ଗହୀର ମଝିରୁ ଯୁବକଙ୍କ ଶବ ଜବତ ଘଟଣା; ୨ଗିରଫ ହତ୍ୟାର ଡେମୋ ଦେଖାଇଲେ ଅଭିଯୁକ୍ତ
ଗହୀର ମଝିରୁ ଯୁବକଙ୍କ ଶବ ଜବତ ଘଟଣା; ୨ଗିରଫ
ହତ୍ୟାର ଡେମୋ ଦେଖାଇଲେ ଅଭିଯୁକ୍ତ
ଖୋର୍ଦ୍ଧା,୩୧ା୧୦: ଖୋର୍ଦ୍ଧା ଆର୍ଦଶ ଥାନା ଅର୍ନ୍ତଗତ ସୁର୍ଦଶନ ବିହାର କଲୋନୀ ନିକଟସ୍ଥ ଏକ ଗହୀର ମଝିରୁ ଗତ ୨୬ ତାରିଖରେ ପୁଲିସ ଜଣେ ଯୁବକଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିବା ଘଟଣାରେ ୨ଜଣଙ୍କୁୂ ଗିରଫ କରିଛି । ମୃତକ ହେଲେ ଗୁରୁଜଙ୍ଗ ଭୋଇସାହିର ପ୍ରଶାନ୍ତ ବେହେରା । ହତ୍ୟା କରିଥିବା ଅଭିଯୁକ୍ତ ଦ୍ୱୟ ହେଲେ ସେହି ସାହିର ବାବୁଲି ବାରିକ (୨୭) ଓ ବବୁଲ ନାୟକ (୨୨) । ଗିରଫ ଅଭିଯୁକ୍ତ ଦ୍ୱୟଙ୍କୁ ପୁଲିସ ଦଫା ୩୦୨, ୨୦୧ ଏବଂ ୩୪ଆଇପିସିରେ ୭୧୭/୨୩ରେ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି । ଅଭିଯୁକ୍ତ ଦ୍ୱୟଙ୍କୁ ନେଇ ପୁଲିସ ସିନ ରିକ୍ରିଏସନ କରିଥିଲା । ଏସଡିପିଓ ଦିଲିପ କୁମାର ଦାସଙ୍କ ତତ୍ୱାବଧାନରେ ତଦନ୍ତକାରୀ ଅଧିକାରୀ ତଥା ଥାନା ଅଧିକାରୀ ତାରିକ ଅହମ୍ମଦ, ସାଇଁଟିଫିକ ଟିମ୍ ର ଉପସ୍ଥିତିରେ ଅଭିଯୁକ୍ତ ଦ୍ୱୟ ପ୍ରଶାନ୍ତକୁ କିପରି ପଥରରେ ଛେଚି ମାରିଥିଲେ ଏବଂ ପରେ ତାର ମୃତଦେହକୁ ଘୋଷାରିନେଇ ଗହୀର ମଝିରେ ଫିଙ୍ଗିଥିଲେ ତାହାର ଡେମୋ ଦେଖାଇଥିଲେ । ଘଟଣାସ୍ଥଳରୁ ପୁଲିସ ହତ୍ୟାରେ ବ୍ୟବହୃତ ପଥର ଓ କିଛି ଜିନିଷକୁ ଜବତ କରି ଅଧିକ ତଦନ୍ତ ଜାରୀ ରଖିଛି ।
ପ୍ରକାଶ ଥାଉକି, ଗତ ୨୬ ତାରିଖ ଦିନ ସୁର୍ଦଶନ ବିହାର – ଗୁରୁଜଙ୍ଗ ମଝି ଗହୀର ରେ ଏକ ଯୁବକଙ୍କ ଶବ ପଡିଥିବା ଜଣେ ମଇଁଶି ଚରାଳି ଦେଖିଥିଲା । ଏହାପରେ ଖବର ପାଇ ପୁଲିସ ଘଟଣାସ୍ଥଳରୁ ଶବ ଜବତ କରିଥିଲା । ପରେ ମୃତକ ର ଭାଇ ତାଙ୍କ ସାନଭାଇଙ୍କୁ ଉପରୋକ୍ତ ଅଭିଯୁକ୍ତ ଦ୍ୱୟ ହତ୍ୟା କରିଥିବା ଅଭିଯୋଗ କରିଥିଲେ । ଏସପି ସିଦ୍ଧାର୍ଥ କଟ୍ଟାରିଆଙ୍କ ନିଦେ୍ର୍ଦଶ କ୍ରମେ ଏସଡିପିଓ ଦିଲିପ କୁମାର ଦାସଙ୍କ ତତ୍ୱାବଧାନରେ ଅଭିଯୁକ୍ତଙ୍କୁ ଧରିବା ଲାଗି ଏକ ସ୍ୱତନ୍ତ୍ର ଟିମ ଗଠନ ହୋଇଥିଲା । ଏହି ଟିମ୍ ଥାନା ଅଧିକାରୀ ତାରିକ ଅହମ୍ମଦଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢଉ କରି ଅଭିଯୁକ୍ତଙ୍କୁ ଧରିଥିଲେ । ଥାନାରେ ପଚରାଉଚରା ବେଳେ ଅଭିଯୁକ୍ତ ଦ୍ୱୟ ଘଟଣା ସମ୍ପର୍କରେ ମାନିଥିବାବେଳେ ପୂର୍ବବିବାଦରୁ ହତ୍ୟା କରିଥଧିବା ସ୍ୱୀକାର କରିଥିଲେ ।