Search for:
  • Home/
  • ରାଜ୍ୟ/
  • ମହିଳାଙ୍କୁ ୨ ବର୍ଷରେ ୫୦ ହଜାର ଟଙ୍କା ଦିଆଯିବବୋଲି କୁହାଯାଇଥିଲା ଏବେ ଅଲଗା କଥା :ଜନତା

ମହିଳାଙ୍କୁ ୨ ବର୍ଷରେ ୫୦ ହଜାର ଟଙ୍କା ଦିଆଯିବବୋଲି କୁହାଯାଇଥିଲା ଏବେ ଅଲଗା କଥା :ଜନତା

Spread the love

Loading

୫ ବର୍ଷରେ ମିଳିବ ୫୦ ହଜାର
‘ସୁଭଦ୍ରା’ ଯୋଜନାର ରୂପରେଖ ଘୋଷଣା

ଭୁବନେଶ୍ୱର:ରାଜ୍ୟ ବିଜେପି ସରକାରଙ୍କ ବହୁ ଆଲୋଚିତ “ସୁଭଦ୍ରା” ଯୋଜନାର ରୂପରେଖ(ଏସଓପି) ଚୂଡ଼ାନ୍ତ ହୋଇଛି । ରାଜ୍ୟ କ୍ୟାବିନେଟ୍ ରେ ଅନୁମୋଦିତ ଏହି ଯୋଜନାକୁ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି । ଏହି ଯୋଜନାରେ ୨୧ ବର୍ଷରୁ ୬୦ ବର୍ଷ ବୟସର ମହିଳାଙ୍କୁ ଦୁଇଟି ପର୍ଯ୍ୟାୟରେ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ମିଳିବ । ରାଜ୍ୟର ୧ କୋଟିରୁ ଅଧିକ ମହିଳା ଏଥିରେ ଉପକୃତ ହେବେ । ୨୦୨୪-୨୫ରୁ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୫ ବର୍ଷ ଏହି ଯୋଜନା କାର୍ଯ୍ୟକାରୀ ହେବ । ଏଥିପାଇଁ ରାଜ୍ୟ ସରକାର ୫୫ ହଜାର ୮୨୫ କୋଟି ଟଙ୍କାର ବଜେଟ୍ ଧାର୍ଯ୍ୟ କରିଛନ୍ତି ।
ସମସ୍ତ ହିତାଧିକାରୀଙ୍କୁ ପ୍ରତିବର୍ଷ ରାଖୀ ପୂର୍ଣ୍ଣିମା ଏବଂ ଅନ୍ତର୍ଜାତୀୟ ମହିଳା ଦିବସ(ମାର୍ଚ୍ଚ ୮) ରେ ୫ ହଜାର ଟଙ୍କା ଲେଖାଏଁ ଏହିଭଳି ବର୍ଷକୁ ମୋଟ ୧୦ ହଜାର ଟଙ୍କା ପ୍ରଦାନ କରାଯିବ । ଏହିଭଳି ଭାବେ ୫ ବର୍ଷରେ ଜଣେ ଯୋଗ୍ୟ ମହିଳା ହିତାଧିକାରୀ ମୋଟ ୫୦ ହଜାର ଟଙ୍କା ପାଇବେ । ଆଧାର ପେମେଣ୍ଟ ବ୍ରିଜ୍ ସିଷ୍ଟମ(APBS) ମାଧ୍ୟମରେ ଯୋଗ୍ୟ ହିତାଧିକାରୀମାନଙ୍କ ଆଧାର-ସକ୍ଷମ ଏକକ-ଧାରକ(DBT) ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଆର୍ଥିକ ସହାୟତା ପଠାଯିବା ସଙ୍ଗେ ସଙ୍ଗେ ହିତାଧିକାରୀମାନଙ୍କୁ ଏକ ‘ସୁଭଦ୍ରା’ ଡେବିଟ୍ କାର୍ଡ ମଧ୍ୟ ପ୍ରଦାନ କରାଯିବ ।
ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥାରେ ସର୍ବାଧିକ ପରିମାଣର ଡିଜିଟାଲ୍ କାରବାର କରିଥିବା ୧୦୦ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଅତିରିକ୍ତ ୫୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ।
ଯୋଜନାରେ କେଉଁମାନେ ସାମିଲ ହେବେ ନାହିଁ
ଆର୍ଥିକ ସ୍ୱଚ୍ଛଳ ବର୍ଗର ମହିଳା, ସରକାରୀ ଚାକିରୀ କରୁଥିବା ମହିଳା ଓ ଆୟକର ପ୍ରଦାନ କରୁଥିବା ମହିଳାମାନେ ଏହି ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ । ଏହାଛଡ଼ା କୌଣସି ସରକାରୀ ଯୋଜନାରେ ମାସିକ ୧୫୦୦ ଟଙ୍କା କିମ୍ବା ତତୁଦ୍ଧ୍ୱର୍ ଅଥବା ବାର୍ଷିକ ୧୮ ହଜାର ଟଙ୍କା କିମ୍ବା ତତୁଦ୍ଧ୍ୱର୍ ସହାୟତା ରାଶି ପାଉଥିବା ମହିଳାମାନେ ଯୋଜନାରେ ସାମିଲ ହୋଇପାରିବେ ନାହିଁ ।
କେମିତି ଆବେଦନ କରିବେ
ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ମହିଳାମାନେ ଅଙ୍ଗନୱାଡ଼ି କେନ୍ଦ୍ର, ବ୍ଲକ୍ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ର ଇତ୍ୟାଦିରେ ମାଗଣାରେ ଉପଲବ୍ଧ ଫର୍ମ ପୂରଣ କରି ଆବେଦନ କରିପାରିବେ । ‘ସୁଭଦ୍ରା’ ପାଇଁ ଏକ କଲ୍ ସେଣ୍ଟର ମଧ୍ୟ କାର୍ଯ୍ୟକ୍ଷମ ହେବ ।
ଏହାର କାର୍ଯ୍ୟକାରିତା ଏବଂ ତଦାରଖ ପାଇଁ ମହିଳା ଏବଂ ଶିଶୁ ବିକାଶ ବିଭାଗ ଏବଂ ‘ସୁଭଦ୍ରା’ ସମିତି (ସୋସାଇଟ) ଗଠନ କରିବ ।
‘ସୁଭଦ୍ରା’ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଓ ରୂପାୟନ ପାଇଁ ଏବଂ ଏହି ଯୋଜନାରୁ ଯେପରି କୌଣସି ଯୋଗ୍ୟ ମହିଳା ବଞ୍ଚିତ ନ ହୁଅନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀ ବିଧାୟକମାନଙ୍କର ସହଯୋଗ ଲୋଡ଼ିଛନ୍ତି ।
ସୂଚନାଯୋଗ୍ୟ, ସୁଭଦ୍ରା ଯୋଜନା ଥିଲା ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ବା ମୋଦୀ ଗ୍ୟାରେଣ୍ଟି । ଏଥିରେ ମହିଳାଙ୍କୁ ୨ ବର୍ଷରେ ୫୦ ହଜାର ଟଙ୍କା ଦେବ  ବୋଲି କୁହାଯାଇଥିଲା ।

Leave A Comment

All fields marked with an asterisk (*) are required