Search for:

ବନମାଳୀ ଦାସ ସ୍ମାରକୀ ବତ୍କୃତା

Spread the love

Loading

କୃଷକ-କୃଷି ସଙ୍କଟ ଏକ ବ୍ୟବସ୍ଥାଗତ ସଙ୍କଟ ରେ ପରିଣତ ହୋଇଛି, ବନମାଳୀ ଦାସ ସ୍ମାରକୀ ବତ୍କୃତା ରେପ୍ରଫେସର ଆର୍ ରାମ କୁମାରଙ୍କ ମତ ପ୍ରକାଶ

ଭୁବନେଶ୍ୱର:ଐତିହାସିକ ନୀଳଗିରି ପ୍ରଜା ଆନ୍ଦୋଳନ ର ଅନ୍ୟତମ ଯୋଦ୍ଧା,ପ୍ରଖ୍ୟାତ କମ୍ୟୁନିଷ୍ଟ ନେତା,ପୂର୍ବତନ ବିଧାୟକ,ସି ପି ଆଇ(ଏମ୍) ଓଡିଶା ରାଜ୍ୟ କମିଟି ର ପ୍ରଥମ ରାଜ୍ୟ ସମ୍ପାଦକ ପ୍ରୟାତ ଜନନେତା କମ୍ରେଡ ବନମାଳୀ ଦାସଙ୍କ ୧୦୭ତମ ଜୟନ୍ତୀ ଅବସରରେ କମ୍ରେଡ ବନମାଳୀ ଦାସ ସ୍ମାରକୀ ବତ୍କୃତାମାଳା କାର୍ଯକ୍ରମ ଭୁବନେଶ୍ଵର ଲୋହିଆ ଏକାଡେମୀ ରେ ଗତକାଲି ଅନୁଷ୍ଠିତ ହୋଇ ଯାଇଛି।
“ଭାରତରେ କୃଷକ- କୃଷି ର ସଙ୍କଟ”
The Crisis of peasant-agriculture in india” ଆୟୋଜିତ ବିଷୟ ଉପରେTISS ମୁମ୍ବାଇ ର ଅର୍ଥନୀତି ବିଭାଗ ର ପ୍ରଫେସର ଆର.ରାମ କୁମାର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ବନମାଳୀ ଦାସ ସ୍ମୃତି କମିଟି ତରଫରୁ ଆୟୋଜିତ ଏହି ଆଲୋଚନା ସଭାରେ ସି ପି ଆଇ(ଏମ୍) ର ବରିଷ୍ଠ ନେତା ତଥା ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ଜନାର୍ଦ୍ଦନ ପତି ଏବଂ ସିପିଆଇ ରାଜ୍ୟ ସମ୍ପାଦକ ଆଶୀଷ କାନୁନଗୋ ସମ୍ମାନୀୟ ବକ୍ତା ଭାବରେ ବକ୍ତବ୍ୟ ରଖିଥିଲେ। ସି ପି ଆଇ(ଏମ୍) ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଏହି ସ୍ମାରକୀ ବତ୍କୃତା ସଭାରେ ସଭାପତିତ୍ବ କରିଥିଲେ।
ସି ପି ଆଇ(ଏମ୍) ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ସ୍ମାରକୀ ବତ୍କୃତା ର ପ୍ରାକ୍ ସୂଚନା ଦେଇଥିଲେ। ଉର୍ମିବାଳା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ଯ ରେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ମଞ୍ଚାସୀନ ଥିଲେ। ଏହି ସଭାରେ ବହୁ ସାଥୀ,ବନ୍ଧୁ ଏବଂ ଶୁଭେଛୁ ମାନେ ରେ ଉପସ୍ଥିତ ଥିଲେ ।

