ଦିଲ୍ଲୀ ପୋଲିସ୍ ର ମିଥ୍ୟା ଏଫ୍.ଆଇ.ଆର୍ ପୋଡି ପ୍ରତିବାଦ କଲେ ବିକ୍ଷୋଭକାରୀ !
ନିଉଜକ୍ଲିକ୍ ସଂସ୍ଥା ସହିତ ଯୋଡ଼ି ସଂଯୁକ୍ତ କୃଷକ ମୋର୍ଚ୍ଚାକୁ ନିନ୍ଦିତ କରିବା ଷଢଯନ୍ତ୍ର ବିରୋଧରେ ଗଣ ପ୍ରତିବାଦ !
ଦିଲ୍ଲୀ ପୋଲିସ୍ ର ମିଥ୍ୟା ଏଫ୍.ଆଇ.ଆର୍ ପୋଡି ପ୍ରତିବାଦ କଲେ ବିକ୍ଷୋଭକାରୀ !
ଭୁବନେଶ୍ୱର, ତା ୬/୧୧: ଗତ ୩ ଅକ୍ଟୋବର ୨୦୨୩ରେ ଅନଲାଇନ୍ ନିଉଜ୍ ପୋର୍ଟାଲ୍ ‘ନ୍ୟୁଜ୍ କ୍ଲିକ୍’ ଉପରେ ଚଢ଼ାଉ ଏବଂ ତାହାର ସଂପାଦକ ପ୍ରବୀର ପୁରକାୟସ୍ଥ ଓ ମାନବ ସମ୍ବଳ ବିଭାଗର ମୁଖ୍ୟ ଅମିତ୍ ଚକ୍ରବର୍ତ୍ତୀ ଙ୍କୁ ଦେଶ ଦ୍ରୋହ ତଥା ବେଆଇନ୍ କାର୍ଯ୍ୟ କଳାପ ପ୍ରତିବନ୍ଧକ ଆଇନ୍ (ୟୁଏପିଏ) ଭଳି କଳା କାନୁନ୍ ବଳରେ ଗିରଫଦାରୀ ବିରୋଧରେ ଦେଶବ୍ୟାପୀ ପ୍ରତିବାଦ କରାଯାଇଥିଲା। ସେହି ମକଦ୍ଦମାରେ ସାରା ଦେଶରେ ଐତିହାସିକ କୃଷକ ଆନ୍ଦୋଳନକୁ ନେତୃତ୍ବ ଦେଉଥିବା ସଂଯୁକ୍ତ କୃଷକ ମୋର୍ଚ୍ଚାକୁ ନିନ୍ଦିତ କରିବା ଲକ୍ଷ୍ୟରେ ଦିଲ୍ଲୀ ପୋଲିସ୍ ପକ୍ଷରୁ ବିଭିନ୍ନ କପୋଳକଳ୍ପିତ ମିଥ୍ୟା ଅଭିଯୋଗ କରାଯାଇଥିଲା । ବିଜେପି ତଥା ମୋଦୀ ସରକାରଙ୍କ ଏହି ଷଡ଼ଯନ୍ତ୍ର ବିରୋଧରେ ୬ ନଭେମ୍ବର ଦେଶବ୍ୟାପୀ ପ୍ରତିବାଦ କରିବା ପାଇଁ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଆହ୍ୱାନ ଦିଆଯାଇଥିଲା।
ସେହି ଆହ୍ୱାନରେ ଆଜି ସଂଯୁକ୍ତ କୃଷକ ମୋର୍ଚ୍ଚା,ଓଡିଶା ରାଜ୍ୟ କମିଟି ଡାକରାରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରତିବାଦ ଆୟୋଜନ ହେବା ସହିତ ଦିଲ୍ଲୀ ପୋଲିସ୍ ପକ୍ଷରୁ ରୁଜ୍ଜୁ କରାଯାଇଥିବା ମିଥ୍ୟା ଏଫ୍.ଆଇ.