ଅର୍ଥନୀତିର ପ୍ରସାରଣ ବଦଳରେ ସଂକୋଚନ ଘଟାଇବ ଏହି ବଜେଟ୍–ସି ପି ଆଇ(ଏମ)
୨୦୨୪-୨୫ ଆର୍ଥିକ ବର୍ଷର କେନ୍ଦ୍ର ବଜେଟ:ଏକ
ପଶ୍ଚ୍ୟାତ୍-ମୁଖୀ ସଂକୋଚନଶୀଳ ବଜେଟ୍
ଅର୍ଥନୀତିର ପ୍ରସାରଣ ବଦଳରେ ସଂକୋଚନ ଘଟାଇବ ଏହି ବଜେଟ୍–ସି ପି ଆଇ(ଏମ)
ନୂଆଦିଲ୍ଲୀ, ୨୩ ଜୁଲାଇ,୨୦୨୪ ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ପଲିଟ୍ ବ୍ୟୁରୋ ୨୦୨୪-୨୫ ଆର୍ଥିକ ବର୍ଷର କେନ୍ଦ୍ର ବଜେଟ ବାବଦରେ ନିମ୍ନମତେ ବିବୃତି ପ୍ରକାଶ କରିଛନ୍ତି l
ଭୟାବହ ବେରୋଜଗାରୀ, ଖାଦ୍ୟ ପଦାର୍ଥର ଅସହନୀୟ ମୂଲ୍ୟ ବୃଦ୍ଧି,ଉଚ୍ଚ ମୁଦ୍ରାସ୍ଫୀତିର ହାର, ଧନୀ-ଦରିଦ୍ର ଅସମାନତାର ଅଭୂତପୂର୍ବ ବୃଦ୍ଧି ଏବଂ ଘରୋଇ ପୁଞ୍ଜିନିବେଶ ମନ୍ଥର ହେବା ଭଳି ଅର୍ଥନୈତିକ ବାସ୍ତବତା ପରିପ୍ରେକ୍ଷୀରେ ବଜେଟରେ ଅର୍ଥନୈତିକ କାର୍ଯ୍ୟକଳାପକୁ ବିଭିନ୍ନ କ୍ଷେତ୍ରରେ ବଢାଇବା ଉପରେ ଗୁରୁତ୍ୱ ଦିଆଯିବା ଉଚିତ୍ ଥିଲା । ବରଂ ଏହି ବଜେଟ୍ ରେ ଦିଆଯାଇଥିବା ପ୍ରସ୍ତାବଗୁଡିକ ସଂକୋଚନଶୀଳ ଓ ପଶ୍ଚ୍ୟାତ୍-ମୁଖୀ ଅଟେ l ଏହା କେବଳ ଲୋକଙ୍କ ପାଇଁ ଅଧିକ ଦୁଃଖ ଦୁର୍ଦ୍ଦଶା ଡାକି ଆଣିବ ଏବଂ ପୁଞ୍ଜି ନିବେଶ ଏବଂ ନିଯୁକ୍ତି ସୃଷ୍ଟିର ସ୍ତରକୁ ଆହୁରି ହ୍ରାସ କରିବ ।
ବଜେଟ୍ ତଥ୍ୟ ଅନୁଯାୟୀ ସରକାରଙ୍କ ରାଜସ୍ୱ ଆୟ ୧୪.୫ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଖର୍ଚ୍ଚ ମାତ୍ର ୫.୯୪ ପ୍ରତିଶତ ବୃଦ୍ଧି ପାଇଛି। ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଁ ଏହି ରାଜସ୍ୱକୁ ବ୍ୟବହାର କରିବା ଉଚିତ ଥିଲା,କିନ୍ତୁ ତାହା ପରିବର୍ତ୍ତେ, ଆନ୍ତର୍ଜାତୀୟ ବିତ୍ତୀୟ ପୁଞ୍ଜି/ଲଗ୍ନି ପୁଞ୍ଜି କୁ ସନ୍ତୁଷ୍ଟ କରିବା ପାଇଁ ବିତ୍ତୀୟ ନିଅଣ୍ଟକୁ ଜିଡିପିର ୫.୮ ପ୍ରତିଶତରୁ ୪.୯ ପ୍ରତିଶତକୁ ହ୍ରାସ କରିବାରେ ଏହି ବର୍ଦ୍ଧିତ ରାଜସ୍ଵକୁ ବ୍ୟବହାର କରାଯାଇଛି।
ବଜେଟରେ ଜିଡିପି ଆକଳନ କରିବା ପାଇଁ ଯେଉଁ ପ୍ରକ୍ରିୟାକୁ ବ୍ୟବାହାର କରାଯାଇଛି ତାହା ହିସାବ-ତଥ୍ୟ (ଡାଟା) ଜାଲିଆତିର ଆଉ ଏକ ମନ୍ଦ ପ୍ରଚେଷ୍ଟା । ନାମମାତ୍ର ଜିଡିପି ଅଭିବୃଦ୍ଧି (ଟଙ୍କାର ବର୍ତ୍ତମାନ ମୂଲ୍ୟରେ ଜିଡିପି ଅଭିବୃଦ୍ଧି) ହାର ୧୦.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ବାସ୍ତବିକ ଜିଡିପି (ଟଙ୍କାର ପ୍ରକୃତ ମୂଲ୍ୟରେ ଜିଡିପି) ୬.୫ରୁ ୭ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଏହି ହିସାବରେ ପହଞ୍ଚିବା ପାଇଁ ନାମମାତ୍ର ଅଭିବୃଦ୍ଧିରୁ ୩ ପ୍ରତିଶତର ମୂଳ କ୍ଷେତ୍ର(କୋର) ମୁଦ୍ରାସ୍ଫୀତି ହାରକୁ କମେଇ ଦେଇ ଗଣନା କରାଯାଇଛି ଏବଂ ଏହି ହିସାବ କିତାବ ବେଳେ ଖାଦ୍ୟ ପଦାର୍ଥରେ ୯.୪ ପ୍ରତିଶତର ଉଚ୍ଚ ମୁଦ୍ରାସ୍ଫୀତି ହାରକୁ ବାଦ୍ ଦିଆଯାଇଛି, ଫଳରେ ଏହି ପ୍ରକାରର ହିସାବ ଦ୍ଵାରା “ବାସ୍ତବିକ ଜିଡିପି ଅଭିବୃଦ୍ଧି”କୁ ବଢେଇ ଚଢେଇ ଦେଖାଇ ଦିଆ ଯାଇଛି ।
ସରକାରୀ ବ୍ୟୟକୁ ଆହୁରି ସଙ୍କୁଚିତ କରି ସବସିଡି ପରିମାଣକୁ ଯଥେଷ୍ଟ ମାତ୍ରାରେ ହ୍ରାସ କରାଯାଇଛି। ସାର ପାଇଁ ସବସିଡିରେ ୨୪୮୯୪ କୋଟି ଟଙ୍କା ହ୍ରାସ କରାଯାଇଛି। ଏବଂ ଖାଦ୍ୟପଦାର୍ଥ ପାଇଁ ସବସିଡି ୭୦୮୨ କୋଟି ଟଙ୍କା ହ୍ରାସ କରାଯାଇଛି। ଜିଡିପିର ଶତାଂଶ ହିସାବରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗ୍ରାମ୍ୟ ଉନ୍ନୟନ କ୍ଷେତ୍ରରେ ଖର୍ଚ୍ଚ ପ୍ରାୟ ଅପରିବର୍ତ୍ତିତ ରହିଛି। ‘ମନରେଗା’ କୁ ଆହୁରି ଅଣଦେଖା କରାଯାଉଛି । ମନରେଗା ପାଇଁ ଏବର୍ଷର ବଜେଟ୍ ଆବଣ୍ଟନ ହେଉଛି ୮୬,୦୦୦ କୋଟି ଟଙ୍କା, ଯାହା ଆର୍ଥିକ ବର୍ଷ ୨୦୨୩-୨୪ ରେ ଏହି ଖାତାରେ ଖର୍ଚ୍ଚ ହୋଇଥିବା ବ୍ୟୟ ଠାରୁ କମ୍ । ତେବେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୪ ମାସରେ ୪୧,୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଥିବା ବେଳେ ଅବଶିଷ୍ଟ ୮ ମାସ ପାଇଁ ମାତ୍ର ୪୪,୫୦୦ କୋଟି ଟଙ୍କା ବାକି ରହିଛି। ଗ୍ରାମୀଣ ଭାରତରେ ଗଭୀର ବେକାରୀ ସଙ୍କଟର ମୁକାବିଲା ପାଇଁ ଏହି ପରିମାଣର ବ୍ୟୟ ବରାଦ ଯେ ସମ୍ପୂର୍ଣ୍ଣ ରୂପେ କେବେବି ପର୍ଯ୍ୟାପ୍ତ ହେବ ନାହିଁ, ଏକଥା ସ୍ପଷ୍ଟ ଭାବରେ ବୁଝାପଡୁଛି।
ବେରୋଜଗାରୀ ଦୂର କରିବା ନାଁରେ ବଜେଟରେ ପ୍ରତାରଣାପୂର୍ଣ୍ଣ କୌଶଳ ଅବଲମ୍ବନ କରି ଚମକ ସୃଷ୍ଟି କରାଯାଇଛି। ‘ନିଯୁକ୍ତି ସମ୍ପର୍କିତ ପ୍ରୋତ୍ସାହନ’ ନାମରେ ଆରମ୍ଭ ହୋଇଥିବା ଏହି ନୂଆ ଯୋଜନାରେ ସଂଗଠିତ କ୍ଷେତ୍ରରେ ନୂଆରେ ଚାକିରି ପାଇଥିବା ବ୍ୟକ୍ତି, ଯାହାର ମାସିକ ଦରମା ୧ ଲକ୍ଷ ଟଙ୍କାରୁ କମ,ସେହି ଯୋଗ୍ୟ ଶ୍ରମିକ/କର୍ମଚାରୀମାନେ ମାସିକ ୫,୦୦୦ ଟଙ୍କା ହିସାବରେ ତିନୋଟି ମାସିକ କିସ୍ତିରେ ସର୍ବାଧିକ ୧୫୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ପାଇବେ। ତେବେ ଦୁଇ ବର୍ଷ ମଧ୍ୟରେ ସୃଷ୍ଟି ହୋଇଥିବା ମାସିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମାର ପ୍ରତ୍ୟେକ ଅତିରିକ୍ତ ଚାକିରି ପାଇଁ ନିଯୁକ୍ତିଦାତାମାନେ ପ୍ରତି ଅତିରିକ୍ତ ଶ୍ରମିକ/ କର୍ମଚାରୀ ପାଇଁ (ଇ. ପି. ଏଫ୍.ଓ ର ନିଯୁକ୍ତିଦାତାର କିସ୍ତି ଅଂଶ ବାବଦକୁ) ଦୁଇ ବର୍ଷ ପର୍ଯ୍ୟନ୍ତ ମାସିକ ୩୦୦୦ ଟଙ୍କା ହିସାବରେ ୨୪ଟି ମାସିକ କିସ୍ତିରେ ୭୨,୦୦୦ ଟଙ୍କା ର ଲାଭ ପାଇବେ । ନୂଆ ନିଯୁକ୍ତି ସୃଷ୍ଟି ନାଁରେ କର୍ପୋରେଟମାନଙ୍କୁ ରିହାତି ଦେବାର ଏହା ଆଉ ଏକ ଉପାୟ। ଏଭଳି ପ୍ରତାରଣାପୂର୍ଣ୍ଣ କୌଶଳର ଚମକ କେବେ ବି ରୋଜଗାର ସୃଷ୍ଟି କରିପାରିବ ନାହିଁ। ଅତୀତ ଦିନମାନଙ୍କରେ କର୍ପୋରେଟ୍ କ୍ଷେତ୍ର ଯେଉଁ ବିପୁଳ ଲାଭ ହାସଲ କରିଛି, ସେହି ଲାଭ କେବେବି ଆଧୁନିକ ଯନ୍ତ୍ରପାତି ଓ ଉତ୍ପାଦନ କ୍ଷେତ୍ରରେ ପୁଞ୍ଜିନିବେଶ ବଢାଇ ପାରିନାହିଁ। ଲୋକଙ୍କ ମଧ୍ୟରେ କ୍ରୟ ଶକ୍ତି ହ୍ରାସର ପରିଣାମ ହିସାବରେ ଅର୍ଥନୀତିରେ କ୍ରମାଗତ ଭାବରେ ଚାହିଦା ମଧ୍ୟ କମି ଯାଇଛି। ବଜାର ରେ ଚାହିଦା ନରହିବା ଫଳରେ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇବା ନାହିଁ,ଏହାହିଁ ସମସ୍ୟାର ମୂଳ କାରଣ।