ଜନବାଦୀ ବିକଳ୍ପ ଗଢ଼ି ତୋଳିବା ଦିଗରେ ଫରୱାର୍ଡ଼ ବ୍ଲକ୍ ଅଗ୍ରସର ହେବ : ଦେବରାଜନ
ଫରୱାର୍ଡ଼ ବ୍ଲକ୍ର ପରିବର୍ଦ୍ଧିତ ରାଜ୍ୟ କମିଟି ବୈଠକ ଆରମ୍ଭ
ଜନବାଦୀ ବିକଳ୍ପ ଗଢ଼ି ତୋଳିବା ଦିଗରେ ଫରୱାର୍ଡ଼ ବ୍ଲକ୍ ଅଗ୍ରସର ହେବ : ଦେବରାଜନ
ଭୁବନେଶ୍ୱର, (ତା.୧୦.୦୮.୨୦୨୩) : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ‘ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ’ର ପରିବର୍ଦ୍ଧିତ ରାଜ୍ୟ କମିଟି ବୈଠକ ଆଜି ଅପରାହ୍ନରେ ଫରୱାର୍ଡ଼ ବ୍ଲକର ରାଜ୍ୟ କାର୍ଯ୍ୟାଳୟ ନେତାଜୀ ଭବନ ପରିସରରେ ଆରମ୍ଭ ହୋଇଛି । ଏହି ବୈଠକ ଅଗଷ୍ଟ ୯ ଓ ୧୦ ତାରିଖ ଦୁଇ ଦିନ ଧରି ଚାଲିବ । ପାର୍ଟିର ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ସଭାପତିତ୍ୱରେ ଏହି ବୈଠକକୁ ଫରୱର୍ଡ଼େ ବ୍ଲକର ସର୍ବଭାରତୀୟ ସାଧାରଣ ସମ୍ପାଦକ ଜି. ଦେବରାଜନ ନେତାଜୀଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଅୟାରମ୍ଭ କରିଥିଲେ । କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଦେଶ ଓ ରାଜ୍ୟର ସାମ୍ପ୍ରତିକ, ରାଜନୈତିକ ପରିସ୍ଥିତି, ଦରଦାମ ବୃଦ୍ଧି, ଶ୍ରମିକ ଛଟେଇ, ପେଟ୍ରୋଲ, ଡ଼ିଜେଲ ଓ ଇନ୍ଧନ ଗ୍ୟାସର ଦରବୃଦ୍ଧି, ବେକାରୀ, କୃଷି ଓ କୃଷକଙ୍କ ସମସ୍ୟା ସଂକ୍ରାନ୍ତରେ ବିସ୍ତାର ରୂପେ ଆଲୋଚନା କରିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧି ନୀତି ବିରୁଦ୍ଧରେ ନେତାଜୀଙ୍କ ରାସ୍ତାରେ ଜନବାଦୀ ବିକଳ୍ପ ଗଢ଼ି ତୋଳିବା ପାଇଁ ଅଗ୍ରସର ହେବାକୁ ଫରୱାର୍ଡ଼ ବ୍ଲକ୍ର ସାଥିମାନଙ୍କୁ ଆହ୍ୱାନ କରିଥିଲେ । କେନ୍ଦ୍ରର ମୋଦୀ ସରକାର ଦେଶର ସାମ୍ବିଧାନୀକ ବ୍ୟବସ୍ଥାକୁ ଧ୍ୱସଂ କରି ଏକଛତ୍ରବାଦୀ କାର୍ଯ୍ୟକଳା ବୃଦ୍ଧି କରିବାରେ ଲାଗିଛନ୍ତି । ସରକାରୀ କଳ ସତେ ଯେପରି କର୍ପୋରେଟ୍ ର ସ୍ୱାର୍ଥ ରକ୍ଷା ପାଇଁ ଅଙ୍ଗିକାରବଦ୍ଧ । ଜନଗଣଙ୍କୁ ମୌଳିକ ସୁବିଧା ପ୍ରଦାନ କରିବାରେ ବିଫଳ ମୋଦୀ ସରକାର ଭାରତବର୍ଷକୁ ସାମ୍ପ୍ରଦାୟୀକ ବିଦ୍ୱେଷର ଏକ ପ୍ରୟୋଗଶାଳାରେ ପରିଣତ କରିବାରେ ଲାଗିଛନ୍ତି । ଫରୱାର୍ଡ଼ ବ୍ଲକର ସାଥିମାନେ ଜଣେ ସଚ୍ଚା ଦେଶପ୍ରେମୀ ଭାବରେ ଭାରତବର୍ଷର ଏକତା, ଅଖଣ୍ଡତା, ସାମ୍ପ୍ରଦାୟୀକ ସଂପ୍ରିତି ଓ ସାମ୍ବିଧାନୀକ ବିଧି ବ୍ୟବସ୍ଥାର ସୁରକ୍ଷା ପାଇଁ ସଙ୍କଳ୍ପବଦ୍ଧ ହୋଇ କାର୍ଯ୍ୟକରିବାକୁ ଆହ୍ୱାନ କରିଥିଲେ । ଫରୱାର୍ଡ଼ ବ୍ଲକ୍ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଂଜନ ମହାପାତ୍ର ରାଜନୈତିକ ଓ ସାଂଗଠନିକ ଚିଠା ରିପୋର୍ଟ ଉପସ୍ଥାପନ କରିଥିଲେ । ଏହି ବୈଠକରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ନେତୃତ୍ୱମାନେ ବିଭିନ୍ନ ଜନସମସ୍ୟା ଏବଂ ସାଂଗଠନିକ, ରାଜନୈତିକ ରିପୋର୍ଟ ଉପରେ ନିଜର ମତବ୍ୟକ୍ତ କରିଥିଲେ । ଫରୱାର୍ଡ଼ ବ୍ଲକ ର ରାଜ୍ୟ ଉପସଭାପତି ଗୋପାଳ ଚନ୍ଦ୍ର ଅଗ୍ରୱାଲ, ସମ୍ପାଦକ ଜିତେନ୍ଦ୍ରୀୟ ବେହେରା, କୋଷାଧକ୍ଷ ଶମ୍ଭୁ ପ୍ରସାଦ ମହାନ୍ତି, ରାଜ୍ୟ କମିଟି ସଭ୍ୟ ଲକ୍ଷ୍ମୀ ଦୋରା ଛାତ୍ର ନେତା ବିକ୍ରମ କାଣ୍ଡି, ଦୁର୍ଯ୍ୟୋଧନ ପୁଜାରୀ, ସନ୍ତୋଷ ସାହୁ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ ।
ଏହି ବୈଠକ ଆସନ୍ତା କାଲି ଅପରାହ୍ନ ପର୍ଯ୍ୟନ୍ତ ଚାଲିବ ଓ ବିଭିନ୍ନ ଦିଗ ଉପରେ ଆଲୋଚନା ପରେ ପାର୍ଟିର ଆଗାମୀ ଦିନର ସାଂଗଠନିକ ରଣନୀତି ସଂକ୍ରାନ୍ତରେ ନିର୍ଦ୍ଧାରଣ କରାଯିବ ।