ଆର୍ କୁ ପୋଡ଼ି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ସେମାନେ ମୋଦୀ ହଟାଅ -ଦେଶ ବଞ୍ଚାଅ ଆହ୍ଵାନରେ ଆସନ୍ତା ୨୬ ନଭେମ୍ବରରୁ ୨୮ ନଭେମ୍ବର ଦେଶବ୍ୟାପୀ ଅହୋରାତ୍ର କୃଷକ-ଶ୍ରମିକଙ୍କ ପ୍ରତିବାଦ ଓ ଗଣଧାରଣାକୁ ସଫଳ କରିବାକୁ ଡାକରା ଦେଇଛନ୍ତି । ଭୁବନେଶ୍ୱରରେ ଆୟୋଜିତ ଆଜିର ପ୍ରତିବାଦରେ ସଂଯୁକ୍ତ କୃଷକ ମୋର୍ଚ୍ଚା,ଓଡିଶା ସହିତ ସମ୍ବନ୍ଧିତ ବିଭିନ୍ନ କୃଷକ ସଂଗଠନ, ଟ୍ରେଡ୍ ୟୁନିୟନ ଓ ଗଣ ସଂଗଠନର ନେତୃବୃନ୍ଦ ଯଥା ସୁରେଶ ପାଣିଗ୍ରାହୀ, ପ୍ରଫୁଲ୍ଲ ସାମନ୍ତରା, କ୍ଷୀରୋଦ ସିଂହଦେଓ, ନରେନ୍ଦ୍ର ମହାନ୍ତି, ଶଙ୍କର ସାହୁ, ମହେନ୍ଦ୍ର ପରିଡ଼ା, ସନ୍ତୋଷ ରଥ, ପ୍ରମୋଦିନୀ ସାହୁ,ପ୍ରମିଳା ବେହେରା, ଆଶୀଷ କାନୁନଗୋ, ନୃସିଂହ ବେହେରା, ଅଭିରାମ ବେହେରା, ଜୟନ୍ତ ଦାସ, ପୂଜା ଦାସ, ଚାମ୍ବରୁ ସୋରେନ୍, ହେନାରାଣୀ ବାରିକ୍, ସରୋଜିନୀ ଆଚାର୍ଯ୍ୟ ଓ ଅନ୍ୟାନ୍ୟ ନେତୃବୃନ୍ଦ ଯୋଗ ଦେଇଥିଲେ।
ସେମାନେ ମୋଦୀ ସରକାରଙ୍କ ଜନବିରୋଧୀ ତଥା କୃଷକ ବିରୋଧୀ ନୀତି ବିରୋଧରେ ପ୍ରତିବାଦ କରିବା ସହିତ ସଂଯୁକ୍ତ କୃଷକ ମୋର୍ଚ୍ଚା ଉପରେ ଦେଶ ଦ୍ରୋହ ଭଳି ଦଫା ଲଗାଇବାକୁ ତୀବ୍ର ନିନ୍ଦା କରିଥିଲେ। ମୂଖ୍ୟ ଧାରାର ଗଣମାଧ୍ୟମ ଗୁଡିକ ଯେପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବୋଲକରା ସାଜି ଜନବିରୋଧୀ ନୀତିର ସ୍ତାବକ ସାଜିଛନ୍ତି, ସେତେବେଳେ ଛୋଟ ଛୋଟ ବିକଳ୍ପ ଗଣମାଧ୍ୟମ ସରକାରଙ୍କ ଦୋଷ ତ୍ରୁଟି ପଦାରେ ପକାଉଛନ୍ତି। ଏହି ପରିପ୍ରେକ୍ଷୀରେ ନ୍ୟୁଜ୍ କ୍ଲିକ୍ ସମ୍ବାଦ ସଂସ୍ଥା ଉପରେ ଚଢ଼ାଉ ଓ ମିଥ୍ୟା ମକଦ୍ଦମା ଓ ଗିରଫଦାରୀ ତଥା କୃଷକ ଆନ୍ଦୋଳନକୁ ବଦନାମ୍ ଉଦ୍ୟମକୁ ସେମାନେ ଗଣତନ୍ତ୍ରର ହତ୍ୟା ବୋଲି ବର୍ଣ୍ଣନା କରିଛନ୍ତି। ଅବିଳମ୍ବେ ଏହି ମିଥ୍ୟା ଏଫ୍.ଆଇ.ଆର୍. କୁ ରଦ୍ଦ କରିବା ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ନେତୃବୃନ୍ଦ ଆଜି ପ୍ରତିବାଦ ସ୍ଥାନରେ ଏଫ୍.ଆଇ.ଆର୍ କୁ ପୋଡ଼ି ଥିଲେ ।