Search for:
  • Home/
  • ରାଜ୍ୟ/
  • ଉଭୟ ଜନବିରୋଧୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଆଗାମୀ ନିର୍ବାଚନରେ ପରାସ୍ତ କରିବା ପାଇଁ ଆହ୍ୱାନ

ଉଭୟ ଜନବିରୋଧୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଆଗାମୀ ନିର୍ବାଚନରେ ପରାସ୍ତ କରିବା ପାଇଁ ଆହ୍ୱାନ

Spread the love

Loading

ଉଭୟ ଜନବିରୋଧୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଆଗାମୀ ନିର୍ବାଚନରେ ପରାସ୍ତ କରିବା ପାଇଁ ଆହ୍ୱାନ

ଭୁବନେଶ୍ୱର,ତା ୦୯/୦୫/ ୨୪: ଲୋହିଆ ଏକାଡେମୀ, ଭୁବନେଶ୍ୱର ପରିସରରେ ଆଜି ବିଭିନ୍ନ ବର୍ଗର ଚିନ୍ତାଶୀଳ ନାଗରିକମାନଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଓ ନାଗରିକ ସଭା ଆୟୋଜିତ ହୋଇଯାଇଛି। ଚଳିତ ନିର୍ବାଚନରେ କେନ୍ଦ୍ର ଓ ରାଜ୍ୟରେ ପୁଞ୍ଜିପତି ସପକ୍ଷବାଦୀ ତଥା ଗଣତନ୍ତ୍ର ଏବଂ ସାମାଜିକ ନ୍ୟାୟ ବିରୋଧୀ ଉଭୟ କେନ୍ଦ୍ର ଓ ରାଜ୍ୟର ଶାସକ ଦଳଙ୍କୁ ପରାସ୍ତ କରିବାକୁ ଏହି ସାମ୍ବାଦିକ ସମ୍ମିଳନୀ ତଥା ନାଗରିକ ସଭାରେ ଆହ୍ୱାନ ଦିଆଯାଇଛି।

