Search for:
  • Home/
  • ରାଜ୍ୟ/
  • ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ଯଥାର୍ଥ : ଶିଳ୍ପୀଶ୍ରୀ ହରିଚନ୍ଦନ

ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ଯଥାର୍ଥ : ଶିଳ୍ପୀଶ୍ରୀ ହରିଚନ୍ଦନ

Spread the love

Loading

ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ଯଥାର୍ଥ :
ଶିଳ୍ପୀଶ୍ରୀ ହରିଚନ୍ଦନ
ଭୁବନେଶ୍ୱର, ୨୨.୬ : ଢେଙ୍କାନାଳ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କୁଶ ପୁଳିକା ଦାହ କରି ନିକଟରେ ଦଳରୁ ବହିଷ୍କୃତ ହୋଇଥିବା ପ୍ରଦେଶ କଂଗ୍ରେସ ସମ୍ପାଦିକା ଶ୍ରୀମତୀ ଶିଳ୍ପୀଶ୍ରୀ ହରିଚନ୍ଦନ କହିଛନ୍ତି ଯେଉଁ ଅସନ୍ତୁଷ୍ଟ କର୍ମୀ ପ୍ରଦେଶ କଂଗ୍ରେସ ସଭାପତିଙ୍କୁ କଂଗ୍ରେସ କାର୍ଯ୍ୟାଳୟରେ କାଳିମାଡ଼ କରିଛନ୍ତି, ସେମାନେ ଦଳର ସଚ୍ଚାକର୍ମୀ ବୋଲି ଗ୍ରହଣ କରିବାକୁ ପଡ଼ିବ । ପିସିିସି ସଭାପତି ଶ୍ରୀ ପଟ୍ଟନାୟକ ଏହି ନିର୍ବାଚନରେ କଂଗ୍ରେସ ଦଳକୁ ବିକ୍ରି କରିଛନ୍ତି । ବିଜେଡ଼ି ଓ ବିଜେପି ନେତୃତ୍ୱଙ୍କ ସହ ଆଲୋଚନା କରି କଂଗ୍ରେସ ଦଳର ବହୁ ଟିକଟ ଦିଆଯାଇଛି । ୮୦ ଜଣ କଂଗ୍ରେସ ବିଧାୟକ ପ୍ରାର୍ଥୀ ଓ ୧୨ଜଣ ସାଂସଦ ପ୍ରାର୍ଥୀଙ୍କୁ ଟଙ୍କାଟିଏ ଦଳୀୟ ପାଣ୍ଠି ଦିଆଗଲାନି । ୧୦୦ରୁ ଉର୍ଦ୍ଧ୍ୱ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୋଲିଂ ଏଜେ ଦେଲେ ନାହିଁ । ଦଳୀୟ ପତାକା, ପ୍ରଚାରପତ୍ର, ଗ୍ୟାରେି କାର୍ଡ, ପୁସିଂ କାର୍ଡ଼, ପ୍ରଚାର ଗାଡ଼ି, ନିର୍ବାଚନୀ ସଭା ବା ରାଲି ୧୦୦ ନିର୍ବାଚନ ମଣ୍ଡଳୀରେ ଦୃଶ୍ୟମାନ ହେଲାନାହିଁ । ଏପରିକି ବିଜେଡ଼ି, ବିଜେପି ବହୁ ନିର୍ବାଚନ ମଣ୍ଡଳୀରେ ଖୁଲାମଖୁଲା ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରୁଥିବା ବେଳେ କଂଗ୍ରେସ ପକ୍ଷରୁ କୌଣସି ଅଭିଯୋଗ ପତ୍ର ନିର୍ବାଚନ ଅଧିକାରୀଙ୍କୁ ଦିଆଗଲା ନାହିଁ । ବିଜେଡ଼ି ବିଜେପିର ତାରକା ପ୍ରଚାରକମାନେ ଘୂରି ବୁଲୁଥିବା ବେଳେ, ପିସିସି ସଭାପତି ଲୁଚିଗଲେ, କାହାକୁ ଦେଖାଦେଲେ ନାହିଁ କି କାହାର ଫୋନ୍ ଉଠାଇଲେ ନାହିଁ । ନିଜେ ନୂଆପଡ଼ାରୁ ନିର୍ବାଚନ ଲଢିଲେ, ହେଲେ ୧୫ ହଜାର ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଲେ ଓ ଅମାନତ ହରାଇଲେ । ୨୦୧୯ରେ ସେଠାରେ କଂଗ୍ରେସର ଘାସିରାମ ମାଝୀ ପ୍ରାର୍ଥୀ ଥିଲେ । ସେ ସ୍ୱାଧୀନ ଭାବେ ଠିଆହୋଇ ୫୦,୯୪୧ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଲେ । ପିସିସି ସଭାପତି ନିଜର ସ୍ୱାର୍ଥ ସାଧନ ପାଇଁ ଦର ଗୋଟିଏ ଗୋଟିଏ ଆସନ ହରାଇଲେ ।
