Search for:
  • Home/
  • Bda/
  • ଗୋଟେ ଗୋଡ଼ରେ ପରିବାରର ବୋଝ ଦୁଖୀ ଙ୍କ ଦୁଃଖ କିଏ।

ଗୋଟେ ଗୋଡ଼ରେ ପରିବାରର ବୋଝ ଦୁଖୀ ଙ୍କ ଦୁଃଖ କିଏ।

Spread the love

Loading

ଗୋଟେ ଗୋଡ଼ରେ ସମ୍ଭାଳିଛନ୍ତି ପରିବାରର ବୋଝ, ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି ୫୫ ବର୍ଷୀୟ ରୋହିତ

ଭୁବନେଶ୍ୱର:(ଜନସ୍ୱାର )ସମସ୍ତଙ୍କ ପରି ସେ ସାଧାରଣ ଜୀବନଯାପନ କରିପାରନ୍ତିନି, ତଥାପି ସେ ଅନ୍ୟମାନଙ୍କଠୁ ସ୍ୱତନ୍ତ୍ର। ସମାଜର ଆଖିରେ ସେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ କେବେ କାହାରି ଆଗରେ ମୁଣ୍ଡ ନୁଆଇଁ ନାହାନ୍ତି, ବରଂ ସମାଜ ସହ ପାଦ ମିଳାଇ ଚାଲିବା ପାଇଁ ତାଙ୍କ ଗୋଟେ ଗୋଡ଼ ମଧ୍ୟ ଯଥେଷ୍ଟ। ନିଜେ ରୋଜଗାର କରି ପରିବାରକୁ ଚଳେଇବାରେ ମଧ୍ୟ ସକ୍ଷମ। ୪୦ ବର୍ଷ ତଳେ ଘଟିଥିବା ସେ ଦୁର୍ଘଟଣା ହୁଏତ ରୋହିତଙ୍କ ଗୋଟେ ଗୋଡ଼ ନେଇଯାଇଥିଲା, ହେଲେ ତାଙ୍କ ଆତ୍ମସ୍ୱାଭିମାନକୁ ତିଳେମାତ୍ର ଭାଙ୍ଗିପାରିନି। ଏ ହେଉଛନ୍ତି ୫୫ ବର୍ଷୀୟ ରୋହିତ ପ୍ରଧାନ। କମଳା ନେହେରୁ କଲେଜ ନିକଟରେ ଥିବା ଜଗନ୍ନାଥ ବସ୍ତିରେ ପରିବାର ସହ ଦୀର୍ଘ ୩୫ ବର୍ଷ ହେବ ରହିଲେଣି।ପରିବାରରେ ତାଙ୍କ ପତ୍ନୀଙ୍କ ସମେତ ୪ ଛୁଆ। ସେମାନଙ୍କୁ କିପରି ଦିନକୁ ଦୁଇ ମୁଠା ଖାଇବା ଯୋଗେଇ ପାରିବେ, ସେଥିପାଇଁ ତାଙ୍କ ସଂଘର୍ଷ ପ୍ରତିଦିନ ଜାରି ରହିଛି। ନିତି କାମ ଆଶାରେ ସକାଳ ୯ରୁ ଘରୁ ବାହାରି ଯାଆନ୍ତି ଟ୍ରଲି ଧରି ୧ନଂ ମାର୍କେଟ। ଫେରୁ ଫେରୁ ସନ୍ଧ୍ୟା ୫, କେବେ କାମ ମିଳେ ତ କେବେ ମିଳେନି। ହେଲେ କେବେ ସେ ତାଙ୍କ ମନୋବଳକୁ ଭାଙ୍ଗିବାକୁ ଦେଇନାହାନ୍ତି। ଗତ ୨୫ରୁ ୩୦ ବର୍ଷ ହେବ ସେ ଟ୍ରଲିରେ ପରିବା ଭଡ଼ା ନେଇ ଠିକଣା ସ୍ଥଳରେ ପହଞ୍ଚାଇବା କାମ କରନ୍ତି। ସବୁଦିନ କାମ ମିଳିବା ସମ୍ଭବ ନ ହେଲେ ବି ସେ ସେଠାରେ ଭଡ଼ା ଅପେକ୍ଷାରେ ଚାହିଁ ରହିଥାନ୍ତି। ଦିନକୁ କେତେବେଳେ ୪୦୦ କି ୫୦୦ ମିଳିଯାଏ। ବ୍ୟବସାୟୀଙ୍କ ପରିବା ବୋଝେଇ ହିଁ ତାଙ୍କୁ ବଞ୍ଚିବାର ବାଟ ଦେଖାଇଛି। ଯାହାକୁ ସେ ରୋଜଗାରର ମାଧ୍ୟମ କରିଛନ୍ତି। କାରଣ ଅଧିକା ଭାରି ଜିନିଷ ଉଠାଇବା କିମ୍ବା ଅନ୍ୟ କୌଣସି କାମ କରିବାରେ ସେ ସମର୍ଥ ନୁହନ୍ତି ବୋଲି ସେ ଉତ୍ତର ଦେଇଥିଲେ। ସମୟ ସହ ତାଳ ଦେଇ ବୟସ ବି ଉପରମୁହାଁ ହେଲାଣି ତେଣୁ ଅନ୍ୟ କେଉଁଠି କାମ କରିବା ତାଙ୍କ ପକ୍ଷେ ସମ୍ଭବ ହେଉ ନାହିଁ। ଦୁଇ ଝିଅଙ୍କ ବିବାହ କରି ଅନ୍ୟ ଦୁଇ ଛୁଆଙ୍କୁ ପାଠପଢ଼ାଇ ମଣିଷ କରିବାରେ ଲାଗିଛନ୍ତି ସେ। ଯେଉଁଠି ଲୋକ ନିଜ ଶାରୀରିକ ଅକ୍ଷମତାକୁ ଅସ୍ତ୍ର କରି ବିଭିନ୍ନ ମନ୍ଦିର, ଷ୍ଟେସନ୍‌ ଓ ହସ୍ପିଟାଲ ଆଗରେ ଭିକ ମାଗୁଛନ୍ତି। କିନ୍ତୁ ଏଠାରେ ରୋହିତ ଏକ ଉଦାହରଣ ପାଲଟିଛନ୍ତି। ଏବେ ଏକ କୃତ୍ରିମ ଗୋଡ଼ ସାହାଯ୍ୟରେ କାମ ଟିକେ ସଅଳ ହେଉଛି। ପୂର୍ବରୁ ଗୋଟେ ଗୋଡ଼ରେ ଟ୍ରଲି ଚଳାଇବାରେ ଅନେକ ଅସୁବିଧା ହେଉଥିଲା। ପରେ ଜଣେ ସମ୍ପର୍କୀୟଙ୍କ ସହଯୋଗରେ କୃତ୍ରିମ ଗୋଡ଼ ପାଇ ଟିକେ ଆଶ୍ୱସ୍ତି ମିଳୁଛି। ହେଲେ ସରକାରୀ ସ୍ତରରେ ସହାୟତା ଆବଶ୍ୟକ ହେଉଥିବାବେଳେ ବର୍ତ୍ତମାନ ସୁଦ୍ଧା କୌଣସି ସାହାଯ୍ୟ ମିଳିପାରିନାହିଁ। ଭତ୍ତା ମଧ୍ୟ ୫୦୦ରୁ ଏବେ ୧୨୦୦କୁ ବୃଦ୍ଧି ପାଇଛି। ତଥାପି ଘର ଚଳେଇବାରେ ସେତକ ଅଣ୍ଟୁନି। ଟ୍ରଲିଟେ ନ ଥିଲେ ପେଟକୁ ଦାନା ମିଳିବା କଷ୍ଟକର ହୋଇ ପଡ଼ିଥାନ୍ତା। କଥାରେ ଅଛି ନିଜେ ନ ମଲେ ସ୍ୱର୍ଗ କିଏ ଦେଖିଛି, ସେଥିପାଇଁ ବଞ୍ଚିଥିଲା ଯାଏ ନିଜେ ଖଟି ଖାଇବି କହି ସେ ନିଜ ଦୁଃଖ ବଖାଣିଥିଲେ।

Leave A Comment

All fields marked with an asterisk (*) are required