Search for:
  • Home/
  • Bda/
  • କେନ୍ଦ୍ର ବଜେଟ୍ ପୋଡ଼ିଲେ ସଂଯୁକ୍ତ କୃଷକ ମୋର୍ଚ୍ଚା ଓ କେନ୍ଦ୍ରୀୟ ଟ୍ରେଡୟୁନିୟନର ନେତୃବୃନ୍ଦ

କେନ୍ଦ୍ର ବଜେଟ୍ ପୋଡ଼ିଲେ ସଂଯୁକ୍ତ କୃଷକ ମୋର୍ଚ୍ଚା ଓ କେନ୍ଦ୍ରୀୟ ଟ୍ରେଡୟୁନିୟନର ନେତୃବୃନ୍ଦ

Spread the love

Loading

କେନ୍ଦ୍ର ବଜେଟ୍ ପୋଡ଼ିଲେ ସଂଯୁକ୍ତ କୃଷକ ମୋର୍ଚ୍ଚା ଓ କେନ୍ଦ୍ରୀୟ ଟ୍ରେଡୟୁନିୟନର ନେତୃବୃନ୍ଦ

ଭୁବନେଶ୍ୱର, ତା ୦୫/୨/୨୫: ବିଜେପି ନେତୃତ୍ୱଧୀନ କେନ୍ଦ୍ରସରକାରଙ୍କ ଚଳିତ ବର୍ଷ (୨୦୨୫-୨୬) ବଜେଟ୍ କୁ କୃଷକ, ଶ୍ରମିକ ଏବଂ ଗରୀବ ଲୋକଙ୍କ ଜୀବିକାର ଉପରେ ସିଧା ସଳଖ ଆକ୍ରମଣ ଏବଂ କର୍ପୋରେଟ ଲୁଣ୍ଠନ ପାଇଁ ଉଦ୍ଧିଷ୍ଟ ବୋଲି ଅଭିଯୋଗ କରି ଆଜି ସଂଯୁକ୍ତ କୃଷକ ମୋର୍ଚ୍ଚା ଓ କେନ୍ଦ୍ରୀୟ ଟ୍ରେଡୟୁନିୟନର ନେତୃବୃନ୍ଦ କେନ୍ଦ୍ର ବଜେଟ୍ ପୋଡିଛନ୍ତି।

ଫେବୃୟାରୀ ୫ରେ ଦେଶବ୍ୟାପୀ ମିଳିତ ପ୍ରତିବାଦ ପାଇଁ ଆହ୍ୱାନ ଡାକରାକୁ ସମର୍ଥନ ଜଣାଇ ଆଜି ରାଜଧାନୀର ମାଷ୍ଟର କ୍ୟାଣ୍ଟିନ୍ ଛକରେ ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସଂଯୁକ୍ତ କୃଷକ ମୋର୍ଚ୍ଚାର ନେତୃବୃନ୍ଦ ପ୍ରତିବାଦ ପ୍ରଦର୍ଶନ କରିବା ସହିତ କେନ୍ଦ୍ର ସରକାରଙ୍କ ବଜେଟ୍ ପୋଡିଥିଲେ ଏବଂ ଏହି ଜନବିରୋଧୀ ବଜେଟ୍ ବିରୋଧରେ ଆନ୍ଦୋଳନ ତୀବ୍ରତର କରିବାକୁ ଆହ୍ୱାନ ଦେଇଥିଲେ।

