ପଳାଶୁଣିରେ ଗଙ୍ଗୁଆ ନାଳ ଉପରେ ହେବ ୬ ଲେନ୍ ରାସ୍ତା ୫୦ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ରମନ୍ତ୍ରୀ ଗଡକରୀ
ରାଜଧାନୀରୁ ଟ୍ରାଫିକ ସମସ୍ୟା ଦୂର ପାଇଁ ଭୁବନେଶ୍ବରର ସାଂସଦଙ୍କ ଉଦ୍ୟମ
ପଳାଶୁଣିରେ ଗଙ୍ଗୁଆ ନାଳ ଉପରେ ହେବ ୬ ଲେନ୍ ରାସ୍ତା
୫୦ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ରମନ୍ତ୍ରୀ ଗଡକରୀ
ଭୁବନେଶ୍ୱର:ଦୂର ଦେବାକୁ ଯାଉଛି ଭୁବନେଶ୍ବର ପଳାଶୁଣିରେ ଦୀର୍ଘ ବର୍ଷର ଟ୍ରାଫିକ୍ ସମସ୍ୟା । ଗଙ୍ଗୁଆ ନାଳ ଉପରେ ୬ ଲେନ୍ ବିଶିଷ୍ଟ ରାସ୍ତା ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ଦିଲ୍ଲୀ ଗସ୍ତରେ ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ପଳାଶୁଣି ଗଙ୍ଗୁଆ ନାଳ ଉପରେ ଥିବା ବ୍ରିଜର ପ୍ରଶସ୍ତିକରଣ ତଥା ପଳାଶୁଣିରେ ଟ୍ରାଫିକ୍ ସମସ୍ୟାର ଦୂରିକରଣ ନେଇ ୬ ଲେନ୍ ବିଶିଷ୍ଟ ରାସ୍ତା ପ୍ରକଳ୍ପକୁ ମୋହର ବାଜିଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ସାଂସଦ ।
ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ପ୍ରମୁଖ ପ୍ରବେଶ ଦ୍ବାର ହେଉଛି ପଳାଶୁଣି ଓ ରସୁଲଗଡ଼ । କଟକରୁ ଭୁବନେଶ୍ବରକୁ ସଂଯୋଗର ପ୍ରମୁଖ ପ୍ରବେଶ ମଧ୍ୟ ପଳାଶୁଣି । ପ୍ରତ୍ୟକ ଦିନ ଏହି ରାସ୍ତାରେ ସକାଳେ ଓ ସନ୍ଧ୍ୟାରେ ପ୍ରବଳ ଟ୍ରାଫିକ୍ ସମସ୍ୟାର ସାମ୍ନା କରିଥାନ୍ତି ରାଜଧାନୀବାସୀ । ଏହାର ଦୂର କରିବାକୁ ବିଭିନ୍ନ ସମୟରେ ଶତାଧିକ ଲୋକଙ୍କ ପକ୍ଷରୁ ରାସ୍ତା ପ୍ରଶସ୍ତିକରଣ ତଥା ଗଙ୍ଗୁଆ ନାଳ ଉପର ବ୍ରିଜର ପ୍ରଶସ୍ତିକରଣ ନେଇ ଦାବି ହୋଇ ଆସୁଥିଲା । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହି ପ୍ରକଳ୍ପ ପାଇଁ ୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଭୁବନେଶ୍ବର ସାଂସଦଙ୍କ ପ୍ରସ୍ତାବ ଅନୁସାରେ ପଳାଶୁଣିରେ ଥିବା ୪ ଥାକିଆ ରାସ୍ତାକୁ ୬ ଥାକିଆ କରାଯିବ । ବର୍ତ୍ତମାନ ଗଙ୍ଗୁଆ ନାଳ ଉପରେ ୪ ଥାକିଆ ପୋଲ ରାସ୍ତା ରହିଛି । ଏହା ଦେଇ ଯାଇଥିବା ଏନଏଚ ୧୬ର ଟ୍ରାଫିକ୍ ସମସ୍ୟାକୁ ଏହା ଦୂର କରିପାରୁନି । ତେଣୁ ଭୁବନେଶ୍ବର ସାଂସଦଙ୍କ ଅନ୍ୟତମ ଡ୍ରିମ୍ ପ୍ରୋଜେକ୍ଟ ଭାବରେ ଏଠାରେ ଏକ ୬ ଥାକିଆ ଲେନ୍ ବିଶିଷ୍ଟ ରାସ୍ତା କରାଯିବ । ୪ ଥାକିଆ ରାସ୍ତାରେ ଉଭୟ ବାମ ଓ ଦକ୍ଷିଣ ପାର୍ଶ୍ବରେ ଆଉ ଗୋଟିଏ ଲେଖାଏ ଲେନ୍ ରାସ୍ତା ବାହାର କରାଯିବ । ୨୪୦ ମିଟର ଲମ୍ବ ବିଶିଷ୍ଟ ପୋଲ ଉପରେ ଆଉ ଦୁଇଟି ଅତିରିକ୍ତ ଲେନ୍ ପୋଲ ରାସ୍ତା ନିର୍ମାଣ କରାଯିବା ନେଇ ଭୁବନେଶ୍ବର ସାଂସଦ ସୂଚନା ଦେଇଛନ୍ତି । ଏହି ପ୍ରକଳ୍ପକୁ ମଞ୍ଜୁରି ଦେଇଥିବାରୁ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ଭୁବନେଶ୍ବର ସାଂସଦ ।
ଏହି ଅବସରରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀଙ୍କ ସହିତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା ହୋଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଗତମାସରେ ପଳାଶୁଣିରେ ଭୁବନେଶ୍ବର ସାଂସଦଙ୍କ ଉଦ୍ୟମରେ ଏକ ଫୁଟ୍ ଓଭର ବ୍ରିଜର ମଧ୍ୟ ଲୋକାର୍ପଣ ହୋଇଥିଲା । ଯାହାକି ସ୍ଥାନୀୟ ଲୋକଙ୍କର ଦୀର୍ଘ ବର୍ଷର ଦାବି ରହିଥିଲା । ଏବେ ପଳାଶୁଣିରେ ୪ ଲେନ୍ ରାସ୍ତାକୁ ୬ ଲେନ୍ ବିଶିଷ୍ଟକୁ ପ୍ରଶସ୍ତିକରଣ କରାଗଲେ, ବାସ୍ତବରେ ପଳାଶୁଣିରେ ବହୁ ମାତ୍ରାରେ ଟ୍ରାଫିକ୍ ଜାମରୁ ନିସ୍ତାର ମିଳିବ ବୋଲି ଆଶା କରାଯାଉଛି ।