Search for:
  • Home/
  • ରାଜ୍ୟ/
  • କେନ୍ଦ୍ର ବଜେଟ୍‌ରେ ଦୁଇ ରାଜ୍ୟକୁ ଛାଡ଼ି ଓଡ଼ିଶା ସମେତ ସବୁ ରାଜ୍ୟକୁ ଉପେକ୍ଷା ଅତ୍ୟନ୍ତ ଉଦ୍‌ବେଗର ବିଷୟ– – ଡ଼ି.ରାଜା

କେନ୍ଦ୍ର ବଜେଟ୍‌ରେ ଦୁଇ ରାଜ୍ୟକୁ ଛାଡ଼ି ଓଡ଼ିଶା ସମେତ ସବୁ ରାଜ୍ୟକୁ ଉପେକ୍ଷା ଅତ୍ୟନ୍ତ ଉଦ୍‌ବେଗର ବିଷୟ– – ଡ଼ି.ରାଜା

Spread the love

Loading

କେନ୍ଦ୍ର ବଜେଟ୍‌ରେ ଦୁଇ ରାଜ୍ୟକୁ ଛାଡ଼ି ଓଡ଼ିଶା ସମେତ ସବୁ ରାଜ୍ୟକୁ ଉପେକ୍ଷା ଅତ୍ୟନ୍ତ ଉଦ୍‌ବେଗର ବିଷୟ– – ଡ଼ି.ରାଜା
ଭୁବନେଶ୍ୱର, ୨୭/୭–ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ଡ଼ି. ରାଜା ଆଜି ପୂର୍ବାହ୍ନରେ ସିପିଆଇ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି– କେନ୍ଦ୍ର ବଜେଟ୍‌-୨୦୨୪-୨୫ ସଂପୂର୍ଣ୍ଣ ବିପର୍ଯ୍ୟୟକର । ଏହାକୁ ଦେଶର ଶ୍ରମିକ, କୃଷକ, କ୍ଷେତମଜଦୁର, ଯୁବକ, ମହିଳା, ଦଳିତ, ଆଦିବାସୀ ଏବଂ ଅନ୍ୟାନ୍ୟ ଅନୁନ୍ନତ ବର୍ଗର ଲୋକେ ସଂପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଥିବାବେଳେ ଦେଶର କର୍ପୋରେଟ୍ ପୁଞ୍ଜିପତି ଓ ବଡ଼ ବ୍ୟବସାୟୀ ଗୋଷ୍ଠୀ ସ୍ୱାଗତ କରିଛନ୍ତି । କର୍ପୋରେଟ୍ ସଦନକୁ ଟିକସ ରିହାତି ଦିଆଯାଇଛି ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ନାମମାତ୍ର ଅନୁଦାନ ପ୍ରଦାନ କରାଯାଇଛି  । ଓଡ଼ିଶା ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ କରାଯାଇ ନଥିବାବେେଳେ ସମସ୍ତ ରାଜ୍ୟକୁ ଉପେକ୍ଷା କରାଯାଇ ମାତ୍ର ବିହାର ଓ ଆନ୍ଧ୍ରକୁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ପ୍ରଦାନ କରାଯାଇଛି । ଗୁରୁତର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ତାମିଲନାଡ଼ୁ, କେରଳ ଏବଂ ଓଡ଼ିଶା ପାଇଁ କିଛି ଆର୍ଥିକ ଅନୁଦାନ ଦିଆଯାଇନାହିଁ । ବିହାର ଓ ଆନ୍ଧ୍ରକୁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ପ୍ରଦାନରେ କୌଣସି ଆପତ୍ତି ନାହିଁ କିନ୍ତୁ ଭାରତ ଭଳି ଏକ ସଂଘୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମସ୍ତ ରାଜ୍ୟକୁ ସମାନ ଅନୁଦାନ ପ୍ରଦାନ ନକରି ଉପେକ୍ଷା କରାଯିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ଡ଼ି.