୮ଟି ଜିଲ୍ଲାରେ ୧୪ଟି ନୂତନ ସରକାରୀ ସ୍ନାତକ ମହାବିଦ୍ୟାଳୟର ଉଦ୍ଘାଟନ
୮ଟି ଜିଲ୍ଲାରେ ୧୪ଟି ନୂତନ ସରକାରୀ ସ୍ନାତକ ମହାବିଦ୍ୟାଳୟର ଉଦ୍ଘାଟନ
ଉପାନ୍ତ ଅଞ୍ଚଳରେ ନବନିର୍ମିତ ସରକାରୀ ସ୍ନାତକ ମହାବିଦ୍ୟାଳୟ ଆଣିବ ଶିକ୍ଷାକ୍ଷେତ୍ରରେ ବିପ୍ଳବ : ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
ଭୁବନେଶ୍ୱର, (0୯/0୮) : ଆଜି ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ରେ ଆଭାସୀ ମାଧ୍ୟମରେ ୮ଟି ଜିଲ୍ଲାରେ ୧୪ଟି ନୂତନ ସରକାରୀ ସ୍ନାତକ ମହାବିଦ୍ୟାଳୟର ଉଦ୍ଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କାର୍ଯ୍ୟକ୍ରମରେ ମୁଖ୍ୟଅଥିତି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ।
ଆଜିର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ମୟୁରଭଞ୍ଜ ଜିଲ୍ଲାର ତିରିଙ୍ଗ, କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର, ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆ ଓ ନୂଆଗାଁ, କୋରାପୁଟ ଜିଲ୍ଲାର ବନ୍ଧୁଗାଁ ଓ ନାରାୟଣପାଟଣା, ନବରଙ୍ଗପୁର ର ଝରିଗାଁ, କୋସାଗୁମୁଡ଼,ରାଇଘର ଓ ତେନ୍ତୁଳିଖୁଣ୍ଟି, ରାୟଗଡା ଜିଲ୍ଲାର କାଶୀପୁର ଓ ରମଣଗୁଡା, ଗଞ୍ଜାମ ଜିଲ୍ଲାର ଧରାକୋଟ ଓ କନ୍ଧମାଳ ଜିଲ୍ଲାର ଖଜୁରୀପଦା ଆଦି ଅଞ୍ଚଳରେ ନୂତନ ସରକାରୀ ସ୍ନାତକ ମହାବିଦ୍ୟାଳୟର ଉଦ୍ଘାଟନ ହୋଇଛି।
ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜ ଅଭିଭାଷଣରେ କହିଥିଲେ ଯେ, ଶିକ୍ଷା ହିଁ କେବେଳ ସେହି ମାଧ୍ୟମ ଯାହାଦ୍ୱାରା ଯୁବବର୍ଗ ମାନେ ନିଜକୁ ସଶକ୍ତ କରିବା ସହ ସମାଜରେ ପରିବର୍ତ୍ତନ ଆଣିପାରିବେ। ଉପାନ୍ତ ଅଞ୍ଚଳରେ ନବ ନିର୍ମିତ ଏହି ୧୪ଟି ସରକାରୀ ସ୍ନାତକ ମହାବିଦ୍ୟାଳୟ ଶିକ୍ଷାକ୍ଷେତ୍ରରେ ନିଶ୍ଚିତ ରୂପେ ବିପ୍ଳବ ଆଣିବ। ଏଥି ସହିତ ଛାତ୍ରଛାତ୍ରୀ ମାନଙ୍କର ଉଚ୍ଚଶିକ୍ଷା ପ୍ରତି ଆଗ୍ରହ ବଢିବା ସହିତ ଡ୍ରପ୍ଆଉଟ୍ ପ୍ରତିଶତ ହ୍ରାସ ପାଇବ। ମନ୍ତ୍ରୀ ଶ୍ରୀ ସୂରଜ ଆଜିର ଉଦ୍ଘାଟନ ସମାରୋହରେ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିବା ନବନିର୍ମିତ ସ୍ନାତକ ମହାବିଦ୍ୟାଳୟର ଅଧ୍ଯକ୍ଷ, ଛାତ୍ରଛାତ୍ରୀ, ସରକାରୀ ଅଧିକାରୀ ଓ ଜନପ୍ରତିନିଧି ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ କହିଥିଲେ ଯେ, ୮ଟି ଜିଲ୍ଲାର ୧୪ଟି ବ୍ଲକରେ ସ୍ନାତକ ମହାବିଦ୍ୟାଳୟର ସ୍ଥାପନ ଫଳରେ ଶିକ୍ଷା ଆଜି ଓଡ଼ିଶାର ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଛାତ୍ରଛାତ୍ରୀମାନଙ୍କ ନିକଟରେ ପହଂଚି ପାରିଛି। ଏହିସହିତ ସେ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନେ କଠିନ ପରିଶ୍ରମ କରି ଏକ ସୁନ୍ଦର ଭବିଷ୍ୟତ ନିର୍ମାଣ କରନ୍ତୁ ବୋଲି ଉପଦେଶ ଦେଇଥିଲେ।
କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ମାନ୍ୟବର ବିଧାୟକ, ବଣାଇ ଶ୍ରୀ ଲଷ୍ମଣ ମୁଣ୍ଡା ଓ ମାନ୍ୟବର ବିଧାୟକ, ଲଷ୍ମୀପୁର ଶ୍ରୀ ପବିତ୍ର ସାଉଁଟା ଯୋଗଦାନ କରି ମହାବିଦ୍ୟାଳୟ ଉଦ୍ଘାଟନ ସମାରୋହ ଅବସରରେ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏଥି ସହିତ ସରକାରଙ୍କ ଏହି ପଦକ୍ଷେପ ଶିକ୍ଷାକ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମତ ପ୍ରକାଶ କରିଥିଲେ । ଏଥି ସହିତ ମହାବିଦ୍ୟାଳୟରେ ନବନିଯୁକ୍ତ ଅଧ୍ୟକ୍ଷ ଓ ନୂତନ ଭାବେ ଯୋଗଦେଇଥିବା ଛାତ୍ରଛାତ୍ରୀ ମାନେ ନିଜର ଅନୁଭୂତି ଜଣାଇବା ସହ ଉଚ୍ଚଶିକ୍ଷା ବିଭାଗ ର କର୍ତ୍ତୃପକ୍ଷ ଙ୍କୁ ଧନ୍ୟବାଦ ଜଣାଇଥିଲେ।
କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ, ଆଭାସୀ ମାଧ୍ୟମରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଉପସ୍ଥିତ ଥିଲେ। ଉଚ୍ଚଶିକ୍ଷା ବିଭାଗର ଯୁଗ୍ମସଚିବ ଶ୍ରୀମତୀ ସ୍ନିଗ୍ଧା ଚମ୍ପତରାୟ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।