ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କ ସାମ୍ବିଧାନିକ ଦାୟିତ୍ୱ ପାଳନ କରିବାକୁ ସି.ଏସ୍.ଡ଼ି.ର ଆହ୍ୱାନ
ଭୁବନେଶ୍ୱର:ସରକାରଙ୍କ ଅବହେଳା ଯୋଗୁଁ ଲକ୍ଷ ଲକ୍ଷ ଆଦିବାସୀ ଏବଂ ଜଙ୍ଗଲବାସୀ ଜଙ୍ଗଲରୁ ବିତାଡ଼ିତ ହେବାର ଆଶଙ୍କା :
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କ ସାମ୍ବିଧାନିକ ଦାୟିତ୍ୱ ପାଳନ କରିବାକୁ ସି.ଏସ୍.ଡ଼ି.ର ଆହ୍ୱାନ ll
ଭୁବନେଶ୍ୱର ତା ୩୧/୦୩/୨୫:ଓଡ଼ିଶା ସରକାରଙ୍କ ଅବହେଳା ଯୋଗୁଁ ଲକ୍ଷ ଲକ୍ଷ ଆଦିବାସୀ ଏବଂ ଜଙ୍ଗଲବାସୀ ଜଙ୍ଗଲରୁ ବିତାଡ଼ିତ ହେବାର ଆଶଙ୍କା ସୃଷ୍ଟି ହୋଇଛି ବୋଲି ଆଜି ରେଡକ୍ରସ୍ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି। ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ (ସି.ଏସ୍.ଡି), ଓଡ଼ିଶା ପକ୍ଷରୁ ଜଙ୍ଗଲ ଅଧିକାର-୨ ୦୦୬ କୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଓଡ଼ିଶା ସରକାର ବିଫଳ ହେଇଥିବାରୁ ଆଦିବାସୀ ଏବଂ ଜଙ୍ଗଲବାସୀ ଏପରି ବିପଦର ସମ୍ମୁଖୀନ ହୋଇଛନ୍ତି ବୋଲି ଏହି ଅଭିଯୋଗ କରି ତୁରନ୍ତ ରାଜ୍ୟ ସରକାର ତାଙ୍କର ସାମ୍ବିଧାନିକ କର୍ତ୍ତବ୍ୟ ପାଳନ କରିବାକୁ ଏବଂ ଲୋକଙ୍କ ଅଧିକାରକୁ ସୁରକ୍ଷା କରିବାକୁ ଆହ୍ୱାନ କରିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ସଂଗଠନର ନେତୃବୃନ୍ଦ କହିଥିଲେଯେ ,ଆସନ୍ତା ଏପ୍ରିଲ ୨ ତାରିଖରେ, ସୁପ୍ରିମକୋର୍ଟ ୱାଇଲର୍ଡ୍ ଲାଇଫ୍ ଫାଷ୍ଟ୍ (Wildlife First ) ଏବଂ ଅନ୍ୟାନ୍ୟ ବନାମ ଭାରତ ସରକାର ଏବଂ ଅନ୍ୟାନ୍ୟ (WP 109/2008) ମାମଲାର ଶୁଣାଣି କରିବାକୁ ସ୍ଥିର କରିଛନ୍ତି। ଏହି ମାମଲା ଜଙ୍ଗଲ ଅଧିକାର ଆଇନ୍-୨୦୦୬ ର ସାମ୍ବିଧାନିକତା ପ୍ରତି ଏକ ଆହ୍ବାନ ସୃଷ୍ଟି କରିଛି । ଏହି ଆଇନ୍ ମୁଖ୍ୟତଃ ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀ ସମ୍ପ୍ରଦାୟଙ୍କ ଅଧିକାରକୁ ସ୍ୱୀକୃତି ଦେବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ପରେ ଗୃହୀତ ହୋଇଥିଲା ଏଵଂ ଏହି ଆଇନ୍ ଭାରତର ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀ ସମ୍ପ୍ରଦାୟଙ୍କ ଉପରେ ହୋଇଥିବା “ଐତିହାସିକ ଅନ୍ୟାୟ” କୁ ସଂଶୋଧନ କରିବାକୁ ଉଦ୍ଦିଷ୍ଟ ବୋଲି ଘୋଷଣା କରାଯାଇଥିଲା। ବ୍ରିଟିଶ ସରକାରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ସ୍ଵାଧୀନ ଭାରତର ସରକାରମାନେ ଉତ୍ତରାଧିକାରୀ ଭାବରେ, ବିଭିନ୍ନ ଜଙ୍ଗଲ ସମ୍ପର୍କିତ ଆଇନ ଗୁଡ଼ିକ ଜରିଆରେ ସରକାରୀ ଜଙ୍ଗଲ ନୀତି ଘୋଷଣା କରି ଲକ୍ଷ ଲକ୍ଷ ଲୋକଙ୍କୁ ମନମୁଖୀ ଭାବରେ ଏବଂ ଜଙ୍ଗଲ ବାସିନ୍ଦାଙ୍କୁ ସେମାନଙ୍କ ଜନ୍ମଭୂମି ଏବଂ ଜଙ୍ଗଲରେ “ଅନୁପ୍ରବେଶକାରୀ” ଭାବରେ ଚିତ୍ରଣ କରୁଥିଲେ । କିନ୍ତୁ ଜଙ୍ଗଲ ଅଧିକାର ଆଇନ -୨୦୦୬ ଆସିଲା ପରେ ମଧ୍ୟ ଏହି ନୀତି ପରିବର୍ତ୍ତନ ନକରି ଏଵଂ ଏହାକୁ ସଠିକ୍ ଓ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଆଇନର ଘୋର ଉଲ୍ଲଂଘନ କରାଯାଇଛି ଏବଂ ଜଙ୍ଗଲ ଅଧିକାର ପାଇଁ ବହୁ ସଂଖ୍ୟକ ଦାବିକୁ ଗ୍ରାମସଭାକୁ ଅଣଦେଖା କରି ବେଆଇନ ଭାବରେ ନାକଚ୍ କରାଯାଇଛି। ୨୦୧୯ ମସିହାରେ ଏହି ଆଇନ୍ ବିରୋଧରେ ଏକପାଖିଆ ଶୁଣାଣି ପରେ କେନ୍ଦ୍ର ସରକାର ଆଇନକୁ ରକ୍ଷା କରିବାରେ ବିଫଳ ହୋଇଥିଲେ, ଯାହାଫଳରେ ସୁପ୍ରିମକୋର୍ଟ ନାକଚ୍ କରାଯାଇଥିବା ଦାବିଦାର ମାନଙ୍କୁ ଜଙ୍ଗଲରୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ଅର୍ଥ ୧୭ ଲକ୍ଷ ଦାବିଦାର ପରିବାରକୁ ଜଙ୍ଗଲ ଓ ସେମାନଙ୍କ ଜୀବନ ଜୀବିକାରୁ ଉଚ୍ଛେଦ କରାଯାଇଥାନ୍ତା। ଦେଶବ୍ୟାପୀ ପ୍ରତିବାଦ ପରେ କୋର୍ଟ ତାଙ୍କର ଆଦେଶକୁ ସ୍ଥଗିତ ରଖି ନାକଚ୍ କରାଯାଇଥିବା ଦାବି ଗୁଡ଼ିକର ସମୀକ୍ଷା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
କିନ୍ତୁ ବର୍ଷ ବର୍ଷ ଧରି କେନ୍ଦ୍ର ସରକାର ଏହି ପ୍ରକ୍ରିୟାକୁ ଗମ୍ଭୀରତା ସହ ନେବାକୁ ଚେଷ୍ଟା କରି ନଥିଲେ କିମ୍ବା କୌଣସି ପ୍ରକାରର ସମୀକ୍ଷା କରାଯାଇ ନଥିଲା । ସରକାରଙ୍କ ଏପରି ନିଷ୍କ୍ରୟିତା ଫଳରେ ନାକଚ୍ ହୋଇଥିବା ଜଙ୍ଗଲ ଅଧିକାର ଦାବି ଓ ଜଙ୍ଗଲରୁ ବିସ୍ଥାପନ ସମସ୍ୟା ଏବେ ପୁଣି ମୁଣ୍ଡ ଟେକିଛି। ଏବେ, ୨ ଏପ୍ରିଲରେ ଏହି ମାମଲା ଶୁଣାଣୀ ହେବାକୁ ଥିବାରୁ ମାମଲା ଦାୟର କରିଥିବା ଅବସରପ୍ରାପ୍ତ ବନବିଭାଗ ଅଧିକାରୀ ଏବଂ ବନ୍ୟପ୍ରାଣୀ ଏନଜିଓ ଗୋଷ୍ଠୀ ଲକ୍ଷ ଲକ୍ଷ ପରିବାରକୁ ଜଙ୍ଗଲରୁ ଉଚ୍ଛେଦ କରିବାକୁ ସୁପ୍ରିମକୋର୍ଟ ଜରିଆରେ ପୁନର୍ବାର ଉଦ୍ୟମ କରୁଛନ୍ତି । ସେମାନେ ଆଇନର ସବୁଠାରୁ ଶକ୍ତିଶାଳୀ ଏବଂ ଜଙ୍ଗଲ ସଂରକ୍ଷଣ ବ୍ୟବସ୍ଥାକୁ ମଧ୍ୟ ଟାର୍ଗେଟ୍ କରୁଛନ୍ତି – ଯାହା ସମ୍ପ୍ରଦାୟ ଗୁଡ଼ିକୁ ନିଜ ଜଙ୍ଗଲକୁ ସୁରକ୍ଷା ଦେବାର ଅଧିକାର ଦେଇଥାଏ । ସେମାନେ ଚାହାଁନ୍ତି ଯେ ଏହି କ୍ଷମତା ଏବଂ ଅଧିକାରକୁ କାର୍ଯ୍ୟକାରୀ କରିବାର କ୍ଷମତାକୁ ବନ ଅଧିକାରୀ ଏବଂ ବେସରକାରୀ କର୍ପୋରେଟ୍ ମାନଙ୍କ ଉପରେ ନ୍ୟସ୍ତ କରାଯାଉ।
ଓଡିଶାର ଆଦିବାସୀ ବିକାଶ ବିଭାଗର ରିପୋର୍ଟ ଦର୍ଶାଉଛି ଯେ ୩୧ ଡିସେମ୍ବର ୨୦୨୪ ସୁଦ୍ଧା ଆଦିବାସୀ ଏବଂ ବନବାସୀ ପରିବାରଙ୍କ ଜଙ୍ଗଲ ଅଧିକାର ଦାବିର ମୋଟ ନାକଚ୍ ସଂଖ୍ୟା ପ୍ରାୟ ୧୪ ଲକ୍ଷ ୪ ହଜାର ୧୦୪ ଥିଲା, ଯାହା ଫେବୃଆରୀ ୨୦୧୯ରେ ବିଭାଗ ଦ୍ୱାରା ରିପୋର୍ଟ କରାଯାଇଥିବା ସ୍ଥିତି ସହିତ ସମାନ । ଯଦିଓ ସେତେବେଳେ ସୁପ୍ରିମକୋର୍ଟ ନାକଚ୍ କରାଯାଇଥିବା ଦାବିର ସମୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ୨୦୧୯ ପରଠାରୁ ରାଜ୍ୟ କର୍ତ୍ତୃପକ୍ଷ ଭୁଲ ତଥା ମନୋମୁଖୀ ଭାବରେ ନାକଚ୍ କରାଯାଇଥିବା ଜଙ୍ଗଲ ଅଧିକାର ଦାବିର ସଂଶୋଧନ ପାଇଁ କୌଣସି ସମୀକ୍ଷା କିମ୍ବା ପ୍ରକ୍ରିୟା ପରିଚାଳନା କରିନାହାଁନ୍ତି। ଫଳରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଯୋଗୁଁ ପ୍ରାୟ ୧ ଲକ୍ଷ ୫୦ ହଜାର ଆଦିବାସୀ ଏବଂ ଜଙ୍ଗଲବାସୀ ପରିବାର ଏବେ ଉଚ୍ଛେଦର ଆଶଙ୍କାର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଆସନ୍ତା ୨ ଏପ୍ରିଲରେ ସୁପ୍ରିମକୋର୍ଟରେ ଜଙ୍ଗଲ ଅଧିକାର ସମ୍ପର୍କିତ ଏହି ମାମଲା ଶୁଣାଣି ପାଇଁ ଆସୁଥିବାରୁ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଜବାବ ଦାଖଲ ହୋଇନଥିବାରୁ ଜଙ୍ଗଲ ଜମିରୁ ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସୀଙ୍କୁ ଗଣ ଉଚ୍ଛେଦ କରାଯାଇ ପାରେ, ଯାହା ଓଡ଼ିଶାର