Search for:
  • Home/
  • ରାଜ୍ୟ/
  • ଜଙ୍ଗଲ ଅଧିକାର ଆଇନ -୨୦୦୬ କୁ ଅକାମୀ କରିବା ପାଇଁ ଜଙ୍ଗଲ ସଂରକ୍ଷଣ (ସଂଶୋଧନ) ବିଲ୍-୨୦୨୩କୁ ପ୍ରତ୍ୟାହାର ଦାବି : “

ଜଙ୍ଗଲ ଅଧିକାର ଆଇନ -୨୦୦୬ କୁ ଅକାମୀ କରିବା ପାଇଁ ଜଙ୍ଗଲ ସଂରକ୍ଷଣ (ସଂଶୋଧନ) ବିଲ୍-୨୦୨୩କୁ ପ୍ରତ୍ୟାହାର ଦାବି : “

Spread the love

Loading

ଜଙ୍ଗଲ ଅଧିକାର ଆଇନ -୨୦୦୬ କୁ ଅକାମୀ କରିବା ପାଇଁ ଜଙ୍ଗଲ ସଂରକ୍ଷଣ (ସଂଶୋଧନ) ବିଲ୍-୨୦୨୩କୁ ପ୍ରତ୍ୟାହାର ଦାବି : “ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ, ଓଡ଼ିଶା”(ସି.ଏସ୍.ଡି) ପକ୍ଷରୁ ରାଜନୈତିକ ଓ ଗଣ ସଂଗଠନ ମାନଙ୍କ ସହ ଆଲୋଚନା ପରେ ଅଗଷ୍ଟ ୯, ଭାରତ ଛାଡ଼ ଆନ୍ଦୋଳନ ତଥା ବିଶ୍ୱ ଆଦିବାସୀ ଦିବସ ରେ ରାଜ୍ୟବ୍ୟାପୀ ପ୍ରତିବାଦ ପାଇଁ ନିଷ୍ପତ୍ତି।।

 

ଭୁବନେଶ୍ୱର, ତା ୨୨/୦୭/୨୩: ଜଙ୍ଗଲ ଅଧିକାର ଆଇନକୁ ଅକାମୀ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ଷଢଯନ୍ତ୍ର ମୂଳକ ଜଙ୍ଗଲ ସଂରକ୍ଷଣ (ସଂଶୋଧନ) ବିଲ୍-୨୦୨୩ ସଂପର୍କରେ ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ (ସି.ଏସ୍.ଡି) ପକ୍ଷରୁ ବିଭିନ୍ନ ରାଜନୈତିକ ଦଳ ଓ ଗଣ ସଂଗଠନ ମାନଙ୍କ ସହିତ ବିଚାର ବିମର୍ଷ କରାଯାଇଛି। ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ନିମନ୍ତେ ଆଜି ଲୋହିଆ ଏକାଡେମୀ ପରିସରରେ ଆୟୋଜିତ ଆଲୋଚନାରେ ଜଙ୍ଗଲ ସଂରକ୍ଷଣ (ସଂଶୋଧନ) ବିଲ୍-୨୦୨୩କୁ ପ୍ରତ୍ୟାହାର ଦାବି କରାଯାଇଛି। ଏହି ଆଲୋଚନା ପରେ ଆସନ୍ତା
ଅଗଷ୍ଟ ୯, ଭାରତ ଛାଡ଼ ଆନ୍ଦୋଳନ ତଥା ବିଶ୍ୱ ଆଦିବାସୀ ଦିବସ ରେ ରାଜ୍ୟବ୍ୟାପୀ ପ୍ରତିବାଦ ଆୟୋଜନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ କେନ୍ଦ୍ରର ମୋଦି ସରକାର ମାର୍ଚ୍ଚ ୨୦୨୩ରେ ଜଙ୍ଗଲ ସଂରକ୍ଷଣ (ସଂଶୋଧନ) ବିଲ୍, ସଂସଦରେ ଉପସ୍ଥାପିତ କରିଥିଲେ I ଏହି ବିଲର ଜନବିରୋଧୀ ବିଷୟବସ୍ତୁ ଏବଂ ଅଗଣତାନ୍ତ୍ରିକ ପ୍ରକ୍ରିୟା ବିରୋଧରେ ସାରା ଦେଶରେ ଗତ କିଛି ମାସ ଧରି ବିରୋଧ ପ୍ରଦର୍ଶନ କରାଯାଇଛି I କିନ୍ତୁ ତାହାକୁ ଅଣ – ଦେଖାକରି ମୋଦି ସରକାର ଆଗାମୀ ମୌସୁମୀ ଅଧିବେଶନରେ ସେହି ବିଲକୁ ପାରିତ କରିବାକୁ ଯାଉଛନ୍ତି !

