Search for:
  • Home/
  • ରାଜ୍ୟ/
  • ସି.ଏସ୍.ଡି ପକ୍ଷରୁ ଦାବି :ରାଜ୍ୟପାଳ ଓ ପଞ୍ଚାୟତରାଜ ବିଭାଗର ମୂଖ୍ୟ ସଚିବଙ୍କୁ ସ୍ମାରକପତ୍ର

ସି.ଏସ୍.ଡି ପକ୍ଷରୁ ଦାବି :ରାଜ୍ୟପାଳ ଓ ପଞ୍ଚାୟତରାଜ ବିଭାଗର ମୂଖ୍ୟ ସଚିବଙ୍କୁ ସ୍ମାରକପତ୍ର

Spread the love

Loading

ପେସା ଚିଠା ନିୟମ ଉପରେ ପରାମର୍ଶ ଦାଖଲର ଅବଧି ତିନିମାସ ବୃଦ୍ଧି ପାଇଁ ସି.ଏସ୍.ଡି ପକ୍ଷରୁ ଦାବି :ରାଜ୍ୟପାଳ ଓ ପଞ୍ଚାୟତରାଜ ବିଭାଗର ମୂଖ୍ୟ ସଚିବଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର,ତା୧୧/୦୧/୨୪: ପେସା ଚିଠା ନିୟମ ଉପରେ ପରାମର୍ଶ ଦାଖଲ ପାଇଁ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଏହି ସମୟସୀମାକୁ ଅଧିକ ତିନିମାସ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ (ସି.ଏସ୍.ଡି) ପକ୍ଷରୁ ଦାବି କରାଯାଇଛି ଏବଂ ଏହି କ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଓ ପଞ୍ଚାୟତରାଜ ବିଭାଗର ମୂଖ୍ୟ ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ (CSD) ଆଦିବାସୀ ତଥା ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସୀ ଅଧିକାର ପାଇଁ ଲଢ଼ୁଥିବା ସଂଗଠନର ଏକ ଜାତୀୟ ପ୍ଲାଟଫର୍ମ, ଯାହା ଭାରତୀୟ ସଂସଦ ଦ୍ୱାରା ଐତିହାସିକ ଜଙ୍ଗଲ ଅଧିକାର ଆଇନ -୨୦୦୬ ପ୍ରଣୟନ ପାଇଁ ସଂଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ‌। ଏହି ପ୍ଲାଟଫର୍ମ ଓଡିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟରେ ଜଙ୍ଗଲ ଅଧିକାର ଆଇନର ଉପଯୁକ୍ତ କାର୍ଯ୍ୟକାରିତା ପାଇଁ ପ୍ରକ୍ରିୟା ଉପରେ ଗୁରୁତ୍ବ ଦେଇଥାଏ | ସି.ଏସ୍.ଡି. ଓଡ଼ିଶା ପକ୍ଷରୁ ବିଭିନ୍ନ ସମୟରେ ଜଙ୍ଗଲ ଅଧିକାର ଆଇନର ସଠିକ୍ କାର୍ଯ୍ୟାନ୍ୱୟନ, ଅନୁସୂଚିତ ଅଞ୍ଚଳରେ ଶାସନ ବ୍ୟବସ୍ଥା ଏବଂ ଆଦିବାସୀ ମାନଙ୍କର ଜମି ଏବଂ ସମ୍ବଳ ଅଧିକାର ସହ ଜଡିତ ବିଷୟକୁ ନେଇ ସରକାରଙ୍କୁ ଅନେକ ସ୍ମାରକପତ୍ର ପ୍ରଦାନ କରିଛି| ପେସା ଅଧିନିୟମ ପ୍ରଣୟନ ହେବାର ଦୀର୍ଘ ୨୭ ବର୍ଷ ପରେ ଜନସାଧାରଣଙ୍କ ମତାମତ, ଆପତ୍ତି ଏବଂ ପରାମର୍ଶ ଗ୍ରହଣ ପାଇଁ ଓଡ଼ିଶା ସରକାରଙ୍କ ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ବିଭାଗ ଗତ ୧୦-୧୧-୨୦୨୩ ତାରିଖର ସଂଖ୍ୟା- ପି.ଆର୍- ପି.ଏ.ଡି.ଏମ୍ -ମିସ୍ କେସ-୦୦୮୧ -୨୦୨୧-୨୫୭୮୧(No-PR-PADM-MISC-0081-2021-25781) ବିଜ୍ଞପ୍ତି ନିମନ୍ତେ ସି.ଏସ୍.ଡି ପକ୍ଷରୁ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି।

