ମନୋଜ ଆହୁଜା ଦାୟିତ୍ୱ ନେଲେ।
ଦାୟିତ୍ୱ ନେଲେ ମନୋଜ ଆହୁଜା
ଭୁବନେଶ୍ୱର: ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ମନୋଜ ଆହୁଜା । ଲୋକସେବା ଭବନରେ ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହାପୂର୍ବରୁ ଆଜି ସକାଳେ ଶ୍ରୀ ଆହୁଜା ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ । ବିମାନବନ୍ଦରଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।୧୯୯୦ ବ୍ୟାଚ୍ ଓଡ଼ିଶା କ୍ୟାଡରର ଆଇଏଏସ୍ ମନୋଜ ଆହୁଜା ଜଣେ ଦକ୍ଷ ଆଇଏଏସ୍ ଅଫିସର ଭାବେ ଜଣାଶୁଣା । ୨୦୧୭ ମସିହାରୁ କେନ୍ଦ୍ରୀୟ ଡେପୁଟେସନ୍ ରେ ଥିଲେ । ତାଙ୍କର କେନ୍ଦ୍ରୀୟ ଡେପୁଟେସନ୍ ଅବଧିକୁ ସମାପ୍ତ କରି ଓଡ଼ିଶା ଫେରାଇ ଦେବାକୁ ରାଜ୍ୟର ନୂଆ ବିଜେପି ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ । ଗତ ୨୫ ତାରିଖରେ ରାଜ୍ୟ ସରକାରଙ୍କ ଅନୁରୋଧକୁ ନିଯୁକ୍ତି ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି ବିଚାର କରି ତାଙ୍କୁ ଓଡ଼ିଶା ଫେରିବାକୁ ଅନୁମତି ଦେଇଥିଲେ । ସେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିଲେ । ୨୮ ତାରିଖରେ ରାଜ୍ୟ ସରକାର ତାଙ୍କୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ପଦରେ ନିଯୁକ୍ତି ଦେଇଥିଲେ ।ଶ୍ରୀ ଆହୁଜା ଆସନ୍ତା ଡିସେମ୍ବରରେ ଚାକିରିରୁ ଅବସର ନେବେ । ଅବଶ୍ୟ ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିପାରନ୍ତି ବୋଲି ଅନୁମାନ କରାଯାଉଛି ।