ଭାରତ ରେ କୃଷକ- କୃଷି ର ସଙ୍କଟ ଉପରେ ଆଲୋକପାତ କରି ପ୍ରଫେସର ରାମ କୁମାର କହିଲେ ଯେ ସ୍ୱାଧୀନତା ପରେ ଜମିଦାରୀ ବ୍ୟବସ୍ଥା ବିଲୋପ କରାଗଲା ନାହିଁ।ଗରୀବ ଭୂମିହୀନ ମାନଙ୍କ ମଧ୍ୟ ରେ ଭୂମି ସଂସ୍କାର କରି ଜମି ବଣ୍ଟନ ହେଲା ନାହିଁ। ସରକାରୀ ପ୍ରାୟୋଜିତ ପୁଞ୍ଜିବାଦୀ କୃଷି ବ୍ୟବସ୍ଥା ର ବିକାଶ କରାଗଲା। ୧୯୯୦ ମସିହା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା କାଏମ ରହିଲା। ଏହି ସମୟ ରେ କୃଷି କ୍ଷେତ୍ର ରେ ବିକାଶ ପାଇଁ କିଛି ପଦକ୍ଷେପ ନିଆଯାଇଥିଲେ ସୁଦ୍ଧା ଏହାର ସିଂହ ଭାଗ ସୁବିଧା ପୁଞ୍ଜିପତି କୃଷକ ଏବଂ ଧନୀ କୃଷକ ମାନେ ପାଇଲେ। କୋଟି କୋଟି କୃଷକ ମାନଙ୍କ ଉପରେ ନିର୍ଭରଶୀଳ ଭାରତୀୟ କୃଷି ବ୍ୟବସ୍ଥା ସଙ୍କଟ ମଧ୍ୟ କୁ ଚାଲିଗଲା। ଏଥିରୁ ମୁକୁଳିବା ପାଇଁ ତତ୍କାଳୀନ ଭାରତ ସରକାର ବାସ୍ତବ ବିକଳ୍ପ ବ୍ୟବସ୍ଥା ଗ୍ରହଣ କଲେ ନାହିଁ। ବରଂ ୧୯୯୧ ମସିହାରେ ଅର୍ଥାତ୍ ଦ୍ଵିତୀୟ ପର୍ଯ୍ୟାୟରେ ନବ୍ୟ ଉଦାରବାଦ ଅର୍ଥନୀତି ଜରିଆରେ ଘରୋଇକରଣ, ଉଦାରୀକରଣ ଏବଂ ଜଗତୀକରଣ ର ଜାଲ ଭିତରେ କୃଷି ବ୍ୟବସ୍ଥା ଆହୁରି ସଙ୍କଟଗସ୍ତ ହେଲା।
ରାଷ୍ଟ୍ର ପ୍ରାୟୋଜିତ ପୁଞ୍ଜିବାଦୀ ଆର୍ଥିକ ବ୍ୟବସ୍ଥା ରୁ ସମ୍ପୂର୍ଣ୍ଣ ବଜାର ନିୟନ୍ତ୍ରିତ ମୁକ୍ତ ବଜାର ଅର୍ଥନୀତି ଦ୍ଵାରା ଚାଷୀ ମାନେ ଅଧିକ ଋଣ ଗ୍ରସ୍ତ ହେଲେ।
ସରକାର ନିଜର କୃଷକ କଲ୍ୟାଣ ଦାୟୀତ୍ଵ ରୁ ସମ୍ପୂର୍ଣ୍ଣ ଭାବେ ଓହରିବା ନୀତି ଗ୍ରହଣ କଲେ।
ଡବ୍ଲ ଟି ଓ ସହିତ ରାଜିନାମା ଦ୍ଵାରା ଭାରତର କୃଷିଜାତ ଦ୍ରବ୍ୟର ବଜାର ମୂଲ୍ୟ କମିବାରେ ଲାଗିଲା। ଉତ୍ପାଦନ ବୃଦ୍ଧି ର ଦ୍ୱାହି ଦେଇ କୃଷି ଉତ୍ପାଦନ ଖର୍ଚ୍ଚ ଅହେତୁକ ଭାବେ ବୃଦ୍ଧି ପାଇଲା। ବୃହତ୍ ବହୁ ରାଷ୍ଟ୍ରୀୟ କମ୍ପାନୀ ମାନେ ବିହନ,ସାର,ଔଷଧ, ଇତ୍ୟାଦି ବ୍ୟବସାୟ କୁ ଅକ୍ତିଆର କଲେ। ପାଣି କାରବାର ଉପରେ ଏକଚାଟିଆ ଅଧିକାର ଜାହିର କଲେ। ଏହାର ପରିଣାମ ସ୍ବରୂପ ବିଗତ ୩୦ବର୍ଷ ମଧ୍ୟ ରେ ବ୍ୟବସ୍ଥାଗତ ସଙ୍କଟ ଯୋଗୁଁ ୩ ଲକ୍ଷ ରୁ ଉର୍ଦ୍ଧ୍ବ ଚାଷୀ ଆତ୍ମହତ୍ୟା କରିଛନ୍ତି। ନୂତନ ଜମିଦାର ଶ୍ରେଣୀ ସୃଷ୍ଟି ହୋଇଛନ୍ତି। ଜମିହୀନ ଙ୍କ ସଂଖ୍ୟା ବୃଦ୍ଧି ପାଇଛି। ମାଇକ୍ରୋ ଫାଇନାନ୍ସ ଏବଂ ଘରୋଇ ମହାଜନୀ କାରବାର ଜରିଆରେ ସାହୁକାର ବ୍ୟବସ୍ଥା ପୁଣି ଫେରିଛି। କୃଷକ- କୃଷିର ଏହି ସଙ୍କଟ ପର୍ଯ୍ୟାୟ ହେଉଛି ସବୁଠାରୁ ଅଧିକ ଉଦବେଗଜନକ ଏବଂ ନିୟନ୍ତ୍ରଣ ଭିତରେ ନାହିଁ।

୨୦୧୪ ରେ ନରେନ୍ଦ୍ର ମୋଦୀ ସରକାର କ୍ଷମତାସୀନ ହେଲାପରେ କୃଷି ବ୍ୟବସ୍ଥା ଆହୁରି ବିପର୍ଯ୍ୟୟ ଭିତରକୁ ଯାଇଛି ବୋଲି ରାମକୁମାର କହିଥିଲେ।
ମୋଦି ସରକାର କୃଷି ର କର୍ପୋରେଟକରଣ ପାଇଁ ତିନୋଟି ଧ୍ୱଂସକାରୀ ଆଇନ୍ ପ୍ରଣୟନ କରିଥଲେ। ମାତ୍ର କୃଷକ ମାନଙ୍କର ଐତିହାସିକ ମିଳିତ ସଂଗ୍ରାମ ଯୋଗୁଁ ସରକାର ଆଇନ ପ୍ରତ୍ୟାହାର କରିବା ପାଇଁ ବାଧ୍ୟ ହୋଇଥିଲେ । କିନ୍ତୁ ଆମକୁ ମନେ ରଖିବାକୁ ହେବ ଯେ ନୀତିଗତ ଭାବରେ ସରକାର ଏହି ନୀତି ଏବଂ ଆଭିମୁଖ୍ୟ ରୁ ଓହରି ନାହାଁନ୍ତି। କୃଷି ଋଣ ଛାଡ, ଚାଷୀଙ୍କ ଆୟ ଦୁଇଗୁଣ ବୃଦ୍ଧି କରିବା, ଏମ୍ ଏସ ସ୍ବାମୀନାଥନ୍ କମିଶନ ଜାତୀୟ କୃଷକ କମିଶନ ସୁପାରିଶ କୁ ଲାଗୁ କରିବା ଇତ୍ୟାଦି ପ୍ରତିଶ୍ରୁତି ଗୁଡିକୁ ମୋଦୀ ସରକାର ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି। ଆଦାନୀ, ଅମ୍ବାନୀ ଭଳି ବୃହତ୍ କମ୍ପାନୀ ମାନଙ୍କୁ ସରକାର ସମସ୍ତ ସୁବିଧା ଏବଂ ପ୍ରୋତ୍ସାହନ ଦେଇ ଚାଲିଛନ୍ତି। ୟୁ ପି ଏ-୧ ସରକାର ସମୟ ରେ ହେଇଥିବା ଜଙ୍ଗଲ ଜମି ଅଧିକାର ଆଇନ୍,
‘ମନରେଗା’ଆଇନ୍,ଜମି ଅଧିଗ୍ରହଣ,ଥଇଥାନ ଏବଂ ପୁନର୍ବାସ ଆଇନ୍ ଇତ୍ୟାଦି କୁ ଅକାମୀ କରିବା ପାଇଁ ଯୋଜନା କରି କାର୍ଯ୍ୟକାରୀ କରୁଛନ୍ତି।
ଏହି ସର୍ବନାଶକାରୀ କୃଷି ନୀତି ବିରୋଧରେ କୃଷକ ମାନଙ୍କର ପ୍ରଭାବୀ ଆନ୍ଦୋଳନ ଏବଂ ସୁଦୃଢ଼ ସଂଗଠନ ଜରିଆରେ ହିଁ ଜନବାଦୀ କୃଷି ନୀତି ପାଇଁ ସଂଘର୍ଷ ଜାରି ରଖିବାକୁ ହେବ। ସାମ୍ପ୍ରଦାୟିକ-ଫାଶୀ ବାଦୀ ଶାସନ ବିରୋଧ ରେ ବାମପନ୍ଥୀ ମାନେ ହିଁ ଏକ ଶକ୍ତିଶାଳୀ ଗଣତାନ୍ତ୍ରିକ ଆନ୍ଦୋଳନ ଗଢ଼ିବା ପାଇଁ ସକ୍ଷମ ହେବେ ବୋଲି ସେ ଆହ୍ୱାନ ଦେଇଥିଲେ।
କମ୍ରେଡ ବନମାଳୀ ଦାସ ପ୍ରଜା ଆନ୍ଦୋଳନ ର ନେତା ଭାବରେ ଏବଂ କୃଷକ ଆନ୍ଦୋଳନ ର ଯୋଦ୍ଧା ଭାବେ ଯେଉଁ ସଂଘର୍ଷ କରିଥିଲେ ସେହି ଅମ୍ଳାନ ସ୍ମୃତି ଆଜିର ସଂଘର୍ଷ କୁ ଆଗେଇ ନେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥଲେ।