ବିଭିନ୍ନ ନେତୃବୃନ୍ଦ ସେମାନଙ୍କ ବକ୍ତବ୍ୟରେ କହିଥିଲେ ଯେ, ମୋଟ ଘରୋଇ ଉତ୍ପାଦନ (ଜିଡିପି)ରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅବଦାନ ୧୬ ପ୍ରତିଶତକୁ ବୃଦ୍ଧି ପାଇଥିଲେ ମଧ୍ୟ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟକଳାପ ପାଇଁ ଏହି ବର୍ଷର ବଜେଟ୍ ଆବଣ୍ଟନ ୨୦୨୪-୨୫ର ସଂଶୋଧିତ ଆକଳନ ତୁଳନାରେ କମ୍ ରହିଛି। କୃଷି ଓ ଆନୁଷଙ୍ଗିକ କାର୍ଯ୍ୟକଳାପ ପାଇଁ ୨୦୨୪-୨୫ର ସଂଶୋଧିତ ଆକଳନ ୩୭୬୭୨୦.୪୧ କୋଟି ଟଙ୍କା ଥିବା ବେଳେ ୨୦୨୫-୨୬ ରେ ଆବଣ୍ଟନ ମାତ୍ର ୩୭୧୬୮୭.୩୫ କୋଟି ଟଙ୍କା ରହିଛି। ମୁଦ୍ରାସ୍ଫୀତିକୁ ଯଦି ହିସାବକୁ ନିଆଯାଏ, ତେବେ ଏହି ବଜେଟରେ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟକଳାପ ପାଇଁ ଏକ ବଡ଼ ରକମର ହ୍ରାସ ଘଟିଛି । ୨୦୨୦-୨୧ ପରଠାରୁ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ବାସ୍ତବ ଖର୍ଚ୍ଚ କ୍ରମାଗତ ଭାବେ ହ୍ରାସ ପାଇଛି; ବଜେଟ ଆବଣ୍ଟନରେ କୃଷିକ୍ଷେତ୍ର ପାଇଁ ବର୍ଷ ପରେ ବର୍ଷ କ୍ରମାଗତ ହ୍ରାସ ସୂଚାଉଛି ଯେ ବିଜେପି ନେତୃତ୍ୱାଧୀନ ଏନ୍.ଡି.ଏ ସରକାରର ପ୍ରାଥମିକତା ସ୍ପଷ୍ଟ ଭାବେ କୃଷକଙ୍କୁ ଦିଆଯାଉନାହିଁ । ଏମ୍.ଏସ୍.ପି.ର ଆଇନଗତ ଗ୍ୟାରେଣ୍ଟି ସୁନିଶ୍ଚିତ କରିବା, ଫସଲ ସଂଗ୍ରହ ରେ କ୍ରୟ ସମ୍ପ୍ରସାରଣ କିମ୍ବା କୃଷକମାନଙ୍କୁ ଋଣବୋଝରୁ ମୁକ୍ତ କରିବା ପାଇଁ ବଜେଟରେ କୌଣସି ବ୍ୟବସ୍ଥା ନାହିଁ । ଏପରିକି ଫସଲ ର ଲାଭଜନକ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ସଂସଦୀୟ ସ୍ଥାୟୀ କମିଟିର ସୁପାରିସକୁ ମଧ୍ୟ କୌଣସି ଗୁରୁତ୍ବ ଦିଆଯାଇନାହିଁ ।

ନିଯୁକ୍ତି କ୍ଷେତ୍ରରେ କୃଷି କ୍ଷେତ୍ରର ଅଂଶ ବର୍ଷକୁ ବର୍ଷ ବଢିବାରେ ଲାଗିଛି, ୨୦୧୭-୧୮ରେ କୃଷି କ୍ଷେତ୍ରରେ ଦେଶର ମୋଟ ନିଯୁକ୍ତିର ୪୪.୧ ପ୍ରତିଶତ ଥିବାବେଳେ ୨୦୨୩-୨୪ରେ ଏହା ୪୬.୧ ପ୍ରତିଶତକୁ ବୃଦ୍ଧି ପାଇଛି, ଫଳରେ ପୂର୍ବେ କାମ ଖୋଜିବା ପାଇଁ ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଲୋକେ ଯାଉଥିବା ବେଳେ ବର୍ତ୍ତମାନ ଏହାର ବିପରୀତରେ ସହରାଞ୍ଚଳରେ ନିଯୁକ୍ତି ସୁଯୋଗ ନଥିବାରୁ ସହରାଞ୍ଚଳରୁ ଗ୍ରାମଞ୍ଚଳକୁ ଲୋକଙ୍କ ଆସିବା ଆରମ୍ଭ ହୋଇଛି, ଯାହା ବିପରୀତ ସ୍ଥାନାନ୍ତରକୁ ସୂଚାଉଛି। ଅତ୍ୟନ୍ତ ସମ୍ବେଦନହୀନ ଢଙ୍ଗରେ ମନରେଗା ପାଇଁ ବଜେଟ୍ ଆବଣ୍ଟନ ମାତ୍ର ୮୬,୦୦୦ କୋଟି ଟଙ୍କା ରଖାଯାଇଛି। ଗ୍ରାମାଞ୍ଚଳରେ ରୋଜଗାର ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉନାହିଁ । ସରକାର ଜାତୀୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନକୁ ପାଣ୍ଠି ପ୍ରଦାନ ସମ୍ପୂର୍ଣ୍ଣ ରୂପେ ବନ୍ଦ କରୁଛନ୍ତି ଏବଂ ଏଥିପାଇଁ ବଜେଟରେ ଶୂନ ଆବଣ୍ଟନ କରାଯାଇଛି; ଏହା ବିଜେପି ନେତୃତ୍ୱାଧୀନ ଏନ୍.ଡିଏ ସରକାରଙ୍କ ଗ୍ରାମୀଣ ବିକାଶ ଏବଂ ଗ୍ରାମୀଣ ଗରିବଙ୍କ ପ୍ରତି ଚରମ ଉଦାସୀନତାର ପ୍ରତିଫଳନ ଛଡା ଆଉ କିଛି ନୁହେଁ। ଖାଦ୍ୟ ସବସିଡି ପାଇଁ ୨୦୨୪-୨୫ର ବଜେଟ ରେ ଯେତିକି ମାତ୍ରାର ଆବଣ୍ଟନ କରାଯାଇଥିଲା, ତାହା ତୁଳନାରେ ଏହି ବର୍ଷର ଆବଣ୍ଟନ କମ୍ ରହିଛି। କଲ୍ୟାଣକାରୀ ଯୋଜନା ପାଇଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ଡାଲି ବଣ୍ଟନ ପାଇଁ ଗତ ବଜେଟରେ ୩୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା କିନ୍ତୁ ବର୍ତ୍ତମାନର ବଜେଟ ରେ ସେହି କ୍ଷେତ୍ର ରେ ଆବଣ୍ଟନ ଶୂନ ରହିଛି । ଶୀଘ୍ର ନିର୍ବାଚନୀ ଫାଇଦା ପାଇବା ଉଦ୍ଦେଶ୍ୟରେ ବହୁ ଚର୍ଚ୍ଚିତ ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଆୟକର ଛାଡ଼ କରାଯାଇଛି, ଏହି କର ଛାଡ/ ରିହାତି ମାଧ୍ୟମରେ ଯାହା କିଛି ଲାଭ ମିଳିବ ବୋଲି ଆଶା କରା ଯାଉଛି, ତାହା କିନ୍ତୁ ଦର ବୃଦ୍ଧି, ଉଚ୍ଚ ହାରର ପରୋକ୍ଷ ଟିକସ, ଖାଦ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଭ୍ରମଣ ଇତ୍ୟାଦି କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି ଯୋଗୁଁ ବାଧାପ୍ରାପ୍ତ ହେବ ।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆବଣ୍ଟନ ୧୫,୮୬୪ କୋଟି ଟଙ୍କାରୁ ୧୨,୨୪୨.୨୭ କୋଟି ଟଙ୍କାକୁ ହ୍ରାସ ପାଇଛି।  ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ପାଇଁ ଆବଣ୍ଟନରେ କୌଣସି ବୃଦ୍ଧି ହୋଇନାହିଁ ଏବଂ ୨୦୧୯ ମସିହାରେ ଏହି ଯୋଜନା ଆରମ୍ଭ ହେବା ପରଠାରୁ ମୁଦ୍ରାସ୍ଫୀତି ପାଇଁ ମଧ୍ୟ କୌଣସି ସମନ୍ୱୟ (ଆଡଜଷ୍ଟମେଣ୍ଟ)ର ବ୍ୟବସ୍ଥା କରାଯାଇନାହିଁ । ସାର ସବସିଡି ୧୭୧୨୯୮.୫୦ କୋଟି ଟଙ୍କାରୁ ୩,୪୧୧.୩୦ କୋଟି ଟଙ୍କା ହ୍ରାସ କରି ୧୬୭୮୮୭.୨୦ କୋଟି ଟଙ୍କାରେ ପହଂଚିଛି ।  ଡାଲି ପାଇଁ ଆତ୍ମନିର୍ଭର ଭାରତ ମିଶନର ଛଅ ବର୍ଷିଆ ଅଭିଯାନ ଖୋଲିବାର ଅସଲ ରୂପ ଆଜି ପଦାକୁ ଆସି ଯାଇଛି, ଯେତେବେଳେ ଏହି ମିଶନ ପାଇଁ ବଜେଟ ରେ ସମୁଦାୟ ଆବଣ୍ଟନ ମାତ୍ର ୧୦୦୦ କୋଟି ଟଙ୍କା ରଖାଯାଇଛି ।