ଶ୍ରୀ ପଟ୍ଟନାୟକ କଂଗ୍ରେସ ଦଳକୁ ତଳିତଳାନ୍ତ କରିବା ପାଇଁ ବହୁ ଷଡ଼ଯନ୍ତ୍ର ରଚନା କଲେ । ମୂଳରୁ ପ୍ରଚାର କଲେ ନିର୍ବାଚନରେ ପାଣ୍ଠିର ଅଭାବ ରହିବ ନାହିଁ । ପ୍ରାର୍ଥୀଙ୍କୁ ଆବଶ୍ୟକ ପାଣ୍ଠି ଯୋଗାଇଦେବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଲେ, ହେଲେ ଟିକେଟ ଦେଲାବେଳକୁ ତାଙ୍କ ଭାବର୍ମୂି ବଦଳିଗଲା । ଟିକେଟ ପାଇଁ ଟଙ୍କା ବାଧ୍ୟତାମୂଳକ ବୋଲି କହିଲେ । ଅଗତ୍ୟା କିଛି ପ୍ରାର୍ଥୀ ଅର୍ଥ ଦେଇ ଟିକେଟ ନେଲେ । ତାଙ୍କ ନାମରେ ସେ ଚଢୁଥିବା ଦାମୀ କାର୍ ବଦଳରେ ଟିକେଟ ଦେବା ଅଭିଯୋଗ ମଧ୍ୟ ରହିଛି । ନିଜର ଦୋଷ ଘୋଡ଼ାଇବା ପାଇଁ ଶ୍ରୀ ପଟ୍ଟନାୟକ ଏବେ ନୂଆ କୌଶଳ ଅବଲମ୍ବନ କରୁଛନ୍ତି । ଯିଏ ଅଭିଯୋଗ କଲା, ତାଙ୍କର ଅନ୍ୟାୟକୁ ବିରୋଧ କଲା, ତାଙ୍କୁ ସଙ୍ଗେ ସଙ୍ଗେ ଦଳରୁ ବହିଷ୍କାର କରାଯାଉଛି ଯାହା ମୋ କ୍ଷେତ୍ରରେ ଏବଂ ଅନ୍ୟମାନଙ୍କ କ୍ଷେତ୍ରରେ ହୋଇଛି ।
ପିସିସି ସଭାପତି ୧୯୯୮ ମସିହାଠାରୁ ୨୦୧୯ ପର୍ଯ୍ୟନ୍ତ କ୍ରମାଗତ ସାଂସଦ ପ୍ରାର୍ଥୀ ଭାବେ ୫ଥର ଠିଆ ହୋଇ ପରାଜିତ ହୋଇଥିଲେ । ପୁଣି ଏବେ ଅମାନତ ହରାଇଲେ । ୯ରୁ ୯୦ ଆହ୍ୱାନ ଦେଇଥିବା ଶ୍ରୀ ପଟ୍ଟନାୟକ ଏବେ କହୁଛନ୍ତି ୯ରୁ ୧୪ କରିଦେଲେ, ମାନେ କଂଗ୍ରେସକୁ ଶକ୍ତିଶାଳୀ କରିଦେଲେ, ଏହା ଏକ ନିର୍ଲଜତା । ନିର୍ବାଚନ ପୂର୍ବରୁ ଏକ ‘ପ୍ରଗମନ’ ନାଟକବାଜି କରାଗଲା । ଆଶାୟୀ ପ୍ରାର୍ଥୀମାନଙ୍କୁ ପୁରୀ ଡକାଯାଇ ଅର୍ଥ ଆଦାୟ ହେଲା । କୁହାଗଲା ଟିକେଟ ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ପାଇଁ ପ୍ରଗମନ ପ୍ରଣୟନ କରାଯାଇଛି । ମାତ୍ର ରାତାରାତି ବହୁ ଟିକେଟ ବଦଳେଇ ଦିଆଗଲା । ଏପରିକି ଦଳ ବାହାରୁ ବହୁ ପ୍ରାର୍ଥୀଙ୍କୁ ଅଣାଯାଇ ବହୁ ଆସନରେ ଟିକେଟ ଦିଆଗଲା । ଏଣୁ ପ୍ରଗମନ ଏକ ପ୍ରହସନ ନଥିଲା କି? କିଛି ପ୍ରାର୍ଥୀ ଟିକେଟ ପାଇ ୧୫ ଦିନ ପ୍ରଚାର କଲାପରେ ବି ତାଙ୍କ ଟିକେଟ କାଟି ଦିଆଯାଇଛି । ଏପରିିକି ପୂର୍ବତନ ଭାରତୀୟ ହକି ଦଳର ଅଧିନାୟକ ପ୍ରବୋଧ ତିର୍କୀଙ୍କୁ ଟିକେଟ ଦିଆଯାଇ ପୁଣି ଟିକେଟ କାଟି ଦିଆଗଲା । ୨୦୨୪ର ସମ୍ପୂର୍ଣ୍ଣ ନିର୍ବାଚନ ସମୟରେ ପିସିସି ସଭାପତି ନିଖୋଜ ହୋଇଗଲେ । ଦଳୀୟ ପ୍ରାର୍ଥୀମାନେ ଫଣ୍ଡ ପାଇଁ ଡହଳ ବିକଳ ହେଲେ, କିନ୍ତୁ ତାଙ୍କ ଦୁଃଖ ଶୁଣିବା ପାଇଁ କେହି ନଥିଲେ । ଏଣୁ ଏହି ନିର୍ବାଚନକୁ ପିସିସି ସଭାପତି ଯେଭଳି ଲଢିଲେ, ସେଥିପାଇଁ ୪୫ଟି ଆସନ ପାଇବାକୁ ସମର୍ଥ ଥିବା କଂଗ୍ରେସ ମାତ୍ର ୧୪ଟି ଆସନରେ ବିଜୟୀ ହେଲା । ତେଣୁ ଦଳ ବିକ୍ରେତା, ଟିକେଟ ବିକ୍ରେତା, କଂଗ୍ରେସ ଲୋକଙ୍କର ବିଶ୍ୱାସଘାତକ ଶରତଙ୍କୁ କାଳି ଫିଙ୍ଗିବା ଯଥାର୍ଥ ବୋଲି ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସମ୍ପାଦିକା ଶିଳ୍ପୀଶ୍ରୀ ଶୁଭଦର୍ଶନୀ ହରିଚନ୍ଦନ ଜଣାଇଛନ୍ତି ।

Leave A Comment

All fields marked with an asterisk (*) are required