ବନାଞ୍ଚଳରେ ଆଦିବାସୀ ମାନଙ୍କ ଉପରେ ଅତ୍ୟାଚାର ଏବଂ ଭବିଷ୍ୟତ ସଂଘର୍ଷର କାରଣ ହୋଇପାରେ। ସରକାରଙ୍କ ଏହି ଭୂମିକା ରାଜ୍ୟ ସାରା ଜଙ୍ଗଲକୁ ସୁରକ୍ଷା ଦେଉଥିବା ଗ୍ରାମସଭା ଏବଂ ସମ୍ପ୍ରଦାୟର କ୍ଷମତାକୁ ଦୁର୍ବଳ କରିବା, ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ, ଘରୋଇ ସଂସ୍ଥା ଏବଂ ଜଙ୍ଗଲ ମାଫିଆଙ୍କ ଦ୍ୱାରା ଜଙ୍ଗଲ ନଷ୍ଟ କରିବାକୁ ଅନୁମତି ଦେବା ପାଇଁ ଉଦ୍ଦିଷ୍ଟ ବୋଲି ସଂଗଠନ ଅଭିଯୋଗ କରିଛି ।
ଏହି ପରିପ୍ରେକ୍ଷୀରେ ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କୁ ରାଜ୍ୟର ଆଦିବାସୀ ଏବଂ ପାରମ୍ପରିକ ଜଙ୍ଗଲବାସୀ ମାନଙ୍କ ପ୍ରତି ତାଙ୍କର କର୍ତ୍ତବ୍ୟ ସ୍ମରଣ କରାଇ ଦେବା ସଂଗେ ସଂଗେ ସୁପ୍ରିମ କୋର୍ଟରେ ଜଙ୍ଗଲ ଅଧିକାର ଆଇନକୁ ରକ୍ଷା କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରାଯାଇଛି । ଆଦିବାସୀ ଏବଂ ପାରମ୍ପରିକ ଜଙ୍ଗଲବାସୀଙ୍କ ଅଧିକାରକୁ ନାକଚ୍ ତଥା ପ୍ରତ୍ୟାଖ୍ୟାନ କରୁଥିବା ଜଙ୍ଗଲ ବିଭାଗର ଅମଲାତନ୍ତ୍ର ଏବଂ କର୍ପୋରେଟ ମାନଙ୍କ ମିଳିତ ଚକ୍ରାନ୍ତ ତଥା ଭୁଲ ପ୍ରକ୍ରିୟା ଉପରେ ଅଙ୍କୁଶ ଲଗାଇବାକୁ ସେମାନେ ଦାବି କରିଛନ୍ତି । ତତ୍ ସହିତ ରାଜ୍ୟ ସରକାର ଏହି ଆଦିବାସୀ ବିରୋଧୀ ତଥା ଜନବିରୋଧୀ ମାମଲାକୁ ଖାରଜ କରିବା ପାଇଁ କେନ୍ଦ୍ର ସରକାରଙ୍କ ସହିତ ମିଳିତ ଭାବେ ହସ୍ତକ୍ଷେପ କରିବା ସହିତ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀଙ୍କୁ ସେମାନଙ୍କ ଜମି ଓ ଜଙ୍ଗଲ ଉପରେ ଅଧିକାରକୁ ସ୍ୱୀକୃତି ଦେବା ଏବଂ ଜଙ୍ଗଲ ପରିଚାଳନା ତଥା ସୁରକ୍ଷା ଦାୟିତ୍ୱ ଗ୍ରାମସଭା ଓ ଜଙ୍ଗଲ ଅଧିକାର କମିଟି ଉପରେ ନ୍ୟସ୍ତ କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ସି.ଏସ.ଡ଼ି ରାଜ୍ୟ ଆବାହକ ମଣ୍ଡଳୀ ସଦସ୍ୟ ବିରଞ୍ଚି ବରିହା, ନରେନ୍ଦ୍ର ମହାନ୍ତି, ବିଶିଷ୍ଟ ପରିବେଶବିତ ତଥା ଲୋକଶକ୍ତି ଅଭିଯାନର ପ୍ରଫୁଲ୍ଲ ସାମନ୍ତରା, ଜଙ୍ଗଲ ଅଧିକାର ଆନ୍ଦୋଳନର ବିଷ୍ଣୁନାଥ ପୂର୍ତ୍ତି, ମଦନ ମାରାଣ୍ଡି, ସନ୍ଦୀପ ପଟ୍ଟନାୟକ, ଅରୁଣ ଦିହୁଡ଼ି ପ୍ରମୁଖ ଉପସ୍ଥିତ ଥିଲେ ।