ବନ୍ଧୁକ ଓ ସରଞ୍ଜାମ ଜବତ।
ଯୁଗ୍ମ ଟାସ୍କଫୋର୍ସ ଦ୍ଵାରା ଦୁଇ ଶିକାରୀ ଗିରଫ
ବନ୍ଧୁକ ଓ ସରଞ୍ଜାମ ଜବତ
ଭୁବନେଶ୍ୱର:ବାରିପଦା: ଯୁଗ୍ମ ଟାସ୍କଫୋର୍ସ ଦ୍ଵାରା ଶିମିଳିପାଳ ଅଭୟାରଣ୍ୟ ମଧ୍ୟରୁ ଦୁଇ ଜଣ ଶିକାରୀ ଗିରଫ କରାଯାଇଛି। ତାଙ୍କ ନିକଟରୁ ବନ୍ଧୁକ ଓ ମାରଣାସ୍ତ୍ର ସରଞ୍ଜାମ ଜବତ ହୋଇଛି। ସୂଚନା ଅନୁଯାୟୀ, ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଶିକାରକୁ ରୋକିବା ପାଇଁ ଯୁଗ୍ମ ଟାସ୍କଫୋର୍ସ ଫୋର୍ସ ଟିମ ନିୟୋଜିତ ଅଛନ୍ତି। ଶିକାରୀ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଥିବାର ନେଇ ଖବର ମିଳିଥିଲା। ଏନେଇ ଫୋର୍ସ ଡୁକୁରା ରେଞ୍ଜ ଅଞ୍ଚଳର ଘଟଣାସ୍ଥଳରେ ପହଁଚିଥିଲେ। ତେବେ ସେଠାରେ ଫୋର୍ସକୁ ଦେଖି ସାତ ଜଣ ଶିକାରୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଦୁଇ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଉଦଳା ଥାନା ଅନ୍ତର୍ଗତ ବଡ଼ଖମଣ ଗ୍ରାମ ପଞ୍ଚାୟତର ମାଣିକପୁର ଗ୍ରାମ ବୈଦକୁଡି ସାହିର ସୁରେଶ ଟୁଡୁ(୫୦) ଓ ବାଜୁନ କିସ୍କୁ (୪୦)। ତାଙ୍କ ନିକଟରୁ ଗୋଟେ ଦେଶୀ ବନ୍ଧୁକ ସମେତ ୫୦ଗ୍ରାମ ଗ୍ରାମ ବାରୁଦ, ଗୋଟେ ବନ୍ଧୁକର ଲୁହା ଗଜ, ଗୋଟେ କଟୁରି, ୭୦ଗୋଟି ଆଇରନ ବଲ, ରାସାୟନିକ ପଦାର୍ଥ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଘଟଣା ନେଇ ପଚରା ଉଚରା କରିବା ପରେ ଶିମିଳିପାଳ ଅଭୟାରଣ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଛାନଭିନ କରି ଲୁଚାଇ ରଖିଥିବା ଅନ୍ୟ ଦୁଇ ଗୋଟି ଦେଶୀ ବନ୍ଧୁକ ସମେତ ଦୁଇଟି ଲୁହା ଗଜ ଜବତ କରାଯାଇଛି।
ଏନେଇ ଡୁକୁରା ରେଞ୍ଜରେ ଏକ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ପ୍ରକ୍ରିୟା ଜାରି ରହିଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।