ଏହି ଆଲୋଚନା ସଭାରେ ବିଶିଷ୍ଟ ବାମପନ୍ଥୀ ନେତା ଜନାର୍ଦ୍ଦନ ପତି କହିଲେ ଯେ ଭାରତବର୍ଷ ର ନିର୍ଦ୍ଦିଷ୍ଟ ପରିସ୍ଥିତି ରେ ସୁଦୃଢ଼ କୃଷକ ଆନ୍ଦୋଳନ ବ୍ୟତୀତ ଗଣତାନ୍ତ୍ରିକ ବିପ୍ଳବ ସମ୍ଭବ ନୁହେଁ। କୃଷକ ଆନ୍ଦୋଳନ କୁ ଶକ୍ତିଶାଳୀ କରିବା ପାଇଁ ଭାରତର ଶ୍ରମିକ ଶ୍ରେଣୀ ତା’ର ଐତିହାସିକ ଦାୟୀତ୍ଵ ପାଳନ କରିବାକୁ ପଡ଼ିବ। ଶ୍ରମିକ ଶ୍ରେଣୀ ନେତୃତ୍ୱ ରେ କୃଷକ ଆନ୍ଦୋଳନ ର ସୁଦୃଢ଼ ମୈତ୍ରୀ ରେ ଭବିଷ୍ୟତ ପାଇଁ ହୋଇଥିବା ପରିକଳ୍ପନା କୁ କାର୍ଯ୍ୟକାରୀ କରିବା ଆଜି ର ଆହ୍ୱାନ। ଓଡ଼ିଶାର ଇତିହାସ ରେ ବନମାଳୀ ଦାସ ଜଣେ ଧିଶକ୍ତି ସମ୍ପନ୍ନ ଜନନେତା ଥିଲେ। ପ୍ରଜା ଆନ୍ଦୋଳନ ଏବଂ କୃଷକ ଆନ୍ଦୋଳନ ରେ ତାଙ୍କର ଅନନ୍ୟ ଅବଦାନ ଏବଂ ଅମ୍ଳାନ ସ୍ମୃତି ଉତ୍ତର ପୀଢ଼ି ପାଇଁ ଏକ ପ୍ରେରଣାଦାୟୀ ଇତିହାସ।
କର୍ପୋରେଟ କବଳରୁ କୃଷି ଏବଂ କୃଷକ ବ୍ୟବସ୍ଥା କୁ ରକ୍ଷା କରିବା ପାଇଁ ଆଜିର ପରିସ୍ଥିତି ରେ ସବୁଠାରୁ ବଡ କର୍ତ୍ତବ୍ୟ ବୋଲି ସେ କହିଥିଲେ।
ସି ପି ଆଇ ର ରାଜ୍ୟ ସମ୍ପାଦକ ଆଶୀଷ କାନୁନଗୋ
କହିଲେ ଯେ ସାଂପ୍ରତିକ ପରିସ୍ଥିତି ରେ କୃଷକ ମାନଙ୍କର ଜ୍ୱଳନ୍ତ ଏବଂ ଗମ୍ଭୀର ସମସ୍ୟା କୁ ଆଧାର କରି କୃଷକ ଆନ୍ଦୋଳନ କୁ ଆଗେଇ ନେବା ପାଇଁ କାର୍ଯ୍ୟ କରିବାକୁ ହେବ। ସଂଯୁକ୍ତ କିଶାନ ମୋର୍ଚ୍ଚା ନେତୃତ୍ୱ ରେ ହୋଇଥିବା ଐତିହାସିକ କୃଷକ ଆନ୍ଦୋଳନ ରୁ ଶିକ୍ଷା ନେଇ ଓଡିଶାରେ କୃଷକ ଆନ୍ଦୋଳନକୁ ସୁଦୃଢ଼ କରି ପାରିଲେ କମ୍ରେଡ଼ ବନମାଳୀ ଦାସଙ୍କ ପରି ମହାନ୍ ସଂଗ୍ରାମୀଙ୍କ ପ୍ରତି ଯଥୋଚିତ ସମ୍ମାନ ହେବ ବୋଲି ସେ ଆହ୍ୱାନ
କହିଥିଲେ। ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟ ରେ
ସର୍ଵଶ୍ରୀ ଦୁଷ୍ମନ୍ତ କୁମାର ଦାଶ, ପୁଷ୍ପା ଦାଶ, ଯମେଶ୍ୱର ସାମନ୍ତରାୟ, ବଦ୍ରି ନାରାୟଣ ଦାଶ, ବସନ୍ତ ମାଝୀ,ଦେବୀ ପ୍ରସନ୍ନ ପଟ୍ଟନାୟକ, ସ୍ୱାଧୀନାନନ୍ଦ ପଟ୍ଟନାୟକ, ସୁମିତ୍ରା ପଟେଲ,ବସନ୍ତ ମଲ୍ଲିକ, ବିଜୟ କୁମାର ବହିଦାର, ସୁରେନ୍ଦ୍ର କୁମାର ଜେନା, ରବି ନାରାୟଣ ମଲ୍ଲିକ, ସୁବାସ ମଙ୍ଗରାଜ, ଅନନ୍ତ ମଙ୍ଗରାଜ, ଜଗନ୍ନାଥ ଦେଓ, ଲୋଭାକାନ୍ତ ସ୍ଵାଇଁ, ସାଲ ମାର୍ଣ୍ତୀ,ବିଶ୍ୱପ୍ରିୟ କାନୁନ ଗୋ, ନରେନ୍ଦ୍ର ମହାନ୍ତି ,ପ୍ରମିଳା ବେହେରା, ମୀନା ପ୍ରଧାନ, ସ୍ଵୟଂପ୍ରଭା ପାଢ଼ୀ,ଉଲ୍ଲାସ ସ୍ଵାଇଁ, ପ୍ରଦୀପ୍ତ ନାୟକ, ରମେଶ ଜେନା, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ସରୋଜ ନାୟକ, ଯତୀନ ମହାନ୍ତି,ପ୍ରଭାସ ଷେଣ୍ଢ, ସୁଶୀଲ ଗିରି, ପ୍ରଭାତ ପାଣିଗ୍ରାହୀ, ବିନୋଦ ଦାସ, ଚାମ୍ବୁରୁ ସୋରେନ ପ୍ରମୁଖ ସକଳ ସ୍ତରର ବନ୍ଧୁ ମାନେ ଯୋଗ ଦେଇଥିଲେ।

Leave A Comment

All fields marked with an asterisk (*) are required