Search for:
  • Home/
  • ରାଜ୍ୟ/
  • ୪୭କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ବିନିଯୋଗରେ ୫୦ଶଯ୍ୟାର ମିଳିବ ସୁବିଧା

୪୭କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ବିନିଯୋଗରେ ୫୦ଶଯ୍ୟାର ମିଳିବ ସୁବିଧା

Spread the love

Loading

ବାରିପଦାରେ କାର୍ଯ୍ୟକ୍ଷମ ହେବ ସତନ୍ତ୍ର କ୍ୟାନସର ହସ୍ପିଟାଲ ୪୭କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ବିନିଯୋଗରେ ୫୦ଶଯ୍ୟାର ମିଳିବ ସୁବିଧା ସତନ୍ତ୍ର ପ୍ରତିନିଧି ଦଳର ଅନୁଧ୍ୟାନ ସାରି ଫେରିଲେ

ବିଏସକେୱାଇ ହିତାଧିକାରୀଙ୍କୁ ମିଳିବ ମାଗଣା ଚିକିତ୍ସା

ଭୁବନେଶ୍ୱର:ବାରିପଦା:ଉତ୍ତର ଓଡିଶା ସମେତ ବିଚ୍ଛିନ୍ନାଞ୍ଚଳ ଜନସାଧାରଣଙ୍କ ପାଇଁ ଏଣିକି ହାତପାହନ୍ତାରେ ମିଳିବ କର୍କଟ ବା କ୍ୟାନସର ରୋଗର ଚିକିତ୍ସା। ଦୁରାରୋଗ୍ୟ କର୍କଟ ରୋଗର ଚିକିତ୍ସା ନିମନ୍ତେ ପଣ୍ଡିତ ରଘୁନାଥ ମୁର୍ମୁ (ପିଆରଏମ) ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ନିର୍ଭରଶୀଳ ପୀଡିତ ରୋଗୀକୁ ଚିକିତ୍ସା ପାଇଁ କଟକ ବା ଆଉ ଅନ୍ୟ ରାଜ୍ୟକୁ ଯିବାକୁ ପଡିବନି। ୨୦୨୪ ଜୁଲାଇ ମାସ ସୁଦ୍ଧା ବାରିପଦା ସ୍ଥିତ ପିଆରଏମ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ କାର୍ଯ୍ୟକ୍ଷମ ହେବ ସତନ୍ତ୍ର ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ। ଯାହାକୁ ନେଇ ଶନିବାର ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ୍ କ୍ୟାନ୍ସର ହସ୍ପିଟାଲ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ସତନ୍ତ୍ର ପ୍ରତିନିଧି ଦଳ ଶନିବାର ବାରିପଦାରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରତିନିଧି ଦଳରେ
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ (ଏନସିଡି) ଡା ସୁଶାନ୍ତ ସ୍ୱାଇଁ, ଟାଟା ମେମୋରିଆଲ ହସ୍ପିଟାଲ ମୁମ୍ବାଇର ଉପ ନିର୍ଦ୍ଦେଶକ ଡା ପଙ୍କଜ ଚତୁର୍ବେଦୀ, ପ୍ରଫେସର ଡା ଲିଙ୍ଗରାଜ ନାୟକ, ଡା ଅତୁଲ ବୁଦୁଖ, ଡା ସୁବର୍ଣା ଗୋରେ ଏବଂ ବାରଣାସୀ ସ୍ଥିତ ହୋମି ଭାବା କ୍ୟାନସର ହସ୍ପିଟାଲର ନିର୍ଦ୍ଦେଶକ ଡା ସତ୍ୟଜିତ ପ୍ରଧାନଙ୍କ ପ୍ରମୁଖ ଦିନିକିଆ ପରିଦର୍ଶନରେ ଆସି ଅନୁଧ୍ୟାନ ଓ ସମୀକ୍ଷା କରି ଫେରିଛନ୍ତି। ଓଡିଶା ସରକାରଙ୍କ ଓଡ଼ିଶା କମ୍ପ୍ରେହେନସିଭ କ୍ୟାନସର କେୟାର ପ୍ରୋଗ୍ରାମ (ଓସିସିପି) ଯୋଜନାରେ ଦୁରାରୋଗ୍ୟ କ୍ୟାନସରର ଉନ୍ନତ ଚିକିତ୍ସା ନିମନ୍ତେ ୫୦ଶଯ୍ୟା ବିଶିଷ୍ଟ ସତନ୍ତ୍ର ହସ୍ପିଟାଲ ଏଠାରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଯାହାକୁ ନେଇ ଉପରୋକ୍ତ ଟିମ ବାରିପଦା ସ୍ଥିତ ପିଆରଏମ ହସ୍ପିଟାଲର ୧୮୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ବିଲଡିଂ, ରକ୍ତ ଭଣ୍ଡାର, କେନ୍ଦ୍ରୀୟ ନିଦାନ ପ୍ରୟୋଗଶାଳା ଓ ଅନ୍ୟାନ୍ୟ ସ୍ଥାନ ପରିଦର୍ଶନ କରି ସମୀକ୍ଷା ସହିତ ସ୍ଥିତି ଅନୁଧ୍ୟାନ କରିଛନ୍ତି। ମୁମ୍ବାଇ ଟାଟା ମେମୋରିଆଲ୍ ସେଣ୍ଟର ଏବଂ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମଧ୍ୟରେ ସ୍ବାକ୍ଷରିତ ଚୁକ୍ତି ଅନୁଯାୟୀ ରାଜ୍ୟ ସରକାର ୪୭କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ୫୦ ଶଯ୍ୟା ବିଶିଷ୍ଟ ସତନ୍ତ୍ର କର୍କଟ ଡାକ୍ତରଖାନା ପିଆରଏମ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ରଙ୍ଗାମାଟିଆ ସ୍ଥିତ କ୍ୟାମ୍ପସରେ କାର୍ଯ୍ୟକ୍ଷମ କରାଯାଉଛି। ହସ୍ପିଟାଲ୍‌ର କାର୍ଯ୍ୟକ୍ଷମ ନେଇ ମାନବ ସମ୍ବଳ, ଆବଶ୍ୟକ ଭିତ୍ତିଭୂମିକୁ ସୃଦୃଢ଼ କରିବା, ହସ୍ପିଟାଲର ପାରିପାର୍ଶ୍ବିକ ସ୍ଥିତି ବାବଦରେ ପରିଚାଳନା ନେଇ ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷରେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ, ଡାକ୍ତର ଓ କର୍ମଚାରୀ ମାନଙ୍କ ସହ ପ୍ରତିନିଧି ଦଳ ଆଲୋଚନା କରିଛନ୍ତି। ସନ୍ଧ୍ୟାରେ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କ ସହିତ ଏହି ପ୍ରତିନିଧି ଦଳ ଆଲୋଚନା କରିଛନ୍ତି । ପୂର୍ବରୁ ପିଆରଏମ ହସ୍ପିଟାଲରେ କ୍ୟାନସର ଚିକିତ୍ସା ସେବା ଜାରି ରହିଛି। ତେବେ ଏଥି ସହିତ ସତନ୍ତ୍ର ଅତ୍ୟାଧୁନିକ ହସ୍ପିଟାଲ କାର୍ଯ୍ୟକ୍ଷମ କରି କ୍ୟାନସର ଅସ୍ତ୍ରୋପଚାର କରିବା, କେମୋ ଥେରାପି ନିମନ୍ତେ ରେଡିଓ ଆଇସୋଟୋପ୍‌ର ବ୍ୟବସ୍ଥା ଆଦି ପଦକ୍ଷେପ ଗ୍ରହଣ କରାଯାଉଛି। ଯାହା ଫଳରେ ରୋଗୀଟି କ୍ୟାନସରର ଚିକିତ୍ସା ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସୁବିଧା ନିଜ ଜିଲ୍ଲାରେ ପାଇ ପାରିବ। ସତନ୍ତ୍ର କ୍ୟାନସର ହସ୍ପିଟାଲଟି କାର୍ଯ୍ୟକ୍ଷମ ହେଲେ ଆଉ ରୋଗୀଙ୍କୁ ଜିଲ୍ଲା ବାହାରକୁ ଯିବାକୁ ପଡ଼ିବ ନାହିଁ। ଜୁଲାଇ ସୁଦ୍ଧା ଏହା ସମ୍ପୂର୍ଣ୍ଣ ଚିକିତ୍ସା ସେବା ଆରମ୍ଭ ହେବା ନେଇ ପ୍ରତିନିଧି ଦଳ ସୂଚନା ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ହସ୍ପିଟାଲ କାର୍ଯ୍ୟକ୍ଷମ କରାଯାଉଥିବା ବେଳେ ଟାଟା ମେମୋରିଆଲ ହସ୍ପିଟାଲ ସମସ୍ତ ପ୍ରକାର ବୈଷୟିକ ସହାୟତା, ତାଲିମ ସହ ପରାମର୍ଶ ପ୍ରଦାନ ପାଇଁ ଯୋଡି ହୋଇଛି। ଏଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯିବ ବୋଲି ସେମାନେ କହିଛନ୍ତି। ପିଆରଏମ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଡା ପ୍ରତିଭା ପଣ୍ଡା, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ଜ୍ଞାନେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।

Leave A Comment

All fields marked with an asterisk (*) are required