Search for:
  • Home/
  • ରାଜ୍ୟ/
  • କୁଚିପୁଡ଼ିରେ ଅଷ୍ଟପଦୀ ଓ ଓଡ଼ିଶୀରେ ରାଧାକୃଷ୍ଣ ଭାବ ଦର୍ଶକଙ୍କ ମନମୋହିଲା କୋଣାର୍କ ଉସବ।

କୁଚିପୁଡ଼ିରେ ଅଷ୍ଟପଦୀ ଓ ଓଡ଼ିଶୀରେ ରାଧାକୃଷ୍ଣ ଭାବ ଦର୍ଶକଙ୍କ ମନମୋହିଲା କୋଣାର୍କ ଉସବ।

Spread the love

Loading

କୁଚିପୁଡ଼ିରେ ଅଷ୍ଟପଦୀ ଓ ଓଡ଼ିଶୀରେ ରାଧାକୃଷ୍ଣ ଭାବ ଦର୍ଶକଙ୍କ ମନମୋହିଲା
(କୋଣାର୍କ ଉତ୍ସବ ୨୦୨୩ର ଦ୍ୱିତୀୟ ସଂଧ୍ୟା)
କୋଣାର୍କ : ତା ୦୨.୧୨.୨୦୨୩ – ଈଶ୍ୱରୀୟ ଉପାସନାର ଆଧାର ହିଁ ନୃତ୍ୟ ଓ ସଙ୍ଗୀତ । ହୃଦୟକୁ ବିଭୁକରୁଣାରେ ବିଗଳିତ କରିଦିଏ ନୃତ୍ୟ ସଙ୍ଗୀତର ଆସର । ଏହି ଉକ୍ତିର ସତ୍ୟତାକୁ ପ୍ରତିପାଦନ କରିଥିଲା କୋଣାର୍କ ସୂର୍ଯ୍ୟ ମନ୍ଦିରର ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚ । ଅବସର ଥିଲା ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ଦ୍ୱିତୀୟ ସଂଧ୍ୟା । ଆଲୋକ ଓ ବିବିଧ ସାଜସଜାରେ ଉଜ୍ଜ୍ୱଳ ହୋଇଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ଦ୍ୱିତୀୟ ଦିନର ପ୍ରଥମ ପ୍ରସ୍ତୁତିକୁ ନେଇ ଆସିଥିଲେ ସୁବିଖ୍ୟାତ କୁଚିପୁଡ଼ି ନୃତ୍ୟ ବିଦ୍ୱାନ ପଦ୍ମଶ୍ରୀ ଗୁରୁ ଜୟରାମା ରାଓ ଓ କୁଚିପୁଡ଼ି ଡ଼୍ୟାନ୍ସ ଏକାଡ଼େମୀର ଶିଳ୍ପୀମାନେ । ନଟରାଜ ଶିବ ହିଁ ସକଳ ଶକ୍ତିର ଆଧାର ଓ ଓଁକାର ବ୍ରହ୍ମଙ୍କ ଉପାସନା ମୋକ୍ଷର ମାର୍ଗକୁ ଉନ୍ମୋଚନ କରେ । ଏହି ତତ୍ତ୍ୱକୁ ନେଇ ଓଁକାରମ୍‌ର ଉପସ୍ଥାପନା ପରେ ପରେ କୁଚିପୁଡ଼ିର ପରବର୍ତ୍ତୀ ପ୍ରସ୍ତୁତି ଥିଲା ଶ୍ରୀଗୀତଗୋବିନ୍ଦ ଅଷ୍ଟପଦୀରେ ଦଶାବତାର । ପରେ ପରେ ଦୁର୍ଗା ତରଙ୍ଗମ୍‌ ଓ ତିଲ୍ଲାନା ଯାହା କୁଚିପୁଡ଼ିର ଶାସ୍ତ୍ରୀୟତା ସିଦ୍ଧ ଓ ଶୁଦ୍ଧତାକୁ ସୂଚିତ କରିଥିଲା । ଦେଶ ଓ ଦେଶବାସୀଙ୍କ ପାଇଁ ଉତ୍ସର୍ଗୀକୃତ ତିଲ୍ଲାନାରେ ରାଷ୍ଟ୍ରଭକ୍ତିର ପରଶ ଖୁବ୍‌ ଆକର୍ଷଣୀୟ ଥିଲା ।