ବଜେଟ୍ ରେ ଭାରତର ଯୁବବର୍ଗଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ପାଇଁ ଯୋଜନା ଉପରେ ମଧ୍ୟ ଆଲୋକପାତ କରାଯାଇଛି। ଏହା ଦ୍ୱାରା ପ୍ରକୃତରେ ଏହି ବିପୁଳ ବେକାରୀ ସମସ୍ୟାର ସମାଧାନ ହେବ ନାହିଁ। ୨୦୧୬ ରୁ ୨୦୨୨ ମଧ୍ୟରେ ଦକ୍ଷତା ପ୍ରୋତ୍ସାହନ ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକଳ୍ପରେ ତାଲିମ ହାସଲ କରିଥିବା ଯୁବକଯୁବତୀଙ୍କ ମଧ୍ୟରୁ ମାତ୍ର ୧୮ ପ୍ରତିଶତଙ୍କୁ ନିଯୁକ୍ତି ମିଳିଛି। ପୁଣି ଥରେ ଅର୍ଥନୀତିର ପ୍ରସାର ନ ହେଲେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇପାରିବ ନାହିଁ।ମୁହଁରେ ‘ସହଯୋଗିତାମୂଳକ ସଂଘବାଦ’ର ଅନେକ କଥା କହୁଥିଲେ ମଧ୍ୟ ଏବର୍ଷର କେନ୍ଦ୍ର ବଜେଟ ରେ ରାଜ୍ୟ ସରକାରମାନଙ୍କ ପ୍ରତି ନିଷ୍ଠୁର ବ୍ୟବାହାର କରାଯାଇଛି । ରାଜନୈତିକ ବାଧ୍ୟବଧକତାର କାରଣରୁ ଆନ୍ଧ୍ରପ୍ରଦେଶ ଓ ବିହାର ପ୍ରଦେଶ ହେଉଛନ୍ତି ବ୍ୟତିକ୍ରମ। ଏହି ଏନ୍.ଡି. ମେଣ୍ଟ ସରକାର ତିଷ୍ଠି ରହିବା ପାଇଁ ସହଯୋଗୀ ଦଳ, ବିଶେଷକରି ତେଲୁଗୁ ଦେଶମ ପାର୍ଟି ଏବଂ ଜନତା ଦଳ (ୟୁନାଇଟେଡ୍)ର ସମର୍ଥନ ଉପରେ ନିର୍ଭର କରେ । ତେବେ ଅର୍ଥ ଆୟୋଗ(ଅର୍ଥ କମିଶନ) ରାଜ୍ୟଗୁଡ଼ିକୁ ପ୍ରଦାନ କରୁଥିବା ଅନୁଦାନ ମଧ୍ୟ ବର୍ଷକୁ ବର୍ଷ କମିବାରେ ଲାଗିଛି,ଏହି ଅର୍ଥ ଆୟୋଗ ଅନୁଦାନ ବାବଦ କୁ (ଟିକସ ବଣ୍ଟନ ବ୍ୟତୀତ) ୨୦୨୨-୨୩ରେ ୧୭୨୭୬୦ କୋଟି ଟଙ୍କାରୁ ୨୦୨୩-୨୪ରେ ୧୪୦୪୨୯ କୋଟି ଟଙ୍କାକୁ ହ୍ରାସ କରାଯାଇଥିଲା ଏବଂ ଏହି ବଜେଟ୍ ରେ ଏହାକୁ ଆହୁରି ୧୩୨୩୭୮ କୋଟି ଟଙ୍କାକୁ ହ୍ରାସ କରାଯାଇଛି।ମୋଟାମୋଟି ଭାବେ ଏହି ବଜେଟ୍ ରେ ଧନୀ ଓ ଗରିବ ର ବୈଷ୍ୟମ କୁ ଅଧିକ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି। ଭାରତର ଅତ୍ୟଧିକ ଧନୀଙ୍କ ଉପରେ ସମ୍ପତ୍ତି କିମ୍ବା ଉତ୍ତରାଧିକାରୀ ଟିକସ ପ୍ରସ୍ତାବ କୁ ବିଚାର କରିବାକୁ ମନା କରିଦେଇଛନ୍ତି,ଲୋକଙ୍କ ଉପରେ ପରୋକ୍ଷ ଟିକସ ବୋଝ ଉପରେ କୌଣସି ରିହାତି ମଧ୍ୟ ଦେଇନାହାଁନ୍ତି ।ସିପିଆଇ(ଏମ)ର ପଲିଟ୍ ବ୍ୟୁରୋ ଦଳର ସମସ୍ତ ୟୁନିଟକୁ ଆହ୍ୱାନ ଦେଇଛି ଯେ ଜନସାଧାରଣ ଏବଂ ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ବଜେଟ୍ ବିଫଳ ହୋଇଛି l ସୁତରାଂ ଦେଶବ୍ୟାପୀ ତା’ର ପ୍ରତିବାଦ କରିବା ପାଇଁ ଆହ୍ୱାନ ଦିଆଯାଇଛି