ସେମାନେ ଅଭିଯୋଗ କରିଥିଲେ ଯେ ବେରୋଜଗାର, ଦରଦାମ ବୃଦ୍ଧି ଆକାଶଛୁଆଁ ହୋଇ ଚାଲିଥିବା ବେଳେ ଗମନାଗମନ, ଯୋଗାଯୋଗ ଓ ସରକାରୀ କ୍ଷେତ୍ରର ଘରୋଇକରଣ ସହ ଦେଶର ପ୍ରାକୃତିକ ସମ୍ପଦ, ଖଣିଜ ସମ୍ପଦ, ଜଳ-ଜମି ଓ ଜଙ୍ଗଲ ଆଦିକୁ ମୁଷ୍ଟିମେୟ ପୁଞ୍ଜିପତି ଓ କମ୍ପାନୀଙ୍କ ମୁନାଫା ପାଇଁ ବିକ୍ରି କରି ଦିଆଯାଉଛି। ଦେଶରେ କେତୋଟି ହାତଗଣତି ପରିବାରର ସମ୍ପତ୍ତି ଦୃତ ହାରରେ ବଢୁଥିବା ବେଳେ ସଂଖ୍ୟାଧିକ ଶ୍ରମିକ, କୃଷକ, ଆଦିବାସୀ, ଦଳିତ, ପଛୁଆ ବର୍ଗ ତଥା ନିମ୍ନ ମଧ୍ୟବିତ୍ତ ମାନଙ୍କର ଆର୍ଥିକ ସ୍ଥିତି ଦିନକୁ ଦିନ ଶୋଚନୀୟ ହେବାକୁ ଯାଉଛି। ଦେଶର ସମ୍ବିଧାନ ଦ୍ବାରା ସାଧାରଣ ନାଗରିକ ମାନଙ୍କୁ ଦିଆଯାଇଥିବା ପ୍ରତିଶୃତି ଗୁଡ଼ିକୁ କାର୍ଯ୍ୟକାରୀ କରିବା ବଦଳରେ କ୍ଷମତାସୀନ ଦଳଗୁଡ଼ିକ ଓ ସେମାନଙ୍କ ନେତାମାନଙ୍କ ଗ୍ୟାରେଣ୍ଟି କଥା ତିନି ତୁଣ୍ଡରେ ଛେଳି କୁକୁର ଭଳି ପ୍ରଚାର କରାଯାଉଛି। ସୁପ୍ରିମକୋର୍ଟ ନିର୍ଦ୍ଦେଶରେ ସ୍ୱାଧୀନ ଭାରତରେ ସବୁଠାରୁ ବଡ ଭ୍ରଷ୍ଟାଚାର ଇଲୋକ୍ଟ୍ରାଲ୍ ବଣ୍ଡ୍ ର ପର୍ଦ୍ଦାଫାଶ ହେବା ପରେ ବିଜେପି ଓ ବିଜେଡ଼ି ସମେତ ବିଭିନ୍ନ ରାଜନୈତିକ ଦଳର ଅସଲ ଚରିତ୍ର ଆଜି କାହାକୁ ଅଛପା ନୁହେଁ।
ଆଜି ଦେଶ ମଧ୍ୟରେ ଧାର୍ମିକ ସଂଖ୍ୟାଲଘୁ, ସାମାଜିକ ଭାବେ ଉତ୍ପିଡିତ ବର୍ଗ, ଦଳିତ-ଆଦିବାସୀ, ମହିଳା, ଗ୍ରାମାଞ୍ଚଳରେ ବସବାସ କରୁଥିବା ବିଭିନ୍ନ ବର୍ଗର ଗରିବ ଜନତା ଓ ସହରାଞ୍ଚଳରେ ବସବାସ କରୁଥିବା ବସ୍ତି ବାସିନ୍ଦା, ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାର ଗୁଡ଼ିକ ନିଜକୁ ସୁରକ୍ଷିତ ମନେ କରୁନାହାଁନ୍ତି। ଧାର୍ମିକ ଓ ଜାତିଗତ ହିଂସା, ରାଷ୍ଟ୍ର ପ୍ରାୟୋଜିତ ହିଂସା ଦିନକୁ ଦିନ ବଢି ଚାଲିଥିବା ବେଳେ ସଂଖ୍ୟାଗରିଷ୍ଠ ଭାବନାକୁ ରାଜନୈତିକ ସ୍ୱାର୍ଥ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି, ଯାହା ଫଳରେ ଭାରତ ଭଳି ବହୁବିଧ ଧର୍ମ, ସଂସ୍କୃତି, ଭାଷା, ବିଶ୍ୱାସ ଓ ପରମ୍ପରା ପ୍ରତି ତାହା ବିପଦ ସୃଷ୍ଟି କରୁଛି। ଆଜି ଦେଶରେ ଏପରି ଏକ ପରିସ୍ଥିତିରେ ନିର୍ବାଚନ ହେଉଛି, ଯେତେବେଳେ ଦିଲ୍ଲୀ ଓ ଝାଡ଼ଖଣ୍ଡ ଭଳି ରାଜ୍ୟର ନିର୍ବାଚିତ ମୁଖ୍ୟମନ୍ତ୍ରୀ ମାନଙ୍କୁ ଜେଲରେ ରଖାଯାଇଛି । ଇଡି ଓ ସିବିଆଇ ଭଳି ତଦନ୍ତ କାରୀ ସଂସ୍ଥା ଗୁଡିକୁ କେନ୍ଦ୍ର ସରକାରଙ୍କ ପୋଷା କୁକୁର ଭଳି ବ୍ୟବହାର କରାଯାଉଛି ଓ ରାଜ୍ୟପାଳ ମାନଙ୍କୁ କେନ୍ଦ୍ର ସରକାରଙ୍କ ଏଜେଣ୍ଟ ଭାବେ ବିରୋଧୀ ରାଜନୈତିକ ଦଳ ମାନଙ୍କର ଦ୍ବାରା ନିର୍ବାଚିତ ସରକାରଙ୍କୁ ଭାଙ୍ଗିବା ପାଇଁ ନଚେତ୍ ସରକାରଙ୍କ କାର୍ଯ୍ୟକ୍ରମରେ ଅବାଞ୍ଛିତ ହସ୍ତକ୍ଷେପ କରିବା ପାଇଁ ବ୍ୟବହାର କରାଯାଉଛି। ମିଥ୍ୟା ପ୍ରଚାର, ଅର୍ଥ ଓ ବାହୁବଳ ପ୍ରୟୋଗ ଜରିଆରେ ନିର୍ବାଚନର ଗଣତାନ୍ତ୍ରିକ ପ୍ରକ୍ରିୟା ଓ ପରମ୍ପରା ଗୁଡ଼ିକୁ ବିଧିବଦ୍ଧ ଭାବେ ନଷ୍ଟ କରାଯାଉଛି ଏବଂ ନିର୍ବାଚନ କମିଶନ୍ ଭଳି ସାମ୍ବିଧାନିକ ସଂସ୍ଥା ଗୁଡିକ ସରକାରଙ୍କ “ପଞ୍ଜୁରୀବଦ୍ଧ ଶୁଆ” ଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି।

