କାର ନକରି ପୁନର୍ଗଠନ ପ୍ରକ୍ରିୟାରୁ ଏହି ସ୍କିମ୍ ଶ୍ରମିକ ମାନଙ୍କୁ ବାଦ୍ ଦିଆଯାଉ ଓ ଯେଉଁ କାର୍ଯ୍ୟ କରିଆସିଛନ୍ତି ସେହି କାର୍ଯ୍ୟରେ ପୂର୍ବଭଳି ରଖାଯାଉ । ଏହି ଆଲୋଚନାବେଳେ ଆଗାମୀ ଦୁଇ ମାସ ପାଇଁ ପୁନର୍ଗଠନ ବନ୍ଦ ରଖାଗଲା, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଏବଂ ସଂଘ ପ୍ରତିନିଧିମାନଙ୍କ ସହ ଆଲୋଚନା କରାଯାଇ ଏହି ସମସ୍ୟା ସମାଧାନର ସୁଚିନ୍ତିତ ରାସ୍ତା ନିର୍ଣ୍ଣୟ କରାଯିବ ବୋଲି ବିଭାଗୀୟ ଶାସନ ସଚିବ ଶ୍ରୀମତି ଶାଳିନୀ ପଣ୍ଡିତ ପ୍ରତିଶୃତି ଦେବା ସହ ଆନ୍ଦୋଳନ ସ୍ଥଗିତ ରଖିବାକୁ ପରାମର୍ଶ ଦେବା ପରେ ସଂଘ ପକ୍ଷରୁ ଗତ ୮ଦିନ ଧରି ଚାଲିଥିବା ଦିବା-ରାତ୍ର ଗଣଧାରଣାକୁ ସ୍ଥଗିତ ରଖାଯାଇଛି । ସଂଘ ପକ୍ଷରୁ ପ୍ରତିନିଧି ମଣ୍ଡଳୀରେ ସଂଘର ରାଜ୍ୟ ସଭାପତି ଜୟନ୍ତ ଦାସ, ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା, ସଂଘର ନେତ୍ରୀ ବିଷ୍ଣୁପ୍ରିୟା ଦାସ, ପୁଷ୍ପାଞ୍ଜଳୀ ଜେନା, ଶୈଳବାଳା ରଥ, ମୀରା ମହାନ୍ତି, କାମିନୀ ନାୟକ, ସ୍ମାରକୀ ସ୍ୱାଇଁ ଓ କୁନ୍ତି ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave A Comment

All fields marked with an asterisk (*) are required