କର୍ପୋରେଟ୍ ମାନଙ୍କ ସ୍ୱାର୍ଥରେ ଦେଶର‌ ଜଳ-ଜମି-ଜଙ୍ଗଲକୁ ଲୁଟ୍ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରଗତି (Pro-active Governance for Timely Implementation- PRAGATI) ନାମରେ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି। ଯାହା ଫଳରେ ଜଙ୍ଗଲ ଅଧିକାର ଆଇନ- ୨୦୦୬, ପେସା ଆଇନ୍ -୧୯୯୬ ସହ‌ ସଂପର୍କିତ ଗ୍ରାମସଭାର ଅଧିକାରକୁ ଅକାମୀ କରିଦିଆଯିବ, ସଂପ୍ରତି ଓଡ଼ିଶାରେ ସ୍ୱୟଂ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଶିଳ୍ପପତିଙ୍କ ମେଳା ଏବଂ “ଉତ୍କର୍ଷ ଓଡ଼ିଶା” କାର୍ଯ୍ୟକ୍ରମ ସାରା ଓଡିଶାର ବିନାଶ ପାଇଁ ଉଦ୍ଧିଷ୍ଟ ବୋଲି ବକ୍ତାମାନେ ଅଭିଯୋଗ କରିଥିଲେ।‌
ଏହି ପ୍ରତିବାଦ ଓ ବଜେଟ୍ ପୋଡ଼ି କାର୍ଯ୍ୟକ୍ରମରେ ପୁଷ୍ପା ଦାସ, କିଶୋର ଜେନା, ସୁରେଶ ପାଣିଗ୍ରାହୀ, ସୁର‌ ଜେନା, ଜୟସେନ ମେହେର, ରାଧାକାନ୍ତ ସେଠୀ, ନରେନ୍ଦ୍ର ମହାନ୍ତି, ଲକ୍ଷ୍ମୀ ଦୋରା,ଭୁବନାନନ୍ଦ ମହାପାତ୍ର, ମୀନତି ପାଣିଗ୍ରାହୀ, ଶୁଭ୍ରାଂଶୁ ଉଦଗାତା ପ୍ରମୁଖ ଉଦବୋଧନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରମେଶ ଜେନା,ପ୍ରଦୀପ୍ତ ନାୟକ, ନିରଞ୍ଜନ ମହାନ୍ତି, ପ୍ରଭାତ ପାଣିଗ୍ରାହୀ,ବିମଳୀ ନାୟକ ବଂଶୀଧର ପରିଡ଼ା, ଯତୀନ୍ ମହାନ୍ତି, ମାନସ ପ୍ରଧାନ, ପ୍ରମୁଖ ଏହି ପ୍ରତିବାଦର ନେତୃତ୍ବ ନେଇଥିଲେ।

 

 

 

 

Leave A Comment

All fields marked with an asterisk (*) are required