Search for:
  • Home/
  • ରାଜ୍ୟ/
  • ଅଗଷ୍ଟ ୨୦ ରେ ଆୟୋଜିତ ହେବ ପଂଚାୟତ ପ୍ରତିନିଧି ସମ୍ମିଳନୀ

ଅଗଷ୍ଟ ୨୦ ରେ ଆୟୋଜିତ ହେବ ପଂଚାୟତ ପ୍ରତିନିଧି ସମ୍ମିଳନୀ

Spread the love

Loading

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ବିରୁଦ୍ଧରେ ନ୍ୟାୟଳୟର ଆଶ୍ରୟ ନେବ କଂଗ୍ରେସ

ଅଗଷ୍ଟ ୨୦ ରେ ଆୟୋଜିତ ହେବ ପଂଚାୟତ ପ୍ରତିନିଧି ସମ୍ମିଳନୀ

ଭୁବନେଶ୍ୱର ତା. ୩.୮- ସଂପ୍ରତି ଓଡ଼ିଶା ସରକାର ଆମ ଓଡ଼ିଶା ନବୀନ ଓଡ଼ିଶା ନାମରେ ଯେଉଁ ଯୋଜନା ଆଣିଛନ୍ତି
ତାହା ସମ୍ବିଧାନ ବିରୋଧି, ପଂଚାୟତ ପ୍ରତିନିଧି ମାନଙ୍କ ପ୍ରତି ଉପହାସ ଓ ପଂଚାୟତ ବ୍ୟବସ୍ଥା ଉପରେ କୁଠାରଘାତ
ବୋଲି ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ପ୍ରବକ୍ତା ତଥା ରାଜୀବ ଗାନ୍ଧୀ
ପଂଚାୟତ ରାଜ ସଂଗଠନର ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ଦାସ ମତବ୍ୟକ୍ତ କରିଛନ୍ତି । ଏହା ବିରୁଦ୍ଧରେ ବିଚାରାଳୟର ଆଶ୍ରୟ
ନେବା ସହିତ ପଂଚାୟତ ପ୍ରତିନିଧି ମାନଙ୍କ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ମାଧ୍ୟମରେ ଏହା ବିରୁଦ୍ଧରେ ଜନମତ ସୃଷ୍ଟି
ପାଇଁ ପ୍ରୟାସ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।
୭୩ ତମ ସମ୍ବିଧାନ ସଂଶୋଧନ ଆଇନ ପଂଚାୟତର ବିକାଶମୂଳକ କାମରେ ଗ୍ରାମସଭାକୁ ପ୍ରାଧାନ୍ୟ
ଦେଇଛି । ଗ୍ରାମ ସଭାର ବିନା ସୁପାରିଶ ଓ ଅନୁମୋଦନରେ ପଂଚାୟତରେ କୌଣସି କାର୍ଯ୍ୟ ହୋଇ ପାରିବ ନାହିଁ
ବୋଲି ସମ୍ବିଧାନ କହିଛି । ତୃଣମୂଳ ସ୍ତରରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାପାଇଁ ପଂଚାୟତ ବ୍ୟବସ୍ଥାରେ ଫଣ୍ଡ,
ଫଙ୍କସନ ଓ ଫଙ୍କସ୍‌ନାରୀ ବା ଅର୍ଥ, କାର୍ଯ୍ୟକ୍ରମ ଓ କାର୍ଯ୍ୟକର୍ତା ଉପରେ ଗୁରୁତ୍ୱ ସମ୍ବିଧାନ ଦେଇଛି । ମାତ୍ର ଆମ ଓଡ଼ିଶା
ନବୀନ ଓଡ଼ିଶା ଯୋଜନାରେ ଗ୍ରାମ ସଭା, ପଂଚାୟତ ପ୍ରତିନିଧି ଓ ପଂଚାୟତ ବ୍ୟବସ୍ଥାକୁ ଆଦୌ ଗୁରୁତ୍ୱ ଦିଆଯାଇ ନାହିଁ
କିମ୍ବା ଏ ବିଷୟରେ ଗାଇଡଲାଇନରେ କୌଣସି ଯାଗରେ ଉଲ୍ଲେଖ କରାଯାଇ ନାହିଁ । ଏହା ସମ୍ବିଧାନ ପ୍ରତି ଉପହାସ
ବୋଲି ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନର ରାଜ୍ୟ ପ୍ରଭାରୀ ତଥା ଜାତୀୟ ଆବାହକ ଶ୍ରୀ କୁନାଲ ବାର୍ନାଜୀ
ଅଭିଯୋଗ କରିଛନ୍ତି ।
ପ୍ରତି ପଂଚାୟତକୁ ୫୦ଲକ୍ଷ ଟଙ୍କାର ଅନୁଦାନ ଦିଆଯିବ ବୋଲି ଯୋଜନାରେ ଉଲ୍ଲେଖ ଅଛି । ଏଥିରେ
ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସହିତ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ କରାଯିବ ବୋଲି କୁହାଯାଇଛି । ମାତ୍ର
ଏହାକୁ କାର୍ଯ୍ୟକାରି କରିବା କ୍ଷେତ୍ରରେ ପଂଚାୟତି ରାଜ ସଂସ୍ଥା ଓ ପଂଚାୟତ ପ୍ରତିନିଧି ମାନଙ୍କୁ ସଂଶ୍ଳିଷ୍ଟ କରାନଯିବା
ପଂଚାୟତ ପ୍ରତିନିଧି ମାନଙ୍କ ପ୍ରତି ଉପହାସ । ଯେଉଁ ସରପଂଚ ମାନଙ୍କୁ କରୋନା ସମୟରେ ମୁଖ୍ୟମନ୍ତ୍ରୀ କଲେକ୍ଟର
ବନେଇଥିଲେ ସେମାନେ ଏବେ ତାଙ୍କ ପଂଚାୟତରେ ରୂପାୟନ ହେବାକୁ ଥିବା ଯୋଜନାରେ ଭାଗିଦାର ହେବାର
ସୁଯୋଗ ନପାଇବା ଦୁର୍ଭାଗ୍ୟଜନକ । ଯୋଜନାର ଗାଇଡଲାଇନ ମୁତାବକ ପଂଚାୟତ ସମିତି ପ୍ରକଳ୍ପ ଗୁଡ଼ିକର ରୂପାୟନ
କରିବେ ବୋଲି ଉଲ୍ଲେଖ ଥିଲେ ମଧ୍ୟ ଏସବୁ ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେବ ଏବଂ ଏହାର ଚୂଡ଼ାନ୍ତ ନିଷ୍ପତି
ଜିଲ୍ଳାପାଳମାନେ ନେବେ ବୋଲି ନିର୍ଦ୍ଦେଶ ରହିଛି । ଅର୍ଥାତ ଏଠାରେ ତ୍ରିସ୍ତରୀୟ ପଂଚାୟତ ବ୍ୟବସ୍ଥା ପ୍ରତି ଉପହାସ
କରାଯାଇଛି ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ସଂଗଠନ ତରଫରୁ ଅଭିଯୋଗ କରାଯାଇଛି ।
ଏହା ବିରୁଦ୍ଧରେ ଓଡ଼ିଶାର ମାନ୍ୟବର ହାଇକୋର୍ଟର ଦ୍ୱାରସ୍ଥ ହେବ ରାଜୀବ ଗାନ୍ଧୀ ପଂଚାୟତ ରାଜ
ସଂଗଠନ । ଏହା ସହିତ ଆସନ୍ତା ଅଗଷ୍ଟ ୨୦ ତାରିଖ ରାଜୀବ ଗାନ୍ଧୀଙ୍କ ଜନ୍ମଜୟନ୍ତୀ ଅବସରରେ ଏକ ରାଜ୍ୟସ୍ତରୀୟ
ପଂଚାୟତ ପ୍ରତିନିଧି ସମ୍ମିଳନୀ ମଧ୍ୟ ଆୟୋଜିତ ହେବ । ଦଳୀୟ ରାଜନୀତିରୁ ଉର୍ଦ୍ଧରେ ରହି ଓଡ଼ିଶାର ସମସ୍ତ ପଂଚାୟତ
ପ୍ରତିନିଧି ମାନେ ଏ ସମ୍ମିଳନୀରେ ଯୋଗଦେଇ ଏହାକୁ ସଫଳ କରିବାପାଇଁ ଆଜି ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ
ଦିଆଯାଇଛି । ପଂଚାୟତ ପ୍ରତିନିଧି ମାନେ ସେମାନଙ୍କର ସମ୍ବିଧାନ ପ୍ରଦତ ଅଧିକାରକୁ ସାବ୍ୟସ୍ତ କରିବାପାଇଁ ରାସ୍ତାକୁ
ଓହ୍ଲାଇବାକୁ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ ଓ ଶ୍ରୀ ବାର୍ନାଜୀଙ୍କ
ବ୍ୟତିତ ପୂର୍ବତନ ବିଧାୟକ ଶ୍ରୀ ଉମାବଲ୍ଲଭ ରଥ, ବିସ୍ମୟ ମହାପାତ୍ର ଓ ଶ୍ରୀ ନିରଦ ବରଣ ଖୁଂଟିଆ ପ୍ରମୁଖ ଉପସ୍ଥିତ
ଥିଲେ ।

Leave A Comment

All fields marked with an asterisk (*) are required