ଓଡ଼ିଶାରେ ଥିବା ପଚିଶ ବର୍ଷର ଆଞ୍ଚଳିକ ଦଳ ବିଜୁ ଜନତାଦଳ ୧୯୯୮ ମସିହାରେ ଆରମ୍ଭ ହୋଇଥିଲେ ମଧ୍ୟ ବିଜେପି ସହିତ ମିଳିତ ଭାବେ ଭାଗୁଆଳି ସରକାର ଚଳାଇ ଆସିଥିଲା । ଯଦିଓ ୨୦୦୯ ମସିହାରୁ କନ୍ଧମାଳ ହିଂସାକାଣ୍ଡ ପରେ ଏହା ବିଜେପି ଠାରୁ ଅଲଗା ହୋଇଥିଲା, କିନ୍ତୁ ୨୦୧୪ ମସିହା ଠାରୁ ୨୦୨୪- ଦୀର୍ଘ ୧୦ ବର୍ଷ ଧରି କେନ୍ଦ୍ର ସରକାରଙ୍କ ସମସ୍ତ ନୀତି, ଆଇନ୍ ଓ କାର୍ଯ୍ୟକ୍ରମକୁ ନିଃସର୍ତ୍ତ ସମର୍ଥନ ଦେଇଆସିଛି। ଆମ ରାଜ୍ୟ ଓଡ଼ିଶା ଆଜି ମଧ୍ୟ ଦେଶର ପଛୁଆ ଓ ଗରିବ ରାଜ୍ୟ ଭାବେ ପରିଗଣିତ। ରାଜ୍ୟର ଲକ୍ଷ ଲକ୍ଷ ଯୁବକଯୁବତୀ ମାନେ ରାଜ୍ୟ ଭିତରେ ନିଯୁକ୍ତି ଅଭାବରୁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ରାଜ୍ୟ ମଧ୍ୟରେ କୃଷିଭିତ୍ତିକ ଶିଳ୍ପ, ନିରନ୍ତର ବିକାଶ ଓ ନିଯୁକ୍ତି ପାଇଁ କୁଟୀର ଶିଳ୍ପ, ନିଯୁକ୍ତି ଭିତ୍ତିକ କ୍ଷୁଦ୍ର ଶିଳ୍ପ ଏକ ସ୍ୱପ୍ନ ହୋଇଗଲାଣି, ଯାହା ଫଳରେ ଓଡ଼ିଶାର ଶ୍ରମିକ ଓ ଦିନ ମଜୁରିଆ ମାନେ ଦେଶରେ ସବୁଠାରୁ କମ୍ ମଜୁରୀ ପାଉଛନ୍ତି ଏବଂ ରାଜ୍ୟର କୃଷକମାନେ କୃଷିଜାତ ସାମଗ୍ରୀର ଉତ୍ପାଦନ, ବିକ୍ରି ଓ ସଂରକ୍ଷଣ କ୍ଷେତ୍ରରେ ଶୋଷଣର ଶୀକାର ହେଉଛି । କୃଷିକ୍ଷେତ୍ରରେ ଜଳସେଚନ, ବିଦ୍ୟୁତ୍ ବ୍ୟବହାର ଓ ଭୁସଂସ୍କାର କାର୍ଯ୍ୟକ୍ରମ ନଥିବା ଫଳରେ କେବଳ ବର୍ଷା ଉପରେ ନିର୍ଭରଶୀଳ ଧାନ ଚାଷ ହେଉଛି ଏବଂ ପନିପରିବା, ଫଳ, ମାଛ, ଅଣ୍ଡା,ଆଳୁ, ପିଆଜ ଆଦି କୃଷିଜାତ ସାମଗ୍ରୀ ଉତ୍ପାଦନକାରୀ ରାଜ୍ୟ ଭାବରେ ଓଡିଶା ଅଦ୍ୟାବଧି ସ୍ୱାବଲମ୍ବୀ ହୋଇପାରିଲା ନାହିଁ। ରାଜ୍ୟର ମୂଲ୍ୟବାନ ପ୍ରାକୃତିକ ସମ୍ପଦ ଯଥା ବକ୍ସାଇଟ୍, ଲୁହାପଥର, କ୍ରୋମାଇଟ୍, କୋଇଲା, ଗ୍ରାଫାଇଟ୍, ମାଙ୍ଗାନିଜ ଆଦି ଖଣିଜ ସଂପଦକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦେଶୀ ବିଦେଶୀ କମ୍ପାନୀ ମାନଙ୍କ ଲୁଣ୍ଠନ ଓ ମୁନାଫା ଅର୍ଜନ ପାଇଁ ସମସ୍ତ ରାସ୍ତା ପ୍ରଶସ୍ତ କରିଦେଇଛନ୍ତି। ଖଣି, ଶିଳ୍ପ ଓ ବନ୍ଦର ଅଞ୍ଚଳରେ କ୍ଷତିଗ୍ରସ୍ତ ହେଉଥିବା ସ୍ଥାନୀୟ ବାସିନ୍ଦା, ପ୍ରାକୃତିକ ସମ୍ବଳ ଉପରେ ନିର୍ଭରଶୀଳ କୃଷକ, ଜଙ୍ଗଲ ଶ୍ରମିକ, ଆଦିବାସୀ, ଦଳିତ ତଥା ବାସଚ୍ୟୁତ ପରିବାର ଗୁଡ଼ିକ ସହ କୈାଣସି ପରାମର୍ଶ କରାଯାଉନାହିଁ। ବରଂ ସେମାନଙ୍କ ନ୍ୟାୟ ସଙ୍ଗତ ପ୍ରତିବାଦକୁ ପୋଲିସ୍, କମ୍ପାନୀ ଗୁଣ୍ଡା ଓ ପ୍ରଶାସନିକ ଅଧିକାରୀ ମାନେ ଅତ୍ୟନ୍ତ ଅମାନବିକ ଭାବେ ଦମନ କରୁଛନ୍ତି ଓ ମିଛ କେଶ୍ ତଥା ଗିରଫଦାରୀ ମାଧ୍ୟମରେ ସମସ୍ତ ଗଣତାନ୍ତ୍ରିକ ରୀତି ନୀତିକୁ ଉଲଂଘନ କରୁଛନ୍ତି।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚତୁରେ ଚତୁରେ କୋଳାକୋଳି ଚାଲିଛି। ନିର୍ବାଚନ ପୂର୍ବରୁ ରାଜ୍ୟକୁ ଆସୁଥିବା କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ମାନେ ରାଜ୍ୟ ସରକାରଙ୍କୁ ପ୍ରଂଶସାରେ ପୋତି ପକାଉଥିବା ବେଳେ କେନ୍ଦ୍ର ସରକାରଙ୍କ ସମସ୍ତ ଜନବିରୋଧୀ ନୀତି ଓ ଆଇନ୍ ଗୁଡ଼ିକୁ ରାଜ୍ୟ ସରକାର ଆଖିବୁଜି ସମର୍ଥନ କରିଛନ୍ତି। କିନ୍ତୁ ଏବେ ନିର୍ବାଚନ ଆସିଥିବାରୁ ପରସ୍ପର ବିରୋଧରେ ବିଷୋଦାଗାର କରୁଛନ୍ତି, ଯାହା ସାଧାରଣ ଜନତାଙ୍କୁ ବିଭ୍ରାନ୍ତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଆଜିର ନାଗରିକ ସଭାରେ ମତପ୍ରକାଶ ପାଇଛି। ଉଭୟ‌ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହି ମିଛି ମିଛିକା ଲୁଚକାଳି ଖେଳ ଦେଶ ଓ ରାଜ୍ୟର ଜନସାଧାରଣଙ୍କୁ ଦାରିଦ୍ର୍ୟ ଓ ଅରାଜକତା ମଧ୍ୟକୁ ଠେଲି ଦେଇଛି। ପୁଞ୍ଜିପତି ସପକ୍ଷବାଦୀ ନୀତି ଗ୍ରହଣ କରୁଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାମ୍ବିଧାନିକ ବ୍ୟବସ୍ଥା, ଗଣତନ୍ତ୍ର, ସାମାଜିକ ନ୍ୟାୟ, ପରିବେଶ ଓ ମାନବାଧିକାର ପ୍ରସଙ୍ଗ ଗୁଡିକୁ ଅଣଦେଖା କରୁଛନ୍ତି। ଯଦି ଏହି ଉଭୟ ସରକାର ମାନେ ଆଗାମୀ ନିର୍ବାଚନରେ ପରାସ୍ତ ନହୁଅନ୍ତି, ତେବେ ଦେଶ ଓ ରାଜ୍ୟର ଅବସ୍ଥା ଆହୁରି ଖରାପ ହେବ ।
ଏହି ପରିପ୍ରେକ୍ଷୀରେ ସମସ୍ତ ସଚେତନ, ଗଣତନ୍ତ୍ରପ୍ରେମୀ, ପ୍ରଗତିଶୀଳ ନାଗରିକ, ଜନ ଆନ୍ଦୋଳନର କର୍ମୀ, ବୁଦ୍ଧିଜୀବୀ, ଶିକ୍ଷାବିତ୍, ସାମାଜିକ ଓ ମାନବାଧିକାର କର୍ମୀ ସମେତ ପରିବର୍ତ୍ତନକାମୀ ଓ ଗଣତନ୍ତ୍ର , ସମ୍ବିଧାନ ତଥା ସାମାଜିକ ନ୍ୟାୟରେ ବିଶ୍ୱାସ କରୁଥିବା ରାଜନୈତିକ କର୍ମୀ ଉଭୟ ବିଜେପି ଓ ବିଜେଡ଼ି କୁ ଆଗାମୀ ନିର୍ବାଚନରେ ପରାସ୍ତ କରିବାକୁ ଏହି ସଭାରେ ଆହ୍ୱାନ ଦିଆଯାଇଛି। ସେହିପରି ଏହି ଉଭୟ ଦଳ ମାନଙ୍କର ଜନବିରୋଧୀ ନୀତି ବିରୁଦ୍ଧରେ ଲଢ଼ୁଥିବା ବାମପନ୍ଥୀ, ଗଣତାନ୍ତ୍ରିକ, ସମାଜବାଦୀ, ଆମ୍ବେଦକର ପନ୍ଥୀ, ଧର୍ମନିରପେକ୍ଷ ଓ ସାମାଜିକ ନ୍ୟାୟରେ ବିଶ୍ୱାସ କରୁଥିବା କୃଷକ, ଶ୍ରମିକ ଏବଂ ଜନ ଆନ୍ଦୋଳନ ପ୍ରତି ସଂହତି ଜଣାଉଥିବା ଦଳ ଓ ସ୍ଵାଧୀନ ପ୍ରାର୍ଥୀ ମାନଙ୍କୁ ନିର୍ବାଚିତ କରିବା ପାଇଁ ଆହ୍ୱାନ ଦିଆଯାଇଛି।