ସି.ଏସ୍.ଡି. ର ରାଜ୍ୟ ଆବାହକ ଗୋପୀନାଥ ମାଝୀଙ୍କ ଦ୍ଵାରା ପ୍ରଦତ୍ତ ସ୍ମାରକପତ୍ର ରେ କୁହାଯାଇଛି, ଯେ ଜନସାଧାରଣଙ୍କ ମତାମତ, ଆପତ୍ତି ଏବଂ ପରାମର୍ଶ ଦାଖଲ କରିବାର ଶେଷ ତାରିଖ, ଯାହା ୧୦ ଜାନୁୟାରୀ ,୨୦୨୪କୁ ଧାର୍ଯ୍ୟ ହୋଇଛି, ତାହା ଅନ୍ତତଃ ପକ୍ଷେ ତିନି ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ। ଏଥିରେ ଯୁକ୍ତି ଦର୍ଶାଯାଇଛି ଯେ, ପ୍ରଥମତଃ ଓଡିଶାର ବିଭିନ୍ନ ଭାଗରେ ବାସ କରୁଥିବା ଆଦିବାସୀ ଜନସଂଖ୍ୟାର ବୃହତ ଗୋଷ୍ଠୀ ମଧ୍ୟରେ ପେସା ଆଇନ୍ ର ଚିଠା ନିୟମ-୨୦୨୩ ଉପରେ ବ୍ୟାପକ ଆଲୋଚନା ଏବଂ ପରାମର୍ଶ ପାଇଁ ପର୍ଯ୍ୟାପ୍ତ ସମୟ ଆବଶ୍ୟକ | ଦ୍ୱିତୀୟତଃ ବର୍ତ୍ତମାନର ବିଜ୍ଞପ୍ତି ଇଂରାଜୀ ସଂସ୍କରଣରେ ଥିବାରୁ ସାଧାରଣ ଜନତାଙ୍କୁ ଭଲ ଭାବରେ ବୁଝାଇବା ପାଇଁ ଏହି ଚିଠା ନିୟମ ଓଡିଆ ଭାଷା ସମେତ ସମସ୍ତ ଆଦିବାସୀ ଭାଷାରେ ଅନୁବାଦ ହେବା ଆବଶ୍ୟକ। ତୃତୀୟତଃ ପେସା ଚିଠା ନିୟମାବଳୀ ସଂପର୍କରେ ପେସା ଆଇନ ପରିସରଭୁକ୍ତ ତଥା ସମସ୍ତ ଅନୁସୂଚିତ ଅଞ୍ଚଳର ଗ୍ରାମ ପଞ୍ଚାୟତ ସ୍ତରରେ ଏ ସଂପର୍କରେ ବିସ୍ତୃତ ସୂଚନା ସହ ଆଲୋଚନା ସଭା ଆୟୋଜନ କରାଯିବା ଆବଶ୍ୟକ, ଯେପରିକି ତୃଣମୂଳ ସ୍ତରରେ ଏ ସଂପର୍କରେ ଯଥାର୍ଥ ଆଲୋଚନା ହୋଇପାରିବ ଏବଂ ଉପଯୁକ୍ତ ମତାମତ ଆସିପାରିବ ।
ପେସା ଆଇନ୍ ଅନୁଯାୟୀ ଉପଯୁକ୍ତ ମତାମତ, ପରାମର୍ଶ ଓ ନିଷ୍ପତ୍ତି ଗ୍ରହଣ କରିବା ପାଇଁ ଅନୁସୂଚିତ ଅଞ୍ଚଳରେ ଗ୍ରାମସଭାର ଆଇନଗତ ମାନ୍ୟତା ଓ କ୍ଷମତା ରହିଥିବାରୁ ଗ୍ରାମସଭାକୁ ବାଦ୍ ଦେଇ ପେସା ଆଇନ୍ ର ନିୟମାବଳୀ ସ୍ଥିର କରାଗଲେ ତାହା ଜନାଭିମୂଖୀ କିମ୍ବା ଫଳପ୍ରଦ ହୋଇପାରିବ ନାହିଁ।
ତେଣୁ ଏହି ପରିସ୍ଥିତିରେ ଓଡିଶା ରାଜ୍ୟର ପଞ୍ଚମ ଅନୁସୂଚିତ ଅଞ୍ଚଳରେ ବାସ କରୁଥିବା ଅନୁସୂଚିତ ଜନଜାତିଙ୍କ ବୃହତ୍ତର ସ୍ୱାର୍ଥରକ୍ଷା ପାଇଁ ପେସା ଚିଠା ନିୟମ- ୨୦୨୩ ଉପରେ ଉପଯୁକ୍ତ ମନ୍ତବ୍ୟ ଏବଂ ଅର୍ଥପୂର୍ଣ୍ଣ ପରାମର୍ଶ ପାଇଁ ଅନ୍ତତଃ ପକ୍ଷେ ତିନିମାସ ପାଇଁ ସମୟସୀମା ବୃଦ୍ଧି କରିବା ଦିଗରେ ବିଚାର କରିବାକୁ ସି.ଏସ୍.ଡି ପକ୍ଷରୁ ନିବେଦନ କରାଯାଇଛି ।

Leave A Comment

All fields marked with an asterisk (*) are required