ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ୨୦୨୩ ଏକ ବର୍ଣ୍ଣାଢ୍ୟ ଓ ମନୋଜ୍ଞ ପରିବେଶରେ ରବିନ୍ଦ୍ର ମଣ୍ଡପରେ ଉଦ୍ଘାଟିତ
ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ୨୦୨୩ ଏକ ବର୍ଣ୍ଣାଢ୍ୟ ଓ ମନୋଜ୍ଞ ପରିବେଶରେ ରବିନ୍ଦ୍ର ମଣ୍ଡପରେ ଉଦ୍ଘାଟିତ
ଭୁବନେଶ୍ୱର ତା ୨୬.୧୨.୨୦୨୩ – ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଓଡ଼ିଶା ପାଇଁ ନିଶ୍ଚିତ ଭାବେ ଏକ ଗର୍ବ ଓ ଗୌରବର କଥା । ଏହି ଉତ୍ସବ ଆୟୋଜନର ମୂଳ ଉଦେ୍ଦଶ୍ୟ ପୃଥିବୀର ବିଭିନ୍ନ ସ୍ଥାନରୁ ଆସିଥିବା ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟର ସୌନ୍ଦର୍ଯ୍ୟ ଓ କଳାକୁ ଦର୍ଶକମାନଙ୍କ ଆଗରେ ଉପସ୍ଥାପନ କରିବା ଏବଂ ଆନ୍ତର୍ଜାତୀୟ ସ୍ଥରରେ ଓଡ଼ିଶୀ ନୃତ୍ୟର ପ୍ରଚାର ଓ ପ୍ରସାର କରିବା । ଆଜି ଏହି ଆନ୍ତର୍ଜାତିୟ ଓଡ଼ିଶୀ ନୃତ୍ୟ ଉତ୍ସବ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଏକ ବର୍ଣ୍ଣାଢ୍ୟ ଓ ମନୋଜ୍ଞ ପରିବେଶ ଭିତରେ ଉଦ୍ଘାଟିତ ହୋଇଯାଇଛି । ଏହି ପାଞ୍ଚଞ୍ଚଦିନିଆ ନୃତ୍ୟ କାର୍ଯ୍ୟକ୍ରମରେ ବିଦେଶ, ଦେଶ ତଥା ରାଜ୍ୟର ପ୍ରାୟ ୩୫୦ରୁ ଅଧିକ କଳାକାର ଯୋଗଦାନ କରୁଅଛନ୍ତି ।
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଉଦ୍ଘାଟନୀ ଉତ୍ସବ ଆରମ୍ଭ ହୋଇଥିଲା । ସଂଧ୍ୟାର ଅତିଥିମାନେ ଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ୍; ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲୀପ ରାଉତରାୟ; ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି ଗୁରୁ ଅରୁଣା ମହାନ୍ତି; ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟ ନିର୍ବାହୀ ଅଧିକାରୀ ସିକତା ଦାସ ଓ ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଡଃÿ. ଅନୁଜା ତାରିଣୀ ମିଶ୍ର ।
ପ୍ରଥମେ ଏକକ ନୃତ୍ୟ ପର୍ଯ୍ୟାୟରେ ବିଶିଷ୍ଟ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ରଙ୍କ ଦ୍ୱାରା ଅର୍ଦ୍ଧନାରୀଶ୍ୱର ପରେ ପରେ ଗୀତାଞ୍ଜଳୀ ଆଚାର୍ଯ୍ୟଙ୍କ ଦ୍ୱାରା ଅଭିନୟ ସଖୀ ହେ ଏବଂ ଦ୍ୱୈତ୍ୟ ନୃତ୍ୟ ପର୍ଯ୍ୟାୟରେ ଆଶୁତୋଷ ପରିଡ଼ା ଓ ଚିନ୍ମୟ ସାହୁଙ୍କ ଦ୍ୱାରା ବାଳି ପରିବେଷିତ ହୋଇଥିଲା । ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଏକକ ନୃତ୍ୟ ପର୍ଯ୍ୟାୟରେ ଲକୀ ପ୍ରଜ୍ଞାନ ପ୍ରତିଷ୍ଠିତା ମହାନ୍ତିଙ୍କ ଦ୍ୱାରା ଅଭିନୟ ମା ଭାବାନୀ ପରେ ପରେ ସୁକୃତୀ ଦାସଙ୍କ ଦ୍ୱାରା ଶୀବ ପଞ୍ଚାକ୍ଷର, ଶ୍ରୀଜିତା ସାନ୍ୟଲ ଓ ସୁରଜିତ୍ ସୋମ୍ଙ୍କ ଦ୍ୱାରା ବେହାଗ ପଲ୍ଲବୀ, କୁଞ୍ଜଲତା ମିଶ୍ରଙ୍କ ଦ୍ୱାରା ଭ ଚମ୍ପୁ ପରିବେଷିତ ହୋଇଥିଲା । ପରବର୍ତ୍ତୀ ନୃତ୍ୟଟି ଥିଲା ଏକକ ନୃତ୍ୟ ପର୍ଯ୍ୟାୟରେ ସଞ୍ଜୀବ କୁମାର ଜେନାଙ୍କ ଦ୍ୱାରା ସରସ୍ୱତୀ ପଲ୍ଲବୀ ଓ ଶେଷରେ ଦଳଗତ ନୃତ୍ୟ ପର୍ଯ୍ୟାୟରେ ନୁପୂର ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ବର୍ଷା ବସନ୍ତ ପରିବେଷିତ ହୋଇଥିଲା ।
ଏହି ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବଟିର ସିଧାପ୍ରସାରଣ (ଲାଇଭ୍ ଷ୍ଟ୍ରିମିଂ) ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ଫେସବୁକ୍ ଓ ଏକ୍ସ ତଥା ୟୁଟୁ୍ୟବ୍ ଚେନାଲରେ ଆସନ୍ତା ପାଞ୍ଚଦିନଧରି ପ୍ରସାରିତ ହେବ । ଆସନ୍ତା କାଳି ପୂର୍ବାହ୍ନ ୧୦ ଟାରୁ ୨ଟା ପର୍ଯ୍ୟନ୍ତ ବହୁ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିବେ ଏବଂ ଦିନ ୪ଟାରୁ ପୁଣି ଆରମ୍ଭ ହେବ ଅପରାହ୍ନ ଓ ସାନ୍ଧ୍ୟ ନୃତ୍ୟ କାର୍ଯ୍ୟକ୍ରମ । ଏହି ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରବିନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡ଼ଃ. ଶ୍ରୀନିବାସ ଘଟୁଆରୀ ।