ଆଇସିସି ପକ୍ଷରୁ “ବିକଶିତ ଓଡିଶା ୨୦୩୬ ପରିକଳ୍ପନା “ଉପରେ ଜାତୀୟ ସମ୍ମିଳନୀ
ଆଇସିସି ପକ୍ଷରୁ “ବିକଶିତ ଓଡିଶା ୨୦୩୬ ପରିକଳ୍ପନା “ଉପରେ ଜାତୀୟ ସମ୍ମିଳନୀ
୨୦୩୬ ବିକାଶରେ ୨୦୨୯ ପ୍ରମୁଖ ଭୂମିକା ନେବ- ଆଇନମନ୍ତ୍ରୀ
ଭୁବନେଶ୍ବର- ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ(ଆଇସିସି) ପକ୍ଷରୁ ” ବିକଶିତ ଓଡିଶା ୨୦୩୬ ପରିକଳ୍ପନା ” ବିଷୟ ବସ୍ତୁ ଉପରେ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆଇସିସି ଅଧ୍ୟକ୍ଷ ରାଜୀବ ସାହୁ ଅଧ୍ୟକ୍ଷତା କରି କହିଥିଲେ ଯେ ବିକଶିତ ଓଡିଶା ଗଠନ ପାଇଁ ଆଇସିସି ବଦ୍ଧ ପରିକର। ଓଡିଶା ସରକାରଙ୍କ ସହାୟତାରେ ୨୦୩୬ ସୁଦ୍ଧା ବିକଶିତ ଓଡିଶା ଓ ୨୦୪୭ ସୁଦ୍ଧା ଓଡିଶାର ଅର୍ଥନୀତିକୁ ୧.୫ ଟ୍ରିଲିୟନରେ ପହଞ୍ଚାଇବାରେ ଆଇସିସି ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହା ସହ ଭାରତର ଅର୍ଥନୈତିକ ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ସାହୁ କହିଥିଲେ।
ମୁଖ୍ୟଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
ଯୋଗଦେଇ କହିଲେ ୨୦୩୬ ସୁଦ୍ଧା ଓଡିଶାର ସର୍ବାଙ୍ଗ ବିକାଶ ହେବ, ଏଥିରେ ଦ୍ବିମତ ନାହିଁ। ଇନଫ୍ରାଷ୍ଟକର୍ଚର, ଶିଳ୍ପ, କୃଷି ପରି ସବୁ ଦିଗରେ ସଫଳତା ପାଇବାକୁ ଯେଉଁ ପକ୍ରିୟା ଅଛି ତାହା ଆମେ ଆରମ୍ଭ କରିସାରିଛୁ। ଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟଠୁ ଆରମ୍ଭ କରି ଉଚ୍ଚ ଶିକ୍ଷା ଓ ବୈଷୟିକ ଶିକ୍ଷାରେ କିପରି ଉତ୍କର୍ଷତା ଆସିବ ତାହା ଉପରେ ଆମେ ଯୋଜନା ପ୍ରସ୍ତୁତ କରୁଛୁ। ଆମ ପାଖରେ ଲକ୍ଷ୍ୟ ସ୍ଥିର ଅଛି। ୨୦୩୬ ସୁଦ୍ଧା ପଏଣ୍ଟ ୫ ଟ୍ରିଲିୟନ ୟୁଏସଡି ଅର୍ଥନୀତି ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ସବୁ ବିକାଶ ପାଇଁ ୨୦୨୯ ମସିହା ଏକ ପ୍ରମୁଖ ଭୂମିକା ନେବ। ଯେଉଁ ମୂଳଦୁଆ ଆବଶ୍ୟକ ସେ କ୍ଷେତ୍ରରେ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିବେ। ସର୍ବୋପରି ଗୋଟିଏ ମଞ୍ଚରେ ବ୍ୟାଙ୍କିଙ୍ଗ୍ ସେବାର ସମସ୍ତ ଅଧିକାରୀଙ୍କୁ ଏକତ୍ରିତ କରି ଓଡିଶା ବିକାଶର ଯେଉଁ ଭିତ୍ତିଭୂମି ସ୍ଥାପନ କରିଛନ୍ତି ଆଇସିସିକୁ ଧନ୍ୟବାଦ ଦେଉଛି। ଭୁବନେଶ୍ବର ସହ ଓଡିଶାର ପ୍ରମୁଖ ୧୧ଟି ସହରରେ ରିଙ୍ଗ୍ ରୋଡ୍ ସ୍ଥାପନ କରି ବିକାଶକୁ ଦୃତତମ କରିବାକୁ ଆମର ପ୍ରଚେଷ୍ଟା ଜାରି ରହିଛି।
ବିଶିଷ୍ଟ ଅତିଥି ସାଂସଦ ଭର୍ତ୍ତୃହରି ମହତାବ କହିଥିଲେ ଯେ ଓଡିଶା ସରକାର ବହୁତ କିଛି ବିକାଶ କରୁଛନ୍ତି। କଟକ ଚାରବାଟିଆ ଏୟାରବେସ୍ କିଭଳି ଏକ କାର୍ଗୋ ଡମ୍ପିଂ ହୋଇପାରିବ ତାହା ଉପରେ ସେ ପରାମର୍ଶ ଦେଇଥିଲେ। ଏହା ସହ ଓଡିଶାରେ ଅନେକ ଜିନିଷ ଲୁକ୍କାୟିତ ଅଛି। ତାକୁ ଆମେ ଟ୍ୟାକ୍ସ ଫୋର୍ସ ଗଠନ କରି କିଭଳି ଆଗକୁ ଆଣିପାରିବା ତାହା ଉପରେ ସେ ମତ ରଖିଥିଲେ।
ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ସଚିବ ନାଗରାଜୁ ମାଦିରାଲା କହିଥିଲେ ଯେ ଓଡିଶାର ଅର୍ଥନୀତି ଉକୃଷ୍ଟ। ନୀତି ଆୟୋଗର ତଥ୍ୟ ଅନୁସାରେ ଓଡିଶା ବିକାଶ କରୁଛି। ଓଡିଶାରେ ବିକାଶର ସମ୍ଭାବନା ଅଛି। ଓଡିଶାରେ ମାତ୍ର ବ୍ୟାଙ୍କିଙ୍ଗ୍ ସେବାରେ ଅଗ୍ରଗତି ଆବଶ୍ୟକ। ଆଇସିସି ତରଫରୁ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ବିଭିନ୍ନ ବ୍ୟାଙ୍କିଙ୍ଗ୍ ସେବାର ମୁଖ୍ୟ ଯୋଗ ଦେବା ଦ୍ବାରା ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଅଧିକ ଅଗ୍ରଗତି ଆସିପାରିବ ବୋଲି ସେ କହିଥିଲେ।
ଉନ୍ନୟନ କମିସନର ଅନୁ ଗର୍ଗ କହିଥିଲେ ଆସନ୍ତା ୫ ବର୍ଷ ମଧ୍ୟରେ ଜଳ ସେଚନ କ୍ଷେତ୍ରରେ ୧୫ ଲକ୍ଷ ହେକ୍ଟର ବଢାଇବାକୁ ଯୋଜନା ରଖାଯାଇଛି। ୩୦ ଲକ୍ଷ ପର୍ଯ୍ୟଟକ ସଂଖ୍ୟା ବଢାଇବାକୁ ଆଗ୍ରହ ରହିଛି। ଅର୍ବନାଇଜେସନ ଡେଭଲେପମେଣ୍ଟ ବା ଉନ୍ନତି ପାଇଁ ବିଭିନ୍ନ ଜିଲ୍ଲାଗୁଡିକୁ ନେଇ କ୍ଳଷ୍ଟର ପ୍ରସ୍ତୁତ ହେବା ନେଇ ଲକ୍ଷ୍ୟ ରଖାଯାଇଛି। ଏହା ପାଇଁ ପୁରା ଓଡ଼ିଶାରେ ବିଭିନ୍ନ ପ୍ରୋଜେକ୍ଟ କରାଯାଉଛି। ବିକଶିତ ଓଡିଶା ପାଇଁ ଏହା ୪ଟି ବିନ୍ଦୁକୁ ଗୁରୁତ୍ୱ ଦିଆଯାଇଛି। ପ୍ରସପରିଟି ବା ରାଜ୍ୟର ସମୃଦ୍ଧି, ସ୍ୱାସ୍ଥ୍ୟ ଏବଂ ଅର୍ଥନୀତି ଅର୍ଥାତ ସାମଗ୍ରିକ ବିକାଶର ଲକ୍ଷ୍ୟ। କେବଳ ସମୃଦ୍ଧି ଗୋଟିଏ ଜିଲ୍ଲା ବା ସହରରେ ନୁହେଁ ପୁରା ରାଜ୍ୟରେ ବିକାଶ ନିରନ୍ତର ଭାବେ ହେବ।
ଶିଳ୍ପ ଓ ଏମଏସଏମଇ ବିଭାଗର ଅତିରିକ୍ତ ଶାସନ ସଚିବ ହେମନ୍ତ ଶର୍ମା କହିଥିଲେ ଯେ ଓଡିଶାର ଅର୍ଥନୀତି ୨୦ ପ୍ରତିଶତ କୃଷି, ୪୦ ପ୍ରତିଶତ ଶିଳ୍ପ ଓ ୪୦ ପ୍ରତିଶତ ସେବା କ୍ଷେତ୍ରକୁ ନେଇ ଚାଲେ। ଯଦି ୨୦୩୬ ବିକଶିତ ଓଡିଶା ସ୍ବପ୍ନ ସାକାର କରିବାକୁ ହେଲେ କୃଷି କ୍ଷେତ୍ର ସହ ସେବା କ୍ଷେତ୍ର ଓ ଶିଳ୍ପରେ ଅଭିବୃଦ୍ଧି ଆବଶ୍ୟକ। ଓଡିଶାରେ ମିନେରାଲ ବେସ୍ କାର୍ଯ୍ୟାନ୍ବୟନ ହେବା ଆବଶ୍ୟକ। ଏହାଦ୍ବାରା ଅଧିକ ନିଯୁକ୍ତି ମିଳିବା ସହ ଅର୍ଥନୀତିରେ ଅଭିବୃଦ୍ଧି ଘଟିବ।
ଶକ୍ତି ,ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତିବିଦ୍ୟାର ପ୍ରମୁଖ ସଚିବ ବିଶାଲ ଦେବ କହିଥିଲେ ଯେ ଓଡିଶା ବର୍ତ୍ତମାନ ସବୁ କ୍ଷେତ୍ରରେ ଦୃତ ଅଗ୍ରଗତି କରୁଛି। ଆଗାମୀ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓ ବିକଶିତ ଓଡିଶା ଗଠନ ହୋଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ। ଶେଷରେ ଆଇସିସି ଉପାଧ୍ୟକ୍ଷ ନୀଳାଞ୍ଜନା ମୁଖାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଦେଶର ବିଭିନ୍ନ ପ୍ରମୁଖ ବ୍ୟାଙ୍କର ମୁଖ୍ୟ ଓ ବିଭିନ୍ନ ଶିଳ୍ପର ମୁଖ୍ୟମାନେ ଯୋଗଦେଇ ନିଜର ମତବ୍ୟକ୍ତ କରିଥିଲେ । ଓଡିଶା ଆଇସିସି ଆଞ୍ଚଳିକ ମୁଖ୍ୟ ଜେପି ପାଲ ଓ ଆଇସିସିର ଅନ୍ୟ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ।