Search for:
  • Home/
  • ରାଜ୍ୟ/
  • ସମ୍ବାଦ ଅଫିସରେ ଇଓଡବ୍ଲୁର ଛାନଭିନ୍।

ସମ୍ବାଦ ଅଫିସରେ ଇଓଡବ୍ଲୁର ଛାନଭିନ୍।

Spread the love

Loading

‘ସମ୍ବାଦ’ ଋଣ ଜାଲିଆତି: ଅଭିଯୋଗ ସଂଖ୍ୟା ୨୦ରେ ପହଞ୍ଚିଲା
ସମ୍ବାଦ ଅଫିସରେ ଇଓଡବ୍ଲୁର ଛାନଭିନ୍

ଭୁବନେଶ୍ୱର: ‘ସମ୍ବାଦ’ କର୍ମଚାରୀଙ୍କ ନାଁରେ ବଳପୂର୍ବକ ବ୍ୟାଙ୍କ ଋଣ ମାମଲାରେ ଆଜି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ର ଏକ ୧୨ ଜଣିଆ ଟିମ୍ ସମ୍ବାଦ ଅଫିସ୍ ରେ ଛାନଭିନ୍ କରିଥିଲେ । ପ୍ରାୟ ୭ ଘଣ୍ଟାର ଛାନଭିନ୍ ବେଳେ ଏ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସେମାନଙ୍କ ହାତରେ ଲାଗିଛି । ସେଗୁଡ଼ିକୁ ଜବତ କରାଯାଇଛି । ଇତିମଧ୍ୟରେ ସମ୍ବାଦ ଋଣ ଜାଲିଆତି ନେଇ ଅଭିଯୋଗ ସଂଖ୍ୟା ୧ ରୁ ବଢ଼ି ୨୦ ରେ ପହଞ୍ଚିଲାଣି । ଇଓଡବ୍ଲୁ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ରେ ଏହି ସୂଚନା ଦିଆଯାଇଛି ।
ସମ୍ବାଦର ଜଣେ ପୂର୍ବତନ କର୍ମଚାରୀ ଅସୀମ ମହାପାତ୍ରଙ୍କ ଅଭିଯୋଗ ଆଧାରରେ ଏହି ମାମଲା ହୋଇଛି । ତାଙ୍କର ଅଭିଯୋଗ ହେଉଛି, ତାଙ୍କ ନାଁରେ ସମ୍ବାଦ ବଳପୂର୍ବକ ୫ ଲକ୍ଷ ଲୋନ୍ ଉଠାଇଛି । ଜାଲ୍ କାଗଜପତ୍ରରେ ଦସ୍ତଖତ କରାଇ ଏହି ଲୋନ୍ ଉଠାଯାଇଛି । କେବଳ ସେ ନୁହଁନ୍ତି, ୩୦୦ ରୁ ଅଧିକ କର୍ମଚାରୀଙ୍କ ନାଁରେ ୫୦ କୋଟିରୁ ଅଧିକ ଟଙ୍କା ଋଣ ଉଠାଯାଇଛି ।ଏହି ବେଆଇନ ଋଣ କାରବାରର ମୁଖ୍ୟ କାର୍ପଟଦାର ଭାବେ ସେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଏବଂ ମାନବ ସମ୍ବଳ ବିଭାଗର ମୁଖ୍ୟ ବୈଜୟନ୍ତୀ କରଙ୍କୁ ଅଭିଯୁକ୍ତ ଦର୍ଶାଇଛନ୍ତି । ଗତ ୧୬ ତାରିଖରେ ଇଓଡବ୍ଲୁରେ ଏହି ଅଭିଯୋଗ କରିଥିଲେ ଅସୀମ ମହାପାତ୍ର । ତାଙ୍କ ଅଭିଯୋଗ ଆଧାରରେ ସୌମ୍ୟ ପଟ୍ଟନାୟକ ଓ ବୈଜୟନ୍ତୀ କରଙ୍କ ବିରୋଧରେ ଆଇପିସି ଧାରା ୫୦୬, ୪୬୭, ୪୬୮, ୪୭୧, ୪୨୦, ୧୨୦(ବି)ରେ ମାମଲା ରୁଜୁ ହୋଇଛି । ଏହି ମାମଲାର ତଦନ୍ତସ୍ୱରୂପ ଇଓଡବ୍ଲୁ ଟିମ୍ ଆଜି ସମ୍ବାଦ ଅଫିସ୍ ରେ ଚଢ଼ଉ କରିଥିଲେ ।ଖାଲି ଶ୍ରୀ ମହାପାତ୍ର ନୁହଁନ୍ତି ଇତିମଧ୍ୟରେ ଆଉ ୧୫ ରୁ ୨୦ ଜଣ ପୂର୍ବତନ କର୍ମଚାରୀ ସମାନ ଅଭିଯୋଗ ଆଣିଛନ୍ତି । ମୁକ୍ତ ଓ ନିରପେକ୍ଷ ଭାବେ ବିଶେଷଜ୍ଞ ଟିମ୍ ଦ୍ୱାରା ମାମଲାର ତଦନ୍ତ କରାଯାଉଛି ବୋଲି ଇଓଡବ୍ଲୁ ପ୍ରେସ୍ ରିଲିଜ୍ ରେ କୁହାଯାଇଛି ।
ସୂଚନାଥାଉକି, ଏହି ମାମଲାରେ ସମ୍ବାଦର ସିଇଓ କମଳାକାନ୍ତ ମହାପାତ୍ରଙ୍କୁ ଆଜି ଦ୍ୱିତୀୟ ଦିନରେ ଜେରା କରାଯାଇଥିଲା । ଗତକାଲି ଭଳି ଆଜି ମଧ୍ୟ ତାଙ୍କୁ ଇଓଡବ୍ଲୁ ଅଫିସରେ ପ୍ରାୟ ୩ ଘଣ୍ଟା କାଳ ଜେରା କରାଯାଇଥିଲା ।
ତେବେ ଏହି ଅଭିଯୋଗ ସଂକ୍ରାନ୍ତରେ ସମ୍ବାଦ କର୍ତ୍ତୃପକ୍ଷ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି । ଆଜି ଚଢ଼ଉ ବେଳେ ସମ୍ପାଦକ ଶ୍ରୀ ପଟ୍ଟନାୟକ ଅଫିସରେ ଉପସ୍ଥିତ ଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।ଅନ୍ୟପକ୍ଷରେ କନକ ଟିଭି ଚାନେଲରେ ପ୍ରସାରିତ ଏକ ଖବର ଉପରେ ଇଓଡବ୍ଲୁ ସ୍ପଷ୍ଟୀକରଣ ଦେଇଛି । ସମ୍ବାଦ ଅଫିସରେ ଆଜିର ଚଢ଼ଉ ବେଳେ ଇଓଡବ୍ଲୁ ଅଧିକାରୀମାନେ ଚାପରେ ଅଛନ୍ତି ବୋଲି କହୁଥିବାର ଖବର ସେହି ଚାନେଲରେ ପ୍ରସାରଣ କରିଥିଲା । ମାତ୍ର ଏହା ମିଛ ବୋଲି ଇଓଡବ୍ଲୁ ପ୍ରେସ୍ ରିଲିଜ୍ ରେ ସ୍ପଷ୍ଟୀକରଣ ଦିଆଯାଇଛି । ଇଓଡବ୍ଲୁ ଅଧିକାରୀମାନେ ବରଂ ଚାପ କିଛି ନାହିଁ ବୋଲି କହିଥିବା ସେଥିରେ କୁହାଯାଇଛି ।

Leave A Comment

All fields marked with an asterisk (*) are required