ସୁଦର୍ଶନଙ୍କ ପ୍ରତି ଭାବବିହ୍ୱଳ ଶ୍ରଦ୍ଧାଂଜଳି ଜଣାଇଲେ ରାଜନୈତିକ ନେତା ଓ ବୁଦ୍ଧିଜୀବୀ
ସୁଦର୍ଶନଙ୍କ ପ୍ରତି ଭାବବିହ୍ୱଳ ଶ୍ରଦ୍ଧାଂଜଳି ଜଣାଇଲେ ରାଜନୈତିକ ନେତା ଓ ବୁଦ୍ଧିଜୀବୀ
ଭୁବନେଶ୍ୱର : ୧୪.୦୭ ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ତଥା ବିପ୍ଳବୀ ନେତା ସୁଦର୍ଶନ ପ୍ରଧାନଙ୍କର ଗତ ୧୧ ଜୁଲାଇ ୨୦୨୩ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯିବା ଘଟଣା ରାଜ୍ୟର ପ୍ରାୟ ସବୁ ରାଜନୈତିକ ଦଳର ନେତା ତଥା ବୁଦ୍ଧିଜୀବୀ ମହଲକୁ ଶୋକାପ୍ଳୁତ କରିଛି । ଗୁରୁବାର ସଂଧ୍ୟାରେ ରାଜଧାନୀରେ ଉପସ୍ଥିତ ଅଧିକାଂଶ ରାଜନୈତିକ ଦଳର ନେତା ଓ ବୁଦ୍ଧିଜୀବୀ ସ୍ଥାନୀୟ ନେତାଜୀ ଭବନ (ଫରୱାର୍ଡ ବ୍ଲକ ରାଜ୍ୟ କାର୍ଯ୍ୟାଳୟ)ରେ ଆୟୋଜିତ ଶ୍ରଦ୍ଧାଂଜଳି ସଭାରେ ଉପସ୍ଥିତ ରହି ଭାବବିହ୍ୱଳ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ଫରୱାର୍ଡ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଂଜନ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ପ୍ରଥମେ ଉପସ୍ଥିତ ନେତୃବୃନ୍ଦ, ବୁଦ୍ଧିଜୀବୀ ଓ ସାଧାରଣ ସୁଦର୍ଶନ ପ୍ରେମୀ ଜନତା ସୁଦର୍ଶନଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ । ନିମନ୍ତ୍ରିତ ଅତିଥିମାନଙ୍କ ପକ୍ଷରୁ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ପରେ ସମସ୍ତେ ନିଜ ନିଜ ଆସନରେ ଛିଡା ହୋଇ ଦିବଂଗତ ଆତ୍ମାର ସଦଗତି ନିମିତ୍ତ ଏକ ମିନିଟ ପାଇଁ ନିରବ ପ୍ରାର୍ଥନା କରିଥିଲେ । ଏହି ଶ୍ରଦ୍ଧାଂଜଳି ସଭାରେ ବିଜେଡି ନେତା ରବି ସାମଲ, କଂଗ୍ରେସ ନେତା ଅମୀୟ ପାଣ୍ଡବ, ସିପିଆଇ(ଏମ)ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସୁରେଶ ପାଣିଗ୍ରାହୀ,ସିପିଆଇ(ଏମଏଲ) ଲିବରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର,ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା, ଫରୱାର୍ଡ ବ୍ଲକ ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢୀ, ରାଜନୈତିକ କର୍ମୀ ନିରଞ୍ଜନ ମହାନ୍ତି,ବସ୍ତି ସୁରକ୍ଷା ମଂଚର ସଭାନେତ୍ରୀ ହେନା ବାରିକ, ପୂର୍ବତନ ବିଧାୟକ ରାଧାକାନ୍ତ ସେଠି,ବିଶିଷ୍ଟ ସାମାଜିକ କର୍ମୀ ମନୋଜ ଜେନା, ବାସୁଦେବ ଭଟ୍ଟ,ଦେବୀ ପ୍ରସାଦ ପୃଷ୍ଟି,ତପନ ମିଶ୍ର,ପ୍ରସନ୍ନ କିଶୋର, ମମତା ସାମନ୍ତରାୟ,ରାଜେଶ ଦାସ,ମହମ୍ମଦ ସୁକରୁ, ଡଃ ଉଲ୍ଲାସ ଦାସ, ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାତ୍ର,ସମାଜବାଦୀ ପାର୍ଟି ନେତା ସଂଜୟ ନାୟକ, ଯୁବନେତା ଅରବିନ୍ଦ ମହାନ୍ତି, ଦେବେନ୍ଦ୍ର ସ୍ୱାଇଁ, ତଥାଗତ ନାୟକ, ଦେବାଶିଷ ମହାପାତ୍ର ପ୍ରମୁଖ ନିଜ ଶୋକବାର୍ତ୍ତରେ ଦିବଂଗତ ସୁଦର୍ଶନ ପ୍ରଧାନଙ୍କୁ ଜଣେ ଉଦୀୟମାନ, ବିଚକ୍ଷଣ ତଥା ଅତି ଲୋକପ୍ରିୟ ନେତା ଭାବେ ବର୍ଣ୍ଣନା କରି ତାଙ୍କ ସ୍ଥାନ ଓଡ଼ିଶା ରାଜନୀତିରେ ଚିରଦିନ ଅପୁରଣୀୟ ରହିବ ବୋଲି କହିଥିଲେ । ବକ୍ତାମାନେ ସୁଦର୍ଶନଙ୍କ ମୃତ୍ୟୁକୁ ଏକ ଆକସ୍ମିକ ବଜ୍ରପାତ ବୋଲି ପ୍ରକାଶ କରିବା ସହିତ ସୁଦର୍ଶନ ରାଜନୈତିକ ଦଳ , ମତ ନିର୍ବିଶେଷରେ ସାତରୁ ସତୁରୀ ସମସ୍ତଙ୍କ ସୁଖଦୁଃଖରେ ଛିଡା ହେଉଥିବା କାରଣରୁ ଅତି ଲୋକପ୍ରିୟ ଥିଲେ ବୋଲି କହିଥିଲେ । ଏହି ସଭାରେ ସୁଦର୍ଶନ ପ୍ରଧାନଙ୍କର ସମସ୍ତ କବିତାକୁ ନେଇ ଏକ ପୁସ୍ତକ ପ୍ରକାଶ କରିବା ସହିତ ଆଗାମୀ ୨୨ ତାରିଖରେ ସୁଦର୍ଶନ ପ୍ରଧାନ ଙ୍କ ସ୍ମୃତିରେ ସବୁ ଦଳର ନେତା ତଥା ବୁଦ୍ଧିଜୀବୀମାନଙ୍କ ସହଯୋଗରେ ଏକ ରାଜ୍ୟସ୍ତରୀୟ ଶ୍ରଦ୍ଧାଂଜଳୀ ସଭାର ଆୟୋଜନ କରାଯିବା ସହ ତାଙ୍କ ସ୍ମୃତିରେ ଏକ ସ୍ମରଣିକା ପ୍ରକାଶିତ ହେବ ବୋଲି ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏହି ଶ୍ରଦ୍ଧାଞ୍ଜଳି ସଭାରେ ଘୋଷଣା କରିଥିଲେ । ଏକ ରାଜ୍ୟସ୍ତରୀୟ ସୁଦର୍ଶନ ପ୍ରଧାନ ସ୍ମୃତି କମିଟି ଗଠନ କରାଯିବା ପାଇଁ ଏହି ଶ୍ରଦ୍ଧାଞ୍ଜଳି ସଭାରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l ଜ୍ୟୋତି ରଞ୍ଜନ ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ, ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ, ଓଡିଶା