ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଇସ୍ତଫା
ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଇସ୍ତଫା
ଭୁବନେଶ୍ୱର: ଚର୍ଚ୍ଚାର ଅବସାନ ଘଟିଲା । ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ସେ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଇସ୍ତଫା ଦେଇଥବା ସେ ସ୍ପଷ୍ଟ କରିଛନ୍ତି । ଦଳ ତାଙ୍କୁ ସାଂଗଠନିକ ଗୁରୁ ଦାୟିତ୍ୱ ଦେବ ବୋଲି କୁହାଯାଉଛି ।
ଇସ୍ତଫା ଦେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରଜନୀକାନ୍ତ କହିଛନ୍ତି, ଏହା ହଠାତ୍ ନିଷ୍ପତ୍ତି ନୁହେଁ । ଏହା ବହୁ ଦିନର ନିଷ୍ପତ୍ତି । ସାମ୍ବିଧାନିକ ପଦରେ ଥିବାରୁ ଦଳୀୟ କାର୍ଯ୍ୟ କରିପାରୁ ନ ଥିଲି । ସଂଗଠନ ଓ ଦଳୀୟ ଲୋକଙ୍କ ସହ ମିଶିବାକୁ ଇସ୍ତଫା ଦେଲି । ଏବେ ଦଳ ପାଇଁ କାର୍ଯ୍ୟ କରି ସଂଗଠନକୁ ଆହୁରି ସୁଦୃଢ଼ କରିବି ବୋଲି ସେ କହିଛନ୍ତି ।
ସମାନ କାରଣ ପାଇଁ ଗତ ମେ’ ମାସରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦ ଛାଡ଼ିଥିଲେ । ଗଞ୍ଜାମ ଜିଲ୍ଲାରେ ସାଂଗଠନିକ ଆବଶ୍ୟକତା ଦୃଷ୍ଟିରୁ ତାଙ୍କୁ ଏହି ନିଷ୍ପତ୍ତି ନେବାକୁ ପଡ଼ିଥିଲା । ଏହାପରେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିଲା । ରଜନୀକାନ୍ତଙ୍କ କ୍ଷେତ୍ରରେ ତାଙ୍କୁ ଅନୁଗୁଳ ଜିଲ୍ଲାରେ ଦଳକୁ ଆହୁରି ମଜବୁତ କରିବା କାର୍ଯ୍ୟରେ ବିନିଯୋଗ କରାଯାଇପାରେ ।
ସୂଚନାଯୋଗ୍ୟ, ୬୮ ବର୍ଷ ବୟସ୍କ ଶ୍ରୀ ସିଂହ ୨୦୦୪ ମସିହାରୁ କ୍ରମାଗତ ଭାବେ ଅନୁଗୁଳ ବିଧାନସଭା ଆସନରୁ ଜିତି ଆସୁଛନ୍ତି । ୨୦୧୯ ଜୁନ୍ ମାସରୁ ସେ ବିଧାନସଭା ଉପବାଚସ୍ପତି ଭାବେ କାର୍ଯ୍ୟ କରୁଥିଲେ । ଏହାପୂର୍ବରୁ ସେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ଜଣେ ଭଲ ସଂଗଠକ ଭାବେ ତାଙ୍କର ନାଁ ଅଛି ।