ବିଗତ ଦଶନ୍ଧି ଧରି ଜଙ୍ଗଲ ଜମିକୁ ଲୋକମାନଙ୍କର ଅଧିକାର ଏବଂ ପରିବେଶକୁ ଉପେକ୍ଷା କରି ଅବିଚାରିତ ଭାବେ ଅଣ-ଜଙ୍ଗଲରେ ପରିଣତ କରାଯାଉଛି ! ଏହି ଜନବିରୋଧୀ କାର୍ଯ୍ୟକୁ ଏହି ସଂଶୋଧନ ବିଲ୍ ମାଧ୍ୟମରେ ଆହୁରି ସୁଦୃଢ଼ କରିବାକୁ ଚେଷ୍ଟା କରାଯାଉଛି । ଏହି ବିଧେୟକ ସଂରକ୍ଷିତ ଅଞ୍ଚଳ ବ୍ୟତୀତ ଅନ୍ୟ ଜଙ୍ଗଲ ଜମିକୁ ଅଣ-ଜଙ୍ଗଲ ଉଦ୍ଦେଶ୍ୟରେ ବ୍ୟବହାର କରିବା ପାଇଁ ଅନୁମତି ପ୍ରଦାନ କରିଛି।
ଯେପରିକି (୧)ଭାରତ ସୀମାର ୧୦୦ କିଲୋମିଟର ମଧ୍ୟରେ ପ୍ରତିରକ୍ଷା ସମ୍ବନ୍ଧୀୟ ଉଦ୍ଦେଶ୍ୟରେ, (୨) ରେଳ ଲାଇନ ଏବଂ ରାଜପଥ ପାର୍ଶ୍ୱରେ ଥିବା ଜଙ୍ଗଲ ଜମିକୁ ବ୍ୟବହାର , (୩) ସରକାରଙ୍କ କିମ୍ବା କୌଣସି କର୍ତ୍ତୃପକ୍ଷଙ୍କ ମାଲିକାନାରେ ଥିବା ଚିଡ଼ିଆଖାନା ଏବଂ ସଫାରି; (୪) ପରିବେଶ ପର୍ଯ୍ୟଟନ ସୁବିଧା; (୫) ସିଲଭିକଲ୍ଚର ଅପରେସନ (ଜଙ୍ଗଲ ବୃଦ୍ଧି ପାଇଁ); ଏବଂ, ସବୁଠାରୁ ଚିନ୍ତାର ବିଷୟ, (୬) କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଅନ୍ୟ କୌଣସି ଉଦ୍ଦେଶ୍ୟରେ ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଉଦେଶ୍ୟରେ ବ୍ୟବହାର କରାଯାଇପାରିବ I ଏହା ସହିତ, ଜଙ୍ଗଲ ଏବଂ ଅନ୍ୟ ସମ୍ବଳ ଗୁଡ଼ିକୁ ନିୟନ୍ତ୍ରିତ କରିବା କ୍ଷେତ୍ରରେ ଗ୍ରାମସଭାର ଅଧିକାରକୁ ମଧ୍ୟ ଦୁର୍ବଳ କରାଯାଉଛି।

ମୋଦି ସରକାରଙ୍କର ଏହି ଜଙ୍ଗଲ (ସରଂକ୍ଷଣ) ସଂଶୋଧନ ବିଲ୍ -୨୦୨୩ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସୀ ମାନଙ୍କର ବ୍ୟାପକ କ୍ଷତି ସାଧନ କରିବ ଏବଂ ଯେଉଁଥିରେ ଗ୍ରାମସଭାର କୈାଣସି ମାନ୍ୟତା ରହିବ ନାହିଁ l ସେହିପରି ଆମ ଓଡିଶା ରେ ପ୍ରତେକ ଜିଲ୍ଲାରେ ଲୋକ ମାନଙ୍କର ବ୍ୟକ୍ତିଗତ ଚାଷ ଜମିରେ ଜଙ୍ଗଲ ବିଭାଗ ପକ୍ଷରୁ ବଳପୂର୍ବକ ବୃକ୍ଷରୋପଣ ଓ ନର୍ସରୀ ହେବ, ଯେଉଁଥିରେ ଲୋକମାନଙ୍କର ଓ ଆଗାମୀ ଭବିଷ୍ୟତ ପୀଢ଼ି ମାନଙ୍କର ସେହି ଜଙ୍ଗଲ ଜମି ଉପରେ କୈାଣସି ଅଧିକାର ରହିବ ନାହିଁ ।