ଆଜିର ଏହି ନାଗରିକ ସଭାକୁ ମାନବାଧିକାର କର୍ମୀ ନରେନ୍ଦ୍ର ମହାନ୍ତି ସଞ୍ଚାଳନ କରିଥିବା ବେଳେ ଲୋକଶକ୍ତି ଅଭିଯାନର ପ୍ରଫୁଲ୍ଲ ସାମନ୍ତରା, ଅଖିଳ ଭାରତ ଜନମଞ୍ଚର ରାଧାକାନ୍ତ ସେଠୀ, ସ୍ତମ୍ଭକାର ତଥା ସାମାଜିକ ନ୍ୟାୟର ପ୍ରବକ୍ତା ମାନସ ଜେନା, ଜନସ୍ବାସ୍ଥ୍ୟ ଅଭିଯାନର ଗୈାରାଙ୍ଗ ମହାପାତ୍ର, ଲୋହିଆ ଏକାଡେମୀର ଦେବ ପ୍ରସାଦ ରାୟ, ରାଜନୈତିକ କର୍ମୀ ପ୍ରତାପ ଚିନ୍ନାରା , ଦଳିତ ଅଧିକାର ଆନ୍ଦୋଳନର ସୁଦର୍ଶନ ଜେନା,
ସେଖ୍ ଅବଦୁଲ୍ ୱଲି, ସାମାଜିକ କର୍ମୀ ସାଂୟତନ ପଣ୍ଡା, ତାରିଣୀ ନାୟକ, ମାନବାଧିକାର କର୍ମୀ ତପନ ପାଢୀ, ଅଧ୍ୟାପକ ରମେଶ ବେହେରା, କ୍ଷେତ୍ରମୋହନ,
ପ୍ରଭାସ ସାମନ୍ତରାୟ, ମାନସ ପଟ୍ଟନାୟକ, କୈଳାସ ନାୟକ, ସସ୍ମିତା ଜେନା, ମହମ୍ମଦ ସୁକୁର୍, ରମେଶ ଜେନା ପ୍ରମୁଖ ଆଲୋଚନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

 

Leave A Comment

All fields marked with an asterisk (*) are required