ଦ୍ୱିତୀୟ ଚରଣରେ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟର ଆଙ୍ଗିକ ଶୁଦ୍ଧତା ଓ ନିଖୁଣ ଉପସ୍ଥାପନାକୁ ନେଇ ମଞ୍ଚପ୍ରବେଶ କରିଥିଲେ ଖ୍ୟାତନାମା ଓଡ଼ିଶୀ ନୃତ୍ୟ ବିଦୁଷୀ ପଦ୍ମଶ୍ରୀ ରଞ୍ଜନା ଗୌହର ଓ ଉତ୍ସବ ସମାଜ ନୂଆଦିଲ୍ଲୀର ଶିଳ୍ପୀଗଣ । ଈଶ୍ୱରୀୟ ପ୍ରକାଶର ଅନୁଭବକୁ ନେଇ ଉପସ୍ଥାପିତ ସାକ୍ଷାତକାର ଖୁବ୍‌ ମନଛୁଆଁ ଥିଲା । ରାଧାକୃଷ୍ଣ ପ୍ରୀତିବିଳାସର ଭାବ ଓ ଆବେଗରେ ପରିବେଷିତ ହୋଇଥିଲା ରାଧାରାଣୀ ସଙ୍ଗେ ନାଚେ ମୁରଲୀ ପାଣି ଓ ଶୁଦ୍ଧନୃତ୍ୟ ପଲ୍ଲବୀ । ହଜାର ହଜାର ପର୍ଯ୍ୟଟକ, ଶ୍ରଦ୍ଧାଳୁ ଓ ସଂସ୍କୃତି ଅନୁରାଗୀଙ୍କ ଉପସ୍ଥିତିରେ ଶାସ୍ତ୍ରୀୟ ନୃତ୍ୟର ମାଦକତାରେ ବିହ୍ୱଳ ହୋଇଥିଲେ ସମସ୍ତେ ।
ସଂଧ୍ୟାର ଅତିଥିଭାବେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱୋଳନ କରିଥିଲେ ପୋଲିସ୍‌ ମହାନିଦେ୍ର୍ଦଶକ ସୁନୀଲ କୁମାର ବଂଶଲ; ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି ଗୁରୁ ଅରୁଣା ମହାନ୍ତି ଓ ପର୍ଯ୍ୟଟନ ବିଭାଗର ନିଦେ୍ର୍ଦଶକ ସଚିନ ରାମଚନ୍ଦ୍ର ଯାଦବ ।
ଦ୍ୱିତୀୟ ଦିନରେ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା ଶିଳ୍ପୀମାନେ ପରିବେଶ ପର୍ଯ୍ୟଟନ ବିଷୟବସ୍ତୁ ଉପରେ ସୁବର୍ଣ୍ଣବାଲିରେ ବାଲୁକାକଳା ପ୍ରସ୍ତୁତ କରିଥିଲେ । ଆନ୍ତର୍ଜାତୀୟ ବାଲୁକାକଳା ପ୍ରଦର୍ଶନକୁ ଦେଖିବା ପାଇଁ ଆଜି ଚନ୍ଦ୍ରଭାଗା ତଟରେ ପର୍ଯ୍ୟଟକମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ମୁକ୍ତାକାଶ ମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ସହ ଚନ୍ଦ୍ରଭାଗାବେଳା ଭୁମିର ବାଲୁକାକଳା ପ୍ରଦର୍ଶନ କୋଣାର୍କାର ପରିବେଶକୁ କଳା-ସସ୍କୃତି ମୁଖର କରିଦେଇଛି ବୋଲି ପର୍ଯ୍ୟଟକମାନେ ମତପୋଷଣ କରିଛନ୍ତି । ଡ଼. ମୃତୁ୍ୟଞ୍ଜୟ ରଥ ଓ ସଂହତି ପାଣି କାର୍ଯ୍ୟକ୍ରମ ଉପସ୍ତାପନା କରିଥିବା ବେଳେ ଡ଼. ସଙ୍ଗୀତା ଗୋସାଇଁଙ୍କ ସହ ପର୍ଯ୍ୟଟନ ବିଭାଗର ଅଧିକାରୀ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ପଦାଧିକାରୀ ପରିଚାଳନାରେ ସହାୟତା କରିଥିଲେ ।

Leave A Comment

All fields marked with an asterisk (*) are required