ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ଦ୍ୱିତୀୟ ବ୍ଲକ୍ସ୍ତରୀୟ ମାସିକ ଆଲୋଚନା ବୈଠକ
ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ଦ୍ୱିତୀୟ ବ୍ଲକ୍ସ୍ତରୀୟ ମାସିକ ଆଲୋଚନା ବୈଠକ
ବିଦ୍ୟାଳୟର ଶୈକ୍ଷିକ ବିକାଶ ଉପରେ ହେବ ଆଲୋଚନା
ଆକାଂକ୍ଷୀ ପାଠ୍ୟକ୍ରମ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉପରେ ରହିବ ଗୁରୁତ୍ୱ
ଯୋଗ ଦେବେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ
ଭୁବନେଶ୍ୱର,୯୦/୧୧: ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ଶୁକ୍ରବାର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଦ୍ଵିତୀୟ ବ୍ଲକସ୍ତରୀୟ ମାସିକ ଆଲୋଚନା ବୈଠକ ରାଜ୍ୟର ସମସ୍ତ ବ୍ଲକରେ ଆୟୋଜିତ ହେବ । ବ୍ଲକସ୍ତରରେ ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ/ଶିକ୍ଷୟିତୀମାନେ ଏହି ବୈଠକରେ ଯୋଗ ଦେବେ । ଶିକ୍ଷାର୍ଥୀଙ୍କ ଶୈକ୍ଷିକ ବିକାଶଠୁ ନେଇ ବିଦ୍ୟାଳୟ ଭିତ୍ତିଭୂମିର ଉତ୍ତମ ପରିଚାଳନା ସମ୍ପର୍କରେ ଆଲୋଚନ କରାଯିବ। ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ଅଧ୍ୟକ୍ଷତାରେ ବୈଠକର ଆୟୋଜନ କରାଯିବ ।
ଦ୍ୱିତୀୟ ମାସିକ ବୈଠକରେ ଆଲୋଚନାରେ ହାଉସ୍ ସିଷ୍ଟମ୍, କ୍ଲବ୍, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀଙ୍କ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ (ଏସ୍ଆଇଓଏସ୍)ରେ ନାମଲେଖା ମୁଖ୍ୟ ବିଷୟବସ୍ତୁ ରହିବ । ବିଦ୍ୟାଳୟରେ କିପରି ଭାବରେ ହାଉସ୍ ସିଷ୍ଟମ୍ କରାଯାଇ ଛାତ୍ରଛାତ୍ରୀମାନେ ସହପାଠ୍ୟକ୍ରମ କାର୍ଯ୍ୟକ୍ରମ କରିବେ ସେଉପରେ ଆଲୋଚନା କରାଯିବ । କ୍ଲବ୍ ଉପରେ ମଧ୍ୟ ବିସ୍ତୃତ ଭାବରେ ଆଲୋଚନା କରାଯିବ । ଏହା ସହ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ବିଭିନ୍ନ ବିଭାଗରେ ପୁରସ୍କାର ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ମାଧ୍ୟମିକ ବିଦ୍ୟାଳୟ ପୁରସ୍କାର, ପ୍ରଧାନଶିକ୍ଷକ (ମାଧ୍ୟମିକ ବିଦ୍ୟାଳୟ) ଓ ଶିକ୍ଷକ ପୁରସ୍କାର (ମାଧ୍ୟମିକ ବିଦ୍ୟାଳୟ), ପୁରାତନ ଛାତ୍ରଛାତ୍ରୀ କମିଟି ପୁରସ୍କାର ଓ ବିଦ୍ୟାଳୟ ପରିଚାଳନା କମିଟି ପୁରସ୍କାର ଉପରେ ଆଲୋଚନା କରାଯିବ । ଏହିସବୁ ପୁରସ୍କାର ପାଇଁ ପ୍ରଧାନଶିକ୍ଷକଙ୍କ କି କି ଭୂମିକା ରହିବ ସେଉପରେ ବିଇଓ ସେମାନଙ୍କୁ ଦିଗଦର୍ଶନ ଦେବେ । ଆଲୋଚନା ପରେ ବିଦ୍ୟାଳୟର ଶୈକ୍ଷିକ ବିକାଶ କିଭଳି କରାଯିବ, ଦଶମ ବୋର୍ଡ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ ପାଇଁ କଣ କଣ ଯୋଜନା ରହିବ ସେସମ୍ପର୍କରେ ପ୍ରଧାନଶିକ୍ଷକମାନେ ନିଜର ମତାମତ ରଖିବେ । ଏହା ସହ ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ କଣ ଦାୟିତ୍ୱ ଓ ଭୂମିକା ରହିବ ସେଉପରେ ଗୁରୁତ୍ୱାରୋପ କରାଯିବ । ଶେଷରେ ଏହି ବୈଠକ ଆୟୋଜିତ ହୋଇଥିବା ବିଦ୍ୟାଳୟ ପରିସରକୁ ସମସ୍ତ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସହ ଅଧିକାରୀମାନେ ପରିଦର୍ଶନ କରିବେ । ଏହାପରେ ମିଳିତ ଭାବରେ ଉକ୍ତ ବିଦ୍ୟାଳୟର ବିକାଶ ପାଇଁ ଆବଶ୍ୟକୀୟ ଯୋଜନା ପ୍ରସ୍ତୁତ କରିବେ ।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଗତ ଅକ୍ଟୋବର 10 ତାରିଖରେ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ପ୍ରଥମ ବ୍ଲକସ୍ତରୀୟ ମାସିକ ଆଲୋଚନା ବୈଠକ ରାଜ୍ୟର ସମସ୍ତ ବ୍ଲକସ୍ତରରେ ଆୟୋଜିତ ହୋଇଥିଲା । ବ୍ଲକର ଏକ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଏହି ବୈଠକରେ ସେହି ବ୍ଲକର ଅନ୍ୟ ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ଯୋଗ ଦେଇଥିଲେ । ରୂପାନ୍ତରିତ ବିଦ୍ୟାଳୟର ରକ୍ଷଣାବେକ୍ଷଣ, କ୍ଲବ୍, ହାଉସ୍ ସିଷ୍ଟମ୍, ସାଇକେଲ୍ ବଣ୍ଟନ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶ ଦିଗରେ ଆଲୋଚନା ହୋଇଥିଲା । ରାଜ୍ୟସ୍ତରରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀମାନେ ବିଭିନ୍ନ ବ୍ଲକକୁ ଯାଇ ଏହି ବୈଠକରେ ଯୋଗ ଦେଇ ପ୍ରଧାନଶିକ୍ଷକଙ୍କୁ ବିଦ୍ୟାଳୟର ଉନ୍ନତି ଦିଗରେ ଦିଗଦର୍ଶନ ଦେଇଥିଲେ ।