Search for:
  • Home/
  • Bda/
  • ଆଦାନୀଙ୍କୁ ଗିରଫ କରିବା ଦାବିରେ ସିପିଆଇର ବିକ୍ଷୋଭ

ଆଦାନୀଙ୍କୁ ଗିରଫ କରିବା ଦାବିରେ ସିପିଆଇର ବିକ୍ଷୋଭ

Spread the love

Loading

ଆଦାନୀଙ୍କୁ ଗିରଫ କରିବା ଦାବିରେ ସିପିଆଇର ବିକ୍ଷୋଭ

ଭୁବନେଶ୍ୱର, ୧୦/୧୨–ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନ୍ତରଙ୍ଗ ଶିଳ୍ପପତି ବନ୍ଧୁ, ବିଶ୍ୱର ଅନ୍ୟତମ ଧନ କୁବେର ଗୌତମ
ଆଦାନୀ କଳେ ବଳେ କୌଶଳେ ବିଭିନ୍ନ ବାଟରେ ଜାତୀୟ ସମ୍ପଦ ଲୁଟ୍ କରୁଥିବାରୁ ତାଙ୍କୁ ତୁରନ୍ତ ଗିରଫ କରିବା
ଦାବି କରି ଆଜି ସିପିଆଇ ପକ୍ଷରୁ ଭୁବନେଶ୍ୱରର ରାଜମହଲ ଛକଠାରେ ବିକ୍ଷୋଭ ଓ ରାସ୍ତାରୋକୋ ଅନୁଷ୍ଠିତ
ହୋଇଛି ।
ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଡିସେମ୍ବର ୧୦ ସାରା ଭାରତରେ ଆଦାନୀଙ୍କୁ ଗିରଫ କରିବା ଦାବି
ଦିବସ ପାଳନ ଅବସରରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏହି ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି ।
ବିକ୍ଷୋଭକାରୀମାନେ ଆଦାନୀଙ୍କ କେଳେଙ୍କାରୀ ସମ୍ପର୍କରେ ନାନା ସ୍ଲୋଗାନ ଲେଖାଥିବା ପ୍ଲାକାର୍ଡ ଓ ଲାଲ ପତାକା
ଧରି ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଭଗବତୀ ଭବନଠାରୁ ବାହାରି ଅଶୋକ ନଗର ପରିକ୍ରମା କରି ରାଜମହଲ
ଛକଠାରେ ସମାବେତ ହୋଇଥିଲେ । ବିଶ୍ୱ ଶିକ୍ଷକ ମହାସଂଘ ସଭାପତି ଅମିୟ ମହାନ୍ତି ଓ ଭୁବନେଶ୍ୱର ଯୋନ
ସମ୍ପାଦକ ସୁର ଜେନା ବିକ୍ଷୋଭକାରୀମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଓଡ଼ିଶାରେ ଡବଲ ଇଞ୍ଜିନ
ସରକାର ଆଦାନୀଙ୍କ ଜରିଆରେ ଟ୍ରିପୁଲ୍ ଲୁଟ୍ ଚଳାଇଛି । ଆଦାନୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗରେ ଯୁକ୍ତରାଷ୍ଟ୍ର
ଆମେରିକାର ଏକ ଅଦାଲତ ଗିରଫ ପରୱାନା ଜାରି କରିଛି । ଓଡ଼ିଶାର ମୂଲ୍ୟବାନ ଖଣିଜ ସମ୍ପଦ, ଜମି ଓ
ଗନ୍ଧମାର୍ଦ୍ଦନ ଭଳି ବିରଳ ବିଭବକୁ ଆଦାନୀଙ୍କୁ ଟେକି ଦେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଆଦିବାସୀମାନଙ୍କୁ
ବିସ୍ଥାପନ କରି କୋରାପୁଟ ଜିଲ୍ଲାର ବିସ୍ତୃତ ଖଣିଜ ସମ୍ପଦକୁ ଆଦାନୀଙ୍କୁ ଟେକି ଦିଆଯାଇଛି । ରାଉରକେଲା ଇସ୍ପାତ
କାରଖାନାର ସଂରକ୍ଷିତ ଖଣି, ସୁନ୍ଦରଗଡ଼ ଜିଲ୍ଲାର ତାଳଡିହି ଲୌହପଥର ଖଣିକୁ ଏକ ୨୫ ବର୍ଷିଆ ଦୀର୍ଘମିଆଦି
ରାଜିନାମା କରି ଆଦାନୀ ହସ୍ତଗତ କରିଛି । ଆମେରିକାରେ ଆଦାନୀ କମ୍ପାନୀ ବିରୁଦ୍ଧରେ ଲାଞ୍ଚ କାରବାର ମାମଲାରେ
ଆମ ରାଜ୍ୟ ସରକାରର ଅଫିସରମାନଙ୍କୁ ପ୍ରଭାବିତ କରି ସୌରବିଦ୍ୟୁତ୍ ବିକ୍ରି ପ୍ରସ୍ତାବ ଗୃହୀତ ହୋଇଛି । ଆଦାନୀ
କମ୍ପାନୀର ସୌର ବିଦ୍ୟୁତ୍ ମୂଲ୍ୟ ଅତ୍ୟଧିକ ହେଉଥିବାରୁ ଅଧିକାଂଶ ରାଜ୍ୟ ଆଦାନୀ ପ୍ରସ୍ତାବକୁ ଅଗ୍ରାହ୍ୟ
କରିଥିଲାବେଳେ ଓଡ଼ିଶା ସରକାର ଆଦାନୀ ସହ ଚୁକ୍ତିପତ୍ର ସ୍ୱାକ୍ଷର କରିଛନ୍ତି । ୨୨୦୦ କୋଟି ଟଙ୍କାର ଏହି ଲାଞ୍ଚ
କାରବାରରେ ଓଡ଼ିଶାର କେଉଁ କେଉଁ ଉଚ୍ଚ ପଦାଧିକାରୀ ସମ୍ପୃକ୍ତ ଅଛନ୍ତି ତାହାର ତଦନ୍ତ କରାଯିବା ଆବଶ୍ୟକ ।
ଅନ୍ୟମାନଙ୍କ ମଧ୍ୟରେ ବିକେଏମ୍‌ୟୁର ରାଜ୍ୟ ସହସମ୍ପାଦକ ଶଙ୍କର୍ଷଣ ବାରିକ, ନାରୀ ନେତ୍ରୀ ନମିତା
ସାହୁ, କୈଳାସ ପୁହାଣ, ସୁଷମା ଭୋଇ, ଶ୍ରମିକ ନେତା ପଞ୍ଚାନନ ସାହୁ, ପ୍ରଶାନ୍ତ ବେହେରା, ଛେତମ୍ବର ଭୋଇ,
ଉଗ୍ରସେନ ଦାସ ପ୍ରମୁଖ ଏହି ବିକ୍ଷୋଭ ଓ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

Leave A Comment

All fields marked with an asterisk (*) are required