ରାଜଧାନୀ ଭୁବନେଶ୍ବରରେ ଡେଙ୍ଗୁ ଆତଙ୍କ।ସୋଇଛି ବିଏମ୍ସି।
ସୋଇଛି ବିଏମ୍ସି କୁମ୍ଭକନ୍ନ ନିଦ୍ରାରେ।
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଡେଙ୍ଗୁ ଆତଙ୍କ। ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଗତ କିଛି ଦିନ ମଧ୍ୟ ଡେଙ୍ଗୁ କାୟାବିସ୍ତାର କରି ଚାଲିଥିବା ବେଳେ ଘରେ ଘରେ ଜ୍ବର ମାଡିଗଲାଣି। ଏପରି ପରିସ୍ଥିତି ହୋଇଛି ଯେ ଡେଙ୍ଗୁ ପାଇଁ ହଟସ୍ପଟ ପାଲଟି ଯାଇଛି ଭୁବନେଶ୍ୱର। ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ ୧୪ ତାରିଖ ସୁଦ୍ଧା ରାଜଧାନୀ ଭୁବନେଶ୍ବରରୁ ୧୧୬୪ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ବି ୫୦ ଆକ୍ରାନ୍ତ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ତେବେ ଚଳିତ ବର୍ଷ ଅଧିକ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ଟିପିଆର(ଟେଷ୍ଟ ପଜିଟିଭ୍ ରେଟ୍) ମଧ୍ୟ ପୂର୍ବାପେକ୍ଷା କମ୍ ରହିଛି। ଅଗଷ୍ଟ ୧୪ ତାରିଖ ସୁଦ୍ଧା ଭୁବନେଶ୍ବରରୁ ୧୦୨୮୮ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୧୧୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଟିପିଆର ୧୧%ରହିଥିବା ବେଳେ ୨୦୨୨ରେ ୧୯ ଓ ୨୦୨୧ରେ ୨୪ % ରହିଥିଲା। ଚଳିତ ବର୍ଷ ଆକ୍ରାନ୍ତଙ୍କ ମଧ୍ୟରୁ ୪୭୧ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ୪୨୧ ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି। ଯାହା ପୂର୍ବ ବର୍ଷମାନଙ୍କ ଠାରୁ ଢେର୍ କମ୍ ବୋଲି ବିଏମ୍ସି କହିଛି। ଅନ୍ୟପଟେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ରୋକିବା ଲାଗି ବିଏମ୍ସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଡେଙ୍ଗୁ ନିୟନ୍ତ୍ରଣ କରିବା ପାଇଁ ବିଏମ୍ସି ପକ୍ଷରୁ ମଶା ଉତ୍ପତ୍ତିସ୍ଥଳ ଚିହ୍ନଟ କରାଯାଇ ସେଗୁଡ଼ିକ ନଷ୍ଟ କରାଯାଉଛି। ଘର ଘର ସମ୍ପର୍କ ଓ ସମ୍ବେଦନଶୀଳ ସ୍ଥାନ ପରିଦର୍ଶନ ଓ ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ୨୫ ହଜାରରୁ ଅଧିକ ପରିଦର୍ଶନ ହୋଇଥିବାବେଳେ ପ୍ରାୟ ୩୩ ହଜାର ମଶା ଲାର୍ଭା ଉତ୍ସକୁ ନଷ୍ଟ କରାଯାଇଛି। ଏଥିସହିତ ୨୫ ଗାଡ଼ି ଅବ୍ୟବହୃତ ଟାୟାରକୁ ବିଭିନ୍ନ ସ୍ଥାନରୁ ସଂଗ୍ରହ ହୋଇଛି। ପ୍ରତ୍ୟେକ ଦିନ ମଶା ତେଲ ଓ ମଶା ଧୂଆଁ ପ୍ରୟୋଗ କରାଯାଉଛି। ମଶା ତେଲ, ମଶା ଧୂଆଁ ଓ ଘାସକଟା ଆଦି କାମକୁ ଗୁରୁତ୍ୱ ଦେବା ପାଇଁ କମିସନର ନିର୍ଦ୍ଦେଶ ଦେଇଛନ୍ତି। ଘର ଘର ସମ୍ପର୍କକୁ ଜୋର୍ଦାର କରିବା ପାଇଁ କମିସନର ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ସଚେତନତା କରାଇବାକୁ କମିସନର ଗୁରୁତ୍ୱାରୋପ କରିଛନ୍ତି। ହଟ୍ସ୍ପଟ୍ ଅଞ୍ଚଳରେ ସ୍ଥାନୀୟ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଟିମ୍ ସାଇନ୍, ସ୍ୱଚ୍ଛସାଥୀ ପ୍ରମୁଖ ଘର ଘର ବୁଲି ଲୋକମାନଙ୍କୁ ସଚେତନତା କରାଇବା କାମ ଜାରି ରହିଛି। ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀମାନେ ମିଶି ଏହାକୁ ଜୋର୍ଦାର କରିବାକୁ କୁହାଯାଇଥିବାବେଳେ ସ୍ଥାନୀୟ କର୍ପୋରେଟରଙ୍କ ସହଯୋଗ ଲୋଡ଼ିବା ପାଇଁ କୁହାଯାଇଛି। ଆସନ୍ତା ୧୫ ଦିନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ମଶା ଉତ୍ପତ୍ତିସ୍ଥଳ ଚିହ୍ନଟ ଓ ସେଗୁଡ଼ିକ ନଷ୍ଟ କରିବା ପ୍ରକ୍ରିୟାକୁ ଆହୁରି ଗତିଶୀଳ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଜୋନାଲ ଡେପୁଟି କମିସନରମାନେ କ୍ଷେତ୍ର ଭ୍ରମଣରେ ଏହିସବୁ କାମ ରଖିବା ପାଇଁ କୁହାଯାଇଛି।ଏହା ସହ ‘ଘର ଘର ସଂପର୍କ ଅଭିଯାନ’କୁ ଜୋରଦାର କରିବାକୁ କମିସନର ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ହଟ୍ ସ୍ପଟ୍ ଅଞ୍ଚଳରେ ସ୍ଥାନୀୟ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଟିମ୍ ସାଇନ, ସ୍ୱଚ୍ଛ ସାଥୀ ପ୍ରମୁଖ ଘର ଘର ବୁଲି ଲୋକମାନଙ୍କୁ ସଚେତନ କରାଇବା କାର୍ୟ୍ୟ ଜାରି ରହିଥିବା ବେଳେ, ସ୍ୱଚ୍ଛସାଥୀ, ଆଶାକର୍ମୀ ଅଙ୍ଗନବାଡ଼ି କର୍ମୀମାନେ ମିଶି ଏହାକୁ ଚଳାଇଛନ୍ତି। ଏଥିରେ ସ୍ଥାନୀୟ କର୍ପୋରେଟରଙ୍କ ସହଯୋଗ ଲୋଡ଼ିବା ପାଇଁ କମିସନର କହିଛନ୍ତି। ଆସନ୍ତା ୧୫ ଦିନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଡେଙ୍ଗୁ ଦମନ ପାଇଁ କର୍ମଚାରୀମାନେ ଲାଗି ପଡ଼ିବାକୁ ସେ ପରାମର୍ଶ ଦେଇଛନ୍ତି।