ଦ୍ଵିତୀୟ ବୁଦ୍ଧ ଗୁରୁ ପଦ୍ମସମ୍ଭଵ ଙ୍କ ଉପରେ ପ୍ରଥମ ଜୀବନୀ ପୁସ୍ତକ ଲୋକାର୍ପିତ –
ଦ୍ଵିତୀୟ ବୁଦ୍ଧ ଗୁରୁ ପଦ୍ମସମ୍ଭଵ ଙ୍କ ଉପରେ ପ୍ରଥମ ଜୀବନୀ ପୁସ୍ତକ ଲୋକାର୍ପିତ –
ଭୁବନେଶ୍ୱର ତା 24/01- ମହା ବୋଧି ସୋସାଇଟି ଅଫ ଇଣ୍ଡିଆ , ଓଡିଶା ଶାଖା ପକ୍ଷରୁ ବୁଦ୍ଧ ମନ୍ଦିର ସଭା ଗୃହରେ ବିଶ୍ୱରେ ଦ୍ଵିତୀୟ ବୁଦ୍ଧ ଭାବେ ପରିଚିତ ଗୁରୁ ପଦ୍ମସମ୍ଭଵଙ୍କ ଉପରେ ପ୍ରଥମ ସ୍ୱୟଂସମ୍ପୂର୍ଣ୍ଣ ଜୀବନୀ ପୁସ୍ତକ ଲୋକାର୍ପିତ ହୋଇଯାଇଛି I ବିଶିଷ୍ଠ ଗବେଷକ ତଥା ପୁସ୍ତକର ଲେଖକ ଶ୍ରୀ ପ୍ରବୀର କୁମାର ପଟ୍ଟନାୟକ ଗୁରୁ ପଦ୍ମସମ୍ଭଵଙ୍କ ଜନ୍ମସ୍ଥାନ ଓଡିଶା ବୋଲି ପ୍ରାମାଣିକ ତଥ୍ୟ ଆଧାର ସହ ବଳିଷ୍ଠ ଯୁକ୍ତି ଉପସ୍ଥାପନା କରିଥିଲେ I ପୌରୁଷ ପତ୍ରିକା ସମ୍ପାଦକ ତଥା ବିଶିଷ୍ଠ ସାହିତ୍ୟିକ/ ଗବେଷକ ଡ଼ଃ ଅସିତ ମହାନ୍ତି ପୁସ୍ତକର ସମୀକ୍ଷା କରି ଶ୍ରୀ ପ୍ରବୀର ପଟ୍ଟନାୟକଙ୍କ ତଥ୍ୟ ପ୍ରମାଣ ଗୁରୁ ପଦ୍ମସମ୍ଭଵଙ୍କ ଜନ୍ମସ୍ଥାନ ଓଡ଼ିଶାରେ ହୋଇଥିବାର ସତ୍ୟତା ପ୍ରତିପାଦିତ କରିଛି ବୋଲି ଦର୍ଶାଇଥିଲେ I ସଭାରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଦୈନିକ ସକାଳ ଖବରକାଗଜର ସମ୍ପାଦକ ତଥା ଭାରତ ପ୍ରଧାନ ମନ୍ତ୍ରୀଙ୍କ ପୂର୍ବତନ ମିଡ଼ିଆ ପରାମର୍ଶଦାତା ଡଃ ଉମାକାନ୍ତ ମିଶ୍ର ଗୁରୁ ପଦ୍ମସମ୍ଭଵ ଦଳାଇ ଲାମାଙ୍କ ଆଦି ଗୁରୁ ତଥା ବିଶ୍ୱରେ ଲାମା ସମ୍ପ୍ରଦାୟର ପ୍ରବର୍ତ୍ତକ ବୋଲି ଅଭିହିତ କରିଥିଲେ I ସେ କହିଥିଲେ ଯେତେବେଳ ଭାରତରୁ ବୁଦ୍ଧ ଧର୍ମ ଲୋପ ପାଇ ଆସୁଥିଲା ସେତେବେଳେ ଗୁରୁ ପଦ୍ମସମ୍ଭଵ ହିମାଳୟ ପାଦଦେଶରେ ଅବସ୍ଥିତ ତିବ୍ବତ , ଭୁଟାନ , ସିକିମ ଠାରୁ ଦାର୍ଜିଲିଂ ପର୍ଯ୍ୟନ୍ତ ତଥା ଚିନ , ମଙ୍ଗୋଲିଆ ରେ ବୁଦ୍ଧ ଧର୍ମକୁ ପ୍ରତିଷ୍ଠା କରିଥିଲେ I ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ମହା ବୋଧି ସୋସାଇଟି ଓଡିଶା ଶାଖା ସଭାପତି ଶ୍ରୀ ନରେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ମହା ବୋଧି ସୋସାଇଟିର ଟ୍ରଷ୍ଟି ଡଃ ଷୌରେନ୍ଦ୍ର କୁମାର ମହାପାତ୍ର ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିଲେ ଓ଼ ନିର୍ବାହୀ ସଭ୍ୟ ଡଃ କରୁଣାକର ପ୍ରଧାନ ଧନ୍ୟବାଦ ଦେଇଥିଲେ I ଉକ୍ତ ସଭାରେ ଓଡ଼ିଶାର ବହୁ ବୁଦ୍ଧିଜୀବୀ, ଗବେଷକ, ସାହିତ୍ୟିକ ଓ଼ ଲେଖକମାନେ ଯୋଗ ଦେଇଥିଲେ I ଗୁରୁ ପଦ୍ମସମ୍ଭବଙ୍କ ଉପରେ ପ୍ରଥମ ଗବେଷଣା ଭିତ୍ୱିକ ପୁସ୍ତକ ଉପସ୍ଥାପନା ପାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଡଃ ବିମଳେନ୍ଦୁ ମହାନ୍ତିଙ୍କୁ ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା I