ନିର୍ବାଚନମଣ୍ଡଳୀଗୁଡ଼ିକରେ ଏଥର ଜମିବ ପ୍ରଚାର.
ଏଥର ଜମିବ ପ୍ରଚାର..ଆରମ୍ଭ କରିବେ ନବୀନ..ଆଗପଛ ହୋଇ ଆସିବେ ଶାହା, ରାହୁଲ, ମୋଦି, ପ୍ରିୟଙ୍କା…
ଭୁବନେଶ୍ୱର : ସାଧାରଣ ନିର୍ବାଚନ ନେଇ ଓଡ଼ିଶା ରାଜନୈତିକ ପାଣିପାଗ ଆହୁରି ଗରମ ହେବାକୁ ଯାଉଛି। ଆଉ ଦୁଇ ଦିନ ପରେ ଦେଶ ଓ ରାଜ୍ୟର ଶୀର୍ଷ ନେତାମାନେ ବିଭିନ୍ନ ଅଞ୍ଚଳରେ ଆନୁଷ୍ଠାନିକ ପ୍ରଚାର କାର୍ଯ୍ୟ ଆରମ୍ଭ କରିବେ। ଏହି କ୍ରମରେ ବିଜେଡିରୁ ନବୀନ ପଟ୍ଟନାୟକ, ବିଜେପିରୁ ନରେନ୍ଦ୍ର ମୋଦି ଓ ଅମିତ ଶାହା , କଂଗ୍ରେସରୁ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କ ପ୍ରଚାର ଉପରେ ସମସ୍ତଙ୍କ ନଜର ରହିବ। ସେହିପରି ସିପିଏମରୁ ସୀତାରାମ ୟେଚୁରୀ, ସିପିଆଇ ଡି. ରାଜା, ଆପର ସଞ୍ଜୟ ସିଂ, ଏନସିପିର ସୁପ୍ରିୟା ସୁଲ୍ଲେ, ବିଏସପିର ମାୟାବତୀ ଏବଂ ଆରଜେଡିର କିଛି ନେତାଙ୍କୁ ଓଡ଼ିଶାରେ ଦେଖିବାକୁ ମିଳିପାରେ। ସର୍ବପ୍ରଥମେ ଆସନ୍ତା ୨୪ ତାରିଖରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୪ ତାରିଖରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ । ଏହାକ ଗୋଟିଏ ଦିନ ପରେ ଅର୍ଥାତ ୨୫ ରେ ଗୃହମନ୍ତ୍ରୀ ଅମିତ୍ ଶାହ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ସୋନପୁରରେ ପ୍ରଚାର କରିବେ । ୨୮ ତାରିଖରେ ରାହୁଲ ଗାନ୍ଧୀ ସାଲେପୁରରେ ପ୍ରଚାର କରିବେ । ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନମଣ୍ଡଳୀ ଗଞ୍ଜାମ ଜିଲ୍ଲା ହିଞ୍ଜିଳିର ଶେରଗଡ଼ରେ ମଧ୍ୟ ଏକ ଜନସଭାକୁ ଉଦବୋଧନ ଦେବେ । ଏହାପରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ବିଧାନସଭା ନିର୍ବାଚନମଣ୍ଡଳୀଗୁଡ଼ିକରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଗତଥର ଭଳି ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ବସ୍ ରେ ସାରା ରାଜ୍ୟ ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ବୋଲି ଜଣାପଡିଛି। ଅନୁରୂପ ଭାବେ ଗୃହମନ୍ତ୍ରୀ ଅମିତ୍ ଶାହ ୨୫ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ପ୍ରଥମେ ସୋନପୁରରେ ନିର୍ବାଚନ ପ୍ରଚାର କରିବେ । ସଂଧ୍ୟାରେ ଭୁବନେଶ୍ୱର ଫେରି ଦଳୀୟ ନେତାଙ୍କ ସହ ଆଲୋଚନା କରି ସକାଳୁ ଦିଲ୍ଲୀ ଫେରିଯିବେ । ମେ ପ୍ରଥମ ସପ୍ତାହରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ୟୁପି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପ୍ରମୁଖ ଓଡ଼ିଶାରେ ନିର୍ବାଚନ ପ୍ରଚାର କରିବେ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଲାଗି ରାହୁଳ ଗାନ୍ଧୀ ଆସନ୍ତା ୨୮ ତାରିରେ ଓଡିଶା ଗସ୍ତରେ ଆସିବେ । ସେହିଦିନ ସେ କଟକ ଜିଲ୍ଲାର ସାଲେପୁର ଠାର ପ୍ରଚାର ଅଭିଯାନ ଆରମ୍ଭ କରିବା ନେଇ ସୂଚନା ଦେଇଛନ୍ତି ଓଡିଶା କଂଗ୍ରେସ ପ୍ରଭାରୀ ଡକ୍ଟର ଅଜୟ କୁମାର ।ସେହିଭଳି ମଇ ୩ ଓ ୪ ତାରିଖରେ ରାହୁଳ ଗାନ୍ଧୀ ରାୟଗଡାରେ ନିର୍ବାଚନୀ ପ୍ରଚାର କରିବେ ବୋଲି ସାଂସଦ ସପ୍ତଗିରି ଉଲ୍ଲାକା ସୂଚନା ଦେଇଛନ୍ତି ।