ଆଜିର ଏହି ଆଲୋଚନା ସଭାକୁ ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ, ଓଡ଼ିଶାର ରାଜ୍ୟ ଆବାହକ ଗୋପୀନାଥ ମାଝି ,
ଏବଂ ଲୋକଶକ୍ତି ଅଭିଯାନ, ଓଡ଼ିଶାର ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମନ୍ତରା ଯୁଗ୍ମ ଭାବରେ ସଂଯୋଜନା କରିଥିଲେ ।
ଏହି ବୈଠକରେ ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ, ଓଡ଼ିଶାର ବିଭିନ୍ନ ଜିଲ୍ଲାର ଆବାହକ ଓ ଆବାହକ ମଣ୍ଡଳୀ ସଦସ୍ୟ ମାନଙ୍କ ସହିତ ସିପିଆଇ (ଏମ୍) ପକ୍ଷରୁ ଜଗନ୍ନାଥ ମିଶ୍ର, ସୁରେଶ ପାଣିଗ୍ରାହୀ, କଂଗ୍ରେସ ଦଳ ପକ୍ଷରୁ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ, ବିସ୍ମୟ ମହାପାତ୍ର, ସିପିଆଇ (ଏମ୍.ଏଲ୍)- ଲିବରେସନ୍ ପକ୍ଷରୁ ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡ଼ା, ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆ ର ସେଖ୍ ଅବଦୁଲ ୱଲି, ଆମ୍ ଆଦମୀ ପାର୍ଟିର ପ୍ରତିନିଧି , ସିପିଆଇ (ଏମ୍.ଏଲ୍)-ରେଡ୍ ଷ୍ଟାର ପକ୍ଷରୁ ପ୍ରମିଳା ବେହେରା, ଶଙ୍କର ସାହୁ, ସିପିଆଇ (ଏମ୍.ଏଲ୍) ପକ୍ଷରୁ ଶ୍ରୀକାନ୍ତ ମହାନ୍ତି, ଆଦିବାସୀ ଅଧିକାର ମଞ୍ଚର ସାଲ ମାର୍ଣ୍ଡି, ଚାମ୍ବରୁ ସୋରେନ୍, ଆଦିବାସୀ ଭାରତ ମହାସଭା ର ଟୁନା ମଲ୍ଲିକ, ସମତା କ୍ରାନ୍ତି ଦଳର ନେତା ବ୍ରଜ ତ୍ରୀପାଠୀ, ଫରୱାର୍ଡ ବ୍ଲକ୍ ର ପୂର୍ଣଚନ୍ଦ୍ର ପାଢ଼ୀ, ପ୍ରଭାସ ସାମନ୍ତରାୟ, ସମୃଦ୍ଧ ଓଡିଶା ଦଳର ନିରାକାର ବେଉରା, ଓଡ଼ିଶା ଦଳିତ ଅଧିକାର ମଞ୍ଚ ର ମାନସ ଜେନା, ଗବେଷକ ତୁଷାର ଦାଶ, ଡଃ ଶ୍ରୀଚରଣ ବେହେରା, ପ୍ରଦୀପ ସାହୁ, ଅରୁଣ ଦିହୁଡି, ନରେନ୍ଦ୍ର ମହାନ୍ତି, ବିରଞ୍ଚି ବରିହା, ପ୍ରମୁଖ ଆଲୋଚନାରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ ଓ ଆଗାମୀ ଦିନରେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ନିମନ୍ତେ ନିଜର ମତାମତ ଉପସ୍ଥାପନ କରିଥିଲେ। ତଦନୁଯାୟୀ ଆଗାମୀ ଦିନରେ ଗ୍ରାମସଭା କୁ ଶକ୍ତିଶାଳୀ କରିବା, ଗାଁ ସ୍ତରରୁ ତହସିଲ ଓ ଜିଲ୍ଲା ସ୍ତରରେ ଜଙ୍ଗଲ ଅଧିକାର ଆନ୍ଦୋଳନକୁ ଶକ୍ତିଶାଳୀ କରିବା ତଥା ଜଙ୍ଗଲ ସଂରକ୍ଷଣ (ସଂଶୋଧନ) ବିଲ୍-୨୦୨୩କୁ ପ୍ରତ୍ୟାହାର ଦାବିରେ ଆସନ୍ତା ଅଗଷ୍ଟ ୯, ଭାରତ ଛାଡ଼ ଆନ୍ଦୋଳନ ତଥା ବିଶ୍ୱ ଆଦିବାସୀ ଦିବସ ରେ ରାଜ୍ୟବ୍ୟାପୀ ପ୍ରତିବାଦ ଆୟୋଜନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Leave A Comment

All fields marked with an asterisk (*) are required