ରାଜା କହିଛନ୍ତି  । ଏମ୍‌ଏସ୍‌ପି ପ୍ରଦାନ ନକରାଯାଇ କୃଷକମାନଙ୍କୁ ପ୍ରତାରିତ କରାଯାଇଥିବାବେଳେ ‘ମନରେଗା’ ପ୍ରକଳ୍ପ ପାଇଁ ଆର୍ଥିକ ଅନୁଦାନ ବୃଦ୍ଧି ନକରିବା ଏବଂ ଦଳିତ, ଆଦିବାସୀ ଓ ଅନ୍ୟାନ୍ୟ ଅନୁନ୍ନତ ବର୍ଗର ଲୋକଙ୍କ ପାଇଁ ବିଶେଷ କରି ଯୁବ ଓ ମହିଳାମାନଙ୍କୁ ମୋଦି ସରକାରର କେନ୍ଦ୍ରୀୟ ବଜେଟ୍‌ରେ ଉପେକ୍ଷିତ କରାଯାଇଥିବାରୁ ସମସ୍ତେ ଆଗାମୀ ଦିନରେ ରାସ୍ତା ଉପରକୁ ଆସି ଆନ୍ଦୋଳନ କରିବା ସୁନିଶ୍ଚିତ ହୋଇଛି  । ସିପିଆଇ ଏହି ସମସ୍ତ ଜନ ଆନ୍ଦୋଳନର ଅଗ୍ରଭାଗରେ ରହିବା ସହିତ କର୍ପୋରେଟ୍ ପକ୍ଷପାତୀ ମୋଦି ସରକାର ବିରୋଧରେ ‘ଇଣ୍ଡିଆ’ ମେଣ୍ଟକୁ ଶକ୍ତିଶାଳୀ କରିବା ଲାଗି ଉଦ୍ୟମ ଚଳାଇଯିବ ବୋଲି ରାଜା ଘୋଷଣା କରିଛନ୍ତି  । ୧୪୬ଜଣ ପାର୍ଲ୍ୟାମେଣ୍ଟ ସଦସ୍ୟ ସଂସଦରୁ ବହିଷ୍କାର କରାହୋଇଥିବା ବେଳେ ମୋଦି ସରକାର ଜାଣିଶୁଣି ତିନି ନୂତନ ଫୌଜଦାରୀ ଆଇନକୁ ବିନା ବିସ୍ତୃତ ଆଲୋଚନାରେ ପାରିତ କରାଇନେଇଥିବାରୁ ଏହାକୁ ସ୍ଥଗିତ ରଖି ଏହାର ପୁନର୍ବିଚାର ପାଇଁ ସଂସଦୀୟ କମିଟିକୁ ପଠାଇବାକୁ ସିପିଆଇ ଦାବି କରୁଛି  ।
ଏହି ସାମ୍ବାଦିକ ସମ୍ମିଳନୀରେ ସିପିଆଇର ଅନ୍ୟତମ ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା କହିଲେ ଓଡିଶାରେ ସାମ୍ପ୍ରଦାୟିକ ବିଜେପିର ଅଭ୍ୟୁତ୍‌ଥାନ ପାଇଁ ବିଜେଡ଼ି ହିଁ ଦାୟୀ । ଏହାର ଦୀର୍ଘ ୨୪ବର୍ଷର କୁଶାସନ ଓ ସ୍ଥାଣୁତା ଯୋଗୁଁ ଜନାଦେଶ ବିଜେପି ସପକ୍ଷରେ ଯାଇଛି । ଓଡ଼ିଆ ଅସ୍ମିତା କଥା କହି କ୍ଷମତାକୁ ଆସିଥିବାବେଳେ ରାଜ୍ୟପାଳଙ୍କ ପୁଅ ଜଣେ ଓଡିଆ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ ବିଜେପି ସରକାର ନିରବ ରହିଛି । ରାଜ୍ୟ ବଜେଟ୍‌ରେ ବେକାରୀ, ଦରବୃଦ୍ଧି ପ୍ରଭୃତି ଜନସମସ୍ୟା ସମ୍ପର୍କରେ ସମାଧାନର କୌଣସି ଦିଶା ନାହିଁ, ଏହା ରାଜ୍ୟବାସୀଙ୍କ ପ୍ରତି ପ୍ରତାରଣା ସଦୃଶ ହୋଇଛି  । ଗତକାଲି ସମ୍ପନ୍ନ ହୋଇଥିବା ସିପିଆଇର ରାଜ୍ୟ ପରିଷଦ ଅଧିବେଶନରେ ଆଶିଷ କାନୁନ୍‌ଗୋ ନୂତନ ରାଜ୍ୟ ସମ୍ପାଦକ ଭାବେ ଏବଂ କ୍ଷୀରୋଦ ସିଂହଦେଓ ଓ ପ୍ରକାଶ ପାତ୍ର ଦୁଇ ସହ-ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା କଥା ସମ୍ବାଦିକ ସମ୍ମିଳନୀରେ ଡ଼ି. ରାଜା ଜଣାଇଥିଲେ ।

Leave A Comment

All fields marked with an asterisk (*) are required