ଆର.ଆଇ, ଅମିନ ଏବଂ ଅନ୍ୟାନ୍ୟ ପଦବୀ ପରୀକ୍ଷା ପୁନର୍ବାର କରିବାକୁ ଛାତ୍ର କଂଗ୍ରେସର ଦାବି
ଆର.ଆଇ, ଅମିନ ଏବଂ ଅନ୍ୟାନ୍ୟ ପଦବୀ ପରୀକ୍ଷା ପୁନର୍ବାର କରିବାକୁ ଛାତ୍ର କଂଗ୍ରେସର ଦାବି
ଭୁବନେଶ୍ୱର, ୧୩.୧୧ : ଓଡ଼ିଶା ସବ୍ ଅର୍ଡ଼ିନେଟ ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ଆର.ଆଇ., ଅମିନ, ଆସିଷ୍ଟା ଆର.ଆଇ, ଏସ୍.ଏଫ୍.ଏସ୍, ଆଇ.ସି.ଡି.ଏସ୍ ପରୀକ୍ଷା ପରିଚାଳନା ପାଇଁ ସିଫି ଟେକ୍ନୋଲୋଜିକୁ ଦାୟିତ୍ୱ ଦିଆଯାଇଥିଲା । ଏଥିରେ ବ୍ୟାପକ ଅନିୟମିତତା ହୋଇଛି ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବୁଧବାର ଦିନ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ୍ ପ୍ରଧାନ ଅଭିଯୋଗ କରିଛନ୍ତି ଯେ, ସିଫି ଟୋକ୍ନୋଲୋଜି ଏକ କଳା ତାଲିକାଭୁକ୍ତ ସଂସ୍ଥା ହୋଇଥିବା ବେଳେ କେଉଁ ପରିସ୍ଥିିତିରେ ଏହି ସଂସ୍ଥାକୁ ଓଡ଼ିଶା ସରକାରଙ୍କର ଉପରୋକ୍ତ ପଦବୀ ପୂରଣ ପାଇଁ ଚୟନ ଦାୟିତ୍ୱ ଅର୍ପଣ କରାଯାଇଥିଲା । ଏହି ସଂସ୍ଥା ଦ୍ୱାରା ଚୟନ ପାଇଁ ଯେଉଁ କରାଯାଇଥିଲା, ଏଠାରେ ଅଭିଯୋଗ ହେଉଛି ଯେ, ବହୁ ପରୀକ୍ଷା କେନ୍ଦ୍ର ଅତି ନିମ୍ନମାନର ଥିଲା । ପରୀକ୍ଷା ସରିବା ପରେ ମଧ୍ୟ ସମାନ ପ୍ରଶ୍ନ ପତ୍ର ଦିଆଯାଇ ପୁନର୍ବାର ପରୀକ୍ଷା କରାଯାଇଥିଲା । ବୌଦ୍ଧରେ ନକଲି ପରୀକ୍ଷା କେନ୍ଦ୍ର ମାଲିକ ଗିରଫ ହେବା ପରେ ମଧ୍ୟ ସରକାରଙ୍କ ଚେତା ପଶିନାହିଁ । ସରକାର ଏହି ଘଟଣାକୁ ଚାପି ଦେବା ପାଇଁ ଅପଚେଷ୍ଟା କରୁଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଯେଉଁ କଳା ତାଲିକାଭୁକ୍ତ ଅନୁଷ୍ଠାନ ସିଫି ଏହି ପରୀକ୍ଷାକୁ ପରିଚାଳନା କରୁଥିଲା, ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସିବିଆଇ ନିଜ ତରଫରୁ ସିଫିର ୧୦ଜଣ କର୍ମଚାରୀଙ୍କ ନାମରେ ମାମଲା ରୁଜୁ କରିଥିଲା । ସୁତରାଂ ଏହି ଅନୁଷ୍ଠାନର ଏଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଚୟନ ପାଇଁ ସ୍ୱଚ୍ଛତା ନଥିବା ସ୍ପଷ୍ଟ ପ୍ରମାଣିତ ହେଉଛି । ମେଧାବୀ ଛାତ୍ରମାନେ ଚଳିତ ସରକାରରେ ସବୁଠାରୁ ଉପେକ୍ଷିତ, ଅତ୍ୟାଚାରିତ ଓ ଅବହେଳିତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ସବୁ ଜାଣି ନୀରବ ରହୁଛନ୍ତି । ବିଶେଷକରି ଷ୍ଟାଫ ସିଲେକ୍ସନ କମିଶନ ପ୍ରତି ଛାତ୍ରଛାତ୍ରୀମାନଙ୍କର ଆଉ ବିଶ୍ୱାସ ରହୁନାହିଁ । ଏହି ଅନୁଷ୍ଠାନ ନଖରୁ ଶିଖ ପର୍ଯ୍ୟନ୍ତ ଦୁର୍ନୀତି ମାଡ଼ିଯାଇଛି । ପୂର୍ବରୁ ଏହି ସରକାରୀ ଅନୁଷ୍ଠାନ ଦ୍ୱାରା ସରକାରୀ ଚାକିରି ବିକ୍ରିୟ ହେଉଥିବାର ଚର୍ଚ୍ଚା ହୋଇଥିଲା ।
ବିଶେଷକରି ରେଭିନ୍ୟୁ ଇନିସ୍ପେକ୍ଟର ଏବଂ ଅନ୍ୟାନ୍ୟ ପଦବୀର ପରୀକ୍ଷାର୍ଥୀମାନେ ଏହି ଅନିୟମିତତା ବିରୁଦ୍ଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିଥିଲେ ମଧ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ହୁଏତ ଏହି ସରକାରୀ ଚାକିରିକୁ ବିକ୍ରି କରିବା ପାଇଁ ସରକାର ଷଡ଼ଯନ୍ତ୍ର କରୁଥାଇ ପାରନ୍ତି ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ପରୀକ୍ଷାକୁ ବାତିଲ୍ କରାଯାଇ, ପୁନର୍ବାର ଗୋଟିଏ ଦିନରେ, ଗୋଟିଏ ସମୟରେ ଏବଂ ଗୋଟିଏ ପ୍ରଶ୍ନପତ୍ରରେ ସ୍ୱଚ୍ଛତାର ସହ ସମଗ୍ର ପରୀକ୍ଷାକୁ ସମ୍ପାଦନ କରିବା ପାଇଁ ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଯାହାଫଳରେ ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ବଜାୟ ରହିବ । ସରକାର ଯଦି ଏହି ଅନିୟମିତତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଛାତ୍ର କଂଗ୍ରେସର ଦାବିକୁ ବିଚାରକୁ ନ ନିଅନ୍ତି, ତେବେ ଛାତ୍ରକଂଗ୍ରେସ ଏହି ପରୀକ୍ଷାର୍ଥୀଙ୍କ ଆନ୍ଦୋଳନରେ ସାମିଲ୍ ହୋଇ ଆନ୍ଦୋଳନକୁ ତୀବ୍ରତର କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ୟାସିର ନୱାଜ, ମନୋଜ ବିଶ୍ୱାଳ, ରଣଜିତ ପାତ୍ର, ନିହାର ବେହେରା ଓ ସୌମ୍ୟରଞ୍ଜନ ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।